Unknown

 

 

 

 

 

 

 

 

 

 

 

ଲୋକଟିଏ

ଡକ୍ଟର ଫନୀ ମହାନ୍ତି

 

ନିଜ ଡାଏରୀରୁ.....

 

ବହୁ ଚେଷ୍ଟା କରି ବି ମୁଁ ଲୋକଟିଏକୁ ଶେଷ କରି ପାରିଲିନି । ଏତେ ଗୁଡ଼ାଏ ବର୍ଷ ପରେ ପୂର୍ଣ୍ଣାଙ୍ଗ ଚିତ୍ରଟିଏ ଫୁଟେଇବା ମୋ’ଦ୍ୱାରା ସମ୍ଭବ ହୋଇ ପାରିଲାନି । ତା’ପାଇଁ ମୋର ସବୁ ମେହନତି, ସବୁ ପାରିବାପଣ ଶେଷରେ ଅକାରଣ ହୋଇଗଲା ପରି ଅବିକଳ ଲାଗୁଛି ।

 

ଏତେ ବଡ଼ ମହାନ୍‌ ଚରିତ୍ରଟାଏ, ଏତେ ଭଲ ଲୋକ ସଂସାରରେ ଥାଉ ଥାଉ ମୋ ହାତ ମୁଠାରେ ଆପେ ଆପେ ଧରା ଦେଲା କାହିଁକି ? ବିନା ସର୍ତ୍ତରେ, ନସର ପସର ହୋଇ, ସବୁକିଛି ମୋ ପାଖେ ଅଜାଡ଼ି ଦେଲା କାହିଁକି ?

 

ଦିନ ଦିନ, ରାତି ରାତି ଧରି ତା’ କଥା ଭାବିଛି । କୂଳ କିନାରା କିଛି ପାଇନି ଏଯାଏଁ । ମୋ’ଠାରୁ ଆଉ ବେଶୀ କିଛି ଆଶା କରିବା ବୃଥା । ‘ଲୋକଟିଏ’ର ଅସମ୍ପୂର୍ଣ୍ଣ କାହାଣୀକୁ ପୂର୍ଣ୍ଣ କରିବା ପାଇଁ କେହି ନା କେହି ଦିନେ ଅଣ୍ଟାଭିଡ଼ି ବାହାରିବେ । ତା’ ଶୁଖିଲା ଓଠରେ ହସ ଚେନାଏ ଫୁଟାଇବେ । ଏ ବିଶ୍ୱାସ ମୋର ରହିଛି ।

 

ଯେଉଁ ଢଙ୍ଗରେ ତା’ କଥା ମୁଁ କହିଛି, ତା’ ମନର ଭାବକୁ ମୋର ସୀମିତ ଶବ୍ଦ ଭଣ୍ଡାର ଭିତରେ ଆଉଟି ପାଉଟି, ଖୁଣ୍ଟିନାଣ୍ଟି ରୂପ ଦେବାକୁ ଚେଷ୍ଟା କରିଛି, ସେଥିରୁ ତାକୁ ବୁଝିବାକୁ ହେବ । ତା’ କଥା କହି ବସିଲାବେଳେ ମୋର ମନେହୁଏ ଯେମିତି ମୁଁ ଆମ ସଭିଙ୍କ କଥାକୁହିଁ ଖୋଲିଖାଲି କହି ପକାଉଛି ଅଣନିଃଶ୍ୱାସୀ ହୋଇ ।

 

ତା’ କଥାତ ଅସରନ୍ତି ଆଈ ମା’ କାହାଣୀ ପରି । ଫରୁଆ ପରେ ଫରୁଆ । ତା’ପରେ ବି ଫରୁଆ । ସାତତାଳ ପାଣି । ଆଠତାଳ ପଙ୍କ । ତା’ପରେ ରୁପାର ନଅର । ତା’ପରେ ? ତା’ପରେ ତା’ କାହାଣୀର ପେଡ଼ି ଲମ୍ବି ଯାଇଛି କାହିଁ କେତେ ଦୂର, କିଏ କହିବ !

‘ଲୋକଟିଏ’ର କାହାଣୀ ଆମ ସଭିଙ୍କ ଜୀବନର କାହାଣୀ । ଛୋଟ ଛୋଟ ଅନେକ ଘଟଣା, ଯା’ର ହିସାବ ଆମେ ରଖୁନା । ଆମ ଆଖି ସାମ୍‌ନାରେ ନିତ୍ୟ ନିୟମିତ ଚଲାବୁଲା କରୁଛନ୍ତି ଖାଲି ଘଟଣାହିଁ ଘଟଣା; ଘଟି ଚାଲିଛି କୋଉ ପୁରୁଷରୁ କିଏ ଜାଣେ ? ସେଇଥିରୁ କେତୋଟିକୁ ସାଉଁଟି ଆଣି ସହଜିଆ ଢଙ୍ଗରେ, ଯେମିତି ମନକୁ ପାଇଛି ସେମିତି କୁହାଯାଇଛି । ଏଠି ଉପନ୍ୟାସର କୌଣସି ଫର୍ମୁଲା ନାହିଁ । କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ପକାଇ ଅନ୍ୟ କାହା ସହିତ ଏହାର ମପାଚୁପା ସମ୍ଭବ ନୁହେଁ । ଏହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ବା ଅସମ୍ପୂର୍ଣ୍ଣ କାହାଣୀ, ଯାହା ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଲେଖାଯାଇଛି ।

ଏ କାହାଣୀକୁ ‘ନଭେଲ୍‌’, ‘ନଭେଲା’ ବା ସେମିତି କିଛି ଟାଇଟିଲ୍‌ଟାଏ ଦେବା କେତେଦୂର ସମୀଚୀନ, ତାହା ବିଚାର କରିବାକୁ ହେବ । ଅନେକ ବର୍ଷ ତଳେ ଭାବପ୍ରବଣରେ ଭାସିଯାଇ ମୁଁ ଏହାକୁ ଆଣ୍ଟି-ନଭେଲ ବୋଲି କହୁ କହୁ କହି ପକାଇଥିଲି । ଆଜି ମତେ ହସ ମାଡ଼ୁଛି ମୋ ନିଜର ବୋକାମି ପାଇଁ । ଏସବୁ ବାଜେ ଫର୍ମୁଲା କଥା ମନକୁ କାହିଁକି ଆସେ ? ଖାଲି ଗୋଟାଏ ମୁକ୍ତ ଗଦ୍ୟ (ଫ୍ରି ପ୍ରୋଜ୍‌) ବୋଲି ଧରିନେଲେ କ୍ଷତି କ’ଣ ?

ଅନେକ ପଚାରିଛନ୍ତି, ହଇଓ ବାବୁ, କିଏ ସେଇ ‘ଲୋକଟି’ ? କୋଉଠି ତା’ ଘର ? ? କ’ଣ ତା’ର ଠିକଣା ??? ଏ ପ୍ରଶ୍ନର କି ଉତ୍ତର ଦିଆଯାଇପାରେ ! ସେଇ ଲୋକଟି ପ୍ରଶ୍ନକର୍ତ୍ତା ନିଜେ ବି ହୋଇପାରେ ବା ଅନ୍ୟ ଯେ କେହି କୋଟି କୋଟି ମଣିଷ ଭିତରୁ ଗୋଟିଏ ହୋଇପାରେ-। ସେ କିଏ ଜାଣିବାକୁ ବ୍ୟସ୍ତ ନ ହୋଇ, ସେ କ’ଣ କହିଚି ବୁଝିବା ବିଜ୍ଞତା ନୁହେଁକି ? କ’ଣ ବା ସେ ସତରେ କରିଛି ! ସବୁତ ଏଇ ମଣିଷ ଜୀବନର କଥା । ମଣିଷ ଜୀବନର କାହାଣୀତ ଅସରନ୍ତି । ଯେମିତି ଯେଉଁ ଢଙ୍ଗରେ ଯେପରି ଭାବେ ତେରେଛିଚାହିଁ ଦେଖିଲେବି ଏ ମଣିଷର ମୁହଁ ନୂଆ ନୂଆ ଲାଗେ ।

କେତେ ଦୟନୀୟ ସତେ ଏଇ ଜାତିଟା ! ଏତେ ବୁଦ୍ଧି ବିବେକ ଖଟେଇ ହାଡ଼ଭଙ୍ଗା ପରିଶ୍ରମ କରି କ’ଣ ପାଏ ଜୀବଦଶାରେ ? ତା’ର ଶୁଖିଲା ଉଦାସ ମୁହଁ, କରୁଣ ଫିକାଳିଆ ଚାହାଁଣିକୁ ଦେଖି କିଏ ବା ଧୈର୍ଯ୍ୟ ଧରିବ ? କେତେ ବିବିଧ ବୈଚିତ୍ର୍ୟରେ ଭରପୁର ଏଇ ଜୀବନ ! କେତେ ବିଚିତ୍ର ଅନୁଭୂତିରେ ପରିପୃଷ୍ଟ ଏଇ ମଣିଷ ! ଭାରତବର୍ଷରେ କେତେ ପଣ୍ଡିତ, ଜ୍ଞାନୀ, ସାଧୁସନ୍ଥ, ମୁନିଋଷି ଜନ୍ମହେଲା ଦିନୁ ଚେଷ୍ଟା ନକରିଛନ୍ତି ମଣିଷର ଦୁଃଖ ବିମୋଚନ ପାଇଁ । କିନ୍ତୁ କାହିଁ ? କିଛିତ ହୋଇ ପାରିନି । ଆମେ ଯେମିତି ଥିଲୁ ସେମିତି ପଡ଼ି ରହିଛୁ । ଆହାର, ନିଦ୍ରା, ସମ୍ଭୋଗ, ମୈଥୁନ–ଏହାରି ସମାହାରତ ଜୀବନ ! ମଣିଷ ଜୀବନରେ ଏଇ ଗୋପନତମ ସତ୍ୟକୁ ଉଦ୍‌ଘାଟନ କରିବା ପାଇଁ ଯୁଗଯୁଗରୁ କି କୁଚ୍ଛ୍ର ସାଧନା ଚାଲିଛି । ପୃଷ୍ଠାପରେ ପୃଷ୍ଠା ଯେତିକି ଉନ୍ମୋଚିତ ହେଉଛି, ଜୀବନ ସେତିକି ରହସ୍ୟମୟ, ମାୟାଚ୍ଛନ୍ନ ମନେ ହେଉଛି । କୋଉଠୁ କଥା ଆରମ୍ଭ ହେବ, କେଉଁ କ୍ରମରେ ଚାଲିବ–ଏଇ ଦୁଃଖରେ ସାରାଜୀବନ ବିତିଯିବାକୁ ବସିଲାଣି ।

ଆପଣମାନେ ଚିହ୍ନରା ଗ୍ରାହକ । ଅକଲ ଖଟେଇ ମପାଚୁପା କରି ଦେଖିବେ । ଆପଣମାନଙ୍କ ହାତରେ ଛାଡ଼ି ଦେଇ ଯାଉଛି ମୋର ପ୍ରିୟ ‘ଲୋକଟିଏ’କୁ । ତା’ ଭଲମନ୍ଦ ବୁଝିବେ-। ଦେଖିବେ, ସେ ଯେମିତି କୋଟିକରେ ଗୋଟିଏ ହୁଏ ।

ଡକ୍ଟର ଫନୀ ମହାନ୍ତି

 

କବି ବନବିହାରୀ ପଣ୍ଡାଙ୍କୁ......

 

ଭାଇନା,

ଆମ ଭିତରେ କୌଣସି

ରକ୍ତର ସମ୍ପର୍କ ନଥାଇ ବି କାହିଁକି

ଏତେ ନିଜର ମନେ ହୁଅନ୍ତି ଆପଣ ?

ଏ ଯାଏଁ ନିଖୋଳା ସ୍ନେହରେ ତ

ବାନ୍ଧି ରଖିଛନ୍ତି । ଅବଶିଷ୍ଟ ଜୀବନ ତକ

ଆମ ସମ୍ପର୍କ ସେମିତି ରହୁ ।

ମୋର କିଛି ଦେଇ ପାରିବାର ଶକ୍ତି ନାହିଁ ।

 

‘‘ଲୋକଟିଏ’’ କୁ ଆଜିର ଏଇ

ବିଜୟା ଦଶମୀରେ ଆପଣଙ୍କୁ

ସମର୍ପି ଦେଉଛି ।

 

ସ୍ନେହର

ଫନୀ,

୧୬ । ୧୦ । ୮୩

 

ସବୁଜ ଆକାଶ, ଧୂସର ଧରଣୀ ।

 

ଖଣ୍ଡ ଖଣ୍ଡ ଶୀତର ଚାଦର ବିଛାଡ଼ି ହୋଇଯାଇଛି । ସତେ ଯେମିତି ରାଜଧାନୀ ଜଳୁଛି । ଜଳାଉଛି । ଜଳିବାରେ ଭାରି ସୁଖ ଏ ପୃଥିବୀରେ । ଜଳାଇବାରେ ନୁହେଁ । ସବୁଆଡ଼େ ଏମିତି ଏମିତି ।

 

ଏଇ ଧରନ୍ତୁ ଯେମିତି ମୁଁ ସିଗାରେଟ୍‌ ଟାଣୁଛି । ଆପଣ କଫି ପିଉଛନ୍ତି । ବହି ଦୋକାନ ଆଗରେ ଠିଆ ହୋଇ କିଶୋରୀଟି ସେକ୍‌ସ୍‌ ଆଟ୍‌ଲାସ୍ ନୋହିଲେବା ‘କନ୍‌ଫିଡେନ୍‌ସିଆଲ୍‌ ଆଡ଼୍‌ଭାଇଜର୍‌’ର ପୃଷ୍ଠା ଓଲଟାଉଛି ।

 

ରାଜଧାନୀର ପାଗ କୋହଲା । ବରଫ ବର୍ଷା ହେଲାପରେ ଛିଣ୍ଡା ଛିଣ୍ଡା କୁହୁଡ଼ି ଛିଟିକି ଆସୁଛି । ଏମିତି ବେଳାରେ ଯୌନଚିନ୍ତା ମନ୍ଦନୁହେଁ । ପୁରୁଷ ବନ୍ଧୁଙ୍କ ସହିତ ରାଜମହଲ ଆଡ଼େ ଟିକିଏ ବୁଲାଯାଇ ପାରେ ।

 

ହୁଏତ ରାଜଧାନୀ ଏକ ଓଭରକୋଟ୍‌ ପିନ୍ଧିଥିବା ରୋମିଓ ମହିଳା କିମ୍ୱା ବୁର୍ଖା ପିନ୍ଧା ସ୍ତ୍ରୀ ପରି ଦିଶୁଛି । ପାରାଦ୍ୱୀପ ଲାଇନ୍‌ ଆଡ଼େ ଦଉଡ଼ୁଥିବା ଟ୍ରକ୍‌ଗୁଡ଼ିକରେ ପଞ୍ଜାବୀ ଡ୍ରାଇଭରମାନେ ବୋହିନେଇ ଯାଇଛନ୍ତି କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ କାଳିମାଈକିନିଆ । ଶୀତର ହାଣ୍ଡିଆ ପିଇ ଟ୍ରକରେ ଯାଉଥିବା ସ୍ତ୍ରଲୋକଙ୍କ ଭିତରୁ ଗୋଟିକୁ ଜୋର୍‍କରି ଟାଣି ନିଆ ଯାଇପାରେ । ଯେମିତି ଦୁଲାଳ୍‍ ସିଂ ଭିଡ଼ି ନେଉଥିଲା ସେଦିନ ଖଣ୍ଡଗିରି ଗୁମ୍ଫା ଭିତରକୁ ।

 

ସମୟ ବିପର୍ଯ୍ୟସ୍ତ ।

 

ଝଡ଼ ହୁଏତ ଆସିଯାଇ ପାରେ !

 

ରାଉରକେଲା ଏକ୍‌ସପ୍ରେସ୍‌ ଆସିବାରେ ବେଳ ଗଡ଼ି ଗଲାଣି । ଗଡ଼ିଯାଉ । ସେ କଥା ମନେ ପକାଇ ଲାଭ ନାହିଁ ।

 

ଭଦ୍ରମହିଳା ଖୁବ୍ ଚାଲାଖ କିନା ।

 

ଜର୍ମାନ୍‌ କି ରୁଷ୍‌.....ଯେଉଁଠି ହେଲେ ଥିବେ ।

 

ଝଡ଼ ପୂର୍ବରୁ ଆକାଶ ଖୁବ୍‌ ଭୟଙ୍କର । ଠିକ୍‌ ଟଫି ରଙ୍ଗ ପରି । ଝଡ଼ ସମୟର କାକର ବିନ୍ଦୁଗୁଡ଼ିକ କୁଆପଥର ପରି ଦେହରେ ପିଟିହୋଇ ଯାଇପାରେ । ନିରାପଦ ସ୍ଥାନକୁ ଚାଲିଯିବା ଉଚିତ ।

 

ବସ୍‌ ଷ୍ଟାଣ୍ଡ ଖୁବ୍‌ ଶୂନଶାନ୍‌ ।

 

ଚେସ୍‌ ବୋର୍ଡ଼ରୁ ରାଜା, ମନ୍ତ୍ରୀ, ବୋଟ୍‌ ପ୍ରଭୃତି ସୁଦକ୍ଷ କମାଣ୍ଡରମାନେ ମରିଗଲାପରେ ସୈନ୍ୟ କେଇଟା ପାଲି ଉପରେ ଟହଲ ମାରୁଥିବା ପରି, କାଁ ଭାଁ ଗୋଟେ ଅଧେ ମଣିଷ ବସ୍‌ ଷ୍ଟାଣ୍ଡରେ ଏପଟ ସେପଟ ହୋଇ ନିଆଁ ଗିଳୁଥାନ୍ତି । ବସ୍‌ ଆସିବାକୁ ଡେରିହେଲେ ଏମିତି ବି ସମୟ କଟାଯାଇ ପାରେ । ସବୁ ଏମିତି ଏମିତି ।

 

ଝଡ଼ ଆସିଗଲେ ସବୁସ୍ଥାନ ବିପଦ ଶଙ୍କୁଳ ।

 

ଗିର୍ଜାର ସତର୍କ ଘଣ୍ଟିପରି ସବୁଆଡ଼େ ଟିଣ୍‌ଟିଣ୍‌ ଆଓ୍ୱାଜ ।

 

ବିଶ୍ରାମ ଗାରରେ ଭୟଙ୍କର ଲୋକଭିଡ଼ । ମହିଳା ରୁମରେ ବି । ଡିଉଟି କରୁଥିବା ଖ୍ରୀଷ୍ଟିୟାନ୍‌ ଭଦ୍ର ମହିଳାଟି ବିଚାରୀ ପେଚାପରି କଣ୍ଟ୍ରୋଲ୍‌ ରୁମରେ ବସିଥାନ୍ତି । ଚା’ କପ୍‌ଟିଏ ମଗାଯାଇ ପାରିଲେ ତାଙ୍କ ସାଙ୍ଗେ ବେଶ୍ ଜମନ୍ତା । ସେ ବି କେମିତି କେମିତି ଲାଗନ୍ତା । ଭଦ୍ରମହିଳା ପୌଢ଼ାକିନା ! ଛାଡ଼, ସେ ସବୁ ବାଜେ ଚିନ୍ତା ।

 

ଝଡ଼ ହୁଏତ ଏଇ ଆସିପାରେ । ଏଇ ଆସିଗଲା । ଏମିତି ଏମିତି । ସବୁ ସ୍ଥାନ ଦଖଲ କରି ଜଣେ ଜଣେ ବିଶିଷ୍ଟ ଅତିଥିଙ୍କପରି ବସିଗଲେଣି । ସତେ ଅବା ଝଡ଼ର ରୋଷଣିପରେ ଭୋଜିଭାତ ହେବ । ସାହାନାଇ ବାଜିବ ।

 

ବିଚାରା ଲୋକଟିଏ :

 

ଏଇ ଯେମିତି ପିଲାଟିଏ । ଝିଅଟିଏ କି ସ୍ତ୍ରୀ ଟିଏ ।

 

ଲୋକଟି ବୁଲୁଛି ବିଶ୍ରାମାଗାରର ସିମେଣ୍ଟ ଚଟାଣ ଉପରେ ଏମୁଣ୍ଡୁ ସେମୁଣ୍ଡୁ ଯାଏଁ । ଆହା, ଏନ୍‌.ସି.ସି. ପିଲାଙ୍କ ପରି ମାର୍ଚ୍ଚିଂ କରୁନି ତ ?

 

କଟକରେତ ବସ୍‌ଷ୍ଟାଣ୍ଡ ବହୁଦିନ ଧରି ନଥିଲା । ତେଣୁ ଏକା ସାଙ୍ଗରେ ଅନେକଗୁଡ଼ିଏ ବସ୍‌ ଠିଆ ହୋଇଥିବାର ଦୃଶ୍ୟ ଦେଖିବା ଖୁବ୍‌ କ୍ୱଚିତ୍‌ । କଲେଜ ଛକରେ ରାତିବସ୍‌ଗୁଡ଼ା ବହୁତ ବଡ଼ । ଅସୁର ପରି । ବସ୍‌ ମାଲିକଗୁଡ଼ା (ଡିଉଟି କରୁଥିବା ଡ୍ରାଇଭର୍‍, କଣ୍ଡକ୍ଟର) ଖୁବ୍‌ ଦୁର୍ଦ୍ଦାନ୍ତ । ପେଟେ ପିଇଥାନ୍ତି । ନିଶାରେ କ’ଣ କାହାକୁ କହନ୍ତି ବୁଝିବା ମୁସ୍କିଲ୍‌ ।

 

ରେଲଷ୍ଟେସନ ତ ଏକ ଡହକ ନର୍କ । ପଚରା ଗନ୍ଧିଆ ମଣିଷରେ ସବୁବେଳେ ମହମହ-। ଥରେ ଲେବଲ୍‌କ୍ରସିଂ ଗେଟ୍‌ ଗୋଡ଼ ହାତ ଲମ୍ବାଇ ଶୋଇଗଲେ ନିଦ ଭାଙ୍ଗିବା କାଠିକର-। ତା’ପରେ ଦେଖିବ ମଜା ! ଦୁର୍ଭାଗ୍ୟର କଥା କଟକରେ ଏବେ ବି ଓଭର୍‌ବ୍ରିଜ ନାହିଁ ।

 

ରାଜଧାନୀରେ କିନ୍ତୁ ଏସବୁ ଦୃଶ୍ୟନାହିଁ ।

 

ଏଠି ମଣିଷଗୁଡ଼ା ଜାପାନୀ କଣ୍ଢେଇ । ରାସ୍ତାସବୁ ଶଙ୍ଖପରି ସଫା ।

 

ବସ୍‌ଷ୍ଟାଣ୍ଡ ଖୁବ୍‌ ବଡ଼ କଟକଠାରୁ; ସମ୍ବଲପୁରଠାରୁ; ଏମିତିକି ବ୍ରହ୍ମପୁରଠାରୁ ବି । ଏତେବଡ଼ ବସ୍‌ଷ୍ଟାଣ୍ଡ ଥାଇ ବି ଲୋକଟି ପାଇଁ ଜାଗା ଟିକିଏ ମିଳୁନି । ବାହାରେ ଝଡ଼ ନାଚିଲାଣି । ମହିଳା ରୁମରେ ବି ।

 

ଆମ ଦେଶର ସ୍ତ୍ରୀମାନଙ୍କର ଆଦୌ କାଣ୍ଡଜ୍ଞାନ ନାହିଁ । ଘରେ ଯାହା, ବାହାରେ ବି ସେଇଆ !

 

ଲୋକଟି ବିଚାରା କାଠ ପରି ଛିଡ଼ା ହୋଇଛି ।

 

ଅଯଥାରେ ଅପେକ୍ଷାକରି କଷ୍ଟ ପାଇବା କି ଦରକାର ?

 

ଏମିତି କଷ୍ଟ ପାଇବାରେ କି ଆନନ୍ଦ ?

 

ହେଇ ଆସିଲେ । ହେଇ ଆସିବେ । ଆହା, ତମର ଏତେ ଡେରି କାହିଁକି ହେଲା ? ଏଇଥି ପାଇଁ ତ ଏତେ କଥା । ବିଚରା ଲୋକଟି କାହା ପ୍ରେମରେ ପଡ଼ିଯାଇଛି । ତା’ ନହେଲେ ଝଡ଼ ରାତିରେ ଏମିତି ବସ୍‌ଷ୍ଟାଣ୍ଡରେ ଏକା ଏକା ଠିଆ ହୋଇ ରହିବାର ମାନେ କ’ଣ ?

 

[ମୁଁ ବି ଦିନେ ପ୍ରେମରେ ପଡ଼ିଥିଲି । ଏବେ ନୁହେଁ ଅନେକ ବର୍ଷ ତଳେ.... ।]

 

ଏଇନେ ସମୟ ମୋର ଶତ୍ରୁ । ଆଉ ବୟସ; ଆହା; ଗଡ଼ିଗଲାଣି ।

 

ଲୋକଟି ବାଦ୍‍ଶାହୀ କାଇଦାରେ ଠିଆ ହୋଇଛି ।

 

ସମ୍ଭ୍ରାନ୍ତି ଘରର ବୋଧହୁଏ । ରାଜଧାନୀରେ ସବୁ ଶ୍ରେଣୀର ଲୋକେ ପ୍ରେମରେ ପଡ଼ନ୍ତି-। ମହିଳାମାନେ ବେଶି ଆଡ଼୍‌ଭାନସ୍‌ କି ନା ! ତୃତୀୟ ବିଶ୍ୱଯୁଦ୍ଧ ଯଦି ନହୁଏ, ତେବେ ରାଜଧାନୀରେ ଅଭୂତପୂର୍ବ ପରିବର୍ତ୍ତନ ଘଟିବ । ରାସ୍ତାକଡ଼ରେ ଠିଆହୋଇ ଝିଅମାନେ ପ୍ରେମ କରିବେ । ଚୁମା ଖାଇବେ । ଚୁମା ଖାଇଲେ କୋଉଠି ମଣିଷ ଦୀର୍ଘାୟୁ ହୁଏ । ହୃଦ୍‍ଯନ୍ତ୍ର କ୍ରିୟା ଭଲ କାମ କରେ-

 

ଲୋକଟି ଦୂରରୁ ଦିଶୁଥିଲା ଖୁଣ୍ଟଟିଏ ପରି ।

 

ଯେମିତି ରବୀନ୍ଦ୍ର ମଣ୍ଡପଟି ମଲାମଣିଷର ଖପୁରି ପରି ଦିଶେ ।

 

ବସ୍‍ ଆସିପାରେ । ନ ଆସି ବି ପାରେ । ଝଡ଼ର ଗତି ଘଣ୍ଟାକୁ ନ’ଶହ କିଲୋ ସାଇକଲ୍‌ସକୁ ଟପି ଗଲାଣି । ଏକା ଏକା ଠିଆ ହୋଇ ବିରକ୍ତ ହୋଇଯିବା ଭଙ୍ଗୀରେ ଲୋକଟି ତା’ ହାତଘଡ଼ିକୁ ଚାହୁଁଛି ବାରମ୍ୱାର ।

 

ଯେ’ କେହି ଜଣେ ଦେଖା ହୋଇଗଲେ ସମୟ କଟିଯାନ୍ତା । ନୀଳିମା, ପ୍ରଣତୀ କିମ୍ବା କୁକୁମୀନା ।

 

ବଡ଼ ଦୁଃଖରେ ଠିଆ ହୋଇଥିବା ଲୋକଟି ହାଇ ମାରିଲା । ହାଇ ମାରିଲେ କେତେଟା ଆରାମ ଲାଗେ । ଝଡ଼ ଛାଡ଼ିବାର ଆଶା ନାହିଁ । ଯେମିତି ପଇସା ନ ପାଇବା ଯାଏଁ ତେଲେଙ୍ଗା ରିକ୍ସାବାଲା ଆରୋହୀକୁ ନଛାଡ଼ି କଟର କଟର ଲଗାଇଥାଏ ।

 

ଢିଲା ସେମିଜି ପିନ୍ଧା ଝିଅଟି ପରି ଲୋକଟି ଖୁବ୍‍ ହାଲୁକା ଭାବରେ ଆଗେଇଲା ଷ୍ଟଲ୍‌ ଆଡ଼କୁ । କାଚର ଦରଜା ଟାଣି ଭିତରକୁ ପଶିଲା । ସନମାଇକା ଲଗା ଯାଇଥିବା ଟେବୁଲ ପାଖେ ହାମୁଡ଼େଇ ପଡ଼ିଲା । ଯେମିତି ଗୋଟିଏ ବେଙ୍ଗ ଅନ୍ୟ ଏକ ବେଙ୍ଗ ଉପରେ ।

 

କିଛି ସମୟ ପରେ ନିଦ ମଳ ମଳ ଆଖିରେ ଗୋଟିଏ ଟୋକା ପଚାରିଲା; ବାବୁ; ଚା’ ନାଁ କଫି ?

 

ଲୋକଟି ଉତ୍ତର ଦେଲା, ଏ ପାଖରେ କଫି କପ୍‌ଟିଏ ଅଣାଯାଉ । ଷ୍ଟ୍ରଙ୍ଗ କଫି । ଟେବୁଲ ଉପରେ ଅଧା ଶୋଇବା ଠାଣିରେ ଲୋକଟି କାନ୍ଥଘଡ଼ିକୁ ଅନେଇଲା । ଘଡ଼ିଟି ବେଲୁନ ଭଳି ତାକୁ ଲାଗିଲା । ଷ୍ଟଲ୍‌ଟି ଉଲଗ୍ନ ସ୍ତ୍ରୀମାନଙ୍କର ଛବିରେ ପୂର୍ଣ୍ଣ । ସମ୍ଭବତଃ ସେଗୁଡ଼ିକ ବିଭିନ୍ନ କମ୍ପାନୀର ବିଜ୍ଞାପନ କ୍ୟାଲେଣ୍ଡର ।

 

ବିରକ୍ତି ଓ ଘୃଣାରେ ଶିହରି ଉଠି ଲୋକଟି ମନକୁ ମନ କହିଲା; ରାଜଧାନୀରେ ବି ଲୋକଙ୍କର ରୁଚି ନାହିଁ । ଉପଭୋଗ କରିବାର ଆଦବ୍‌ କାଇଦା ମାଲୁମ ନାହିଁ । କାନ୍ଥରେ କ୍ୟାଲେଣ୍ଡର ଟାଣିବାଟା କେତେ ଓଲଡ୍‍ ଫେସନ୍‌ । ଟୋକାଟି ଟେବୁଲ ଉପରେ କଫି କପ୍‌ଟିଏ ଆଣି ଥୋଇଲା । କଫି କପ୍‌ଟି ଦେଖି ଲୋକଟି ପାଟିରୁ ଲାଳ ଗଡ଼ିଲା । ପ୍ଲେଟରେ ଢାଳି ପିଇଲେ ଅଳ୍ପ ସମୟ ଭିତରେ ସରି ଯାଇପାରେ । ସେଥିପାଇଁ ଲୋକଟି ଖୁବ୍‌ ବିଦେଶୀ କାଇଦାରେ ଚାମଚରେ କଫି ପିଇଲା । ନୀଳିମା, ପ୍ରଣତୀ କିମ୍ବା କୁକୁମୀନା କେହି ଜଣେ ଥିଲେବି ମଜା ଲାଗୁଥାନ୍ତା । ଲୋକଟି ହସି ହସି ପ୍ରେମ କରିବା ଢଙ୍ଗରେ କହୁଥାନ୍ତା, ‘‘ତମେ ବି ଗୋଟିଏ ଚାମଚରେ କଫି ପିଇପାର ।’’

 

ସେମାନେ କେହି ଏପର୍ଯ୍ୟନ୍ତ ଆସିଲେନି । ଅନ୍ତତଃ ଜଣଙ୍କର ବି ଆସିବାର ଥିଲା । ସେମିତି ଦୃଢ଼ ଜବାବ ପାଇଥିଲା ବୋଲି ସିନା ଷ୍ଟାଣ୍ଡର ତୃତୀୟ ମହଲାରେ ଥିବା କ୍ୟାବିନରୁ ଗୋଟିଏ ରାତି ପାଇଁ ଭଡ଼ା ଆଣିଥିଲା । ରାତିକର ରତି ପାଇଁ ରାଜଧାନୀରେ ଯେ କୌଣସି କଷ୍ଟ ସହିବାକୁ ପ୍ରସ୍ତୁତ ହେବା ଉଚିତ ।

 

କଫି ପିଇସାରି ଲୋକଟି ଟୋକାକୁ ପଇସା ଦେଲା । ଆଉ ଦୟା ଦେଖାଇବା ଢଙ୍ଗରେ କିଛି ବକ୍‌ସିସ୍‌ ବି ।

 

କାଚ କବାଟ ଠେଲି ଲୋକଟି ପଦାକୁ ଚାଲି ଆସିଲା । ଝଡ଼ ହେଟା ବାଘପରି ରଡ଼ି ଛାଡ଼ୁଥାଏ । କାଲୁଆ ପବନରେ ବିଶ୍ରାମାଗାର ପ୍ରେତପୁରୀ ପରି ଗୁମୁରି ଉଠୁଥାଏ । ଲୋକଟି କିଛି ଜାଣିପାରୁ ନ ଥାଏ । ଫେଲ୍‌ଟକ୍ୟାପ୍‌ ପରି କ’ଣ ଗୋଟାଏ ମୁଣ୍ଡରେ ଗଳାଇ ଦେଇ ଲୋକଟି ତା’ ହାତ ଘଡ଼ିକୁ ଚାହିଁଲା । ତା’ପରେ ବସ୍‌ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କଲା ।

 

ରାସ୍ତା ଉପରେ ଲୋକଟି ଚାଲୁଥାଏ । ଭୂତ ଯେମିତି ଚାଲେ । ଝଡ଼ ବେଶ୍ୟାପରି ତା’ ଚାରିକଡ଼େ ନାଚ କରୁଥାଏ । ଲୋକଟି ଏକମୁହାଁ ବଳଦ ପରି ଆଗେଇଛି । ଓ୍ୱେଷ୍ଟର୍ଣ୍ଣ ଟାଓ୍ୱାର ପଛରେ ରହିଗଲାଣି । ନାରଣ ମହାନ୍ତିଙ୍କ କ୍ୟାଣ୍ଟିନ୍‌ କଳାମେଘ ଖଣ୍ଡେ ପରି ଦିଶୁଛି । କ୍ରମାଗତ ଭାବେ ଝଡ଼ ଭିତରେ ଚାଲୁଥିବାରୁ ଦେହ ସାମାନ୍ୟ ଦରଜ ଲାଗୁଛି । ଏ ଦରଜ ମନର ଦରଜଠାରୁ ବେଶୀନୁହେଁ ।

 

ମନକୁ ମନ ରାସ୍ତାରେ କଥା ହୋଇଚାଲିଛି ଲୋକଟି । କାହାରି ଜଣକର କାର୍‌ ଆସିଲାନି । ହୁଏତ ସାପ ପରି ପେଟେଇ ପେଟେଇ ଆସୁଥିବ । ବାଣୀବିହାର ମେନଗେଟ୍‌ ତ ବନ୍ଦ ହୋଇ ନଥିବ । ଦୁଇ ବର୍ଷ ଭିତରେ କେବେ ଥରେ ବି ବନ୍ଦ ହେବାର ସେ ଜାଣିନି ।

 

ଅନେକ ବର୍ଷ ପରେ ସେମାନଙ୍କ ସହିତ ସାକ୍ଷାତ ହେବାକୁ ଯାଉଛି । ପେନ୍‌ସିଲ୍‌-ଭେନିଆରେ ଥିଲାବେଳେ କେତେ ଚିଠି ମିଳିଛି । ସବୁଥିରେ ସେଇ ଗୋଟାଏ କଥା ‘ତମେ ଆମେରିକା ଯାଇ ଏଠା କଥା ସବୁ ଭୁଲିଯାଇଛ । ଆଉ କିଛି ତମେ ମନେ ରଖି ପାରୁନ ।’’ ଆଜି ପୁଣି ସେଇ ପୁରୁଣା ସୂତାରେ ଗଣ୍ଠି ପଡ଼ିବ । ପୁଣି ଆସର ଆରମ୍ଭ ହେବ । ନିଜ ହାତରେ ହିଟରରେ କଫିକରି ନୀଳିମା, ପ୍ରଣତୀ କିମ୍ବା କୁକୁମୀନା ଯିଏ ହେଉବି ପିଆଇବେ । ଲୋକଟି କହିବ, ମୁଁ କଫି ଖାଇବିନି । ଆମେରିକାରେ କଫି ଖାଇ ଖାଇ ମୋ ପେଟ କୋଇଲା ଖଣି ପରି କଳା ହୋଇଯାଇଛି-। ହସି ହସି ସେମାନେ ଗଡ଼ିଯାଇ କହିବେ, ‘‘ୟେ ମିଷ୍ଟର; କଫି ଆମେରିକାରେ ଲୋକେ ଖାଆନ୍ତି, କିନ୍ତୁ ଆମେ ଏଠି ପିଉ । ପ୍ଲିଜ; ପିଅନ୍ତୁ ନା ! ଅଶୋକା କ୍ୟାଣ୍ଟିନରେ ଲାଇବ୍ରେରିରେ, ମହାଦେବ ମନ୍ଦିର ପଛପଟ ଜଙ୍ଗଲରେ ପ୍ରେମ ବେଶ୍‍ ସଫଳ ହୁଏ । ଲୋକଟି ସେଇ ରାସ୍ତାରେ ମାର୍ଚ୍ଚିଂକରି ଚାଲିଛି ସୈନିକ ପରି । ରାସ୍ତା ତା’ ଆଗରେ ଲମ୍ବିଯାଇଛି ଉତ୍ତର ମେରୁଠାରୁ ଦକ୍ଷିଣ ମେରୁଯାଏଁ-। ପୃଥିବୀଠାରୁ ଚନ୍ଦ୍ରଯାଏଁ । ଲୋକଟି ବିଚାରା ଚାଲୁଛି । ଚାଲୁଛି କହିଲେ ଠିକ୍‍ ହେବନି-। ବରଂ ଦୌଡ଼ୁଛି । ତୀର୍ଥଭୂମିକୁ ଯାତ୍ରୀମାନେ ଧାଇଁଲା ପରି ।

 

ଶହୀଦନଗର ଛକ ପାଖେ ଥିବା ଚାଳି ଖଣ୍ଡକରେ ଲୋକଟି ଟିକିଏ ଦମ୍‌ ନେଲା ବୋଧହୁଏ । ହାଲିଆ ହୋଇଯାଇଛି । ରୁମାଲରେ ମୁହଁ ପୋଛିଲା । ମନେମନେ ଠିକ୍‌ କରିନେଲା ପ୍ରଥମେ ସେ କାହା ସହିତ ଭେଟିବ । ନୀଳିମା, ପ୍ରଣତୀ ନାଁ କୁକୁମୀନା ? ନୀଳିମାଟା ହୁଣ୍ଡି, କଥାଭାଷାରେ ବାଗସାଗ ନାହିଁ । କଥା କହୁକହୁ ଉପରକୁ ମାଡ଼ିଆସେ । ପ୍ରଣତୀ ଶ୍ୟାମଳୀ ହେଲେ କ’ଣ ହେଲା, ଭଲ ଝିଅଟିଏ । ଆହାଃ, ବିଚାରୀ ମତେ ନେଇ କେତେ ସ୍ୱପ୍ନ ଦେଖିଛି । କିନ୍ତୁ ତା’ର ସେଇ ଗୋଟିଏ ଦୁର୍ଗୁଣ, ଯେଉଁଟାକି ମତେ ଆଦୌ ଭଲ ଲାଗେନାହିଁ । କଥା କହିଲେ ଆପଣା ଛାଏଁ ତା’ ଆଖି ବୁଜି ହୋଇ ଆସେ । ସିନେମାରେ ଅଭିନୟ କଲାପରି ଲାଗେ ।

 

ନୀଳିମା ଓ ପ୍ରଣତୀକୁ ବର୍ତ୍ତମାନ ପାଇଁ ବାଦ୍‌ ଦିଆଯାଉ ଏବଂ କୁକୁମୀନା କଥା ଚିନ୍ତା କରାଯାଉ । ଜୀବନର ଦୈର୍ଘ୍ୟ ଓ ପ୍ରସ୍ଥ ମାପି ପାରିଲାନି ବୋଲି ସେ ଏମ୍‌.ଏ ପଢ଼ୁଛି । ଭାବିଥିବ କିଛି ଗୋଟାଏ କରିବାକୁ । ରେଡ଼ିଓ ଷ୍ଟେସନରେ ଭର୍ତ୍ତି ହେବ କିମ୍ବା କେଉଁ ଘରୋଇ ସ୍କୁଲରେ ମ୍ୟାଡମ୍‌ ଭାବେ । ପାତଳୀ ହେଲେ କ’ଣ ହେଲା; ଗୋଟିଏ ଚାଉଳରେ ଗଢ଼ା । ବେଶ୍‌ ସ୍ଳିମ୍‌ ଫିଗର; ଯାହା ଯାହା ଆଜିକାଲିକା ଟୋକାଙ୍କ ଆଖିକୁ ଖୁବ୍‌ ଭଲ ଦିଶେ । ମୁହଁଟି ମଲ୍ଲୀଫୁଲ ପରି ସ୍ୱଚ୍ଛ, ଆଉ ଓଠ ଦିଟା ସାଂଘାତିକ ଭାବେ ସୁନ୍ଦର । ଆଖି ଦୁଇଟାର ପ୍ରେମରେ ପଡ଼ି ମୁଁ ତା’ ପାଖକୁ ଟାଣି ହୋଇ ଯାଇଥିଲି । ରାଜଧାନୀରେ ଥିଲାବେଳେ କେତେ ଅସାଧ୍ୟ ଜୀବାଣୁ ମୋ ରକ୍ତରେ ମିଶିଯାଇଛି ।

ଶତାବ୍ଦୀ ଶତାବ୍ଦୀ ଧରି ଯାହା କି ସଂକ୍ରମିତ ହେବାର ଭୟ ଅଛି । ସେ ମୋ ପାଇଁ ଏକ ପେଗ୍‌ ବ୍ଲାକ୍‌ନାଇଟ୍‌, ଯାହାକୁ ମୁଁ ଏକ ନିଃଶ୍ୱାସରେ ନିଃଶେଷ କରିଦେବି । ତା’ ସହିତ ପ୍ରଥମେ ସାକ୍ଷାତ କରାଯାଉ । ପାଚେରୀ ଡେଇଁ ନୁହେଁ । ଲେଡ଼ିଜ୍‌ ହଷ୍ଟେଲରେ ଦରଓ୍ୱାନକୁ ବକ୍‌ସିସ ଦେଇ । ଚଢ଼ାଦରରେ ବକ୍‌ସିସ ଦେଲେ ଯେ କୌଣସି ମୁହୂର୍ତ୍ତରେ ପିଞ୍ଜରାରୁ ପକ୍ଷୀକୁ ଅଣାଯାଇ ପାରେ । ଆଉ ବାଣୀବିହାର..... ।

ଲୋକଟି ଏମିତି କେତେ କଥା ଭାବି ଆଗକୁ ପାଦ ବଢ଼ାଇଲା । କିଛି ବାଟ ଯାଇଛି, ହୁଏତ ମହିଳା କଲେଜର ସୀମା ଶେଷ ହୋଇନି, ଗୋଟିଏ ବ୍ଲାକ ମଡେଲର ଗାଡ଼ି ଟର୍ଣ୍ଣ କାଟିଲା । ଆଲୁଅ ମେଞ୍ଚାଏ ଆସି ତା’ ମୁହଁ ଉପରେ ପଡ଼ିଲା । ଆମେରିକାରେ ବାରରେ କାବ୍ରା ନାଚ ହେଉଥିଲାବେଳେ ମୁହଁ ଉପରେ ପଡ଼ୁଥିବା ଆଲୁଅ ଭଳି । ଲୋକଟି କ’ଣ ଭାବି ସାଇଡ ନେଲା । ମଟର ଚାଳକ ଦୟାଦେଖାଇ ଗାଡ଼ିର ବ୍ରେକ କସିଲା । ଗାଡ଼ିର କାଚ ମଜଭୁତ ହୋଇ ଟଙ୍ଗାଯାଇଥାଏ । ବିନ୍ଦୁ ବିନ୍ଦୁ ପାଣି ରେଶମୀ ସୂତା ପରି ଝୁଲି ଗଡ଼ୁଥାଏ, ବନଜା ପଣ୍ଡାଙ୍କ କାନଫୁଲ ପରି । ଆଖିର ଡୋଳାକୁ ଯେତେ ବଡ଼ ବଡ଼ କରିଲେବି କିଛି ସ୍ପଷ୍ଟ ଦେଖାଯାଉନି ।

ଲୋକଟି ଆଶ୍ୱସ୍ତି ବୋଧକଲା ରୋଗୀପରି । ଡ୍ରାଇଭରକୁ ଅନୁରୋଧ କରି କହିଲା; ‘ଆଉ ଅଳ୍ପ ସମୟ ପରେ (ଝଡ଼ ଛାଡ଼ିଗଲେ) ଚାଲିଯିବି । ସେତିକି ସମୟ ଯଦି କିଛି ଅସୁବିଧା ନହୁଏ ବସିଯିବାକୁ ଅନୁମତି ଦିଅ ।

 

ଚାଳକ ସମ୍ମତ ଜଣାଇଲା ।

 

ଲୋକଟି ଆଗ ସିଟରେ ବସିପଡ଼ିଲା । ସ୍ଥାନ ବି ଯଥେଷ୍ଟ ଖାଲି ଥିଲା । ଲୋକଟି କ’ଣ ପଚାରିବ ପଚାରିବ ବୋଲି ହେଉଛି; ଡ୍ରାଇଭର ସିଗାରେଟରେ ଅଗ୍ନି ସଂଯୋଗ କରାଇଲା ।

 

ଲୋକଟିର ମନେହେଲା ଯେମିତି ଅତ୍ୟଧିକ ଶୀତରୁ ରକ୍ଷା ପାଇବା ପାଇଁ ଡ୍ରାଇଭର ପ୍ରତ୍ୟେକଟି ଦମରେ କିଛି ଉତ୍ତାପ ସଂଗ୍ରହ କରି ନେଉଛି ତା’ ହୃତ୍‍ପିଣ୍ଡ ଭିତରକୁ । ସିଗାରେଟ ଲଗାଇ ସାରି ଡିଆସିଲିଟିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖୁରଖୁ ତଳେ ପଡ଼ିଗଲା । ଅନ୍ଧାରରେ ମୁହଁକୁ ମୁହଁ ଦିଶୁନଥିଲା । ଗାଡ଼ିଭିତରେ ସମସ୍ତେ ଝଡ଼ରାତିର ପକ୍ଷୀପରି ଢୁଳାଉଥିଲେ । ବାଧ୍ୟହୋଇ ମୋଟର ଚାଳକ ଗାଡ଼ି ଭିତରେ ଥିବା ନୀଳ ଆଲୁଅର ରୋଷଣି ଜାଳିଦେଲା ।

 

ଲୋକଟି ଅନ୍ୟମନସ୍କ ଥିଲା କି କ’ଣ କେଜାଣି । ହଠାତ୍‌ ଚମକି ପଡ଼ି ପଛକୁ ଚାହିଁଲା । ପଛ ସିଟରେ ତିନୋଟି ଝିଅ ବସିଥିଲେ ଓ ସେମାନେ ସମସ୍ତେ ଅସଂଯତ ଅବସ୍ଥାରେ ଥିଲେ । ସମ୍ଭବତଃ, ସେମାନଙ୍କ ଉପରେ ପଥରପରି ଚାପି ହୋଇ ପଡ଼ିଥିଲେ ତିନୋଟି ବିଶାଳକାୟ ମଣିଷ-

 

ଲୋକଟିକୁ ଏସବୁ କେମିତିକା ଲାଗିଲା । ସ୍ମୃତି ଟିକିଏ ଛିଟିକି ପଡ଼ିଲା ମନର ଆଇନାରେ । ଏଠାକାର ଝିଅମାନେ ଏମିତି ରାତିରେ ଯାଆନ୍ତି ବୋଲି ଥରେ ଭାଉଜ ତାକୁ କହୁଥିବା କଥା ମନେ ପଡ଼ିଗଲା ।

 

ଲୋକଟି ସାମାନ୍ୟ ଭୟ ଓ ଅଳ୍ପ କିଛି ସାହାସ ସଞ୍ଚୟ କରି ପଛକୁ ପୁଣିଥରେ ଅନେଇଲା । ଝିଅ ତିନୋଟିଙ୍କ ମୁହଁକୁ ଚାହିଁଲା । ସେତେବେଳକୁ ସେମାନେ କରମୋଡ଼ି ସାରିଥିଲେ-। ନୀଳ ଆଲୁଅରେ ଲୋକଟି ଯାହା ଦେଖିଲା, ସେଥିରେ ସେ ଥରିବାକୁ ଲାଗିଲା । ଗାଡ଼ି ଷ୍ଟାର୍ଟ ହୋଇଗଲେ ଇଞ୍ଜିନ୍‌ ପାଖ ସିଟରେ ବସିଥିବା ଲୋକ ଯେମିତି ଥରେ । ଲୋକଟି ନିଜେ ବିଶ୍ୱାସ କରିପାରୁ ନଥିଲା ସେ କେଉଁଠି, ସ୍ୱର୍ଗ ନା ନର୍କରେ । ପୃଥିବୀ ନାଁ ଚନ୍ଦ୍ରରେ । ଯେଉଁମାନଙ୍କ କଥା ସେ ବାଟଯାକ ଭାବିଭାବି ଝଡ଼ରେ ପହଁରି ଆସୁଥିଲା ସେମାନଙ୍କୁ ଯେ ସେ ଏତେ ରାତିରେ ଏମିତି ଅବସ୍ଥାରେ ଭେଟିବ, ସେ ଭାବି ନଥିଲା । ସତେ ଯେମିତି ଲୋକଟି ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ୁଛି । ଗାଡ଼ି ଚାଳକଙ୍କୁ ଧନ୍ୟବାଦ ଜଣାଇ ଲୋକଟି ସାଙ୍ଗେ ସାଙ୍ଗେ ବାହାରକୁ ଚାଲିଆସିଲା-

 

ଆଗରେ ସେଇ ରାସ୍ତା, ରେଖାଟିଏ ପରି ଯାହା ଦିଶିଯାଉଚି । ତା’ରି ଉପରେ ଲୋକଟି ଚାଲୁଛି, ଦଉଡ଼ୁଛି । ପଛକୁ ଚାହୁଁଚି । ପୁଣି ଏକମୁହାଁ ହୋଇ ଆଗକୁ ମାଡ଼ି ଚାଲିଛି । ଗାଡ଼ି ଭିତରର ସେଇ ଅଧା ଲଙ୍ଗଳା ମଣିଷଗୁଡ଼ା ତାକୁ ଫାଶରେ ପକାଇ ଟାଣି ଟାଣି ପଛକୁ ଭିଡ଼ିଲା ପରି ତା’ର ମନେ ହେଉଛି ।

 

ଗାଡ଼ିଟି ଏକ ସିଲ୍‌ହଟର ଛବି ପରି ମନେ ହେଉଛି । ଲୋକଟି ଫଟୋ ନେବା କାଇଦାରେ ଧାଉଁଛି । ସତେ ଅବା ସେ ଧାଇଁ ଧାଇଁ ବେହୋସ ହୋଇଯିବ । ରାଗରେ ଫୁଲି ଫୁଲି ବେଲୁନ୍‌ପରି ଫାଟିଯିବ ।

 

ଗାଡ଼ି ଭିତରର ଦୃଶ୍ୟ ପୁଣିଥରେ ତା’ ଆଖି ଆଗରେ ସେକ୍‍ସ୍‍ ଆଟ୍‌ଲାସ୍‌ର ଅଶ୍ଳୀଳ ରେଖାଗୁଡ଼ିକ ପରି ଦିଶିଗଲା ।

 

ଲୋକଟି ଯନ୍ତ୍ରଣାରେ ଚିତ୍କାର କଲା, ଛେଳି କଟା ହେବା ସମୟର ଦୃଶ୍ୟପରି ।

 

ରାସ୍ତା ଉପରେ ଲୋକଟି ଜୀବନ ବିକଳରେ ଧାଉଁଥିଲା, ଯାନ୍ତ୍ରିକ ଇଞ୍ଜିନ୍‌ପରି । ଫୁଙ୍ଗୁଳା ଦେହରେ ଶୀତରେ ପହଁରୁଥିଲା । ଲୋକଟି ଦୁର୍ବୋଧ୍ୟ ଗଣିତଶାସ୍ତ୍ର । ଏକ ଅବୋଧ କବିତା । ଏକ ବୃହତ୍‌ ବୃତ୍ତାକାର ମାଂସପିଣ୍ଡ ।

 

ତା’ର ହୃଦୟ, ତା’ର ମନ ତା’ର ବିବେକ, ତା’ର ସକଳ ଅବୟବ–ଏକ, ଏକଶୂନ୍ୟ କୋଠରୀ ! ଲୋକଟି ବନ୍ଦ କୋଟରୀର ଅଳନ୍ଧୁ । ଏକ ଅସନା ଅବର୍ଜିଆ ଜୀବ । ତା’ର ପୂର୍ବଜନ୍ମର କାହାଣୀ କହି ଲାଭ ନାହିଁ । ଦୀର୍ଘ ଛ’ ହଜାର ବର୍ଷ ତଳର ଇତିହାସ ଖେଳାଇବା ହାସ୍ୟାସ୍ପଦ । ଧରି ନିଆଯାଉ ସେ ଏକ ବିରାଟ ଆକ୍‌ସିଡେଣ୍ଟ । ଅନେକ ସମୟରେ ଏମିତି ଆକ୍‌ସିଡେଣ୍ଟରୁହିଁ ନୂତନ ସତ୍ୟର ଉଦ୍ରେକ ହୋଇଥାଏ । ଅନ୍ଧାରର ଗର୍ତ୍ତ ଗହ୍ୱରରୁ ନୂତନ ସୂର୍ଯ୍ୟ ଉଦୟ ହୁଏ । ଲାଲ୍‌ ଲାଲ୍‌, ସୁନେଲୀ ସୁନେଲୀ ଆପଲ ରଙ୍ଗର ଗୋଲ ସୂର୍ଯ୍ୟ ।

 

ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଲୋକଟିର ପୃଷ୍ଠଭୂମି ବେଶ୍‍ ରକ୍ତାକ୍ତ-। ଦୁଇ ଦୁଇଟା ଆସୁରିକ ଶକ୍ତିର ବଳ ପରୀକ୍ଷା । ହାଡ଼ମାନଙ୍କର କିଳିକିଳା ଶବ୍ଦ । ମାଂସପେଶୀର ସଂକୋଚନ ଓ ପ୍ରସାରଣ । ବାସ୍‍, ତା’ପରେ ନୀଳ ଶୂନ୍ୟତାର ଏକ ଲମ୍ବା ସିଡ଼ି । ଗୋଟି ଗୋଟି ଶୂନ୍ୟତାର ପାହାଚ । ଏକା ଏକା ନିଃସଙ୍ଗଭାବ । ଅନ୍ଧାରର ଗର୍ଭବେଦନା । ନିରଙ୍କୁଶଭାବ-

 

ତହିଁରୁ ଜୀବନ ପ୍ରତି ଅନୁରକ୍ତ ହୋଇ ବଢ଼ିଥିବା ସେଇ ଲୋକଟିର ସୃଷ୍ଟି, ସ୍ଥିତି ଓ ବିଲୟ-। ଦୃଶ୍ୟାରମ୍ଭ । ରାଜପଥ । ବୈଠକଖାନା । ଅଳିନ୍ଦ, ନିଳୟ, ପଟ୍ଟପରିବର୍ତ୍ତନ । ଡ୍ରପ ପୁଣି ଆରମ୍ଭ ପୁଣି ଶେଷ ।

 

କୌଣସି ପ୍ରତିଶ୍ରୁତି କାହାରିଠାରୁ ନପାଇବି ଲୋକଟି ଧାଉଁଥିଲା ବେଗଗାମୀ ଅଶ୍ୱ ଶାବକ ପରି । ତା’ ଆଗରେ ଶୂନ୍ୟତା । ପଛରେ ଶୂନ୍ୟତା । ଉପରେ, ତଳେ, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରତି ଦିଗରେ, ପ୍ରତି କୋଣରେ ଖଣ୍ଡ ଖଣ୍ଡ ନୀଳ ଶୂନ୍ୟତା । ଲୋକଟି ଏକ ନିର୍ଦ୍ଦିଷ୍ଟ ବିନ୍ଦୁ, ଏକ ଦତ୍ତ ! ଏକ ଚଳମାନ ବସ୍ତୁ । ଏକ ଜ୍ୟାମିତିକ ସଂଜ୍ଞା । ବିନ୍ଦୁକୁ କେନ୍ଦ୍ରକରି ଗଢ଼ି ଉଠିଥିବା ବ୍ରତ ଭିତରେ ଲୋକଟି ଘୂରୁଛି । ଚକ୍ରପରି ମନକୁ ମାରି କେଉଁ ପ୍ରାଗ୍‌-ଐତିହାସିକ କାଳରୁ !

 

ଏତିକି ହିଁ ସତ୍ୟ । ଅବଶିଷ୍ଟ ଯାହା କିଛି ରହିଲା ସବୁ ମିଥ୍ୟା । ଅଳୀକ କ୍ଷଣସ୍ଥାୟୀ । ଲୋକଟି ଏକ ଦିମୁଣ୍ଡିଆ ପ୍ରାଣୀ । ତା’ର ଅନେକ ପ୍ରଶ୍ନ । ଅନେକ ଆପତ୍ତି ଓଜର । ଅନେକ ଅଭିଯୋଗ ଦାୟିତ୍ୱହୀନ ମାନଙ୍କ ପ୍ରତି । ପ୍ରଚଳିତ ନୀତି ବିରୁଦ୍ଧରେ । ଶାସ୍ତ୍ର, ଧର୍ମ, ସମାଜ, ସାମାଜିକ ପ୍ରଥା ପଦ୍ଧତି, ଈଶ୍ୱର ବିଶ୍ୱାସ ଓ ସାଂପ୍ରତିକ ସମୟର ବିଜ୍ଞାନ ଯୁଗ ବିରୁଦ୍ଧରେ । ଆଲୋକପ୍ରତି ଲୋକଟିର ଅଜସ୍ର ଘୃଣାଭାବ । ଅନ୍ଧକାର ପୃଥିବୀରେ ସେ ଏକ ବିରାଟ ଗତିଶୀଳ ଜୀବ । ସେ ଧାଉଁଛି ବେଗଗାମୀ ଟ୍ରେନପରି । କାହାରି ଯିବା ଆସିବା ମୁହୂର୍ତ୍ତରେ ଅପେକ୍ଷା ନକରି ସେ କୋଉଠି ଅଟକି ଯାଇନି । ଭାଙ୍ଗିପଡ଼ିନି ।

 

ଲୋକଟି ଏକ ସ୍ଥିର, ନିସ୍ତେଜ, ଦୀପଶିଖା ନୁହେଁ ।

 

ଏକ ଚଳମାନ ପରିଣତି । ଏକ ଭୟଙ୍କରୀ ଅଗ୍ନି ଉଦ୍‍ଗିରଣ । ଏକ ଇଲାନ୍‍ ଭିଟାଲ୍‍ । ଲାଇପ୍‍ ଫୋର୍ସ । ଦେହରେ ତା’ର ଟାଣୁଆ ସାଞ୍ଜୁ । ପ୍ରଚଳିତ ସମାଜର ଧର୍ମ, ନୈତିକତା ଶିବିରରୁ ଯେତେ ଫାଙ୍କା ଆଓ୍ୱାଜ କଲେବି ଭୟଭୀତ ହେବନି ସେ । ସେ ଏକ ସାହସୀ ଉଦ୍ଦାମ ଯୁବକ ।

 

ଲୋକଟି ଏକ ଯୁଦ୍ଧ ଖୋର ପୃଥିବୀର ପ୍ରାଣୀ । ସେ ନେତା ସାଜିବ । ବିପ୍ଳବ କରିବ । ସ୍ଳୋଗାନ ଦେବ ପ୍ରସସ୍ଥ ରାଜପଥ ଉପରେ । ତା’ ଆଗରେ ଖାଲି ଯୁଦ୍ଧଂ ଦେହୀର ଡାକରା । ଅନ୍ଧାର ଓ ଆଲୋକର । ପ୍ରକୃତି ଓ ପ୍ରବୃତ୍ତିର ! ଜୀବନ ଓ ମୃତ୍ୟୁର । ପଜିଟିଭ୍‌ ଓ ନେଗେଟିଭ୍‌ର । ଜୀବନର ଏଇ ଦ୍ୱନ୍ଦାତ୍ମକ ଗତିମଧ୍ୟରେ ଲୋକଟି ଜୀବନର ଅର୍ଥ ବୁଝିଛି । ଅର୍ଥ ବୁଝିଛି ବୋଲିତ ଜୀବନର ଆନମନା ଭାବ, ଦାନ୍ତନିକୁଟା ଭାବକୁ ଭଲଭାବରେ ନିରେଖି ଦେଖୁଛି ।

 

ଲୋକଟି ମନରେ ମସ୍ତବଡ଼ ପରିକଳ୍ପନା । ଏକ ସୁନ୍ଦର ସ୍ୱତନ୍ତ୍ର ପୃଥିବୀ । ଅଗଣିତ ଗ୍ରହ, ଉପଗ୍ରହ, କକ୍ଷ, ନକ୍ଷତ୍ରମାଳା । ତା’ରି ଭିତରେ ବଞ୍ଚିରହିବ ମଣିଷର ଧର୍ମ, ସମାଜ, ନୀତିନିୟମ, ଆଦର୍ଶ । ଏଥିପାଇଁ ଆବଶ୍ୟକ ହେଲେ ସେ ଯୁଦ୍ଧକରିବ । ତା’ ରକ୍ତକୋଷରେ । ତଡ଼ିତ୍‌ ପ୍ରବାହରେ, ପ୍ରଶ୍ୱାସରେ, ସ୍ନାୟୁରେ, ଛୋଟବଡ଼ ସକଳ ଉପାଦାନରେ ଏକ ଯୁଦ୍ଧଖୋର ମନୋଭାବର ଇମେଜ୍‍ ।

 

ସେ ଚାହେଁ ଅନ୍ୟସମସ୍ତେ ଠିକ୍‌ ତା’ରି ପରି ବଞ୍ଚନ୍ତୁ । ଜିଅନ୍ତା ମଣିଷ ବୋଲି ପରିଚୟ ଦିଅନ୍ତୁ । ଜୀବନର ସମସ୍ତ ଅତ୍ୟାବଶ୍ୟକ ଦାବି ଓ ସର୍ତ୍ତଗୁଡ଼ିକୁ ମାନିନେବାକୁ ମଣିଷ ବାଧ୍ୟ । ଯଦିବା ବଞ୍ଚିରହିବା ତା’ର ଏକାନ୍ତ ପ୍ରୟୋଜନ । ଆହାର, ନିଦ୍ରା, ଇନ୍ଦ୍ରିୟାନୁଭୂତି ଯେପରି ଅପରିହାର୍ଯ୍ୟ ସେହିପରି ନିଃସଙ୍ଗତା ନିର୍ଜନତା, ଅବକ୍ଷୟତା ଓ ମହାଶୂନ୍ୟ ମଧ୍ୟ ଗତିକରିବା ମଧ୍ୟ ମଣିଷର ସହଜାତ ପ୍ରବୃତ୍ତି ।

 

ଛୋଟ ବଡ଼ ଅନେକ ସର୍ତ୍ତ ଭିତରୁ ଯୌନତତ୍ତ୍ୱ ସମ୍ବନ୍ଧୀୟ ସମସ୍ତ ନୀତି ନିୟମରେ ଲୋକଟି ବେଶ୍ ଅଭ୍ୟସ୍ତ । ସେ ହିପ୍‍ପି ନୁହେଁ । ମାରିହୁଏନା, ଏଲ୍‌.ଏସ୍‌.ଡି. ମାନ୍‌ଡ୍ରାକ୍‌ସ ପ୍ରଭୃତିରେ ସେ ଅନୁରକ୍ତ ନୁହେଁ । ତା’ର ବିଶ୍ୱାସ ଯୌନତାହିଁ ଜୀବନର ମୂଳତତ୍ତ୍ୱ । ପ୍ରତ୍ୟେକ ବ୍ୟକ୍ତିର ଯୌନ ସମ୍ବନ୍ଧୀୟ ପ୍ରଚୁର ଜ୍ଞାନ ରହିବା ଉଚିତ । ଏହାକୁ ଅଶ୍ଳୀଳ ବୋଲି ଲେବଲ୍‌ ମାରି ଆଦର୍ଶବାଦର ମୁଖାଭିତରେ ପେଶୀ ହୋଇଯିବାକୁ ଦେବା ଅନୁଚିତ । ଏହା ଜୀବନର ଏକ ଅସାଧାରଣ ଅପରିହାର୍ଯ୍ୟ ବସ୍ତୁ ହୋଇଥିବାରୁ ଏହାକୁ ବାଦ୍‌ ଦେଇ ବସିଲେ ଜୀବନ, ଜୀବନ ନୁହେଁ । ମଣିଷ, ମଣିଷ ନୁହେଁ ।

ଲୋକଟିର ଗତିଶୀଳ ଅବସ୍ଥାକୁ ଲକ୍ଷ୍ୟକରି ଯେ କେହି ସହଜରେ ମତ ଦେଇ ବସିବ ଯେ, ଲୋକଟି ଆଦୌ ନପୁଂସକ୍‌ ନୁହେଁ । ବ୍ୟାଧିଗ୍ରସ୍ତ ବି ନୁହେଁ । ସେ ନିଜକୁ ଭଲରୂପେ ଚିହ୍ନିଚି । ଜାଣିଛି । ମାଇଲ୍‌ ମାଇଲ୍‌ ଧରି ଗାଁ ଗହଳିର ଛାଇ ଛାଇଆ ଦୃଶ୍ୟ ଦେଖିଛି । ତା’ ସାମନାରେ ଲମ୍ବି ଯାଇଥିବା ଧଳାରାସ୍ତା ଉପରେ ଲୋକଟିର ରେସ୍ କରୁଥିବାର ଦୃଶ୍ୟ କି ସୁନ୍ଦର ସତେ ! ତା’ର ପଡ଼ୋଶୀମାନେ ଦେଖଣାହାରୀମାନେ ପରସ୍ପର ଭିତରେ ଚୁପ୍‌ଚାପ୍‌ କଥା ହେଉଥିଲେ ‘‘ଆହାଃ, ବିଚରା, ବେୟକୁଫ୍‌, କୋଉଠୁଁ ଆସିଲା ? କେମିତି ଆସିଲା ? କାହିଁକି ବା ଆସିଥିଲା ? କେଉଁଠି ତା’ର ଗାଁ, ଡାକଘର, ଜିଲ୍ଲା, ପ୍ରଗଣା, ଥାନା, ମହକୁମା, ? ଏମାନେ ସମସ୍ତେ ଦର୍ଶନ, ବିଜ୍ଞାନ, ଇତିହାସର ନିର୍ଦ୍ଦିଷ୍ଟ ମନଗଢ଼ା ନିୟମରେ ଗଢ଼ି ଉଠିଥିବା ମଣିଷ । ଏଣୁ ଏମାନଙ୍କ ଚିନ୍ତାଧାରା ଜୀବନ ପ୍ରତି ମହଜୁଦ୍‌ ହୋଇ ରହିଥିବା ଧାରଣା, ଏମାନଙ୍କର ନିଜସ୍ୱ ।

ଲୋକଟି କିନ୍ତୁ ଭିନ୍ନ ଉପାଦାନରେ ଗଢ଼ା । ଜୀବନରୁ ସେ ସତ୍ୟାସତ୍ୟ ନିରୂପଣ କର ଏମିତି ଏକ ନୂତନବାଦ ପ୍ରତିଷ୍ଠା କରିବ । ଏମିତି ଏକ ନୂତନ ଉପାୟ କାଢ଼ି ଅନ୍ୟମାନଙ୍କୁ ଚକିତ କରିଦେବ । ଯାହାକି ପ୍ରଚଳିତ ମୂଲ୍ୟବୋଧଠାରୁ ଯଥେଷ୍ଟ ମାତ୍ରାରେ ବେଶୀ ଯୁକ୍ତିସଂଗତ ହୋଇଯିବ । ତା’ର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ । ଠିକଣା ଟିପିବା ମୂଲ୍ୟହୀନ । ସେ ଏକ ପ୍ରଚଣ୍ଡ ଅଗ୍ନିଶିଖା ! ଏକ ଭୟଙ୍କରୀ କାଳରାତ୍ରିର ପ୍ରହରୀ । ଯୁଗ ଯୁଗର ପୁଞ୍ଜିଭୂତ ଧର୍ମ ବିଶ୍ୱାସକୁ ଭାଙ୍ଗିରୁଜି ଖଣ୍ଡଖଣ୍ଡ କରି ସେ ଜୀବନର ପ୍ରତ୍ୟେକଟି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଚିହ୍ନି ରଖିବା ପାଇଁ ଆବଶ୍ୟକୀୟ ସାହାସ ସଞ୍ଚୟ କରି ଶିଖିଛି । ବଞ୍ଚିରହିବା ପାଇଁ କେବଳ ସାହାସ ଓ ଧୈର୍ଯ୍ୟ ଲୋଡ଼ା-। ସାମାଜିକ ଫେସନ ମୂଲ୍ୟହୀନ । ଦାର୍ଶନିକ ସକ୍ରେଟିସ୍‌ଙ୍କ ପରି ଲୋକଟି ସମସ୍ତ ଶକ୍ତି ବିନିଯୋଗ କରି ଧାଉଁଛି ଖାସ୍‌ ଗୋଟିଏ ଜିଦ୍‌ ରେ । ଲୋକଟି କିନ୍ତୁ ଦାର୍ଶନିକ ନୁହେଁ । ଦର୍ଶନର ନୀତି ନିୟମ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅନଭିଜ୍ଞ । ଦାର୍ଶନିକମାନଙ୍କ ଉପରେ ତା’ର ସେତେ ବେଶୀ ବିଶ୍ୱାସ ନାହିଁ-। ଯେତିକି ବିଶ୍ୱାସ ଅନ୍ତତଃ ରହିବାର କଥା । ତା’ର କାରଣ ହେଉଛି ଦାର୍ଶନିକମାନେ ଯୁକ୍ତିବାଦୀ-। ଅଧିକାଂଶ ସମୟ ଯୁକ୍ତିତର୍କ କରି ଖର୍ଚ୍ଚ କରି ଦିଅନ୍ତି । କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ସେମାନଙ୍କ ପକ୍ଷେ କଷ୍ଟକର । ସେଥିପାଇଁ ପ୍ରଚଳିତ ସମାଜରେ ସେମାନଙ୍କ ସଂଜ୍ଞା ବଡ଼ ବିଚିତ୍ର-

ଦାର୍ଶନିକ ଓ ଦର୍ଶନ ସମ୍ବନ୍ଧୀୟ ଯାବତୀୟ ଘଟଣା ଉପରେ ଲୋକଟିର କେମିତି ଏକ ଆନମନା ଭାବ ଆଜନ୍ମରୁ ।

ଲୋକଟିକୁ ଯେତେବେଳେ ସାତଆଠ ବର୍ଷ ମାତ୍ର । ସେ ସେତେବେଳେ ତା’ ମା ସହିତ ମନ୍ଦିରକୁ ଯାଇଛି, ପୂଜାରୀର ଘଣ୍ଟିବଜା ଆଓ୍ୱାଜ ଓ ଆଳତୀର ଦୃଶ୍ୟ ତା’ ମନରେ କେମିତି ଏକ ଅଜଣା ଆନନ୍ଦ ସୃଷ୍ଟି କରିଛି । ଲୋକଟିର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତା’ର ସ୍ୱତଃ କେମିତି ଏକ ଦୁର୍ବଳତା ଦେଖା ଦେଇଛି ମନ୍ଦିର ଓ ତତ୍‌ ସଂକ୍ରାନ୍ତୀୟ ଧର୍ମ ଓ ଦେବତାମାନଙ୍କ ସମ୍ପର୍କରେ ।

ଆସ୍ତେ ଆସ୍ତେ ବୟସ ବଢ଼ିବା ସଙ୍ଗେସଙ୍ଗେ ଲୋକଟି ଜାଣିଛି ଯେ ଦିଅଁ, ଦେଉଳ, ତୀର୍ଥ ସମସ୍ତଙ୍କ ପାଇଁ ଏକାପରି ନୁହେଁ । ହିନ୍ଦୁ; ଖ୍ରୀଷ୍ଟିୟାନ, ମୁସଲମାନ, ଜୈନ, ବୁଦ୍ଧ, ଶିଖ ପ୍ରତ୍ୟେକଙ୍କ ଦିଅଁ ପୃଥକ ପୃଥକ । ଧର୍ମପୀଠ ଭିନ୍ନ ଭିନ୍ନ, ତୀର୍ଥ, ବ୍ରତ, ଉପାସନା ସବୁ ପ୍ରକାର ପ୍ରକାର ।

 

ଈଶ୍ୱରଙ୍କ ସମ୍ପର୍କରେ ଲୋକଟି ଅନେକ କଥା ଶୁଣିଛି ବିଭିନ୍ନ ଲୋକଙ୍କ ମୁହଁରୁ । କେବେ କିଛି ନିଜ ଆଖିରେ ଦେଖିନି । ବୁଝିନି । ଚେଷ୍ଟା କରି ବି ପାରିନି । ଗୋଟିଏ ବୁଝିବାକୁ ଚେଷ୍ଟା କଲାବେଳେ ଅନ୍ୟ ଗୋଟିଏ ଭାବନା ଭୂତ ପରି ମାତି ଆସୁଛି । ବ୍ୟକ୍ତିର ସ୍ୱାତନ୍ତ୍ର୍ୟକୁ ନଷ୍ଟ କରାଯାଇଛି । ଫଳରେ ଲୋକଟିର ଧର୍ମ, ଉପାସନା, ମୋକ୍ଷ ପ୍ରଭୃତି ପ୍ରତ୍ୟୟଗୁଡ଼ିକ ଉପରେ କେମିତି ଏକ ଅଜବ ଗୋଳମାଳିଆ ଧାରଣା ଆପେ ଆପେ ଅଜାଣତରେ ବଢ଼ି ଉଠିଛି । ସେଥିପାଇଁ ଲୋକଟି ତା’ର ପୁରୁଣା ବୁକ୍‍ ସେଲ୍‌ଫରୁ ସବୁତକ ଧର୍ମ ପୁସ୍ତକ ଗୋଟି ଗୋଟି କରି କାଢ଼ି ନେଇଛି । ତା’ ନିର୍ଜନ କକ୍ଷରେ କୌଣସି ଖିଆଲରେ କୌଣସି ଏକ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ନାହିଁ-। ମୋଟ କଥା ପିତୁଳା ପୂଜାରେ ତା’ର ବିଶ୍ୱାସ ନାହିଁ ।

 

ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, କୌଣସି ପର୍ଯ୍ୟାୟଭୁକ୍ତ ନୁହେଁ । କୌଣସି ପରମ୍ପରାର ପୃଷ୍ଠପୋଷକ ସେ କରିନାହିଁ ତା’ ଜୀବନ କାଳ ମଧ୍ୟରେ । ଲଜିକ୍‌, ଫିଲୋସଫି‌, ସାଇନ୍‌ସ ଏ ସମସ୍ତ ଶାସ୍ତ୍ର ମଣିଷ ପାଇଁ ମୂଲ୍ୟହୀନ । ‘ଅକାମୀ’ ଏମାନେ କେବଳ ସୁନ୍ଦର ମଣିଷର ଭାବନାକୁ କିମ୍ଭୂତକିମାକାର କରି ଗଢ଼ି ତୋଳିଛନ୍ତି । ମଣିଷକୁ ନିଶ୍ଚିନ୍ତରେ ଏକ ଧ୍ୱଂସ ମୁଖକୁ ଓଟାରି ନେଇଛନ୍ତି । ତାକୁ ଜଟିଳରୁ ଜଟିଳତର କରି ଥୋଇଛନ୍ତି । ଯୁକ୍ତି ବାଢ଼ି ଏ ସବୁ ଶାସ୍ତ୍ରର ତତ୍ତ୍ୱ ବୁଝିବା ତୁଚ୍ଛା ପ୍ରହେଳିକା ! ଚରମ ଅଜ୍ଞତା ! ସୃଷ୍ଟିର ପ୍ରାରମ୍ଭରୁ କେତେ ସହସ୍ରଥର ଧର୍ମଯାଜକମାନେ ସ୍ଳୋଗାନ ଦେଇ ନାହାନ୍ତି ଯେ, ‘‘ଈଶ୍ୱର ସର୍ବତ୍ର ବିଦ୍ୟାମାନ । ସେ ସର୍ବଜ୍ଞ । ସର୍ବ ଶକ୍ତିମାନ । ସେ ସତ୍‌-ଚିତ୍‌ ଆନନ୍ଦ ।’’ ତଥାପି ମଣିଷର ମୁକ୍ତି ନାହିଁ । ଦୁର୍ଦ୍ଦଶା ମୋଚନ ହେଉଛି କେଉଁଠୁ ? ‘ୟେ’ ସବୁ ଗହନ କଥା କେହି ବୁଝାଇପାରି ନାହାନ୍ତି । ବୁଝିବା ବି ସହଜ ସମ୍ଭବ ନୁହେଁ ମଣିଷର ମନକୁ ଅଯଥା ଭାରାକ୍ରାନ୍ତ କରିଦେବା ପାଇଁ ଗୋଟାଏ ମସ୍ତବଡ଼ ଚକ୍ରାନ୍ତ କେଉଁ ଅନାଦି କାଳରୁ ରହି ଆସିଛି । ଈଶ୍ୱର କିମ୍ବା ସଇତାନ କେହି ଜଣେ ବି ଚାହିଁନାହାନ୍ତି । ଏ ମଣିଷ ସୁଖରେ ବଞ୍ଚୁ, ଅମର ଲଡ଼ୁ ଖାଇ ଯାବତ୍‌ ଜୀବନ ଏଇଠି ରହୁ । ହସ ଖୁସିରେ ଦିନ କାଟୁ । କେଜାଣି କେମିତି ଏକ ଦୁର୍ଘଟଣାରୁ ମଣିଷଟିଏ ସୃଷ୍ଟି ହୋଇଗଲା । କେହି ଆଶା କରି ନଥିଲେ, ମୁହୂର୍ତ୍ତକ ପାଇଁ ଭାବି ନଥିଲେ ଯେ ଏମିତି ଏକ ଦ୍ୱିପଦଜୀବ ଏ ଏ ଧରାକୁ ଆସି ସମସ୍ତଙ୍କ ଉପରେ ରାଜୁତି କରିବ, ହଠାତ୍‌ ଯେତେବେଳେ ଏ ମଣିଷ ଭୂମିଷ୍ଠ ହୋଇଯାଇଛି ଏ ଧରାରେ ତା’ ମନକୁ ସୁହାଇଲା ଭଳି କିଛିତ ଗୋଟେ କରିବାକୁ ପଡ଼ିବ । ଚକ୍ରାନ୍ତ ଚାଲିଲା । ଆଲୋଚନା ସଭା ବସିଲା କେଉଁ ଅଦୃଶ୍ୟର ଅଳିନ୍ଦରେ ସଙ୍ଗେ ସଙ୍ଗେ ବାର୍ତ୍ତା ଦିଆଗଲା ହେ ମଣିଷ ସବୁ ସୃଷ୍ଟିଠାରୁ ଉତ୍ତମ ସୃଷ୍ଟି । ମଣିଷ ହିଁ ଶିରୋମଣି । ଉପହାର ଆସିଲା । ଶୁଭେଚ୍ଛା ଅପର୍ଯ୍ୟାପ୍ତ ଆସି ପହଞ୍ଚିଲା । ମଣିଷ ମୁଣ୍ଡରେ ମୁକୁଟ ବନ୍ଧାଯାଇ ତାକୁ ବୁଦ୍ଦୁ କରି ଦିଆଗଲା ।

 

ଈଶ୍ୱର ସଫେଇ ଦେଇ କହି ବସିଲେ, ‘‘ମୁଁ ଚାହିଁଥିଲେ ଏ ମଣିଷ ସାରାଜୀବନ ଏଇ ପୃଥିବୀରେ ରାଜୁତି ଚଳାଇବ । ସଭିଙ୍କ ଉପରେ ବଡ଼ିମା ଦେଖାଇବ । ସମୁଦାୟ ବିଶ୍ୱବ୍ରହ୍ମାଣ୍ଡର ରାଜା ହେବ । ମଣିଷ ଅମୃତ ଲଡ଼ୁ ଖାଇ ଅଜର ଅମର ଅକ୍ଷୟ ହେବ ।’’ ସଇତାନ ବି ତା’ ଆଡ଼ୁ ମୁକ୍ତି ଦେଇ କହିଲା ଯେ, ‘ମଣିଷ ସୁଖ କ’ଣ ଜାଣୁ ! ଶାନ୍ତିରେ ବଞ୍ଚୁ । ମଉଜ ମଜ୍‌ଲିସରେ ଦିନ କାଟୁ ।’ ଏ କଥା ଅନ୍ୟ କେହି ନ ଚାହିଁଲେ ମଧ୍ୟ ମୁଁ ଚାହୁଁଥିଲି । ମୁଁ ସେଥିପାଇଁ କହିଥିଲି ଆଲୁଅଠାରୁ ଅନ୍ଧାର ଭଲ । ପ୍ରକୃତି ଠାରୁ ପ୍ରବୃତ୍ତି ଉତ୍ତମ । ପ୍ରେୟ ଠାରୁ ଶ୍ରେୟ ଭଲ । ବ୍ୟାଧିଠାରୁ ମରଣ ଭଲ ।

 

ଏମିତି ଏକ ପୃଷ୍ଠଭୂମି ଉପରେ ମଣିଷ ବଞ୍ଚିବାକୁ ସଂଗ୍ରାମ ଚଳାଇଛି । କେତେଦିନ ଏ ଯୁଦ୍ଧ ସେ ଅବ୍ୟାହତ ରଖିବ କିଏ ଜାଣେ ? ଏ ଯୁଦ୍ଧରେ ଯେ କୌଣସି ପକ୍ଷର ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ । ଆଶିଂକ ଲାଭ କ୍ଷତିର ପ୍ରଶ୍ନ ଉଠୁନାହିଁ । ମଣିଷକୁ ଦୁର୍ବଳ କରି ପକାଇବା ପାଇଁ ତାକୁ ବାରମ୍ବାର ଧର୍ମଭୟ ଦେଖା ଯାଉଛି । ହିତୋପଦେଶ ନାଁରେ ନାନା ଅବାନ୍ତର କଥା କହି ତା’ ମନକୁ ଭାଙ୍ଗିଦେବାକୁ ଚେଷ୍ଟା କରାଯାଉଛି । ଏସବୁ ଭିତିରି କଥା ବୁଝିବା ସହଜ ନୁହଁ । ଲୋକଟି ଆପ୍ରାଣ ଚେଷ୍ଟାକରି ବୁଝିବାକୁ ଉପକ୍ରମ କରିଛି ।

 

ଲୋକଟି ତା’ର ନିର୍ଦ୍ଦିଷ୍ଟ ଯାତ୍ରୀପଥରେ ଧାଉଁ ଧାଉଁ ଏସବୁ କଥା ଚିନ୍ତାକରି ଘୃଣାରେ ଶିହରି ଉଠିଲା । ବିଜ୍ଞ ଲୋକଟି ପରି ଅହମିକାରେ ଅନ୍ଧ ହୋଇଗଲା । ରାଗରେ ଫାଟି ପଡ଼ିଲା । ତାକୁ ଅନ୍ୟ କିଛି ଦେଖା ଗଲାନି । କେଉଁଆଡ଼େ କିଛି ନାହିଁ । ଗଛ ନାହିଁ, ବୃଚ୍ଛ ନାହିଁ, ଝଡ଼ ନାହିଁ, ଦୁଃଖ ନାହିଁ, ପାହାଡ଼ ନାହିଁ, କୌଣସି ନିର୍ଦ୍ଦିଷ୍ଟ ମତ୍ତ ନାହିଁ, ନିଶ୍ଚିନ୍ତ ସଂଖ୍ୟା ନାହିଁ । ସୁଖ, ଐଶ୍ୱର୍ଯ୍ୟ ବୋଲି ଏତେ ଟିକେ କିଛି ହାତପାଆନ୍ତାରେ ନାହିଁ । ସବୁଆଡ଼େ କେମିତି ନାହିଁ ନଥିବା ଖା ଖା ଭାବ-। ମୁଠା ମୁଠା ନୀଳ ଶୂନ୍ୟତା

 

କେତେ କାଳ ଏମିତି ମାତାଲ୍‌ ହୋଇ ଆମେ ପଡ଼ିଥିବା ? କେତେଦିନ ଏମିତି ଆବେଗହୀନ, ବୀତସ୍ପୃହ ହୋଇ ଜୀବନ କାଟୁଥିବା । ଜୀବନର ପ୍ରକୃତ ଅର୍ଥ ନବୁଝି ଜୀବନକୁ ସରସ ସୁନ୍ଦର କରି ଗଢ଼ି ତୋଳିବାପାଇଁ ଯେଉଁସବୁ ଜ୍ଞାନର ଦରକାର ସେଥିରେ ଏତେ ସମୟ ନଷ୍ଟ କରି ମୁଣ୍ଡ ପୂରେଇ ଲାଭ ବା କ’ଣ ? ଜୀବନର ସ୍ୱରୂପ ନବୁଝି, ମୂଳ ତତ୍ତ୍ୱ କ’ଣ ବୁଝିବାକୁ ଚେଷ୍ଟା ନକରି ନିପଟ ଫାଙ୍କା କଥାରେ ଏତେ ବ୍ୟତିବ୍ୟସ୍ତ ହେଲେ ଚଳିବ କିପରି ?

 

ଲୋକଟି ସମସ୍ତ ଦୁର୍ଘଟଣା ଭିତରେ ବଞ୍ଚିଛି । ତା’ରି ଅସ୍ତିତ୍ୱ, ତା’ର ବଞ୍ଚିରହିବାର ଦାବି, ତା’ର ଉପସ୍ଥିତି ଏକମାତ୍ର ସତ୍ୟ ! ସେ ସତ୍ୟ, ତା’ର ନିଃସଙ୍ଗତା ସତ୍ୟ । ଆଉସବୁ ମିଥ୍ୟା, ଅଳୀକ-। ପୃଥିବୀ, ଧର୍ମ, ଈଶ୍ୱର, ବିଶ୍ୱାସ, ନୀତିନିୟମ ଆଇନ୍‌ କାନୁନ ସବୁ ମନଗଢ଼ା । କପୋଳକଳ୍ପିତ-। ସାମାଜିକ ଦାୟିତ୍ୱବୋଧ ଲୋକଟିର ନାହିଁ । କାହିଁକି ବା ରହିବ ? ଯେଉଁ ମାନଙ୍କର ଅଛି ସେମାନେ କ’ଣ ସ୍ୱର୍ଗକୁ ସିଡ଼ି ବାନ୍ଧି ସାରିଲେଣି ? ସ୍ୱର୍ଗକୁ ସିଡ଼ି ପକାଇବା କ’ଣ ଏକମାତ୍ର ଆଭିମୁଖ୍ୟ ! ମଣିଷ କ’ଣ ଖାଲି ଏଥିପାଇଁ ପଟା ପାଉତି ସାଙ୍ଗରେ ଧରି ଆସିଛି ? ସୁତରାଂ କୌଣସି ନୈତିକ ସ୍ୱାସ୍ଥ୍ୟ କଥା (ତାହା ଯେତେ ସତ୍ୟ ବୋଲି ବୋଧ ହେଉଥିଲେ ବି) ଚିନ୍ତା କରିବା ଆଉ ଦରକାର ନାହିଁ । ଲୋକଟି ଦେଖିଛି ତା’ର ପାରିପାର୍ଶ୍ୱିକ ବସ୍ତୁ ସକଳ ଦରମଲା, ରୋଗାକ୍ରାନ୍ତ, ନିର୍ଜୀବ, ରକ୍ତହୀନତା ଦୋଷରେ ଆକ୍ରାନ୍ତ । ତା’ ଆଗରେ ଗୋଟିଏ ମାତ୍ର ରାସ୍ତା ଯାହା ସଫଳ ହୋଇ ସଂକୁଚିତ ହୋଇ ଲମ୍ବି ଯାଇଛି କେଉଁ ଏକ ଶୂନ୍ୟତାକୁ । ଲୋକଟି ରାସ୍ତାଉପରେ ଧାଉଁଚି ଅଣନିଃଶ୍ୱାସୀ ହୋଇ ଅଷ୍ଟବକ୍ର ଋଷିପରି ।

 

 

କେହି ଜଣେ ବି ଲୋକଟି କଥା ଶୁଣିବାକୁ ଇଚ୍ଛା କରିନି । ତା’ର ଦହନୀୟ ଅବସ୍ଥା ଆଡ଼କୁ ମୁହଁ ବୁଲେଇ ଚାହିଁନି, ପଛକୁ ଚାହିଁବା ଭୀରୁତା । କାପୁରୁଷତା । ପଛକୁ ମୁହଁ ବୁଲାଇ ଚାହିଁ ବା ଅର୍ଥ ଅନ୍ଧାରର ଗାଡ଼ ଭିତରକୁ ଆସ୍ତେ ଆସ୍ତେ ପାଦ ବଢ଼େଇବା । ତା’ପରେ ସହଜ ସରଳ ଭାବେ ଅନ୍ଧାରରେ ନିଶ୍ଚିହ୍ନ ହୋଇଯିବା । ବିନ୍ଦୁବିସର୍ଗ ପର୍ଯ୍ୟନ୍ତ ପାସୋରି ପକେଇବା ।

 

ସେଥିପାଇଁ ଆମେ ଏକମୁହାଁ ଆଗକୁ ଆମର ପାଦ । ଆଗରେ ଆମର ବହୁଦିନର ଈପ୍ସିତ ପୃଥିବୀ । ଡେଙ୍ଗା ଡେଙ୍ଗା ସବୁଜ ଗଛ । ବରଫାକୃତ ସୁନ୍ଦର ପାହାଡ଼ ରାଶି ଉପରେ ପଟା ପଟା ଭାସମାନ ବଉଦର କିଆରୀ । ଜଙ୍ଗଲୀ ଚଢେଇଙ୍କ ଚିଁ ଚିଆଁ କିଚିରି ମିଚିରି ଶବ୍ଦ । ନୀଳ ଝରଣା । ଅଖଣ୍ଡ ଜ୍ୟୋତି । ସେଇ ଆମର ଭୂସ୍ୱର୍ଗ । ଗୋଲକ । ବୈକୁଣ୍ଠ । ଆମେ ଅଳ୍ପକେ ସନ୍ତୁଷ୍ଟ-। ଆମର ସ୍ୱପ୍ନ, ଆଶା, କାମନା, ଇନ୍ଦ୍ରିୟାନୁଭୂତି ସବୁ ସୀମିତ । ସଂକୁଚିତ । ଆମେ ଏକ ଏକ ମାଇକ୍ରୋସ୍କୋପିକ୍‌ ସେଲ୍‌ । ସୃଷ୍ଟିର ଏଇ କ୍ରମ-ବିବର୍ତ୍ତନ ବାଦର ଧାରା ଅନୁଯାୟୀ ଆମେ ସମସ୍ତେ ରୂପାନ୍ତରୀତ ହେବାରେ ଲାଗିଛୁ । ଦାଶହଜାର ବର୍ଷ ତଳର ମଣିଷ ଆଜି ଆଉ ଜଣେ ହେଲେବି ଆଖିରେ ପଡ଼ୁନି । ଆଜିର ମଣିଷ ଏକ ପଲିସ୍‌ ମ୍ୟାନ୍‌ । ତା’ର ଢଙ୍ଗଢାଙ୍ଗ, ଚାଲିଚଳନ, ବୁଦ୍ଧିବୃତ୍ତି, କଥାବାର୍ତ୍ତା, ଆଦବ କାଇଦା ସବୁ ପରିମାର୍ଜିତ । ସବୁଠି କେମିତି ଏକ ନିଉନେସ୍‌ ।

 

ସାମାନ୍ୟ ଟିକିଏ ସୁଖ ଆଶାରେ କେଉଁ ମାନ୍ଧାତା ଅମଳରୁ ଆମେ ଧୂସର ଟାଙ୍ଗରା ଭୂଇଁରେ ଖଣ୍ଡାଧରି ଯୁଦ୍ଧ କରି ଆସୁଛୁ । ବାରମ୍ୱାର ନୀତିନିୟମ ବଦଳେଇ । ମହାପୁରୁଷଙ୍କ ଅମରବାଣୀ ଉଦ୍ଧାର କରି ଟାଣୁଆ ରାସ୍ତା ଉପରେ ସକଳ ଶକ୍ତିକୁ ନିୟୋଜିତ କରୁଛୁ । ଆମର ଲକ୍ଷ୍ୟ ହାସଲ ହୋଇନି । ଆମେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ପାରିନୁ । ଏପର୍ଯ୍ୟନ୍ତ ଆମରି ଖୋଳ ଦିନକୁ ଦିନ ପାଗଳ ହୋଇ ଆସୁଛି । ମୁଖା ଖସିପଡ଼ୁଛି । ଧୀର ନିଃସଂକୋଚ ଭାବେ ଆମେ ଚୁପ୍‌ଚାପ୍‌ ଖସି ପଳେଇ ଯାଉଛୁ ଗୋଟିକ ପରେ ଗୋଟିଏ । କେହି ଆମକୁ ଅଟକାଇ ରଖି ପାରୁନାହାନ୍ତି । କେହି ଆମ ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରି ପକାଉନି ।

 

ଲୋକଟି ଏସବୁ ଘଟଣା ପ୍ରବାହକୁ ପ୍ରତ୍ୟେହ ନିଜର ଫୁଙ୍ଗୁଳା ଆଖିରେ ଦେଖିଛି । ଖୋଲା ମନନେଇ କଥାଟାକୁ ବୁଝିବାକୁ ଚେଷ୍ଟା କରୁଛି । ସମୟ ପ୍ରତି ଯଥେଷ୍ଟ ସଚେତନ ଥିବା ସତ୍ତ୍ୱେ ବି ଲୋକଟି ଜାଣି ପାରୁନି । କେମିତି ତା’ର ଆଖି ଆଗରୁ ଚୋର ପରି ଲୁଚିଛପି ଦାରୁଣ ସମୟ ପଳାଇ ଯାଇଛି । ମୁହୂର୍ତ୍ତକ ପାଇଁ ଲୋକଟି ପିଲାଙ୍କ ପରି କାନ୍ଦୁଛି । ନିଜର ବୋକାମି ପାଇଁ ନିଜ ଉପରେ ରୁଷି ଅଭିଯାନ କରୁଛି । ଏମିତିକି ଧକ୍‌କା ଥରକୁ ଥର ଖାଇ ଲୋକଟି ପଥର ପରି ଟାଣ ହୋଇଗଲାଣି । ତା’ର ସବୁ ଇମୋସନ୍‌, ସେଣ୍ଟିମେଣ୍ଟ୍‌ କୁଆଡ଼େ ଉଭେଇ ଗଲାଣି । ସେ ସବୁ ପୁରୁଣାକାଳିଆ କନସେପ୍ଟ ଉପରେ ଲୋକଟିର ବିଶ୍ୱାସ ନାହିଁ । ସୁତରାଂ ତା’ ପ୍ରତି ସମବେଦନା ନ ଦେଖାଇଲେବି ସେ ଦୁଃଖ କରିନି । ଭାଙ୍ଗି ପଡ଼ିନି ।

 

ତା’ର ବିଶ୍ୱାସହିଁ ସେ ନିଜେ ଓ ତା’ର ଦୀର୍ଘ ନୀରବତା ।

 

ନୀରବତା ତା’ର ସଖା ବନ୍ଧୁ, ଯେ କି ତା’ର ସୁଖଦୁଃଖରେ ଭାବର ଆଦାନପ୍ରଦାନ କରେ । ତାକୁ ସାନ୍ତ୍ୱନା ଦିଏ । ତାକୁ ବୁଝେଇ ସୁଝେଇ କହେ, ‘‘ଲାବୋରଟେରୀର ମଣିଷ ତୁ । ଏମିତି ଭାଙ୍ଗି ପଡ଼ିଲେ ଚଳିବନି ।’’ ଲୋକଟି ପରମୁହୂର୍ତ୍ତରେ ସତେଜ ଦେଖାଯାଏ । ଶତସିଂହର ବଳ ଆସିଯାଏ ।

 

ନୀରବତାକୁ କୋଳରେ ଧରି ପାଇଲାବେଳେ ସେ ସତ୍ୟକୁ ଦେଖେ । ମଣିଷର ସୁକୁଟା ମୁହଁକୁ ବି ଦେଖେ । ମଣିଷର ଅସହାୟ ଅବସ୍ଥା ଦେଖି ତା’ ଆଖିପତା ଲୁହ ଛଳଛଳ ହୋଇଉଠେ । ସାମାନ୍ୟ ଖୋଲା ପଡ଼ିଆରେ ଚିତ୍‌ ହୋଇ ପଡ଼ିରହିଥିବା ମଲା ପୃଥିବୀର ଅସଲ ଛବି ଭାସିଉଠେ । ତା’ ଭିତରେ ପ୍ରତି ମୁହୂର୍ତ୍ତରେ ଜୀବନ ବିକଳରେ ନସରପସର ହୋଇ ଧାଉଁଥିବା ହଜାର ହଜାର ଶୁକ୍ରକୀଟଙ୍କର ଅସହାୟ ଭାବ ଟାଇମ୍‌ ସ୍କୋପରରେ ଜୀବନ୍ତ ଛବି ଭଳି ଦିଶିଯାଏ । ଯେଉଁ ମୁହୂର୍ତ୍ତରେ ଲୋକଟି ସତ୍ୟକୁ ଦେଖେ ତା’ର ସବୁ ଭାବପ୍ରବଣତା କୁଆଡ଼େ ଆଖି ପିଛୁଳାକେ ଉଭେଇ ଯାଏ । ସତେ ଯେମିତି ସେ ଏକ ସାକ୍ଷାତ ବ୍ରହ୍ମ, ନିରାକାର, ନିର୍ଗୁଣ ପୁରୁଷ । ସେ ମୋହଗ୍ରସ୍ତ ନୁହେଁ । ପୃଥିବୀ ପ୍ରତି ତା’ର ଆସକ୍ତି କମିଯାଏ । ପୃଥିବୀର ହରେକ୍‌ ଚିଜ ତାକୁ ନକଲି ମନେହୁଏ, ସେ କେମିତି ଏକ ଊର୍ଦ୍ଧ୍ୱମୁଖୀ ଚେତନାରେ ଭାବବିହ୍ୱଳ ହୋଇପଡ଼େ । ଲୋକଟି ଅନ୍ଧନୁହେଁ । ଅନ୍ଧଭାବରେ ସେ କେବେ ଜୀବନରେ ହାତୀ ଦେଖିବାକୁ ମନ କରିବ । ତା’ର ବିଶ୍ୱାସ ହିଁ ଏକମାତ୍ର ସତ୍ୟ । ସେ ଏକ ଚଳମାନ ପରିଣତ । ଏକ ଆଟମ୍‌ । ଏକ ସର୍ବ ବୃହତ୍‌ ଶକ୍ତିଶାଳୀ ବସ୍ତୁ ।

 

ଲୋକ ଦେଖାଣିଆ ପୃଥିବୀ ପ୍ରତି, ସାମାଜିକ ପ୍ରଥାପଦ୍ଧତି ପ୍ରତି, ନୀତିନିୟମ ଓ ଦହଗଞ୍ଜିଆ ଜୀବନ ପ୍ରତି ସେ ବଡ଼ ବୀତସ୍ପୃହ । କାହାରି ଅଯାଚିତ ଦୟାଉପରେ ବଞ୍ଚି ରହିବାକୁ ଲୋକଟି ଇଚ୍ଛା କରିନି । ଈଶ୍ୱର ଦୁର୍ବଳର ସହାୟକ । କର୍ମକୁଢ଼ ଅକର୍ମା ମାନେହିଁ ଈଶ୍ୱରଙ୍କୁ ମୁଣ୍ଡରେ ମୁଣ୍ଡେଇ ଥାନ୍ତି । ମନ୍ଦିର, ଗିର୍ଜା, ମସ୍‌ଜିଦ୍‌, ଯାଇ ଧର୍ମ ପୁସ୍ତକରୁ ପଂକ୍ତି ଉଦ୍ଧାର କରି ଚିତ୍କାର କରନ୍ତି । ଖୋଳତାଳ ପିଟି ଚିତାଚଇତନ କାଟି ଉନ୍ମାଦ ହୁଅନ୍ତି । ଲଜ୍ଜାସରମ ଛାଡ଼ି ମାନମହତ ଭୁଲି ଖୋଲା ରାସ୍ତା ଉପରେ ଗଞ୍ଜେଇ ତମାଖୁ ଖାଇ ପାଗଳଙ୍କ ପରି ନାଚି ନାଚି ସମୟ କାଟନ୍ତି ଓ ନିଜ ହୃଦୟର କଟା ଘା’ର ଯନ୍ତ୍ରଣାକୁ ନିମିଷକ ପାଇଁ ପାସୋରି ଦିଅନ୍ତି । ଆଜନ୍ମରୁ ଲୋକଟି ନିଃସହାୟ ଅବସ୍ଥାରେ ଏତେବଡ଼ ପୃଥିବୀରେ ଏକା ଏକା ବଢ଼ିଛି । ମାଇଲ୍‌ ମାଇଲ୍‌ ଧରି ଘେରିରହିଥିବା ଅଖଣ୍ଡ ମହାଶୂନ୍ୟତା ଭିତରେ ବଞ୍ଚି ରହିଛି । କାହାକୁ ଆଶ୍ରା କରିନି । କାହା ଉପରେ ଭରସା କରିନି-। କେହି ବି ଜଣେ ଦୟା ପରବଶ ହୋଇ ତା’ ଦୁଃଖରେ ଆହା ପଦେ କହି ନାହାନ୍ତି-। ସେ ବନ୍ଧୁ ଖୋଜିଛି ଶୂନ୍ୟତା ଭିତରେ । ମହାଶୂନ୍ୟତା ଭିତରେ ବୁଡ଼ିଯାଇଛି । ସେ ସ୍ନେହ, ପ୍ରେମ, ମମତା ଏତେ ଟିକେ ସହାନୁଭୂତି ସବୁ ଚାହିଁଛି । ଶୂନ୍ୟତା ଲମ୍ବା ହାତ ବଢ଼େଇ ତାକୁ କୋଳେଇ ନେଇଛି-। ସେଇଠି ସେ ଶିଖିଛି ସବୁ ବାଜେ କଥା । ଫାଙ୍କା ଆଓ୍ୱାଜ । କେଉଁ ଆଡ଼େ କିଛି ନାହିଁ । କେହି କିଛି ପାଇନାହାନ୍ତି । ପାଇବା ବି ସହଜ ସମ୍ଭବ ନୁହେଁ ।

 

ଏତେଗୁଡ଼ାଏ ଦିନ ପରେ ହଠାତ୍‌ କେହି ଜଣେ (ସେ ଈଶ୍ୱର ହୁଅନ୍ତୁ ବା’ ଅନ୍ୟ ଯେ କେହି ବି ହୁଅନ୍ତୁ) ତା’ ଉପରେ ପ୍ରଭାବ ବିସ୍ତାର କରି ବସିବ । କର୍ତ୍ତୃତ୍ୱ ଦେଖାଇବ । ତା’ର ଗତିପଥ ନିୟନ୍ତ୍ରିତ କରିବ । ଆଉ ସେ ନୀରବ ଦର୍ଶକ ପରି ସାଂଖ୍ୟ ଦର୍ଶନର ସାକ୍ଷୀ ପୁରୁଷ ପରି ଜୁଳୁ ଜୁଳୁ ଆଖି କରି ସବୁ ଦେଖୁଥିବ । ସବୁ ଶୁଣୁଥିବ । ଅଥଚ ପ୍ରତିବାଦ କରିପାରୁନଥିବ । ମୁହଁ ଫିଟେଇ କିଛି କହିପାରୁନଥିବ । ସେ ଏସବୁ ସହ୍ୟ କରି ପାରିବ ନାହିଁ । ସେ ମଣିଷ, ମଣିଷ ପରି ବଞ୍ଚି ରହିବ । ନ ହେଲା ବା’ ରାଜ୍ୟଜୟ । ସାମ୍ରାଜ୍ୟ ବିସ୍ତାର । କିଛି ଯା’ ଆସ ନାହିଁ । କିନ୍ତୁ ନିଜର ସୀମିତ ଇଲାକାରେ ନିଜକୁ ନିତ୍ୟ-ଶୁଦ୍ଧ-ବୁଦ୍ଧ ମୁକ୍ତ ଭାବରେ ଜୀବନ କଟେଇବାକୁ ପଡ଼ିବ । ଏତିକି ହିଁ ଏ ଜନ୍ମ ପାଇଁ ଯଥେଷ୍ଟ । ନିର୍ଦ୍ଦିଷ୍ଟ ଆଦର୍ଶ ଅନୁଯାୟୀ ନିଜର କର୍ମ ପନ୍ଥା ସ୍ଥିର କରି ପାରିଲେ ହେଲା । ବ୍ୟତିରେକର ପ୍ରଶ୍ନ ନ ଉଠିବା ଭଲ । ଏ ସବୁ ପାଇଁ ଲୋଡ଼ା ପ୍ରଚୁର ବିଶ୍ୱାସ । ବିଶ୍ୱାସ ଥିଲେ ଭାଗ୍ୟ, ଭଗବାନ ବା ଅଦୃଷ୍ଟ-ଯା କିଛି କୁହ, ସବୁକୁ ହାତମୁଠାରେ ଧରି ରଖିହବ । ବିଶ୍ୱାସ ହରେଇ ବସିଲେ, ନିଜ ଉପରୁ ଆସ୍ଥା ତୁଟିଗଲେ ସବୁ ଗୋଳମାଳିଆ ଧରିଯିବ । କିଛି ପାଇବା ସମ୍ଭବ ହେବନି । ଫଳରେ ବାଧ୍ୟ ହୋଇ ପାଇବାର ଲାଳସା ଅବଚେତନ ମନରେ ମୁହୁର୍ମୁହୁଃ ଦେଖାଦେବ । ମଣିଷ ବାଧ୍ୟହୋଇ ନିଜ ଭିନ୍ନ ଅନ୍ୟ ଏକ ଶକ୍ତି ଉପରେ ଆଶ୍ରା କରିବ ଓ ଶେଷରେ ଈଶ୍ୱରଙ୍କ ଇଚ୍ଛା ଓ ଅନିଚ୍ଛା ଭିତରେ ସବୁବେଳେ ବ୍ୟସ୍ତରହି ମଣିଷ ଭାଗ୍ୟବାଦୀ ହୋଇଯିବ । ଆମେ ଯେଉଁ ଦେଶରେ ଜନ୍ମଗ୍ରହଣ କରିଛୁ, ସେଦେଶର ମାଟି, ଗୋଡ଼ି ପାଣି ପବନରେ ବି ଭାଗ୍ୟବାଦ ତା’ର ପ୍ରଭାବ ବିସ୍ତାର କରି ବସିଛି । ମଣିଷ ଏଠି ଟିକିଏ ଟିକିଏ କଥାରେ କପାଳକୁ ନିନ୍ଦେ । ଭାଗ୍ୟକୁ ଦୋଷ ଦିଏ । ଏଠି ଭାଗ୍ୟକୁ ଆଦରି ଏଇ ଦେଶର ବୁଢ଼ାବୁଢ଼ିମାନେ ହିଁ ଉପାର୍ଜନକ୍ଷମ ପୁଅ-ଝିଅଙ୍କ ଉପରେ ଭରସା ରଖି ଦାନ୍ତ ନିକୁଟି ପଡ଼ି ରହନ୍ତି । ଏଠି ପ୍ରଳୟ ଘଟିଲେ, ବାତ୍ୟା, ବନ୍ୟା, ଦୁର୍ଭିକ୍ଷ, ମରୁଡ଼ି ହେଲେ ଲୋକେ ସେଇ ଅଦୃଷ୍ଟକୁହିଁ ତାରିଫ କରନ୍ତି । ଭାଗ୍ୟବାଦୀ ମଣିଷ ପ୍ରଚୁର ବିଶ୍ୱାସ ରଖି ଏଇ ଦେଶରେ ହଜାର ହଜାର ଟଙ୍କା ବ୍ୟୟ କରି ହୋମ ଯଜ୍ଞ କରେ । ଅଷ୍ଟ ପ୍ରହରୀରେ ମାତିଯାଏ । ଶନିପୂଜା କରେ । ଚଢ଼ାଦରରେ ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଏ ।

 

ଏଇ ସବୁ ଖୋଲା ସତ୍ୟକୁ ଖୁବ୍‌ ସତର୍କତାର ସହିତ ଲୋକଟି ନିରୀକ୍ଷଣ କରି ଦେଖିଛି । ସେଥିପାଇଁ ଯୁକ୍ତି ବାଢ଼ି ସେ କହିଛି, ଏମିତି ଅଳସୁଆ କର୍ମକୁଢ଼ ହେବା ଅପେକ୍ଷା ଈଶ୍ୱରଙ୍କ ସ୍ଥିତି ଉପରେ ଆଦୌ ଗୁରୁତ୍ୱ ଆରୋପ କରିବା ଅସମୀଚୀନ । ଯୁକ୍ତିକରି ଈଶ୍ୱରଙ୍କ ଅସ୍ଥିତ୍ୱ ବୁଝାଇବା ମୂର୍ଖାମି । କୌଣସି ଯୁକ୍ତିବାଦୀ ପୁରୁଷ ଏ ସଂସାରରେ ସୁପୁରୁଷ ନୁହନ୍ତି । କୌଣସି ଯୁକ୍ତି ବି ଏଠି ସିଦ୍ଧଯୁକ୍ତି ନୁହେଁ । ପ୍ରତ୍ୟେକ ଯୁକ୍ତିର ପ୍ରତିଯୁକ୍ତି ଅଛି । ଯେମିତି ପ୍ରତି ପକ୍ଷର ପ୍ରତି ପକ୍ଷ ଥିବା ସଭିଏଁ ଜାଣନ୍ତି । ଯେଉଁ ଯୁକ୍ତି ବଳରେ ଆମେ କହୁ ଯେ ଈଶ୍ୱର ଥିଲେ, ଅଛନ୍ତି ଓ ଥିବେ ସବୁକାଳ । ତାଙ୍କ ବିନା ମୁହୂର୍ତ୍ତେ ବଞ୍ଚିବା ମୁସ୍କିଲ୍‌ । ତାଙ୍କର ଆଖି, ନାକ, କାନ, ପାଟି ଇତ୍ୟାଦି ଇନ୍ଦ୍ରିୟ ସକଳ ଅଛି । ସେଇ ଯୁକ୍ତିର ସାହାଯ୍ୟ ନେଇ ଆମେ କହିପାରିବା ଯେ ସେ ନଥିଲେ, ନାହାନ୍ତି । ତାଙ୍କର ଥିବା ନଥିବାର ପ୍ରଶ୍ନ ଉଠାଇ ଲାଭ କ’ଣ ? ସେ ନିରଞ୍ଜନ, ନିର୍ଗୁଣ । ତାଙ୍କର କିଛିନାହିଁ । ଆଖି ନାହିଁ । କାନ ନାହିଁ । ପୁଣି ଅନ୍ୟ ଏକ ପକ୍ଷ ଯୁକ୍ତିର ଆଶ୍ରୟ ନେଇ ଆମେ କହିପାରିବା ସେ ଅଛନ୍ତି ଓ ନାହାନ୍ତି । ତାଙ୍କର ସବୁ ଅଛି ପୁଣି କିଛିନାହିଁ । ସେ ତ୍ରିକାଳ ଦ୍ରଷ୍ଟା । ପୁଣି ତାଙ୍କର ଦୃଷ୍ଟିଶକ୍ତି ମୂଳରୁ ଲୋପ ପାଇଯାଇଛି । ତାଙ୍କର ଇନ୍ଦ୍ରିୟଜ୍ଞାନ ଅଛି । ପୁଣି ସେ ଜିତେନ୍ଦ୍ରିୟ ଇତ୍ୟାଦି, ଇତ୍ୟାଦି ।

 

ଏଥିରୁ କେଉଁଟି ଠିକ୍‌ ? କେଉଁଟି ଭୁଲ୍‌ ? ସେ କଥା ବିଚାର କରିବା କାଠିକର । କିଏ ବା ବିଚାର କରିବ ? ଯିଏ ବା ବିଚାର କରିବ, ତା’ର ଯୋଗ୍ୟତା ନିଶ୍ଚିତ ମାତ୍ରାରେ ତାଙ୍କଠାରୁ ବେଶୀଥିବା ଦରକାର । ସୁତରାଂ ଏତେ ଗୋଳମାଳିଆ ଭିତରକୁ ପଶିବ କିଏ । ପଣସ ଖାଇଲେ ସିନା ହାତରେ ଅଠା ଲାଗିବ । ଏତେ ଠେଲାପେଲା ଭିତରକୁ ପଶି ଖଣ୍ଡିଆ ଖାବରା ହୋଇ ଶେଷରେ ଈଶ୍ୱରଙ୍କ ଅସ୍ତିତ୍ୱକୁ ପ୍ରମାଣ କରିବାକୁ ବ୍ୟବହୃତ ହୋଇଥିବା ପ୍ରତ୍ୟେକଟି ଯୁକ୍ତି ଓ ଶବ୍ଦର ଅର୍ଥବିନ୍ୟାସ କରିବା ମାନେହିଁ ନିଜେ ଜଣେ ସଂସାରରେ ଖୁବ୍‌ ଜ୍ଞାନୀ ଓ ପଣ୍ଡିତ ବୋଲି ଦେଖେଇ ହେବା ଛଡ଼ା ଅନ୍ୟ କିଛି ନୁହେଁ । ଲୋକଟି ସେଇଥିପାଇଁ ଈଶ୍ୱରଙ୍କ ଉପରେ ଆଦୌ ଗୁରୁତ୍ୱ ଦେଇନି-। ତା’ର ପାରିପାର୍ଶ୍ୱିକ ପରିସ୍ଥିତି, ତା’ର ଦୁନିଆ ପ୍ରତି ଗଢ଼ି ଉଠିଥିବା ଏକ ମୁଖିଆ ଭାବହିଁ ଏଥିପାଇଁ ଆପାତତଃ ଦାୟୀ । ବ୍ୟକ୍ତି ହିଁ ଏକମାତ୍ର ସତ୍ୟ । ଅନ୍ୟସବୁ ମିଥ୍ୟା, ପ୍ରହେଳିକା । ବ୍ୟକ୍ତିକୁ କେନ୍ଦ୍ରକରି ଧର୍ମ, ଈଶ୍ୱର ବିଶ୍ୱାସ ସମାଜ, ନୈତିକତା ସବୁକିଛି ଗଢ଼ିଉଠିଛି । ଏ ସମସ୍ତ ମନଗଢ଼ା ଚିନ୍ତାର ସ୍ରୋତ ଭିତରେ ବ୍ୟକ୍ତିର ସ୍ୱାତନ୍ତ୍ର୍ୟକୁ ତା’ର ନିଜସ୍ୱକୁ ଜୋର୍‌ ଜବରଦସ୍ତି ବଳ ପ୍ରୟୋଗ କରି ଚପେଇ ଦିଆ ଯାଇଛି । ତାକୁ ନିଃଜସ୍ୱ କରିଦିଆଯାଇଛି । ମାଓ ଦର୍ଶନରେ ବିଶ୍ୱାସ କରୁ ନଥିବା ମଣିଷର ଜବରଦସ୍ତି ବ୍ରେନ ଓ୍ୱାସିଂ କଲାପରି ଏଠି ବ୍ୟକ୍ତିକୁ ବାଧ୍ୟ କରାଯାଉଛି ପରମ୍ପରାକୁ ଜାବୁଡ଼ି ଧରିବା ପାଇଁ । ଶତାବ୍ଦୀ ଶତାବ୍ଦୀ ଧରି ବିଚରା କେତେ ଅତ୍ୟାଚାର ସହିଛି । ମାଡ଼ ଖାଇଛି । ଗାଳି ଗୁଲଜ ଶୁଣିଛି ।

 

ଲୋକଟି ମୁକ୍ତ କଣ୍ଠରେ ଘୋଷଣା କରିଛି ଯେ, ଏ ଏକ ମିଥ୍ୟା ନିଷ୍ଫଳ ଦ୍ୱନ୍ଦବହୁଳ ଭ୍ରମଯୁକ୍ତ ଅଜ୍ଞାନ ପୃଥିବୀ । ଏଠି ସବୁ ଚିନ୍ତା ବିଭ୍ରାଟ । ସବୁ ରାସ୍ତା ଖଣ୍ଡିଆ ଖାବଡ଼ା । ଯେଉଁବାଟେ ଗଲେବି ଝୁଣ୍ଟି ପଡ଼ି ରକ୍ତାକ୍ତ ହେବାର ଭୟ ଅଛି । ବ୍ୟକ୍ତି ବାରମ୍ବାର ଏଠି ବିଚାରର ସମ୍ମୁଖୀନ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ନ୍ୟାୟ ଆଡ୍‍ଡାରେ ତା’ର ମୁକାବିଲା ହୋଇଛି । ଜବାବ୍‌ ସୁଆଲ୍‌ ଚାଲିଛି । ସବୁ ସେ ହସି ହସି ସହିଛି । ଅନ୍ୟକୁ ଖୁସିରେ ରଖିବା ପାଇଁ, ଦିନଟିଏ ବି ନିଜକଥା ଚିନ୍ତା କରିବାକୁ ବେଳ ପାଇନି । ମୁହୂର୍ତ୍ତଟିଏବି ହାତମୁଠାରେ ଧରା ପଡ଼ିନି ତା’ ନିଜର ଝାଳୁଆ ଉଦାସ ମୁହଁକୁ ଦେଖିବା ପାଇଁ ।

 

ଏମିତି ହୀନିମାନ ହୋଇ ଜୀବନ କାଟୁ କାଟୁ ବିଂଶ-ଶତାବ୍ଦୀର ଅପରାହ୍ନ ଆସି ହୋଇଗଲାଣି । ତଥାପି ପରୀକ୍ଷା ନିରୀକ୍ଷା ସରିବାକୁ ନାହିଁ । ସତ୍ୟ ପ୍ରତିଷ୍ଠା ହୋଇପାରିନାହିଁ । ଧର୍ମର ପ୍ରକୃତ ସ୍ୱରୂପ କ’ଣ ତାହା ବି ଠିକ୍‌ ରୂପେ ଜଣା ପଡ଼ିନି । ଅଥଚ ରାତିକ ଭିତରେ ପୁଣି ମଠ, ମନ୍ଦିର, ଗିର୍ଜା, ମସ୍‌ଜିଦ୍‌ ଶହଶହ ସଂଖ୍ୟାରେ ଗଢ଼ି ଉଠୁଛି । କେତେ ଆଇନ୍‌ କାନୁନ୍‌ ପ୍ରଣୟନ ହେଉଛି । କେତେ ରାଷ୍ଟ୍ରନାୟକ ଆସୁଛନ୍ତି, ଯାଉଛନ୍ତି । କେତେ ଧର୍ମଯାଜକ, ଧର୍ମ ପୁରୋହିତ, ସ୍ୱାମୀସନ୍ଥ, ମୁନିରୁଷି, ଦୀନଦାର ହୁ ହୁ ସଂଖ୍ୟାରେ ମାଡ଼ି ଆସୁଛନ୍ତି । ତଥାପି କୌଣସି ପରିବର୍ତ୍ତନ ହେଉନି । କେହି କିଛି ନୂଆ କଥା କରୁନାହାନ୍ତି । ବ୍ୟକ୍ତି ସେମିତି ଜଳକା ହୋଇ ଦୃଶ୍ୟ ଦେଖୁଛି । ତାଙ୍କ ସାଥିରେ ଜଣେ ହୋଇ ତାଳି ମାଡ଼ କରୁଛି, ଭାଙ୍ଗୁଛି, ଜାଳୁଛି, ପୋଡ଼ୁଛି । ପୁଣି ଚଢ଼ୁଛି । ପୁଣି ଭାଙ୍ଗୁଛି । ବ୍ୟକ୍ତିର ନିଃସଙ୍ଗତା କ୍ରମଶଃ ବଢ଼ିବାରେ ଲାଗିଛି ତା’ ନିଜର ଅଜାଣତରେ । ବ୍ୟକ୍ତି ନିଃସ୍ୱ ହୋଇଯାଉଛି । ତା’ର ଜୀବନ ଦୁର୍ବହ ହୋଇପଡ଼ୁଛି । ଘରସଂସାର ତାକୁ ଆଉ ପୂର୍ବପରି ଭଲଲାଗୁନି ।

 

ସଂଘ ସମିତି, ସଂସ୍ଥା ନାଁରେ ଖାଲି ଯାହା ଆଖିରେ ଭେଳିକି ଦେଖା ହେଉଛି । କୋଟିଏ ଧର୍ମ, ଦିକୋଟି ସଂଘ, ଦଶ କି ପନ୍ଦର କୋଟି ଦେବତା । ଛି, ଛି, କି ଆବସର୍ଡ଼ ଆଇଡିଆ । ପ୍ରତ୍ୟେକଙ୍କର ରାସ୍ତା ସ୍ୱତନ୍ତ୍ର । ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ଭିନ୍ନ । କାହା ସହିତ କାହାର ସାମ୍ୟନାହିଁ । ପ୍ରତ୍ୟେକ ଏକ ଏକ ସ୍ୱାଧୀନ ସଚେତନ ମୋନାଡ୍‍ । ବ୍ୟକ୍ତି ଆଗରେ ଖାଲି ଯାହା ରାସ୍ତା, ରାସ୍ତା । ରାସ୍ତା ଭିନ୍ନ ଅନ୍ୟ କିଛି ନାହିଁ । ଯେଉଁଆଡ଼କୁ ଚାହିଁ, ବିଚିତ୍ର ଢଙ୍ଗରେ ନଟୁର ଅଡ଼ୁଆ ତାଡ଼ୁଆ ସୂତାପରି ରାସ୍ତାଗୁଡ଼ିକ ଫାଁ ଗାଳିଦେଇ ପଡ଼ି ରହିଛନ୍ତି । ତା’ ଉପରେ ଦଳ ଦଳ ହୋଇ ନାରୀପୁରୁଷ, ହୋ-ହଲ୍ଲାକରି ଧାଇଁବାରେ ଲାଗିଛନ୍ତି । ଅସହାୟ ଅବସ୍ଥାରେ ବ୍ୟକ୍ତି ବିଚରା ଚିତ୍କାର ଛାଡ଼ୁଛି । କେଉଁଆଡ଼େ ଯିବ ସେ । କାହା ହାତ ଧରିବ ? କିଛି ଜାଣି ପାରୁନି । କେହି ଜଣେ ବି ତାକୁ ପ୍ରକୃତ ରାସ୍ତା ବତେଇ ଦେବାକୁ ଆଗେଇ ଆସୁନି । ଯେଉଁମାନେ ବା’ ପଟାପାଉତି ଧରି କୋଳି ଖାଇ ମଞ୍ଜି ପୋତି ବସିଥିଲେ ଅନ୍ୟମାନଙ୍କୁ ନିୟନ୍ତ୍ରିତ କରିବାକୁ, ମାର୍ଗ ଦେଖାଇବାକୁ ଜୀବରେ ସହଜ ସରଳ ତତ୍ତ୍ୱ ବୁଝାଇ ଦେବାକୁ, ଆମେ ତାଙ୍କୁ ଓଲ୍‍ଡ ‌କନ୍‌ଜରଭେଟିଭ ଫୁଲସ୍‌ ଆଖ୍ୟାଦେଇ ଏଡ଼େଇ ଦେଇ ବସିଛୁ । ତାଙ୍କୁ ଅସ୍ୱୀକାର କରିଛୁ । ତାଙ୍କ ଆମ ଭିତରେ ଏକ ସୀମାରେଖା ଟାଣି ତାଙ୍କୁ ଆମ ଇଲାକାରୁ ପୃଥକ୍‍ କରି ଦେଇଛୁ । ତା’ର କାରଣ ହେଉଛି, ସେମାନେ ଅତିମାତ୍ରାରେ ସ୍ୱାର୍ଥପର, ଗର୍ବି, ଅହଂକାରୀ ପୁରୁଷ । ତାଙ୍କର ପରାମର୍ଶ ଆମର ଲୋଡ଼ା ନାହିଁ କି ସେ ପରମ୍ପରାକୁ ବୋଝକରି ମୁଣ୍ଡରେ ବୁହାଇ ବୁହାଇ ଅଣନିଃଶ୍ୱାସୀ ହେବାର କୌଣସି ପ୍ରୟୋଜନ ନାହିଁ । ସେ ପୂର୍ବ ନିର୍ଦ୍ଧାରିତ ନୀତିନିୟମର ଆଉ ଦରକାର ନାହିଁ । ଆମେ ସେ ସବୁକୁ ଜାଳିପୋଡ଼ି ନିଜ ହାତରେ ନଷ୍ଟ କରି ଦେଇଛୁ । ଯେଉଁ ସଂସ୍କୃତି ପାଇଁ ଭାରତବର୍ଷ ଦିନେ ବିଶ୍ୱରେ ଛାତି ଫୁଲେଇ ବାଟ ଚାଲୁଥିଲା, ତା’ର ଐତିହ୍ୟର ଅହଂକାର ପାଇଁ ଅନ୍ଧ ହୋଇ ଯାଉଥିଲା, ଆମେ ସର୍ବହରା ଦଳ ତାକୁ କଲବଲ କରି କେଞ୍ଚି କେଞ୍ଚି ମାରିଦେଇଛୁ । ଅତୀତର ସେ ଆଭିଜାତ୍ୟ ଆଉ ନାହିଁ । ସବୁଆଡ଼େ ଘୁଣ ଖାଇ ଫମ୍ପା ଧରିଯାଇଛି । କେବଳ ମାତ୍ର ଗୋଟିଏ ନିଶାରେ ଆମେ ଏତେବଡ଼ ଅପକର୍ମ କରି ବସିଛୁ ।

 

ବ୍ୟକ୍ତି ସ୍ୱାଧୀନତା ଆମର ନିଶା । ଏଣିକି ଆମେ ନିଜ ଗୋଡ଼ରେ ଛିଡ଼ା ହେବୁ । ନିଜ ଉପରେ ନିଜେ ନିର୍ଭର କରି ଚଳିବୁ । ଯେଉଁମାନେ ମୂଳ ପିଣ୍ଡଠାରୁ ପୃଥକ୍‍ ହୋଇ ଯାଆନ୍ତି, ନିଜଠାରୁ ସ୍ୱତନ୍ତ୍ର ହୋଇ ଯାଆନ୍ତି, ସେମାନେ ହିଁ ମହାକାଳର ବୃତ୍ତ ଭିତରେ ଚକପରି ଘୂରିବୁଲନ୍ତି । ବିବର୍ତ୍ତନ ହିଁ ଏକମାତ୍ର ମାର୍ଗବୋଲି ମନେହୁଏ । ଏ ପ୍ରାଣମୂର୍ଚ୍ଛା ଘୂର୍ଣ୍ଣନ ଭିତରେ ଅଣନିଃଶ୍ୱାସୀ ହୋଇ ବ୍ୟକ୍ତି ଧର୍ମ, ଈଶ୍ୱର, ଭାଗ୍ୟ, ଅଦୃଷ୍ଟ ଓ ଭୌତିକବସ୍ତୁ ସକଳର କର୍ତ୍ତୃତ୍ୱକୁ ମାନିବାକୁ ବାଧ୍ୟ ହେଉଛି । ବ୍ୟକ୍ତି ଯଦିଓ ନିଜେ ଭଲରୂପେ ବୁଝିଛି ଯେ ଏ ସବୁ ଭାବପ୍ରବଣତା ବିନା ଅନ୍ୟକିଛି ନୁହେଁ । ଭାବ ପ୍ରବଣତାରେ ଭାସିଗଲେ ସତ୍ୟାସତ୍ୟ ଜ୍ଞାନ ଲୋପ ପାଇଯିବ । ବ୍ୟକ୍ତି ଅନ୍ଧ ହୋଇଯିବ । ମୂକ ବଧିର ପାଲଟି ଯିବ । ତଥାପି ପରୋକ୍ଷରେ ଆମେ ସମସ୍ତେ ସେଇ ମହାକାଳର ଗର୍ତ୍ତ ଗହ୍ୱରକୁ ମାଡ଼ି ଚାଲିଛୁ ।

 

ଲୋକଟି ଜୀବନର ଉପରୋକ୍ତ ଦିଗଟିକୁ ଭଲ କରି ବିଶ୍ଳେଷଣ କରି ଦେଖିଛି । ସେଥିପାଇଁ ସେ ସାଧାରଣ ମଣିଷର ପାଦ ସହିତ ପାଦ ମିଳେଇ ଚାଲି ପାରୁନି । ଅନ୍ୟର ଚଳଣି ସହିତ, ଭାବଭଙ୍ଗୀ ସହିତ ଖାପ୍‌ଖୁଆଇ ଚଳି ପାରୁନି । ଲୋକଟି ଛାଟିପିଟି ହୋଇ ପଳାଉଛି । ସବୁ ବାଧା ବନ୍ଧନ ଏଡ଼େଇ ସବୁ ମାୟା ମମତାର ବନ୍ଧନ କାଟି ଲୋକଟି ଧାଉଁଛି ତା’ର ବହୁ କପୋଳକଳ୍ପିତ ମନଗଢ଼ା ଝାଳୁଆ ମାଟିଆ ରାସ୍ତା ଉପରେ ।

 

ଲୋକଟି ତାର୍କିକ ନୁହେଁ ।

 

ତର୍କ ବିଦ୍ୟା ସମ୍ପର୍କରେ ତା’ର କେମିତି ଏକ ଅଜବ ଧାରଣା ରହିଛି । ଯୁକ୍ତି କରି ଅଯଥାରେ ମସ୍ତିଷ୍କକୁ ଭାରାକ୍ରାନ୍ତ କରିବାରେ କି ଆନନ୍ଦ । ଯୁକ୍ତିର କୌଣସି ସିଦ୍ଧାନ୍ତ ନାହିଁ । ଯେ କୌଣସି ତର୍କବାକ୍ୟ ବା ସିଦ୍ଧାନ୍ତକୁ ନେଇ ପୁଣି ଯୁକ୍ତି ଆରମ୍ଭ ହୋଇପାରେ । ସେ ସବୁର ସତ୍ୟାସତ୍ୟ ଯେତେ ସହଜ ପରି ମନେହୁଏ ତାହା ସେତିକି ସହଜ ନୁହେଁ । କେବଳ ମାତ୍ର ଗୋଟିଏ କଥା ହେଉଛି, ଯାହାକି ଦିବାଲୋକ ପରି ଉଜ୍ଜ୍ୱଳ ଓ ଆସନ୍ତା କାଲିର ସୂର୍ଯ୍ୟପରି ସତ୍ୟ, ତାହାହିଁ ହେଉଛି ବିଶ୍ୱାସ । ବିଶ୍ୱାସ ନଥିଲେ କିଛି ହୋଇ ପାରିବନି । ସତ୍ୟର ସନ୍ଧାନ ପାଇଁ ବିଶ୍ୱାସ ଏକ ଅମୋଘ ଅସ୍ତ୍ର । ଅନ୍ୟର ଉପଦେଶ, ପରାମର୍ଶ, ନିଷ୍ପ୍ରୟୋଜନ । ବ୍ୟକ୍ତି ନିଜକୁ ଚିହ୍ନି ନିଜ ଭିତରେ ବିଶ୍ୱାସ ଯଥେଷ୍ଟ ମାତ୍ରାରେ ପ୍ରଥମେ ସଞ୍ଚୟ କରି ରଖୁ । ନିଜ ଉପରୁ ବିଶ୍ୱାସ ହରାଇଥିବା ବ୍ୟକ୍ତି ପକ୍ଷେ ଧର୍ମ, ଈଶ୍ୱର ବିଶ୍ୱାସ, ଧର୍ମଗ୍ରନ୍ଥ, ଧର୍ମଯାଜକ ଓ ଧର୍ମପୀଠ ସବୁକିଛି ମୂଲ୍ୟହୀନ । ବିଭିନ୍ନ ପରିଚ୍ଛେଦରେ କ୍ରମାନ୍ୱୟରେ ୟା’କୁଇ କେନ୍ଦ୍ରକରି ଲୋକଟି କେତେ କଥା କହିଛି ।

 

ସ୍ଥିତିବାଦର ଅଇଣ୍ଠା ପତ୍ର ଚାଟି ଚାଟି କେତେଦିନ ଏମିତି ଦୋଦୁଲ୍ୟମାନ ଅବସ୍ଥାରେ ଜୀବନ ବିତେଇବା ? ସବୁକିଛି ପ୍ରତିଷ୍ଠିତ ସତ୍ୟ ଓ ଜୀବନର ପ୍ରକୃତ ମୂଲ୍ୟବୋଧକୁ ‘ଭୁଲ୍‌’ ବୋଲି ପ୍ରମାଣିତ କରି କେତେଦିନ ଆଉ ଅରଣ୍ୟରେ ବାଟ ଭୁଲି ଘାଣ୍ଟି ହେଉଥିବା ? ଲୋକଟିରା ବିଶ୍ୱାସ ଯେ ଏଠି ଜୀବନ ଯେତିକି ସତ୍ୟ, ମୃତ୍ୟୁ ମଧ୍ୟ ସେତିକି ସତ୍ୟ । ସୁତରାଂ ଜୀବନ ଓ ମୃତ୍ୟୁ ମଧ୍ୟରେ ଏକ ମନଖୋଲା ବୁଝାମଣା ଆବଶ୍ୟକ । ଏ ସବୁଥିପାଇଁ ସାହସ ଦରକାର । ସାହସୀ ଲୋକର ବିଶ୍ୱାସ ଖୁବ୍‌ ଦୃଢ଼ । ଦୁର୍ବଳ ଲୋକ ଦୁଃସାହସୀ ନୁହେଁ । ସେ ଭୀରୁ, କ୍ଳୀବ । ତା’ର ହୀନମନ୍ୟତା, ନିଉଛଣାଭାବ ପାଇଁ ସେ ଦୁଃଖ ଭୋଗେ । ନିଜ ଉପରୁ ଆସ୍ଥା ତୁଟେଇ ଅନ୍ୟକୁ ସାହାଯ୍ୟ ମାଗେ । ଅନ୍ୟର ମର୍ଜି ଉପରେ ନିର୍ଭର କରିବାକୁ ବାଧ୍ୟ ହୁଏ ।

 

କେବଳ ଯେ ସାହାସ ଥିଲେ ଜଣେ ଅଖଣ୍ଡ ବିଶ୍ୱାସର ଅଧିକାରୀ ହୋଇପାରିବ ଏହାର ମଧ୍ୟ କୌଣସି ମାନେ ନାହିଁ । ଅନେକ ସାହସୀ ବ୍ୟକ୍ତି ପ୍ରଚୁର ବିଶ୍ୱାସ ସତ୍ତ୍ୱେ ବି ବାରମ୍ବାର ପରାସ୍ତ ହୋଇଛନ୍ତି ଜୀବନ ଯୁଦ୍ଧରେ । ଇତିହାସ ତହିଁର ଜୀବନ୍ତ ପ୍ରତୀକ । ସେଥିପାଇଁ ଲୋଡ଼ା ଅପର୍ଯ୍ୟାପ୍ତ ଅଭିଜ୍ଞତା । ଅଭିଜ୍ଞତା ମନୁଷ୍ୟକୁ ଶକ୍ତ କରି ଗଢ଼େ । ଅଭିଜ୍ଞତାରୁହିଁ ମଣିଷ ଅକଲ ଶିଖେ । ସତ୍ୟାସତ୍ୟ ନିରୂପଣ କରିପାରେ । ଅଭିଜ୍ଞତା ରହିତ ମଣିଷ ଅନ୍ତଃସାର ଶୂନ୍ୟ । ଫମ୍ପା ! ହଲୋମ୍ୟାନ୍‌ । ଯେଉଁ ଲୋକର ଅଭିଜ୍ଞତା ଯେତେ ପ୍ରଖର, ତା’ର ଧୀଶକ୍ତି, ତା’ର ଜୀବନପ୍ରତି ମହଜୁଦ ରହିଥିବା ଧାରଣା ସେତିକି ବଳିଷ୍ଠ । ଆମ ପରମ୍ପରାର ପୃଷ୍ଠପୋଷକମାନଙ୍କ ମୁହଁରୁ କେବଳ ଯେ ବେଦ ନିଃସୃତ ଅମରବାଣୀ ଶୁଣିବାକୁ ମିଳେ ତାହା ନୁହେଁ, ବରଂ ସେମାନଙ୍କ ଜୀବନର ବହୁବିଧ ଅଭିଜ୍ଞତା ଓ ପ୍ରତ୍ୟକ୍ଷ ଅନୁଭୂତିରୁ ବଞ୍ଚି ରହିବାର ଯଥେଷ୍ଟ ଉପାଦାନ ସଂଗ୍ରହ କରାଯାଇପାରେ । ସୁତରାଂ ଏଠି ଧର୍ମ କହିଲେ ଆମେ ଏତିକି ବୁଝୁ ଯେ, ଯେକୌଣସି ବସ୍ତୁକୁ କେନ୍ଦ୍ରକରି ଯେ କୌଣସି ବ୍ୟକ୍ତିର ଅଭିଜ୍ଞତା କେତେ ଗଭୀର ତା’ର ତତ୍‍ସମ୍ପର୍କୀୟ ଅନୁଭୂତି ତଥା ଚିନ୍ତାଧାରା କେତେ ବେଶୀ ସୁସଞ୍ଜତ ।

 

ଲୋକଟି ନିଜକୁ ଭଲ କରି ଚିହ୍ନିଛି ବୋଲି ତା’ରିପରି ଅନ୍ୟ ଗୋଟିଏ ମଣିଷର ମନକଥା ବୁଝିଛି । ତା’ ଦୁଃଖରେ ଲୁହ ଗଡ଼ାଉଛି । ତା’ ସୁଖରେ ପ୍ରାଣଭରି ହସୁଛି । ତା’ର ଭଲମନ୍ଦ, ଆହାର, ନିଦ୍ରା, ମୈଥୁନ ଉପରେ ଗୁରୁତ୍ୱ ଦେଇ ଶିଖିଛି । ସାଂପ୍ରତିକ ମଣିଷର ଗତିବିଧିକୁ ସେ ଗୋଡ଼େ ଗୋଡ଼େ ଲକ୍ଷ୍ୟ କରୁଛି । ସେ ଏପରି ଏକ ନୈସର୍ଗିଗ ପୃଥିବୀର ମୂଳଦୁଆ ପକାଇବ, ଯାହାକି ମାନବିକ ମୂଲ୍ୟବୋଧର ପ୍ରଚଣ୍ଡ ଆଘାତରେ ଶକ୍ତ ଓ ମଜବୁତ୍‌ ହୋଇଯିବ । ଯେଉଁଠି ଛଳନା ନଥିବ, କୃତ୍ରିମତା ନଥିବ,ହିଂସା, ଦ୍ୱେଷ ଈର୍ଷା ନଥିବ । ମଣିଷ ପ୍ରଚୁର ଶାନ୍ତି ପାଇପାରିବ । ଅଖଣ୍ଡ ଆନନ୍ଦ ଭିତରେ ଜୀବନ ବିତେଇ ପାରିବ, ମଣିଷ ନିଜେହିଁ ନିଜର ତତ୍ତ୍ୱଗୁରୁ ହେବ । ଗୁରୁବାଦ ପୃଥିବୀରୁ ସବୁଦିନ ପାଇଁ ଲୋପ ପାଇଯିବ । ନିଜର ସ୍ଥିତି ଉପରେ ଆସ୍ଥା ରଖି ବିଶ୍ୱାସ ରଖି, ମଣିଷ ନିଜର କାମ ସୁରୁଖୁରୁରେ କରିଯିବ ।

 

ଏଥିପାଇଁ ମଣିଷକୁ ସକଳ ମାୟା ବନ୍ଧନ ଖଣ୍ଡନ କରି ଯୋଗ ପ୍ରାଣାୟାମ୍‌ ଆଚରଣ କରି ଆସ୍ତେ ଆସ୍ତେ ଉପରକୁ ଉଠିବାର ପ୍ରୟାସ କରିବାକୁ ପଡ଼ିବନି । କିମ୍ବା ତତ୍ତ୍ୱଗୁରୁଟିଏ ଠିକ୍‌ କରି ତା’ରି ପଦାରବିନ୍ଦରେ ଭକ୍ତି ଗଦ୍‌ଗଦ୍‌ ହୋଇ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିବାକୁ ହେବନି । ଏମିତି ସମର୍ପଣ କରିବାରେ ସଂଯମ ଆଚରଣ କରିବାରେ, ଅନେକ ପରୀକ୍ଷା ନିରୀକ୍ଷା ଦେଇ ମଣିଷ ଜାତି ଗଢି କରି ଆସିଛି କେଉଁ ପ୍ରାକ୍‌କାଳରୁ । ଏ ସବୁ ନିପଟ ଭାଣ୍ଡାମି । ମନ ଗଢ଼ା ଉପାଖ୍ୟାନ ବିନା ଅନ୍ୟ କିଛି ନୁହେଁ ।

 

ଏମିତି ବାତୁଳ ହୋଇ ଭାବ ବିନୋଦିଆଙ୍କ ଚରଣ ତଳେ ସମସ୍ତ ବଳ ବୟସକୁ ଖର୍ଚ୍ଚ କରିଦେଲେ ଲାଭ କିଛି ହେବନାହିଁ । ଏକାମୁହାଁ ହୋଇ ଏମିତି ଆଗେଇଲେ ନବୁଝି ନସୁଝି ନିଜର ବହୁକଷ୍ଟ ଅର୍ଜିତ ଜୀବନଟିକୁ ଉଜାଡ଼ି ଦେଲେ କିଛି ଫଳ ମିଳିବନି । ପୁଣି ସେଇ ଆଦିମ ଶୂନ୍ୟତା କ୍ରମଶଃ ହାତଗୋଡ଼ ହଲାଇ ହଲାଇ ଆଖି ଆଗରେ ଠିଆ ହେବ । ବୋଧଶକ୍ତି ସମ୍ପୂର୍ଣ୍ଣଭାବେ ଲୋପ ପାଇଯିବ । ଆଖି ଆଗରେ ଘଟି ଯାଉଥିବା ଅନ୍ୟାୟକୁ ଦେଖି ବିବେକ ରଡ଼ି ଛାଡ଼ିବ । ପ୍ରତିବାଦ ଜଣେଇବ । କିନ୍ତୁ ଶବ୍ଦଟିଏ ବି ସ୍ଫୁରଣ ହେବନି । କାରଣ ସେତେବେଳକୁ ମଣିଷର ସମସ୍ତଶକ୍ତି ଅକ୍ଳେଶରେ ନଷ୍ଟହୋଇ ଯାଇଥିବ । ଭାଷାକୋଷର ସମସ୍ତ ଶବ୍ଦ ବିଭିନ୍ନ ମାର୍ଗରେ ନିୟୋଜିତ ହୋଇ ଯାଇଥିବ । ହୁଏତ ଯୁକ୍ତି ଛନ୍ଦରେ ପୁଣି ନୂଆ ନୂଆ ଶବ୍ଦର ସୃଷ୍ଟିହେବ । ଏ ସମ୍ଭାବନା ସମ୍ପୂର୍ଣ୍ଣ ଲୋପ ପାଇ ନଥିଲେବି ଏଥିପାଇଁ ଯେତିକି ଆବଶ୍ୟକୀୟ ସମସ୍ତ ଲୋଡ଼ା ହେବ, ସେ ସମୟ ମଣିଷ ପକ୍ଷେ ଆଦୌ ମଙ୍ଗଳକର ହେବନି । ମଣିଷର ବ୍ୟକ୍ତିତ୍ୱ ବୋଲି ଆଉ କିଛି ନଥିବ । କାରଣ ମଣିଷ ସ୍ତର ସ୍ତର ଅତିତ୍ରମ କରି ସେହି ମହାଶକ୍ତିଶାଳୀ ବିନ୍ଦୁରେ ନିଜର ସ୍ଥିତି ହରାଇ ଏକାକାର ହୋଇ ଯାଇଥିବ । ଏହାକୁ ନିତ୍‌ସେଙ୍କ ପରି ‘ଅତିମାନବ’ କୁହ, ବା ଯୋଗୀ ଅରବିନ୍ଦଙ୍କ ଭାଷାରେ ‘ଦିବ୍ୟମାନବ’ ଆଖ୍ୟା ଦିଅ । ସେଥିରେ କିଛି ଯା’ଆସ ନାହିଁ ।

 

ଏମିତି ଉଠିବାରେ ଆନନ୍ଦ ଥାଇପାରେ । ଅଙ୍ଗପ୍ରତ୍ୟେଙ୍ଗ ଉଲ୍ଲସିତ ହୋଇପାରେ । ମଣିଷ କ୍ରମଶଃ ତେଜଷ୍କ୍ରିୟ ପ୍ରକ୍ରିୟାରେ ଉଦ୍ଭାଷିତ ହୋଇଯାଇପାରେ । କିନ୍ତୁ ଏମିତି ଉଲ୍ଲସିତ ହେବାରେ, ଆବେଗହୀନ ଭାବେ ଜ୍ୟୋତି ବିକିରଣ କରିବାରେ କି ଲାଭ ? ବରଂ ମଣିଷକୁ ତା’ର ସେଇ ପୁରୁଣା ସୁଡ଼ଙ୍ଗ ଭିତରେ ବଞ୍ଚିବାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉ । ସୁଡ଼ଙ୍ଗ ବାହାରର ପୃଥିବୀ ଯେ ଏକ ନିପଟ ମାୟାଜାଲ । ଏକ କ୍ଷଣଭଙ୍ଗୁର ଅବାସ୍ତବ ପୃଥିବୀ । ଏଥିରେ ସନ୍ଦେହ ନାହିଁ । ମଣିଷକୁ ତା’ର ପୂର୍ବ ଚାରଣଭୂମିକୁ ଫେରେଇ ଆଣିବାକୁ ହେବ । ସେଥିପାଇଁ ଲୋଡ଼ା ଏକ ବୈପ୍ଳବିକ ପରିବର୍ତ୍ତନ । ମଣିଷ ବିପ୍ଳବର ମୃଦଙ୍ଗ ପିଟିପିଟି ପୁଣି ଧୀରେ ଧୀରେ ସହଜ ସରଳ ଛନ୍ଦରେ ପାହାଚ ପରେ ପାହାଚ ଡେଇଁ ଓହ୍ଲେଇ ଆସିବ ତଳକୁ ତଳକୁ । ଯେ ପର୍ଯ୍ୟନ୍ତ ସେ ସୁଡ଼ଙ୍ଗର ଦ୍ୱାର ନିକଟରେ ନ ପହଞ୍ଚିଛି । ଏମିତି ଉଠାଚଢ଼ା ଭାବରେ ହୁଏତ ଏକ ନୂଆ ଇଜିମ ସୃଷ୍ଟି ହୋଇପାରେ । ଏକ ନୂତନ ଆନନ୍ଦ ଅନୁଭୂତି ମିଳିଯାଇପାରେ । କିନ୍ତୁ ପ୍ରଶ୍ନ ହେଉଛି ତାହା ଚିରସ୍ଥାୟୀ କି ?

 

ବିବର୍ତ୍ତନବାଦ ପୃଥିବୀକୁ ଅକ୍ତିଆର କରି ବସିଛି । ପୃଥିବୀ ବାସୀଙ୍କୁ ଗଦ ଶୁଙ୍ଘେଇ କାବୁକରି ଦେଇଛି । ମନ୍ତ୍ରଣାଗାରରେ ବସି ଯେତେ ନୂତନ କୌଶଳ ଉଦ୍ଭାବନ କଲେବି ମଣିଷର ନିସ୍ତାର ନାହିଁ । ମୁକ୍ତି ନାହିଁ । ସେ ଅବଦମନୀତ ବିବର୍ତ୍ତନର ପ୍ରକାଣ୍ଡ ଜାନ୍ତବ କ୍ଷୁଧା ମୁହଁରୁ ।

 

ଲୋକଟି ସେଇଥିପାଇଁ ଚିନ୍ତିତ । ଖୁବ୍‌ ବ୍ୟତିବ୍ୟସ୍ତ ।

 

ସନାତନୀ ସଭ୍ୟତାର ଦ୍ୱାହିଦେଇ, ଧର୍ମ ଓ ଅହିଂସାର ଧ୍ୱଜା ଉଡ଼ାଇ ଆମରି ଏଇ ଆର୍ଯ୍ୟମାଟିରେ କେତେ ହଜାର ହଜାର ମୁନି, ଋଷି, ସାଧୁ ସନ୍ଥ ନିଜର ଆତ୍ମବଡ଼ିମା ଦେଖାଇ ଯାଇଛନ୍ତି । ଦଶ କି ପନ୍ଦର ହଜାର ନୀତିନିୟମ ପ୍ରଣୟନ କରି ମଣିଷର ବ୍ୟକ୍ତି ସ୍ୱାଧୀନତାକୁ ଟିକିନିକି କରି ହତ୍ୟା କରୁଛନ୍ତି । ଧର୍ମ ନାଁରେ ଧୂଆଁବାଣ ଛାଡ଼ି ଅଯଥାରେ ସରଳ ମଣିଷର ମନକୁ ଭାରାକ୍ରାନ୍ତ କରି ପକାଇଛନ୍ତି । ଯେଉଁଥିପାଇଁକି ଅନ୍ୟ ଆଗରେ କୌଣସି ନିର୍ଦ୍ଦିଷ୍ଟ ମାର୍ଗ ନାହିଁ । ସୁପରିକଳ୍ପିତ ଯୋଜନା ନାହିଁ । ସବୁ ଅସ୍ପଷ୍ଟ । ଗୋଳମାଳିଆ । ସବୁଆଡ଼େ କେମିତି ଫେଣ୍ଟି ହୋଇଯିବାର ଦୃଶ୍ୟ !

 

କ’ଣ ଦରକାର ଏତେଗୁଡ଼ାଏ ଧର୍ମ ସୃଷ୍ଟି କରିବାରେ ?

 

ଗୁଡ଼ାଏ ଧର୍ମାବତାର ଆସି ପୃଥିବୀକୁ କଳଙ୍କିତ କରିବାରେ ??

 

କଥାକଥାକେ ପରମ୍ପରା, ନୀତିନିୟମ, ପ୍ରଥା ପଦ୍ଧତି ଓ କାନୁନ୍‌ର ଦୃଷ୍ଟାନ୍ତ । ଧର୍ମ ସଂସ୍ଥାପନା ନାଁରେ ସବୁ ଅଧର୍ମ, ଅନ୍ୟାୟ, ଜାଲ, ଜୁଆଚୋରି, କଳାବଜାରି, ଭାଣ୍ଡାମି, ବେଇଜତି କାରବାର । କେହି ଜଣେ ବି କିଛି ନୂଆ କଥା ଆମକୁ କହନାହାନ୍ତି । ସମସ୍ତେ ସେଇ ପୁରୁଣା ମଦକୁ ନୂଆ ବୋତଲରେ ରଖି, ନୂଆ ନୂଆ ଲେବଲ୍‌ ମାରି ବାହାଦୁରି ନେବା ପ୍ରୟାସ କରିଛନ୍ତି । ବୋତଲର ସବୁ ଲେବ୍‌ଲ୍‌ କାଢ଼ିଦିଅ । ସବୁ ମଦକୁ ଗୋଟିଏ ବଡ଼ ପାତ୍ରରେ ଢାଳିରଖ । ଦେଖିବ ଖାଲି ମଦ । ମଦ ଭିନ୍ନ ଅନ୍ୟ କିଛି ନୁହେଁ । ମଣିଷର ସବୁ ଫିସାଦି କାରସାଦି, ଜାଲ୍‌ ଜୁଆଚୋରି ପଦାରେ ପଡ଼ିଯିବ । ତାସ୍‌ର ଘର ଭାଙ୍ଗିଯିବ । ବାଲିମାଟିର କୋଠା ଭୁଷୁଡ଼ି ପଡ଼ିବ । ଭୁଷୁଡ଼ି ପଡ଼ିବ ମଣିଷର ଅହମିକାର ଅନ୍ଧ ବୁନିଆଦି ।

 

ଲୋକଟିର ଆପତ୍ତି ସେଇମାନଙ୍କ ପାଇଁ ।

 

ସେଇମାନଙ୍କ ବିରୁଦ୍ଧରେ ତା’ରି ସ୍ଳୋଗାନ୍‌ ।

 

ଧର୍ମ ସଂସ୍ଥାପନା ଯଦି ମୂଳ ଉଦ୍ଦେଶ୍ୟ, ଗୋଟିଏ ଧର୍ମ କାହିଁକି ସୃଷ୍ଟି ହୋଇ ପାରିଲାନି ମଣିଷ ସମାଜ ପାଇଁ । ଗୋଟିଏ ଧର୍ମ ମଣ୍ଡପ କାହିଁକି ଗଢ଼ି ଉଠି ପାରିଲାନି ? ଯେଉଁଠି ସମସ୍ତେ ମନଖୁସିରେ ବସି ସୁଖଦୁଃଖ ହୋଇ ପାରିଥାନ୍ତେ । ମିଳିତଭାବେ ଉଦ୍ୟମ କରି ସମୁଦାୟ ଜାତିର ମଙ୍ଗଳ ପାଇଁ ଏକ ଅଭିନବ ଚିଠା ପ୍ରସ୍ତୁତ କରି ପାରିଥାନ୍ତେ । ସେ ଧର୍ମ ହୋଇଥାନ୍ତା ମାନବ ଧର୍ମ ।

 

ସେ ମଣ୍ଡପ ହୋଇଥାନ୍ତା ସନାତନ ମଣ୍ଡପ । ଯେଉଁଠି ବ୍ୟକ୍ତି ତା’ର ଅଖଣ୍ଡ ସ୍ୱାଧୀନତା ପାଇ ପାରିଥାନ୍ତା । ନିଜକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରି, ବିବସ୍ତ୍ର କରି ନିଜର ଅସଲ ଚେହେରାକୁ ଦେଖିବାର ସୌଭାଗ୍ୟ ଲାଭ କରିଥାନ୍ତା । ନିଜକୁ ସମ୍ପୂର୍ଣ୍ଣଭାବେ ସମର୍ପଣ କରିପାରିଥାନ୍ତା । ଇଚ୍ଛା କରିଥିଲେ ବୁଝି ପାରିଥାନ୍ତା ଅନ୍ତତଃ ନିଜର ଦୁଃଖକୁ । ନିଜର ଦୁଃଖକୁ ବୁଝି, ନିଜ ଚେହେରାକୁ ଦେଖିସାରି ସେ ହୁଏତ ଅନ୍ୟଆଡ଼କୁ ମୁହଁ ବୁଲେଇ ପାରୁଥାନ୍ତା । ଅନ୍ୟର କଥା ବୁଝିବାକୁ ଚେଷ୍ଟା କରିଥାନ୍ତା । ସମୟ, ସୁଯୋଗ ସୁବିଧା ଦେଖି ନିଜ ପ୍ରତିବେଶୀର ଶିବିରକୁ ବୁଲିଯାଇ ପାରିଥାନ୍ତା । ଏକ ସୁନ୍ଦର ସ୍ୱପ୍ନିଳ ପୃଥିବୀ ଅନେକ ଦିନୁ ଗଢ଼ି ପାରିଥାନ୍ତା ।

 

ମଣିଷକୁ ଠକିବାପାଇଁ, ପ୍ରତ୍ୟେକ୍ଷରେ ହେଉ ବା ପରୋକ୍ଷରେ ପରାସ୍ତ କରି ବିଜୟର ବାନା ଉଡ଼ାଇବା ପାଇଁ, ମଣିଷର ବିପର୍ଯ୍ୟୟରେ କଣ୍ଠ ଫିଟାଇ ହସିବା ପାଇଁ, ସବୁ ଯୁଗରେ ସବୁ ସମୟରେ ଚେଷ୍ଟା ଚାଲିଛି । ସେ ଚେଷ୍ଟା ସେମାନେ ଅତୀତରେ ଚଳାଇ କୃତକାର୍ଯ୍ୟ ହୋଇଛନ୍ତି । ମହାପୁରୁଷ ଆଖ୍ୟା ପାଇଛନ୍ତି । ଇତିହାସ ସେମାନଙ୍କୁ ଏପର୍ଯ୍ୟନ୍ତ ପାସୋରି ପାରିନି । ବର୍ତ୍ତମାନ ବି ସେ ସର୍ବଗ୍ରାସୀ ଚେଷ୍ଟା କବଳରୁ ମଣିଷର ଅବ୍ୟାହତି ନାହିଁ । ତା’ର ହାତ ପାଦରେ ଶୃଙ୍ଖଳ ଲଗାଇ ଦିଆଯାଇଛି । ତାକୁ ଏକ ନିଶ୍ଚିତ ସୀମା ଭିତରେ ବନ୍ଦି କରି ରଖି ଦିଆଯାଇଛି ବଳପୂର୍ବକ । ସୀମା ଲଙ୍ଘନ କରିବା ବା’ ସୀମା ସମ୍ପର୍କରେ କୌଣସି ପ୍ରଶ୍ନ କରିବା ମହାପାପ ବୋଲି ଚେତାବନୀ ଶୁଣାଇ ଦିଆଯାଇଛି ।

 

ବିଚରା, ଶାନ୍ତ ସରଳ ନିରୀହ ଜୀବଟିଏ !

 

Unknown

ସବୁ କଥାକୁ ମାନିନେଇ, କୌଣସିଥିରେ ମୁହଁ ଫିଟେଇ ପ୍ରତିବାଦ ନକରି ସେମିତି ପଡ଼ିଉଠି ଆଗେଇ ଚାଲିଛି କୋଉ ମାନ୍ଧାତା କାଳରୁ ! କିଏ କହିବ କେତେଦିନ ଏ ଯାତ୍ରା; ଏ ଘୋଡ଼ା ଦଉଡ଼ । କେବେ ୟା’ର ପରିସମାପ୍ତି !!

 

ଲୋକଟିର ଅସହଜିଆ ଭାବ, ବେଢଙ୍ଗିଆ ମତିଗତି ଦେଖଣାହାରିଙ୍କୁ ଚକିତ କରିଛି । ଅନେକ ବିଜ୍ଞାନର ଗାରିମା ଦେବାକୁ ଯାଇ ତାକୁ ଏଣୁତେଣୁ ପ୍ରଶ୍ନକରି ପରୀକ୍ଷା କରିଛନ୍ତି । ସବୁ କିସମର ପ୍ରଶ୍ନକୁ ଏକତ୍ରିତ କରିଦେଲେ ସେଇ ଗୋଟିଏ ମାତ୍ର ପ୍ରଶ୍ନ ମନରେ ଉଠେ । କ’ଣ ପାଇଁ ଲୋକଟି ଏମିତି ବିକଳ ଭାବରେ ଧାଉଁଛି ? ଏତେ ସୁନ୍ଦର ପୃଥିବୀ, ବଣ, ପର୍ବତ, ମନ୍ଦିର, ନହାନଦୀ, ସମୁଦ୍ର ଗିରିଗହ୍ୱର ଓ ସର୍ବୋପରି ମଣିଷ ସମାଜ ଥାଉ ଥାଉ, ଲୋକଟି ଛାନିଆ ହୋଇ ଧାଉଁଛି କାହିଁକି ? କ’ଣ ବା’ ସେ ହଜାଇଛି ଜୀବନରେ ? ଯାହାକୁ ଖୋଜି ବାହାର କରିବାକୁ ସେ ପ୍ରାଣମୂର୍ଚ୍ଛା ସଂଗ୍ରାମ ଚଳାଇଛି ।

 

ଲୋକଟି ଛୋଟ ଉତ୍ତରଟିଏ ଦେଇ ବିନମ୍ର ଭାବରେ ବୁଝେଇ କହି ଦେଇଛି ଯେ ସେ ସତ୍ୟ ଖୋଜୁଛି । ସତ୍ୟ ପ୍ରତିଷ୍ଠା ପାଇଁ ସେ ହାତରେ ଲଣ୍ଠନ ଧରି ଧାଉଁଛି । ପୃଥିବୀ କ୍ରମଶଃ ଅନ୍ଧାରର ଡଅଁର ଗାଡ଼ରେ ପଡ଼ିଛି । ଭଉଁରୀରେ ଘିରିଘିରି ହୋଇ ବୁଲୁଛି । ଅନ୍ଧାର ଆସ୍ତେ ଆସ୍ତେ ଘନୀଭୂତ ହୋଇ ମାଡ଼ି ଆସିଲାଣି । ସ୍ପଷ୍ଟ ଦିବାଲୋକରେ ବି ବାଟଚାଲିବା କାଠିକର ହୋଇ ପଡ଼ିଲାଣି । ରାସ୍ତା ଠଉରେଇବା ମୁସ୍କିଲ୍‌ ହୋଇଗଲାଣି ।

 

ଜୀବନ ସଂଘର୍ଷମୟ । ଜୀବନ ଏକ ପ୍ରକାଣ୍ଡ ଯୁଦ୍ଧକ୍ଷେତ୍ର । ଅନ୍ଧାରରେ ଯୁଦ୍ଧ କରିକରି ଜୀବନ ଅତିଷ୍ଟ ହୋଇଗଲାଣି । ବୋଧଶକ୍ତି ଲୋପ ପାଇଯିବାକୁ ବସିଲାଣି । ବୋଧହୁଏ ଆଉ ଅଳ୍ପଦିନ ପରେ ସମ୍ପୂର୍ଣ୍ଣ ଲୋପ ପାଇଯିବ । ମଣିଷ, ମଣିଷ ସ୍ତରରୁ ଆଉ ଟିକିଏ ତଳକୁ ଖସି ଆସିବ-। ପଶୁପରି ଆହାର ମୈଥୁନ ଉପରେ ଅଧିକ ଗୁରୁତ୍ୱ ଦେବ । ଅନ୍ୟ କୌଣସି ଉନ୍ନତ ଚିନ୍ତା ତା’ ମନକୁ ଛୁଇଁବନି । ସତ୍ୟ କ’ଣ ସେ ଉପଲବ୍ଧି କରି ପାରିବନି । ଆହାର ଓ ମୈଥୁନ ପାଇଁ ତା’ର ସବୁ ସଞ୍ଚିତ ଶକ୍ତି ଖର୍ଚ୍ଚ ହୋଇଯିବ । ତହିଁରେ ମଣିଷର ଆରମ୍ଭ ଓ ବିଲୟ ଘଟିବ ।

 

ଜୀବନ କହିଲେ ଆମେ ଏତିକି ମାତ୍ର ବୁଝୁ । ବୁଡ଼ି ଯାଉଥିବା ମଣିଷର ପାଦ ତଳକୁ ତଳକୁ । ଏମିତି ବୋଧହୀନ, କାଣ୍ଡଜ୍ଞାନ ଶୂନ୍ୟ ହୋଇ ଲୋକଟି ବଞ୍ଚିବା ପାଇଁ ମନରେ ଅଜସ୍ର ଘୃଣାଭାବ । ସେଇଥିପାଇଁ ସେ ବୋକାଙ୍କ ପରି ଦିନ ଦ୍ୱିପ୍ରହରେ ହାତରେ ଲଣ୍ଠନ ଧରି ଘୂରି ବୁଲୁଛି-। ହୁଏତ ତାକୁ ଦେଖି ଗୋଟାଏ ଶୁକୁଟା ମୁହଁ କରି ଜୀବନ ବିକଳରେ ଅନ୍ଧକାରରେ ଧାଉଁଥିବା ମଣିଷ ଡିବିରିଟିଏ ଯୋଗାଡ଼ କରିପାରେ । ତା’ ହାତଧରି ନ ଚାଲି ପାରିଲେବି ତା’ ପଛେପଛ ଥୋଡ଼ାଏ ବାଟ ଦଉଡ଼ି ଯାଇପାରେ । ଲୋକଟିର ମନ ହେଉଥିଲା ଚିତ୍କାର କରି ଡାକବାଜି ଯନ୍ତ୍ର ସାହାଯ୍ୟରେ ପୃଥିବୀବାସୀଙ୍କୁ ଶୁଣେଇ ଶୁଣେଇ କହି ଦିଅନ୍ତା ଯେ ‘‘ବର୍ତ୍ତମାନ ସମୟ ଆସିଯାଇଛି-। ଉଠିପଡ଼ ! ନିଜକୁ ଦେଖ । ନିଜ ବତୁରା ମୁହଁକୁ ଥରେ ଭଲ କରି ନିରେଖି ଚାହଁ । ନିଜ କଥା ପ୍ରଥମେ ଭାବ । ନିଜ ଉପରେ ପ୍ରଚୁର ବିଶ୍ୱାସ ରଖି କାର୍ଯ୍ୟାରମ୍ଭ କର । ଏ ହୁଏତ ଯୁଦ୍ଧର ପୂର୍ବାଭାସ-!

 

ପ୍ରତ୍ୟକ୍ଷ ଭାବରେ ଯୁଦ୍ଧ ଲାଗି ଯାଇପାରେ । ସମସ୍ତ ଶକ୍ତି ଠୁଳ କରି ଯୁଦ୍ଧର ମୁକାବିଲା କରିବାକୁ ହେବ । ହୁଏତ ଆଉ ବେଶୀଦିନ ଧରି ଯୁଦ୍ଧ ଚାଲିବ ନାହିଁ । ଦିନ କେତୋଟି ଭିତରେ ପରିସମାପ୍ତି ଘଟିବ । ଏଯୁଦ୍ଧରେ ଯେକୌଣସି ପକ୍ଷ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯିବ ।’’

 

ଲୋକଟି ଯେଉଁ ସ୍ୱପ୍ନରେ ବିଭୋର, ତା’ର ବିଶ୍ୱାସ ଖୁବ୍‌ ନିକଟରେ ସେ ସ୍ୱପ୍ନ ଫଳବତୀ ହେବ । ଗୋଟିଏ ନାହିଁ ନଥିବା ସୁନ୍ଦର ପୃଥିବୀ । ତହିଁରେ ଜନ୍ମ ହୋଇନଥିବା ଏକ ରଙ୍ଗୀନ ଭବିଷ୍ୟତର ବାଟ ମଣିଷ ପାଇଁ ଫିଟିଯିବ । ଏ ସବୁଥି ପାଇଁ ପ୍ରତ୍ୟେକଙ୍କୁ ନିଜ ଉପରେ ଅଖଣ୍ଡ ବିଶ୍ୱାସ ରଖିବାକୁ ପଡ଼ିବ । ବ୍ୟକ୍ତି ଓ ତା’ର ଜୀବନର ବିଶ୍ୱାସ ହିଁ ଏକମାତ୍ର ସତ୍ୟ । ଏଥିପାଇଁ ଲୋଡ଼ା ଏକ ନିରବଚ୍ଛିନ୍ନ ସାଧନା । ଏକ ଅନ୍ତର୍ମୁଖୀ ଚେତନା ପ୍ରବାହ । ଏଇ ପ୍ରବାହର ଉଜାଣି ସୁଅରେ ଅନ୍ତରର ସୂକ୍ଷ୍ମାତିସୂକ୍ଷ୍ମ ପ୍ରଦେଶକୁ ଭାସି ଯିବାକୁ ହେବ । ହୃଦୟର ପ୍ରତ୍ୟେକଟି ତନ୍ତ୍ରୀକୁ ଆବେଗ ଓ ପୁଲକରେ ଭରି ଦେବାକୁ ହେବ । ଲୋକଟିର ଇଚ୍ଛା ପ୍ରତ୍ୟେକ ବ୍ୟକ୍ତି ଆଜିଠାରୁ ଚେଷ୍ଟା କରିବା ଉଚିତ, ଏପରି ଏକ ମହତ୍‌ କାର୍ଯ୍ୟକୁ ସାହସୀକତାର ସହିତ ନିଜ ହାତକୁ ନେବାକୁ ।

 

ଅନ୍ଧାରର ଡଅଁର ଗାଡ଼ରେ ପଡ଼ି ବ୍ୟକ୍ତି ଏମିତି ନିଃସ୍ୱ ଓ କ୍ଳାନ୍ତ ହୋଇ ପଡ଼ିଛି ଯେ କୌଣସି ଆଦର୍ଶ କଥା (ତାହା ଯେତେ ସରଳ ପରି ମନେ ହେଲେବି) ତା’ ମନର ସୀମାରେଖା ଭିତରେ ଧରାଛୁଆଁ ଦେଇ ପାରୁନି । ସବୁଆଡ଼େ କେମିତି ଏକ ଅନିଶ୍ଚିତତାର ଛାପ ଲାଗି ରହିଛି । ପ୍ରତି କଥାରେ ମନରେ ସନ୍ଦେହ ଜନ୍ମୁଛି । କୌଣସି ସତ୍ୟକୁ (ତାହା ଯେତେ ସତ୍ୟ ବୋଲି ଗୋଚର ହେଲେବି) ଆମେ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ ।

 

ବର୍ହିଃଜଗତ ପ୍ରତି ବିଲ୍‌କୁଲ୍‌ ଅନାସକ୍ତ ହୋଇ ପଡ଼ୁଥିବା ଲୋକଟି ଅଣୁପରମାଣୁ ପର୍ଯ୍ୟନ୍ତ ଖାତିର କରେ ନାହିଁ । ମଣିଷ ହାତଗଢ଼ା ବସ୍ତୁ ସକଳର ଭୟାବହ ଅନ୍ତିମ ପରିଣତି କଥା ଦିନେ ସେ ସ୍ୱପ୍ନରେ ବି ଭାବିନି । ଯେଉଁ ପୃଥିବୀ ମଣିଷର ଚିରନ୍ତନ ମୂଲ୍ୟବୋଧ ପ୍ରତି ଉଦାସୀନ, ସେ ପୃଥିବୀର ଅଣୁ ପରମାଣୁ ସହିତ ମଣିଷ କୌଣସି ସମ୍ପର୍କ ନରଖିବା ଉଚିତ । ମଣିଷ ଏକ ସ୍ୱୟଂ ସ୍ୱତନ୍ତ୍ର ସୃଷ୍ଟି । ଲାବୋରେଟାରୀ ମଧ୍ୟରେ ଏହାର ଜନ୍ମ । କାହାରି ସହାୟତା ଲୋଡ଼ାନାହିଁ । ବଞ୍ଚି ରହିବା ପାଇଁ ଖାଲି ଯାହା ଲୋଡ଼ା ପ୍ରଚୁର ଅଭିଜ୍ଞତା । ଅଖଣ୍ଡ ବିଶ୍ୱାସ । ସେ ନିଜେ ନିଜ ଚେଷ୍ଟାରେ ସାଧ୍ୟମତେ ଅବ୍ୟାହତ ରହି ବଞ୍ଚିବ, ଠିକ୍‌ ହିସିଫସ୍‌ ପରି ।

 

ଜୀବନର ସ୍ୱାଦୁ ସେ ପ୍ରଥମେ ନିଜେହିଁ ଉପଭୋଗ କରିବ । ଅନୁଭୂତି ରହିତ ଯେକୌଣସି ତତ୍ତ୍ୱ, ତାହା ଯେତେ ପରିମାର୍ଜିତ ପରି ମନେହେଲେ ବି ଆଦୌ ଚିରନ୍ତନ ହୋଇ ପାରିବନି । ସୁତରାଂ ନିଜ ଅକଲକୁ ଖଟାଇ ସୁଡ଼ଙ୍ଗର ଦ୍ୱାର ଫିଟେଇବାକୁ ପଡ଼ିବ । ଦ୍ୱାର ଯେ ନିଶ୍ଚେ ଦିନେ ନା ଦିନେ ଫିଟିଯିବ, ଏ ବିଶ୍ୱାସ ପ୍ରଥମରୁ ରହିବା ଆବଶ୍ୟକ । ବିଶ୍ୱାସ ଓ ଅଭିଜ୍ଞତା ହିଁ ସାଂପ୍ରତିକ ମଣିଷର ବଞ୍ଚି ରହିବାର ମାପକାଠି । । ଯାହାର ଏ ଦୁଇଟିରୁ କୌଣସିଟି ନାହିଁ, ସେ ଏକ ନିର୍ଜୀବ ମାଂସପିଣ୍ଡ । ଏକ ଚଳତ୍‌ ଶକ୍ତିହୀନ ଜଡ଼ବସ୍ତୁ ପ୍ରାୟ ।

 

ଆମ ଆଖି ଆଗରେ ଫ୍ଲାଟ ହୋଇ ପଡ଼ିଥିବା ସୁନ୍ଦର ପୃଥିବୀ ପ୍ରତି ଆଦୌ ସଚେତନ ନରହି ଗୋଠଖଣ୍ଡିଆ ଭାବରେ ବଢ଼ି ଉଠୁଥିବା ଲୋକଟି ଭାଗ୍ୟ, ଭଗବାନ, ଅଦୃଷ୍ଟ କପାଳ, କର୍ମଫଳ ଇତ୍ୟାଦି ଇତ୍ୟାଦି ଯାବତୀୟ ମନଗଢ଼ା ଅର୍ଥହୀନ ଶବ୍ଦର ଭଣ୍ଡାର ଭିତରେ କୌଣସି ଗୁରୁତ୍ୱ ଆରୋପ ନକରି ନିହାତି ଏକ ମୁଖିଆ ଭାବେ ତା’ର ଅନୁଶାସନ ଜାହିର୍‌ କରି ଆସିଛି ଜନ୍ମରୁ (ଅବଶ୍ୟ ହେତୁ ପାଇଲା ଦିନୁ) ।

 

ବଞ୍ଚିବାର ମୁଠାଏ ସ୍ୱପ୍ନରେ ଲୋକଟି ମଜ୍‌ଗୁଲ୍‌ । ତାହା ମୁହୂର୍ତ୍ତକର ହେଲେବି ଯାଏ ଆସେ ନାହିଁ । ଏଥିରେ ଲୋକଟିର ସନ୍ଦେହ ନାହିଁ । ଏହା ଏକ ଅବିକଳ ସତ୍ୟ ଘଟଣା । କେହି ବି ଏଥିରେ ଦ୍ୱିମତ ହେବେନି ବୋଲି ଲୋକଟିର ବିଶ୍ୱାସ । ଭୌତିକ ଜଗତ ପ୍ରତି ମହଜୁଦ୍‍ ରହିଥିବା ଘୃଣାଭାବରୁ ଲୋକଟିର ଧାରଣ ଯେ ଜଗତ ଏକ ମିଥ୍ୟା, ପ୍ରହେଳିକା ମୟ । ଏ ଜଗତରେ ସକଳ ଜଡ଼ବସ୍ତୁ ବି ମିଥ୍ୟା । କ୍ଷୟିଷ୍ଣୁ ପଦାର୍ଥର ସ୍ଥିତି ବା ବିସ୍ତୃତି ଚିରନ୍ତନ ନୁହେଁ । ସବୁ ଏକ ଏକ କ୍ଷଣିକ ସତ୍ତା; ଯାହାକି ଆଖି ପିଛୁଡ଼ାକେ ଦିଶିଯାଏ । ପୁଣି ଦିଶେ ନାହିଁ । ମାୟାହିଁ ଏକମାତ୍ର ସତ୍ୟବୋଲି ମନେହୁଏ । ରଜ୍ଜୁ: ରଜ୍ଜୁ: । ସର୍ପ: ସର୍ପ: ରଜ୍ଜୁକୁ ସର୍ପ, ସର୍ପକୁ ରଜ୍ଜୁ ଆଖ୍ୟା ଦେବା କେଡ଼େ ବୋକାମି-। ତଥାପି ଆମେ ବେଳେବେଳେ ଆମ ଅଜାଣତରେ ଏମିତି ଭୁଲ୍‍ର ଶିକାର ହେଉ-। ଭ୍ରମରେ ପଡ଼ି ଘାଣ୍ଟି ହେଉ । ରଜ୍ଜୁକୁ ସର୍ପ ଆଖ୍ୟା ଦେବା, ଭ୍ରମରେ ପଡ଼ି ଘାଣ୍ଟିହେବା, ଗୋଡ଼ ହାତ ଭାଙ୍ଗି ଖଣ୍ଡିଆ କରିବା ଏକମାତ୍ର ସତ୍ୟ । ଅନ୍ୟ ସବୁ କପୋଳକଳ୍ପିତ ।

 

ଲୋକଟିର ଦୃଢ଼ ବିଶ୍ୱାସ ଯେ ଏହାଠାରୁ ବଳି ଅନ୍ୟ ଏକ ସତ୍ୟ ଭୌତିକ ଜଗତରେ ଚଳପ୍ରଚଳ କରୁଛି । ଯାହା ଜଡ଼ ନୁହେଁ, ନିସ୍ତେଜ ନୁହେଁ । ତାହାହିଁ ହେଉଛି ମଣିଷ । ମଣିଷର ମୂଲ୍ୟାଙ୍କନ ସହଜ କଥା ନୁହେଁ । ବିଜ୍ଞାନ ଆମକୁ ଉପରକୁ ଉପରକୁ ଉଠାଇବାରେ ଯଥେଷ୍ଟ ସାହାଯ୍ୟ କରିଛି । ଆମର ପୁରୁଣା ପରମ୍ପରାକୁ ଭାଙ୍ଗିରୁଜି, ଆମ ଅନ୍ଧାର ଘରକୁ ଆଲୁଅ କରି ଆମ ଶିଥିଳ ଇନ୍ଦ୍ରିୟଗୁଡ଼ିକରେ ଯଥେଷ୍ଟ ମାତ୍ରାରେ ଶକ୍ତି ଭରିଦେଇ ଆମକୁ ସକ୍ରିୟ କରିଛି । ଆମେ ବିଜ୍ଞାନର ଗୌରବ ଡିଣ୍ଡିମ ବଜାଇ ଚାରିଆଡ଼େ କହି ବୁଲୁଛୁ ଯେ, ‘ଆମେ ଅସାଧ୍ୟ ସାଧନ କରି ପାରିବୁ । ଆମଦ୍ୱାରା ସବୁ ସମ୍ଭବ ହେବ ।’ ଆମେ ଚନ୍ଦ୍ର, ମଙ୍ଗଳ, ଶୁକ୍ର, ବୃହସ୍ପତି ଆଦି ଗ୍ରହ ଗ୍ରହାନ୍ତରର ରହସ୍ୟ ଭେଦ କରିବାକୁ ସମର୍ଥ ହେଲୁଣି । ଗଭୀର ସମୁଦ୍ର ମଧ୍ୟରେ ଥିବା ମଧୁର ନଦୀର ବର୍ଗକ୍ଷେତ୍ର ନିର୍ଣ୍ଣୟ କରିବାର କୌଶଳ ଶିଖିଲୁଣି । ମଣିଷ ଜୀବନର ମୂଲ୍ୟାଙ୍କନ ବି ବେଶ୍‌ ସହଜରେ ଗାଣିତିକ ସୂତ୍ର ଅନୁଯାୟୀ କଷି ଦେଖାଇ ଦେଲୁଣି । ଏସବୁ କେମିତି ପରୀ-ରାଇଜର କାହାଣୀ ପରି ଲୋକଟିକୁ ଲାଗୁଛି । କେବଳ ବସ୍ତୁବାଦୀ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବନି । ସମାଜବାଦୀର ମୁଖା ପିନ୍ଧି ଅନ୍ୟକୁ ବାଘଭୟ ଦେଖାଇ ଅନ୍ୟର ରକ୍ତ ପିଇଯିବାରେ ଲାଗିଲେ ଚଳିବନି । ବସ୍ତୁତାନ୍ତ୍ରିକ ସମାଜବାଦ ଜୀବନର ଏକମାତ୍ର ଲକ୍ଷ୍ୟ ନୁହେଁ । ଯେଉଁ ସମାଜବାଦରେ ଆଦୌ ଆଧ୍ୟାତ୍ମିକ ଚେତନା ନାହିଁ, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନାହିଁ, ତାହା ଯେତେ ମାର୍ଜିତ ପରି ମନେ ହେଲେବି ଆଦୌ ଲୋକପ୍ରିୟ ହୋଇ ପାରିବନି । ସୁତରାଂ ଲୋକଟିର ଯୁକ୍ତି ହେଉଛି ଯେ ସମାଜବାଦର ପ୍ରତିଷ୍ଠା ପାଇଁ ବ୍ୟକ୍ତିବାଦହିଁ ଏକମାତ୍ର ଆୟୁଧ । ପ୍ରତ୍ୟେକ ବ୍ୟକ୍ତିହିଁ ମହାନ୍‌ । ଏହି ମହାନ୍‌ ବ୍ୟକ୍ତିତ୍ୱକୁ ଆହୁରି ମହନୀୟ କରିବା ପାଇଁ ଲୋଡ଼ା ନିରବଚ୍ଛିନ୍ନ ସାଧନା, ଏକାଗ୍ରତା । ମଣିଷ ଏପରି କିଛି ସ୍ଥିର ନିଶ୍ଚିତ ଦତ୍ତ ବା ସଂଜ୍ଞା ନୁହେଁ ଯେ ତାକୁ ବୈଜ୍ଞାନିକ ଯନ୍ତ୍ରପାତି ସାହାଯ୍ୟରେ ମାପି ଦେଇ ପାରିବା । ତା’ ମନର ଭାବନାକୁ କାଢ଼ି ଦେଖାଇ ପାରିବା । ଲୋକଟିର ଧାରଣା ଯେ ଏ ସବୁ ନିଶ୍ଚିତରେ ଉଦ୍ଭଟ ଚିନ୍ତା ବା ପରିକଳ୍ପନା ।

 

ଯେଉଁ ଲୋକ ଭଲ କରି ନିଜକୁ ଚିହ୍ନିନି, ନିଜ ଜୀବନର ମୂଲ୍ୟାୟନ କରିଜାଣିନି, ସେ ବା’ ଅନ୍ୟ ଉପରେ କି ମତାମତ ଦେବ ? ନିଜକୁ ଫୁଟେଇ ଫାଟେଇ ପାରିଲେତ ଯାଇ ଅନ୍ୟ ଉପରକୁ ଦୃଷ୍ଟି ନିକ୍ଷେପ କରିବା । ଅତଏବ ବ୍ୟକ୍ତି ପ୍ରଥମେ ନିଜକୁ ଜାଣୁ । ନିଜର ସ୍ଥିତିକୁ ଭଲ ରୂପେ ଜାଣିବା ପାଇଁ ହେଲେ ନିଜର ପରାକାଷ୍ଠାକୁ ବି ଜାଣିବାକୁ ପଡ଼ିବ । Individuals identity depends on one’s dignity. ନିଜର ପରାକାଷ୍ଠା, ନିଜର ଜ୍ଞାନ ଗାରିମାକୁ ନ ଜାଣିଲେ ଅନ୍ୟକୁ ମର୍ଯ୍ୟାଦା କିପରି ଦେଇ ହେବ ? ରାଷ୍ଟ୍ର ବା ସମାଜ କଥା କିପରି ଚିନ୍ତା କରାଯାଇ ପାରିବ ? ସମାଜ ଏପରି କିଛି ଅଲୌକିକ ବସ୍ତ୍ର ନୁହେଁ ଯେ ସିଧାସଳଖ ମହାକାଶରୁ ଖସିପଡ଼ି ହାତ ମୁଠାରେ ଧରା ପଡ଼ିଯିବ । ଯେଉଁମାନେ ସମାଜର ପରିବର୍ତ୍ତନ ଓ ପରିବର୍ଦ୍ଧନ ଚାହାନ୍ତି, ସେମାନେ ପ୍ରତ୍ୟେକ ପ୍ରଥମେ ବ୍ୟକ୍ତିର ରୂପାନ୍ତରକୁ ଦୃଷ୍ଟି ଦିଅନ୍ତୁ । ବ୍ୟକ୍ତିକୁ ସମାଜମାନ୍ୟତା ଦେଇ ଶିଖନ୍ତୁ । ବ୍ୟକ୍ତି ପ୍ରଥମେ ନିଜେ ଭାବୁ ଯେ ସେ ଏକ ସୁସ୍ଥ ସମାଜର ଅବିଭକ୍ତ ଅଙ୍ଗ । ମୁଁ ସତ କହିବି ନାହିଁ, ଧର୍ମ କ’ଣ ଜାଣିବି ନାହିଁ । ନୀତିନିୟମ ମାନିବି ନାହିଁ । ଗୀତାର ଅର୍ଥ ବୁଝିବି ନାହିଁ । କର୍ମ ସମ୍ପର୍କରେ ସମ୍ୟକ ଧାରଣା ବି ମୋର ନଥିବ । ଅଥଚ କଥା ଛଳରେ ଅନ୍ୟକୁ କହୁଥିବି, ସତ କହିବ । ଧର୍ମ କରିବ । କର୍ମଠ ହେବ । ନୀତିନିୟମ ମାନି ଚଳିବ । ଗୀତା ପାଠ କରିବ । ଏସବୁ କେମିତି ବିପରୀତବୋଧକ ଶବ୍ଦ ପରି ଗୋଚର ହେଉ ନାହିଁକି ?

 

ମୁଁ ଗାନ୍ଧୀ ନ ହୋଇବି ଗାନ୍ଧୀ ପରି ଅନ୍ୟମାନଙ୍କ ଆଗେ ଦେଖାଇ ହେବି । ଗାନ୍ଧୀବାଦରେ ଆଦୌ ଆସ୍ଥା ନଥାଇବି କଥା ପ୍ରସଙ୍ଗରେ ଗାନ୍ଧୀଙ୍କ ବକ୍ତବ୍ୟକୁ ଉଦ୍ଧୃତି କରିବି । କି ହାସ୍ୟାସ୍ପଦ କଥା ! ସମସ୍ତେ ଗାନ୍ଧୀ ନହୋଇ ପାରନ୍ତି । ହେବା ବି ସହଜ ନୁହେଁ, ତା’ବୋଲି ଭାଙ୍ଗି ପଡ଼ିବାର କିଛି ନାହିଁ । ଜଣେ ଗାନ୍ଧୀ, ବିବେକାନନ୍ଦ, ଅରବିନ୍ଦ କି ଯୀଶୁଖ୍ରୀଷ୍ଟ ନହୋଇ ପାରିଲେ ଯେ ଜୀବନ ବ୍ୟର୍ଥ ହୋଇଗଲା, ଏପରି ଭାବିବାର କୌଣସି ଯୁକ୍ତି ନାହିଁ । କିଛି ନହୋଇ ପାରିଲେ ଅନ୍ତତଃ ସିସିଫସ୍‌ଟିଏ ହୋଇ ବଞ୍ଚି ପାରିବତ । ଚେଷ୍ଟାକଲେ କିଏ କେତେ ଅସାଧ୍ୟ ସାଧନ କରୁଛି । ମଣିଷ ଭାଗ୍ୟରେ କ’ଣ ଏତିକି ହୋଇ ପାରିବନି ?

 

ସିସିଫସ୍‌ର ତିକ୍ତ ଅଭିଜ୍ଞତା ନେଇ ମଣିଷ ପ୍ରଥମେ ବଞ୍ଚିବାକୁ ଚେଷ୍ଟା କରୁ । ମଣିଷ ବଞ୍ଚିବାର ପ୍ରଣାଳୀ ଜାଣିଲେ ଅନ୍ୟକୁ ଶିକ୍ଷା ଦେବ । ତା’ର ଧର୍ମ, ସଂସ୍କୃତି, ଇତିହାସ, ଭାଷା, ଜାତି, ସଭ୍ୟତା, ପରମ୍ପରା–ସବୁକିଛି ବଞ୍ଚିବ । ଏମିତି ବଞ୍ଚିବାରେ ଆନନ୍ଦ ଅଛି । ବୈଚିତ୍ର୍ୟ ଅଛି । ସ୍ୱାଦ ବି ଅଛି । ବଞ୍ଚିବା ପାଇଁ ଅଖଣ୍ଡ ବିଶ୍ୱାସ ଲୋଡ଼ା । ତାହା ଏକାନ୍ତରେ ନିଜର ଅନ୍ତଃକରଣରୁ ଆସିବା ଉଚିତ । ପ୍ରଚୁର ବିଶ୍ୱାସ ଥିଲେ ଅଭିଜ୍ଞତା ପରିପକ୍ୱ ହୁଏ । ଅଭିଜ୍ଞତାର ଭିତ୍ତିଭୂମି ଉପରେ ପ୍ରଜ୍ଞାର ସ୍ଫୁରଣ ହୋଇଥାଏ । ମଣିଷ ପାହାଚ ପରେ ପାହାଚ ଡେଇଁ ବୌଦ୍ଧିକତାର ଛାଞ୍ଚରେ ଗଡ଼ି ଗଡନି ଶକ୍ତ ଓ ମଜବୁତ୍‍ ହୁଏ । ଶେଷରେ ନିଜ ହାତ ପାଆନ୍ତାରେ ଏପରି ଏକ ବସ୍ତୁ ପାଇଯାଏ ଯାହାର ଜ୍ୟୋତିରେ ସେ ଜ୍ୟୋତିଷ୍ମାନ ହୁଏ । ତାହାକୁ ଈଶ୍ୱର କୁହ । ଭୂମା କୁହ । ବ୍ରହ୍ମ ବା ଅନ୍ୟ ଯେ କୌଣସି ନାମ ବା ଅନ୍ୟ ଯେ କୌଣସି ରୂପ ବା ଆକାର ଦେଲେ ଚଳିଯିବ ।

 

ସାଂପ୍ରତିକ ମଣିଷର ଚିତ୍ତ ଏପରି ଅସ୍ଥିର ଯେ ତାହା ହାତରେ ଆଦୌ ସମୟ ନାହିଁ । ତା’ର ଧୈର୍ଯ୍ୟ ନାହିଁ । ଅଭିଜ୍ଞତାର କଷ୍ଟି ପଥର ତା’ ପାଖେ ନାହିଁ । ଅବଶ୍ୟ ସେ ଅନ୍ଧ ଭାବେ ଛୋଟ ବଡ଼ ସୁନା ଖଣ୍ଡକୁ ପରୀକ୍ଷା କରିବା ପାଇଁ ବ୍ୟାକୁଳ । ଏହାହିଁ ଦୁଃଖ । ଆମେ ଯାହା ନୁହଁ, ସେଇଆ ଥିବାଭଳି ଦେଖାଇ ହଉ ।

 

ମୁଁ ସମ୍ରାଟ ନ ହୋଇ ମଧ୍ୟ ସମ୍ରାଟ ପରି ଅଭିନୟ କରିବି ଅନ୍ୟମାନଙ୍କୁ ବୁଦ୍ଦୁ ବନେଇବା ପାଇଁ । ଏହା କେଉଁ କଥାର କଥା । ଏଥିରେ ନାଁ ମୋର ରାଜ୍ୟଜୟ ହେବ ? ନାଁ ପ୍ରଜାକୁଳ ସୁଖଶାନ୍ତିରେ କାଳ କାଟିବେ ? ଏପରି ହଟହଟିଆ ଜୀବନ କାଟିବା ଅପେକ୍ଷା ମୃତ୍ୟୁ କ’ଣ ଶ୍ରେୟସ୍କର ନୁହେଁ ? ସେଇଥିପାଇଁ ଲୋକଟି ଚାହେଁ, ମଣିଷ ବଞ୍ଚୁ । ଆପତ୍ତି ନାହିଁ । କିନ୍ତୁ ଠିକ୍‍ ମଣିଷ ପରି । ନିଜ ଗୋଡ଼ରେ ଠିଆ ହେଉ । ଅନ୍ୟ କାହାରି ମର୍ଜି ଉପରେ ନୁହେଁ । ବଞ୍ଚିବାହିଁ ଏକମାତ୍ର ଆନନ୍ଦ । ଆନନ୍ଦମୟୋ ବ୍ରହ୍ମନ୍‍ । ବ୍ରହ୍ମହିଁ ଆନନ୍ଦମୟ । ଠିକ୍‍ ଠିକ୍‍ ଭାବେ ବଞ୍ଚି ପାରିଲେ ଏଇ ଜୀବାବସ୍ଥାରେ ବ୍ରହ୍ମତ୍ୱ ପ୍ରାପ୍ତି ସମ୍ଭବ । ବ୍ରହ୍ମହିଁ ଜଗତର ତ୍ରାଣକର୍ତ୍ତା । ଜଗତର ପ୍ରାଣବିନ୍ଦୁରେ ଯେଉଁ ମହତ୍‍ ନିର୍ଗୁଣ ସତ୍ତା ଅଧିଷ୍ଠିତ, ତାହା ଏପରି କୌଣସି ଦୁର୍ଲଭ ବସ୍ତୁ ନୁହେଁ ଯେଉଁଥି ପାଇଁ କି ଆମକୁ ଅଗ୍ନିପରୀକ୍ଷାରେ ଲମ୍ଫ ଦେବାକୁ ହେବ । କିମ୍ବା ଜନ୍ମ ଜନ୍ମାନ୍ତର ବାଦରେ ପ୍ରଗାଢ଼ ବିଶ୍ୱାସ କରି ଭୟ ଓ ଆଶଙ୍କାରେ ଉଲ୍ଲସିତ ହେବ, କିମ୍ବା ଯୋଗୀଋଷିଙ୍କ ପରି ସହସ୍ର ସହସ୍ର ବର୍ଷ ଅକାରଣରେ ଧ୍ୟାନମଗ୍ନ ହେବାକୁ ପଡ଼ିବ ।

 

ସେଇ ନିର୍ଗୁଣ ସତ୍ତାର ସବୁତକ ଗୁଣାବଳୀ ଫିଟେଇ କହିଦେବା ସହଜ କଥାନୁହେଁ । ଖାଲି ଯାହା ହୃଦୟ ଦେଇ ଅନୁଭବ କରିବା କଥା । ଏଥିପାଇଁ ତର୍କ ଲୋଡ଼ା ନାହିଁ । ଲୋଡ଼ା ଏକମାତ୍ର ହୃଦୟର ଆବେଗ । ଆବେଗମୟ ହୃଦୟଦ୍ୱାରା ହିଁ ସେଇ ଆନନ୍ଦମୟ ବ୍ରହ୍ମର ସତ୍ତା କଳ୍ପନା କରାଯାଇପାରେ ।

 

ଏସବୁ ପାଇଁ ଦରକାର ଯଥେଷ୍ଟ ଆନ୍ତରିକତା ଧୈର୍ଯ୍ୟ ଓ ସାହାସ, ପରୀକ୍ଷାର ଶେଷ ଫଳ ଜାଣିବା ପାଇଁ ହୁଏତ ଅନେକ ବର୍ଷ ଲାଗିଯାଇପାରେ । ସେଥିରେ ଭାଙ୍ଗି ପଡ଼ିବାର କ’ଣ ଯୁକ୍ତି ଅଛି । କେଉଁ ମାନ୍ଧାତା ଅମଳରୁ ଆମ ପୂର୍ବପୁରୁଷଙ୍କ ପୁଡ଼ାବୁଜୁଳି ବୁହାଇ ବୁହାଇ ଆମେ ଚାଲିଛୁ । ଚାଲି ଚାଲି କୂର୍ମ ପାଲଟିଛୁ । ବାମନ ଆଖ୍ୟା ପାଇଛୁ । ଆମ ପୂର୍ବପୁରୁଷ ମାନେ କୂର୍ମ ହୋଇ ବି ଏଇନେ କେଇଁଠି ଇନ୍ଦ୍ରଦ୍ୟୁମ୍ନରେ ବସବାସ କରୁଛନ୍ତି । ଆମେ କ’ଣ କେବେ ଦୁଃଖ କରିଛୁ ? ପ୍ରତିବାଦ କରିଛୁ ? କାହିଁକି ଆମକୁ ଏମିତି ବିଚିତ୍ର ଭାବେ ଚିତ୍ରିତ କରାଯାଇଛି । କିଏ କହୁଛି ଆମେ ମାଙ୍କଡ଼ଙ୍କ ବଂଶଧର ତ ଅନ୍ୟ କିଏ କ’ଣ କହୁଛି ! ଆମ ଜନ୍ମର ଆଦିପର୍ବ କି ଭୟାବହ ସତେ ! କି ବିଭତ୍ସ ସେ ଦୁଶ୍ୟ । କି ଜାନ୍ତବ ସେ କ୍ଷୁଧା । କ୍ଷୁଧା ଉପଶମ ପାଇଁ ଆମେ କ’ଣ ବା’ ନ କରିଛୁ ?

 

ଆମେ ଆମ ନିଜରହିଁ ଦୁଃଖ । ଆମେ ଆମ ନିଜକୁ ମୁହୂର୍ତ୍ତକ ପାଇଁ ବି ବୁଝିବାକୁ ଚେଷ୍ଟା କରିନୁ । ନିଜକୁ ଧୈର୍ଯ୍ୟ ସହିତ ଗୋଟାଏ ପ୍ରଶ୍ନ ପଚାରି ନାହୁଁ । ଅର୍ଥହୀନ ଭାବେ ବଞ୍ଚିଛୁ । ଲକ୍ଷ୍ୟହୀନ ହୋଇ ସମସ୍ତେ ଲମ୍ବା ରାସ୍ତାରେ ଚାଲିଛୁ । ବର୍ତ୍ତମାନ ସମୟ ଆସି ହାତ ମୁଠାରେ ଧରା ପଡ଼ିଯାଇଛି ।

 

ସମୟକୁ ଯେ କୌଣସି ମତେ ଜାବୁଡ଼ି ଧରିବାକୁ ହେବ । ବନ୍ଧୁତା ବାନ୍ଧିବାକୁ ହେବ । ସମୟ ସହିତ ତାଳଦେଇ, ହାତ ମିଶାଇ ଅନବରତ ଧାଇଁବାକୁ ହେବ । ନିଜର ଗତିକୁ ଆହୁରି ଗତିଶୀଳ କରିବାକୁ ହେବ । ଦୁଇକୂଳରୁ ଯେ କୌଣସି ଗୋଟିଏ କୂଳକୁ ବାଛିନେବାକୁ ହେବ । ଗୋଟିଏ କୂଳରେ ଲାଗି ମନଇଚ୍ଛା ଦମ୍‍ ନ ମାରିଲେ ଆମେ ଆଉ ସମୁଦ୍ର ସହଜରେ ପାରିହୋଇ ପାରିବାନି ।

 

ଆମର ଯାତ୍ରା ଅସଫଳ ହୋଇଯିବ । ଉଦ୍ୟମ ବ୍ୟର୍ଥ ହେବ । କେହି ଆମର ଉପସ୍ଥିତି ପାଇଁ ଗୁରୁତ୍ୱ ଦେବେନି । ଆମେ ମଣିଷ ସମାଜରେ ରହି ବି ପଶୁ ପାଲଟିଯିବା । ଅମଣିଷ ହୋଇଯିବା । ଯଦିଓ ପଶୁପରି ଆମେ ଅନେକ ଦିନ କାଟିଛୁ, ଆମ ଭାବଭଙ୍ଗୀ, ଗତି ପ୍ରକୃତି ସବୁକିଛି ପଶୁସୁଲଭ । ଆମେ ପ୍ରଜ୍ଞା କ’ଣ ଜାଣୁନି । ବୌଦ୍ଧିକତାର ଖୋଳ ପିନ୍ଧିବି ଆମେ ଅକଲକୁ ପାସୋରି ଦେଲୁଣି । ଆମ ଭିତରୁ ଖାଲି ଯାହା ବିଭିନ୍ନ ଗୋଷ୍ଠୀ, ଦଳ, ପନ୍ଥାର ଜନ୍ମ ନେଉଛି । ଆହେ ହିପ୍‍ପି, ଇପି, ବିଟ୍‍ନିକ୍‍, ବିଟ୍‍ଲସ୍‍, ଦିଗମ୍ବର ଇତ୍ୟାଦି ନୂଆ ନୂଆ ରୂପରେ ପରିଚିତ ହେଉଛି-। ଆଦିମାନବ ପରି ଅଧାଲଙ୍ଗଳା ଅବସ୍ଥାରେ ଜୀବନ କାଟୁଛି । ପୋଷାକଦ୍ୱାରା ଦେହର ଆକର୍ଷଣୀୟ ଅଙ୍ଗଶୌଷ୍ଠବକୁ ଘୋଡ଼ାଇ ରଖିବାକୁ ଆଉ ଇଚ୍ଛା ହେଉନି । ସବୁକିଛି ଖୋଲିଦେଇ, ହାଲୁକା ମନନେଇ ବଞ୍ଚିବାରେ ଇଚ୍ଛା ଦିନାକେତେ ହେଲା ପ୍ରବଳ ହୋଇଛି । ଆମର ଆକସ୍ମିକ ପରିବର୍ତ୍ତନ ଦେଖି ପୁରୁଖାମାନେ କପାଳରେ ହାତମାରି ବସିଲେଣି । ହରି, ହରି ରାବ ଦେଲେଣି-। ଆମ ଅଜାଣତରେ ଆମ ମୁଣ୍ଡର ବାଳ, ନିଶ ଦାଢ଼ି ସବୁକିଛି ବେଖିଆଲି ଭାବେ ବଢ଼ିବାରେ ଲାଗିଛି-

 

ଆଉ କିଛି କାଳ ପରେ ଆମେସବୁ ବଣମଣିଷ ହୋଇଯିବୁ । ଗଛ ଉପରେ ବସା ବାନ୍ଧି ବସବାସ କରିବୁ । ବଣର ଫଳମୂଳ ଖାଇ ବଞ୍ଚିବୁ । ଆମେ ଚାହୁଁ ପୁଣିଥରେ ଫେରିଯିବାକୁ ସେହି ସୁଡଙ୍ଗକୁ । ଯେଉଁଠୁ ଆମେ ଦିନେ ଜୀବନ ବିକଳରେ ଧାଇଁ ଆସିଥିଲୁ ଆଲୁଅ ବିନ୍ଦୁଟିଏ ଦେଖି । ଆମ ଧାଇଁବା ନିରର୍ଥକ ବୋଲି ଯଦି ସେତେବେଳେ କିଏ ଜଣେ ସୂଚେଇ ଦେଇଥାନ୍ତା, ଆମେ ଆଦୌ ଝାଳନାଳ ହୋଇ ଧାଇଁବାକୁ ମନକରି ନଥାନ୍ତୁ ।

 

ଆଜି ସବୁ କଥାରୁ ମନ ଚିଟା ଧରିଲାଣି । ମନ ବୃକ୍ଷର ପ୍ରତ୍ୟେକ ଗଣ୍ଠିରେ ମଲାଙ୍ଗ ଲାଗିଲାଣି । ଆଉ ଯେତେ ଚେଷ୍ଟା କଲେବି କଅଁଳିଆ ପତ୍ରଟିଏ ବାହାରୁ ନାହିଁ । କିଛି ଗୋଟାଏ ମିଳିଯିବ ଅକସ୍ମାତ୍‍ ଏ ବିଶ୍ୱାସ ମନରେ ନାହିଁ । ଏମିତି ମେଣ୍ଢା ଦଉଡ଼ରେ କି ଲାଭ ? ବରଂ ଭଲ ସମସ୍ତେ ଚାଲ ହାତ ଧରାଧରି ହୋଇ ଗୀତ ଗାଇ ଗାଇ ମନଖୁସିରେ ବାହୁଡ଼ିଯିବା ସେଇ ଅନ୍ଧାରିଆ ଗୁମ୍ପାକୁ । ଆମେ ଯେଉଁଠୁ ପ୍ରଚୁର ପ୍ରେମ ପାଇବା । ବନ୍ଧୁତା ପାଇବା । ଶାନ୍ତିରେ ସମୟ ବିତେଇବା । ଆମେ ସେଇଥିପାଇଁ ଉଚ୍ଚ ସ୍ୱରରେ କହି ଦେଲୁଣି ଯେ ଆମେ ଆଉ କୌଣସି ରିସ୍କ ନେବାକୁ ପ୍ରସ୍ତୁତ ନୋହୁଁ । ଯାହା ଆମ ସାଧ୍ୟ ବାହାରେ ସେଥିପାଇଁ ମନ ବଳାଇ କି ଲାଭ ।

 

କିଏ ଜଣେ ଦଲାଲ ଦିନେ ଆମକୁ କହିଥିଲା ଯେ, ସମୁଦ୍ର ପାରିହେଲେ ସବୁକିଛି ମିଳିଯିବ । ଆମେ ରାତାରାତି ସମ୍ରାଟ ବନିଯିବା । ଆମର ସବୁ ଇଚ୍ଛା ପୂର୍ଣ୍ଣ ହୋଇଯିବ । ସେଇ ଲୋକଟି କଥାରେ ବିଶ୍ୱାସ ରଖି ଆମେ ପହଁରା ଆରମ୍ଭ କରିଦେଲୁ । ଅନେକ ସମୟ ନିରବଚ୍ଛିନ୍ନ ଆମେ ପହଁରିଲୁ, କିନ୍ତୁ ଖାଲି କ୍ଳାନ୍ତି, ବିରକ୍ତି, ଅନାସକ୍ତ ଭାବଛଡ଼ା ଅନ୍ୟ କିଛି ଅଭିଜ୍ଞତା ଆମେ ହାସଲ କରି ପାରିଲୁନି । ମନ, ଦେହ, ହୃଦୟ, ସ୍ନାୟୁ ସବୁଠି ଖାଲି ମୁଠାମୁଠା ନୀଳ ଶୂନ୍ୟତା ଭରି ହୋଇଗଲା । ଆମେ ଜୀବନ ବିକଳରେ କେତେ ଚିତ୍କାର ଛାଡ଼ିଛୁ । କେହି ଜଣେ ବି ଆମ ଦୁଃଖ ବୁଝିବାକୁ ଚେଷ୍ଟା କରନି । ସହାନୁଭୂତି ଦେଖାଇବା ଦୂରେ ଥାଉ ।

 

ଆଉ ହବନି । ଆମ ଦେଇ କିଛି ହୋଇ ପାରିବନି । ଆମର ଦୁଃଖ ଦିନୁଦିନ ବଢ଼ିବାରେ ଲାଗିଛି । ଆମ ବଳ ବୟସ କ୍ରମଶଃ ଭାଙ୍ଗିରୁଜି ଯାଉଛି । ଆମକୁ ଭୁଲେଇ ଯେଉଁ କେତେଜଣ ଆମ ମନରେ ବାଘ ଭୟ ଦେଖାଇ ଦେଇଗଲେ ସେମାନଙ୍କୁ ପାଇଲେ ଆମେ ନିତସେଙ୍କ ପରି ଗୋଟି ଗୋଟି ହତ୍ୟା କରନ୍ତୁ । ନିର୍ଦ୍ଦୟ ଭାବରେ ସେମାନଙ୍କ ରକ୍ତରେ ହୋଲି ଖେଳନ୍ତୁ । ସେଇ ଅବିଶ୍ୱାସୀ ଭଣ୍ଡ ପ୍ରତାରକ ମାନଙ୍କୁ ଠିକଣା ଜବାବ ଦିଅନ୍ତୁ । କିନ୍ତୁ ସେମାନଙ୍କ ଭିତରୁ କେହି ଜଣେ ବି ଧରାଛୁଆଁ ଦେଉ ନାହାନ୍ତି । ଅଯଥାରେ ଭୋକ ବିକଳରେ ତାଟିଆ କାମୁଡ଼ି ଲାଭ କ’ଣ ?

 

ଏଣିକି ଖାଲି ଘରମୁହାଁ ବଳଦ ପରି ଧାଇଁବାର ବେଳ । ଯିଏ ଯେତେ ଶୀଘ୍ର ଧାଇଁ ପାରିଲା, ସିଏ ସେତେ ଶୀଘ୍ର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ଯାଇ ପାରିବ । ଜୀବନର ଏମିତି କେତେ ଗୂଢ଼ତତ୍ତ୍ୱ ଲୋକଟି ବୁଝିଛି । ନିଜେ ବୁଝିଛି ବୋଲିତ ଅନ୍ୟକୁ ବୁଝେଇବା ପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିନି ! କାହିଁକି ବା’ ସେ ଅନ୍ୟକୁ ବୁଝେଇବାକୁ ଚେଷ୍ଟା କରିବ ? ବଳେ ପଶି ମଙ୍ଗଳବାର ପୂଜିବ । ତାକୁ କାଳେ ତା’ ଦଳର ଲୋକେ ଆଗୁଆ ନେତା କହି ତା’ ବେକରେ ଫୁଲମାଳ ଝୁଲେଇ ଦେବେ, ମୁଣ୍ଡରେ ମୁଣ୍ଡାଇ ସାହି ସାହି ବୁଲିବେ, ଜୟଧ୍ୱନି ଦେବେ ସେଥିପାଇଁ ଅନ୍ୟକୁ ପ୍ରବର୍ତ୍ତାଇବା ମହାପାପ ବୋଲି ଲୋକଟିର ଧାରଣା । ସେ ନୀରବରେ ତା’ ବାଟରେ ଧାଉଁଛି । ତା’ର ବିଶ୍ୱାସ ଯେ ସେ ଖୁବ୍‍ ଶୀଘ୍ର ଯଥାସ୍ଥାନରେ ପହଞ୍ଚି ଯାଇ ପାରିବ । ବିଶ୍ୱାସ ଅଛି ବୋଲିତ ସେ ଧାଉଁଛି । ଯେଉଁ ମୁହୂର୍ତ୍ତରୁ ବିଶ୍ୱାସ ତୁଟିଯିବ, ପାହୁଣ୍ଡେ ବି ସେ ଆଗେଇ ପାରିବନି । ଅଧା ବାଟରେ ଛଟପଟ ହୋଇ ଜୀବନ ହାରିଦେବ ଅନ୍ୟମାନଙ୍କ ପରି ।

 

ଲୋକଟିର ଅଭିଯୋଗ ହେଉଛି, ବିଂଶ ଶତାବ୍ଦୀର ଅପରାହ୍ନର ମଣିଷ ଆଉ ମଣିଷ ହୋଇ ନାହିଁ । ପଶୁଠାରୁ ବଳି ପଡ଼ିଛି । ସଦ୍ଭାବ ନାହିଁ କାହାରି ସହିତ । ‘ସମ୍ପର୍କ’ ଶତ୍ରୁ ପାଲଟି ଯାଇଛି । ଈର୍ଷାହିଁ ବଞ୍ଚି ରହିବାର ଏକମାତ୍ର ଆୟୁଧ । ଈର୍ଷାନ୍ୱିତ ବ୍ୟକ୍ତି ତା’ର ହୁକୁମ ଚଳାଇଛି ସବୁବେଳେ । ସଦଳବଳେ ମାଡ଼ି ଚାଲିଛି ଆଗକୁ । ଜନ୍ମଗତ ଅଧିକାର ନେଇ ଅପରାହ୍ନର ମଣିଷ ନିଜ କର୍ତ୍ତୃତ୍ୱ ସଭିଙ୍କ ଉପରେ ଜାହିର କରିବା ଶିଖିଛି ।

 

ମଣିଷ ଭୋକିଲା ବାଘର ଆଖି ନେଇ ଚାରିଆଡ଼କୁ ଚାହୁଁଛି । ପାପ, ପୁଣ୍ୟ, ଦୟା, ଧର୍ମର ବିଚାର ତା’ଠି ନାହିଁ । ପୁଅ ବାପର ସ୍ଥିତିକୁ ଅସ୍ୱୀକାର କରୁଛି । ରକ୍ତର ନିବିଡ଼ ବନ୍ଧନକୁ ଏଡ଼ାଇ ଦେଉଛି ସାମାନ୍ୟ ଏକ ଦୁର୍ଘଟଣାର ଆଳ ଦେଖାଇ । ସତେ ଯେମିତି ଆଜି କୌଣସି ପୁଅ ପାଇଁ ବାପ ମା’ର ପ୍ରୟୋଜନ ନାହିଁ । ବାପ, ମା ବୋଲି ଯେଉଁ ସ୍ୱର୍ଗୀୟ ଆଦର୍ଶ କଥା ପ୍ରଚାର କରାଯାଇଛି, ଶତାବ୍ଦୀ ଧରି ତାହା ଏକ ନିଚ୍ଛକ ଧୂଆଁ ବାଣ । କେହି ନ ପଚାରିଲେ ବି ନିଜେ ନିଜେ ବେକରେ ଫୁଲମାଳ ପକେଇବାର ପ୍ରଚେଷ୍ଟା । କି ଯୁକ୍ତି ଅଛି ସେ ପ୍ରକାର ବନ୍ଧନରେ ? ଟେଷ୍ଟଟ୍ୟୁବ୍‍ରୁ ଯେତେବେଳେ ସନ୍ତାନ ଜନ୍ମ ନେଉଛି । କୃତ୍ରିମ ଉପାୟରେ ଜିନ୍‌ ହରମୋନ୍‍ ଇତ୍ୟାଦି ଯାବତୀୟ ସନ୍ତାନ ଉତ୍ପାଦନକାରୀ ବିଷୟବସ୍ତୁର ପ୍ରସ୍ତୁତି ପ୍ରଣାଳୀ ସମ୍ଭବ ହୋଇ ପାରୁଚି । ସେପରି ସ୍ଥଳେ ପରମ୍ପରା, ସମ୍ପର୍କ, ଆଦର୍ଶ, ଅନାଦର୍ଶ, ବାପ, ମାଙ୍କର ପ୍ରଶ୍ନ ଉଠୁଛି କେଉଁଠି ? ଯେଉଁ ସମାଜରେ ମା’ ପୁଅ ପ୍ରତି ନିର୍ଲଜ୍ଜ ରତି ନିବେଦନ କରିବା ଶିଖିଛି, ଯେଉଁଠି ଜନ୍ମଦାତା ପିତା ନିଜ କୁମାରୀ କନ୍ୟାର ସତୀତ୍ୱ ପରୀକ୍ଷା କରିବା ପାଇଁ କୁଣ୍ଠାବୋଧ କରୁନି, ସେ ସମାଜରେ ସମ୍ପର୍କ ଏକ ପ୍ରହସନ ନୁହେଁ କି ? ଆଜେବାଜେ ଶବ୍ଦମାନଙ୍କର ବିସ୍ଫୋରଣ ନୁହେଁ କି ?

 

ଆକଣ୍ଠ ଘୃଣା, ଅପର୍ଯ୍ୟାପ୍ତ ଲଜ୍ଜା, ସଂକୋଚରେ ବୀତସ୍ପୃହ ହୋଇ ଧାଇଁବାରେ ଲାଗିଛି ଲୋକଟି । କି ଅସନା କଦର୍ଯ୍ୟ ତା’ର ମୁଖମଣ୍ଡଳ । କି ବିକୃତ ତା’ର ରୂପଭେକ । ମେଟାମରଫୋସିସ୍‍ର ‘ଗେଗୋର’ ଚରିତ୍ର ସହ ଖାପ ଖାଇଯିବା ଭଳି । କେହି ତାକୁ ବୁଝିପାରୁ ନାହିଁ । ନା ବାପ, ମା, ଭଉଣୀ, ସମାଜ, ବନ୍ଧୁ ବାନ୍ଧବ ! ନାଁ କେହି । ସେ ବରପ୍ରାପ୍ତ ଭସ୍ମାସୁର ପରି ଏକମୁହାଁ ହୋଇ ଧାଉଁଛି । ପଛରେ ପକାଇ ଦେଇ ଗୋଟିଏ ରୁଗ୍‍ଣ ବିବର୍ଣ୍ଣ ପାଣ୍ତୁର ଧ୍ୱଂସର ଖୋଳକୁ ।

 

ଯାହାକୁ ଅତି ସ୍ନେହରେ, ପ୍ରଚୁର ବିଶ୍ୱାସ ସହିତ ସାହାସ ସଞ୍ଚୟ କରି ମଣିଷ ଜାବୁଡ଼ି ଧରି ରଖିଥିଲା, ଆଜି ସେଇ ଖୋଳପା ଛାଡ଼ିବାରେ ଲାଗିଛି । ଶିପ ପରି ଭାଙ୍ଗି ପଡ଼ୁଛି । ପୁରୁଣା କୋଠରୁ ଚୂନ ସିମେଣ୍ଟ ଖସି ପଡ଼ିଲା ପରି । ପୁଣି ଏକ ନୂଆ ଖୋଳ ଲୋଡ଼ା । ତା’ରି ଭିତରେ ଅସହାୟ ଜୀବଟି ବଞ୍ଚିଯିବ ଅନ୍ତତଃ କିଛି ଦିନପାଇଁ ଶାନ୍ତିରେ । ହାରିସନ୍‍ କ୍ରାଉନ୍‍ଙ୍କ ପରି ସେ ହୁଏତ କହିବ, I have not attempted to predict the fiture, for course of events, a head of us depends upon the action of man himself, which are in the main unpredictable. ଆମକୁ ଝାଳନାଳ ହୋଇ ଧାଇଁବାକୁ ପଡ଼ିବ । ଏକ ସୁନ୍ଦର ଜୀବନର ପରିକଳ୍ପନା କରିବାକୁ ପଡ଼ିବ । ବିଜ୍ଞାନ ଆମକୁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚାଇ ପାରିବ ନାହିଁ । ଏକଥା ସ୍ୱତଃସିଦ୍ଧ । ଯାନ୍ତ୍ରିକ ଜୀବନ ଜୀବନ ନୁହେଁ । ନାଁ ଅଛି ହୃଦୟର ଆବେଗ, ନାଁ ଅଛି କିଛି କଞ୍ଚା ଅନୁଭୂତି । ଆମକୁ ପୁନରାୟ ଚିନ୍ତା କରିବାକୁ ପଡ଼ିବ । ଆମର ପୁରୁଣା ଭାବନା, ପୁରୁଣା ଅନୁଭୂତିକୁ ଏପଟ ସେପଟ କରି ତହିଁରୁ ପ୍ରକୃତ ସତ୍ୟାସତ୍ୟ ନିର୍ଣ୍ଣୟ କରିବାକୁ ହେବ । ‘We must re-think and re-feel our nature and destiny.’’ ଏପରିକି ଏକ ନୂତନ ଧର୍ମର ଅଭ୍ୟୁଦୟ ହେବା ଆବଶ୍ୟକ, ଯାହାକି ସବୁ ବାଦ, ବିସମ୍ବାଦକୁ ସାମିଲ କରି ଆମର ସ୍ଥିତିକୁ ବଜାୟ ରଖିବ ।

 

କାହିଁ ସେ ଧର୍ମ ? ସେ ନୀତିଗତ ଆଦର୍ଶ ? ସବୁ ଅସାର, ଅଲୋଡ଼ା ଅପ୍ରାପ୍ୟ ପରି ମନେ ହେଉଛି । ବିଶ୍ୱାସ ରହୁନି କୌଣସି କଥାରେ । କୌଣସି ପବିତ୍ର ଭାବନା ମନ ଭିତରକୁ ଛୁଇଁ ପାରୁନି । ସୁଡ଼ଙ୍ଗର ଦ୍ୱାର ଦେଇ ସବୁକଥା ଭଲ କରି ନିଜ ଆଖିରେ ଦେଖିଚି ବୋଲି, ଲୋକଟି ତରବରରେ ଧାଇଁ ପଳାଉଛି ସେଇ ଅନ୍ଧାରୀ ଗୁମ୍ଫାକୁ । ଅନେକ ସମୟରେ ଲୋକଟିର ମନେହୁଏ, ଏକ ପ୍ରକାଣ୍ଡ ବିସ୍ଫୋରଣ କଟିଯାନ୍ତା କି ! ମୁହୂର୍ତ୍ତକ ମଧ୍ୟରେ ବିଶ୍ୱ-ବ୍ରହ୍ମାଣ୍ଡ ନିଶ୍ଚିହ୍ନ ହୋଇଯାନ୍ତା କି ! ମଣିଷ ଜାତି ଲୋପ ପାଇଯାନ୍ତା । ଆଉ ତା’ର ହାତଗଢ଼ା ସବୁ କର୍ମ ଧୂଳିସାତ୍‌ ହୁଅନ୍ତା । ତା’ପରେ ଦିଗ୍‍ବଳୟର ସୀମାରୁ ନୂତନ ସୂର୍ଯ୍ୟ ଉଠି ଆସନ୍ତା । ଲାଲ୍‌ ଲାଲ୍‌ ସୂର୍ଯ୍ୟ । ବିଲୟ ପରର ସୃଷ୍ଟି ଖୁବ୍‍ ମନକୁ ପାଇଯିବା ପରି ଦିଶନ୍ତା । ସଭ୍ୟତାର ରଥ ଚକ ହୁଏତ ଗଢ଼ୁ ଗଢ଼ୁ ଅନେକଗୁଡ଼ାଏ ବର୍ଷ ଲାଗିଯାନ୍ତା । ଆଉ ସେଇ ସମୟତକ ମନୁଷ୍ୟ ଭଲରୂପେ ବିନିଯୋଗ କରିପାରନ୍ତା ।

 

ଏ ସଭ୍ୟତାର ଭାରବାହୀ ନିର୍ଲଜ୍ଜ ପଶୁ ଜାତିର ସମ୍ପୂର୍ଣ୍ଣ ଧ୍ୱଂସ ନ ହେଲାଯାଏଁ, ତା’ର ଗର୍ବ, ଅହଂକାର, ଈର୍ଷା ଓ ଅଭିମାନର ତୋରଣ ଭୁଷୁଡ଼ି ନ ପଡ଼ିବାଯାଏ ଶାନ୍ତି ନାହିଁ । କାହିଁ ଶାନ୍ତି ? କାହିଁ ବା ମୁକ୍ତି ? ଖାଲି ପ୍ରହସନ, ଛଳନା । ମାୟାଜାଲ ବିଛେଇ ହୋଇ ପଡ଼ିଛି । ଅନ୍ଧାରରେ ବାଡ଼ି ବୁଲେଇ ବୁଲେଇ କ୍ଳାନ୍ତି ଆସିଗଲାଣି । ନୀଳ ଚଷମା ପିନ୍ଧି ଦୁନିଆଁର ନୀଳିମାକୁ ମାପିବା କି ଚରମ ମୂର୍ଖତା !

 

ସଭ୍ୟତା କହିଲେ ଆମେ କ’ଣ ବା ବୁଝୁ ?

 

କେତେଜଣ ବା’ ବୁଝନ୍ତି ଆମ ଭିତରୁ ? ବିଶ୍ୱବିଦ୍ୟାଳୟର ଅର୍ଥହୀନ ସାର୍ଟିଫିକେଟ ଯା’କୁ ଆମେ ବର୍ଷ ବର୍ଷ ନୟାନ୍ତ ହୋଇ, ଛୁରି, ବୋମା, ଗୋପାଳିର ଭୟ ଦେଖାଇ, ବ୍ଲାକମେଲିଂ କରି ହାସଲ କରୁ, ତାହା କ’ଣ ଜୀବନର ପ୍ରକୃତ ମୂଲ୍ୟାୟନର ମାପକାଠି ? ଆମରି ରୁଚିହୀନ ପୋଷାକ ପରିଚ୍ଛଦ, ରମ୍ବସ୍‍ ବା ଅଣ୍ଡାକୃତି ପାର୍ଟନ୍‍ର ବାସଗୃହ ଫ୍ରେଞ୍ଚ ବା ଡେନ୍‍ମାର୍କୀୟ ଆଦବକାଇଦା କ’ଣ ଆମ ସଭ୍ୟତାର ଅସଲି ସିମ୍ବଲ ? ଆମେ କେହି କାହାର ପରାମର୍ଶ ମାନିବାକୁ ପ୍ରସ୍ତୁତ ନୋହୁଁ ।

 

ଆମେ ପ୍ରତ୍ୟେକ ଏକ ସ୍ୱୟଂ ସମ୍ପୂର୍ଣ୍ଣ ସୃଷ୍ଟି । ଏତେ ବେଗରେ ଆମେ ଉପରକୁ ଉଠିବାକୁ ଲାଗି ପଡ଼ିଲୁଣି ଯେ ତଳେ ଥିବା ମଣିଷର ମୁଣ୍ଡ ଆମକୁ ଦେଖି କୃତଜ୍ଞତାରେ ନଇଁ ପଡ଼ୁଛି-। ଉପରକୁ ଉଠିଲାବେଳେ ଆମେ ଆମରି ଚାରିକଡ଼ର ବସ୍ତୁ ସକଳ ସମ୍ପର୍କରେ ସଚେତନ ନୋହୁଁ-। କ’ଣ ଘଟି ଯାଉଛି, କ’ଣ ବା ଘଟିଯିବ ଅଳ୍ପ ସମୟ ପରେ, ସେକଥା ଚିନ୍ତା କରିବାକୁ ଆମେ ଅସମର୍ଥ । ସୁତରାଂ ଦ୍ୱନ୍ଦାତ୍ମକ ରୀତିରେ ଆମେ ଉପରକୁ ଉଠିଲାବେଳେ ଆମରି ବିପରୀତ ଦିଗରେ ଅନ୍ୟ ଏକ ପ୍ରଚଣ୍ଡ ଶକ୍ତି ତା’ର ଅସ୍ତିତ୍ୱକୁ ଛପେଇ ଦେବା ପାଇଁ ମାଡ଼ି ଆସୁଛି-। ତଳକୁ ତଳକୁ ହୁଏତ ମହାଶୂନ୍ୟରେ ଆମର ବିସ୍ଫୋରଣ ଘଟିପାରେ । କିମ୍ବା ଆମେ ସମ୍ପୂର୍ଣ୍ଣ ଭାବରେ ସେଇ ଶକ୍ତିଶାଳୀ ସତ୍ତାର କର୍ତ୍ତୃତ୍ୱ ମାନିନେବା । ଦୁଇଟି ସତ୍ୟ ମଧ୍ୟରୁ ଯେ କୌଣସି ଗୋଟିକୁ ଗ୍ରହଣ କରିବାକୁ ପଡ଼ିବ । ନୋହିଲେ ବଞ୍ଚିବା ମୁସ୍କିଲ ହୋଇ ପଡ଼ିବ ।

 

ଆମେ କ’ଣ ସତରେ ଆଉ ବଞ୍ଚିଛୁ ?

 

ଅନ୍ତସାର ଶୂନ୍ୟ ଜୀବନ କ’ଣ ପ୍ରକୃତ ଜୀବନ !

 

ଜୀବନ କହିଲେ ଆମେ ଯାହା ବୁଝୁ ବା ନବୁଝୁ କିନ୍ତୁ ଏତିକି ମାନି ନେବାକୁ ପ୍ରସ୍ତୁତ ଯେ ଜୀବନ ଏକ ପ୍ରବାଳ ଖଣ୍ଡ ନୁହେଁ । ଜୀବନ ଫସିଲ ନୁହେଁ । ଜୀବନ କହିଲେ କେବଳ ଉଦ୍ଭଟତାକୁ ବୁଝାଏ ନାହିଁ । ଜୀବନ ଏକ ସୁରଭିତ ଫୁଲ ହୋଇପାରେ । ଏକ ପୂର୍ଣ୍ଣଗଭା ସ୍ରୋତସ୍ୱିନୀ ହୋଇପାରେ । ଏକ ଜ୍ୟାମିତିକ ସୂତ୍ର ହୋଇପାରେ । ଏକ ଅତ୍ୟାଧୁନିକ ରୂପକଳ୍ପ ହୋଇପାରେ । ଆମେ ଆମକୁ ନ ଚିହ୍ନି ପାରିଲେ ବି ହତାଶା ବା ଗ୍ଳାନିର ପ୍ରଶ୍ନ ଉଠିବନି । ଆମକୁ ଚିହ୍ନେଇ ଦେବା ଲୋକର ଅଭାବ ନାହିଁ । ଅଭାବ ଖାଲି ରହିଯାଇଛି ଆମରି ଇଚ୍ଛାର । ଆମ ଇଚ୍ଛାକୁ ନିୟନ୍ତ୍ରିତ କରୁଥିବା ବ୍ୟକ୍ତି ଆସି ଆମ ଆଗ ଧାଡ଼ିରେ କେତେବେଳୁ ଆସନ ମାଡ଼ି ବସିଲାଣି । ଆମେ ଅଜ୍ଞ । ଜାଣିବା ପାଇଁ ଚେଷ୍ଟା ବି କରନି ।

 

ଜାଣିବାର ବେଳ ଗଡ଼ି ଯାଇଚି ।

 

ଟିକିଏ ସତର୍କତା ଅବଲୟନ କଲେ ଅନେକ କିଛି ମିଳିଯାଇ ପାରେ । ଅନେକ କିଛି । ଲୋକଟି ସେତିକି ମାତ୍ର ଜଣେଇ ଦେବାକୁ ଚାହେଁ ବିଶ୍ୱବାସୀଙ୍କୁ । ଉଠ । ଜାଗତିଆର ହୁଅ । ସମୟ ଏବେ ବି ହାତ ମୁଠାରେ ଅଛି । ସମୟ ଏବେ ବି ଅସ୍ୱୀକୃତ ହୋଇ ରହିଯାଇଛି ।

 

ଚାହୁଁ ଚାହୁଁ ଗୋଟାଏ ବର୍ଷ ବିତିଗଲାଣି । କେତେ କ’ଣ ଅଘଟଣା କଥା ଘଟି ଯାଇଛି ୟା’ ଭିତରେ । କିଏ ବଳ ପ୍ରୟୋଗ କରି ମାଡ଼ି ବସିବାକୁ ଚାହୁଁଛି ତ କିଏ ବାରଆଡ଼ୁ ବାରକଥା କହି ଭୁଲେଇ ଭାଲେଇ କାମ ହାସଲ କରିବାକୁ ଚେଷ୍ଟା କରୁଛି । ଅନ୍ୟ କିଏ ପୁଣି ବନ୍ଧୁତ୍ୱର ଚରମ ନିଦର୍ଶନ ଦେଖାଇ ଖପ୍‍କିନା ମାଡ଼ି ବସୁଛି ଭୁଆ ବିଲେଇ ପରି । ନିଜର କର୍ତ୍ତୃତ୍ୱ ବିସ୍ତାର କରିବାକୁ ମନ କରୁଛି ସମ୍ରାଟ ପରି ।

 

କିଛି ହୋଇ ପାରୁନି । ହେବାବି ସହଜ ନୁହେଁ । ସବୁ ଫିସାଦି, ସବୁ କାରସାଦି ପଦାରେ ପଡ଼ିଯାଇଛି । ମୁଖା ଖୋଲି ଯାଇଛି ମଣିଷ ମୁହଁରୁ । ଶତାବ୍ଦୀର ନାନା ରଙ୍ଗ ବେରଙ୍ଗୀ ମୁଖା ମଣିଷ ମୁହଁରୁ ନିହାତି ଶୋଚନୀୟ ଭାବେ ଖସି ପଡ଼ିବାବେଳେ ଅସଲ ମଣିଷଟିର କୁତ୍ସିତ କଦାକାର ରୂପ ଧରା ପଡ଼ିଯାଇଛି । ତା’ର ଶୁକୁଟା ମୁହଁ ଏବଂ ଦାନ୍ତ ନିକୁଟୁଥିବା ସତ୍ୟ ମଧ୍ୟ ଆପଣାଛାଏଁ ପଦାରେ ପଡ଼ିଯାଇଛି । ସବୁ ଲୁଚାଚୋରା କାରବାର, ବେପାର ବଣିଜ ଧରା ପଡ଼ିଯାଇଛି ।

 

ଏ ଶତାବ୍ଦୀ ଏକ ଅଭିଶପ୍ତ । ଶାପଗ୍ରସ୍ତ ଶତାବ୍ଦୀ !

 

ଏଠି ଆମେସବୁ ବିଲ୍‍କୁଲ, ନକଲି । ଆର୍ଟିଫିସିଆଲ୍‍ ମ୍ୟାନ୍‍ । ଅମର ଜନ୍ମ, ପ୍ରଜନନ, ମୃତ୍ୟୁ, ବିଶ୍ୱାସ, ବଂଶବୁଦ୍ଧି-ସବୁ କୃତ୍ରିମ । ଯେନତେନ ପ୍ରକାରେ ଆମେ ବଞ୍ଚିବାର ଚେଷ୍ଟା ଚଳାଇଛୁ । ଅନ୍ୟକୁ ଠକି, ଅନ୍ୟର ଦାନା ଉପରେ ଆଖି ପକାଇ, ଆମେ ଆମରି ମହଲର ମୂଳଦୁଆକୁ ଶକ୍ତ ଓ ମଜବୁତ୍‍ କରି ଗଢ଼ିବାକୁ ପ୍ରୟାସ କରିଛୁ । ଆମ ଭିତରୁ କେତେକ ବୁର୍ଜୁଆ, ପେଟି ବୁର୍ଜୁଆ ଆଖ୍ୟା ପାଇ ସାରିଲେଣି । ଆମେ ଅତ୍ୟାଚାର ଚଳାଇଛୁ ଆମରି ଜାତି ଉପରେ । ଅତ୍ୟାଚାରିତ ମଣିଷର ସୁଖଦୁଃଖ ବୁଝିବାକୁ ଆମର ବେଳ ନାହିଁ । ମନ ବି ନାହିଁ । କେତେଟା’ ବର୍ଷ ଧରି ଆମେ ଏମିତି ଜୀବନ ବିତେଇଲୁଣି । କାହିଁ କିଛିତ ହେଉନାହିଁ । କିଛିତ ଗୋଟାଏ ହାତ ମୁଠାରେ ମନକୁ ପାଇଲା ପରି ଜିନିଷ ଧରା ପଡ଼ୁନି । ଓଲଟି ସବୁଥିରୁ କେମିତି ମନ ଛାଡ଼ି ଯିବାକୁ ବସିଲାଣି । ସବୁକିଛି ଅସାର ମନେ ହେଲାଣି । ଆଉ ଅନ୍ୟ କାହାକୁ ଭୟ ନାହିଁ । କାହା ଉପରେ ବିଶ୍ୱାସ ରଖିବାର ପ୍ରଶ୍ନ ଉଠୁନି । ଈଶ୍ୱର ନାମକ ସେହି ତିନିଅକ୍ଷରିଆ ଶବ୍ଦଟି କେମିତି ଚୁପ୍‍ଚାପ୍‍ ସମସ୍ତ ଗୁରୁତ୍ୱ ଆପଣାଛାଏଁ ହରେଇ ଦୁଇ ଅକ୍ଷରିଆ ଶବ୍ଦଟି ପରି ଦୈନନ୍ଦିନ ଜୀବନରେ ବ୍ୟବହୃତ ହୋଇ ବସିଲାଣି । ଲଜ୍ଜା ସରମତ ଆମର ମୋଟେ ନାହିଁ କହିଲେ ଚଳେ । ଆମ ଜନ୍ମଦାତାଙ୍କର ବି ନ ଥିଲା । ସେମାନେ ନିହାତି ଅଶ୍ଳୀଳ ଦୃଶ୍ୟରେ ଜଡ଼ିତ ରହି ସମୟ କାଟୁଥିବା ବେଳେ ଆକସ୍ମିକ ଭାବେ ଆମର ଜନ୍ମ ହୋଇଥିଲା । କେହି ଜଣେ ଇଚ୍ଛାକୃତି ଭାବେ ଆମର ଉପସ୍ଥିତ ଏଠି ଚାହୁଁଥିଲା-?

 

ମୁଖାପିନ୍ଧା ମଣିଷର ସବୁ ଫିସାଦି, ସବୁ କାରସାଦି ବାଏଁ ବାଏଁ ଉଡ଼ିଗଲା । ମାନବିକତାର ମୂଳଦୁଆରେ ମାଟି ମୁଠାଏ ବି ପଡ଼ି ପାରିଲାନି । ମୁଣ୍ତି ମାରିବା ଦୂରେ ଥାଉ । ମହଲ ବା ଉଆସ ଗଢ଼ିବାର ପ୍ରଶ୍ନ ଉଠୁଛି କୋଉଠି ? ଏ କ’ଣ ସମୁଦାୟ ମଣିଷ ଜାତି ପକ୍ଷରେ କମ୍‍ ବଡ଼ ଆଘାତ । କି ଶୋଚନୀୟ ପରାଜୟ ସତେ ଏଇ ଜାତିଟାର । ଦିନେ କିଏ ଜଣେ ଭାବପ୍ରବଣତାରେ କହୁ କହୁ କହି ପକାଇଥିଲା ଯେ, ‘ଆମେ ସର୍ବଶ୍ରେଷ୍ଠ ସୃଷ୍ଟି ଈଶ୍ୱରଙ୍କର । ଆମେହିଁ ଅମୃତର ସନ୍ତାନ-।’ ଏମିତି ଗୋଟାଏ ଅନ୍ଧବିଶ୍ୱାସ ଉପରେ ଆସ୍ଥାରଖି ଆମେ ଅନେକ ଦିନ ଯାଏ ଆମ କର୍ତ୍ତୃତ୍ୱ ଜାହିର କରିଛୁ ଅନ୍ୟ ପ୍ରାଣୀ ତଥା ଉଦ୍ଭିଦ ଜଗତ ଉପରେ । ଉଦ୍ଭିଦ ଜଗତରେ ବି ଆମପରି ଜୀବନୀ ଶକ୍ତି ଅଛି । ସ୍ନେହ ପ୍ରେମ ବୁଝାମଣା ଅଛି । ଆମେ ସେ କଥା ସମ୍ପୂର୍ଣ୍ଣ ପାସୋରି ଦେଇଛୁ-। ସମାଜରେ ଜୋର୍‍କରି ଆମେ ଆସନ ପାତି ବସିଛୁ । ଆଗ ଧାଡ଼ିରେ ବସି ଫୁଲମାଳ ଗଳାରେ ଝୁଲାଇବା ପାଇଁ ଆମର ପ୍ରବଳ ବାସନା କିନ୍ତୁ ଆମର ଆଚାର, ବ୍ୟବହାର ଗତିମତି କି ନିକୃଷ୍ଟ ଧରଣର ! କି ଆରଣ୍ୟକ ଆମର କ୍ଷୁଧା ! କି ଦୁର୍ଦ୍ଦାନ୍ତ ଆମର ବାସନା ! ଆମେ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସ୍ୱୀକାର କରି ବସିଲୁଣି ଯେ ଆମ ମତିଗତି ପ୍ରକୃତି, ସ୍ୱଭାବ ଓ ଚରିତ୍ର ପଶୁଠାରୁ ବଳି ପଡ଼ିଲାଣି । ଆମେ ଅବରୋହ ପ୍ରଣାଳୀରେ ତଳକୁ ତଳକୁ ଓହ୍ଲାଇବାରେ ଲାଗିଛୁ-। ଦିନେ ହୁଏତ ଆମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା । ଏକ ନିଶ୍ଚିତ ବିନ୍ଦୁରେ ପହଞ୍ଚିବା ପାଇଁ, ଉପରକୁ ଉପରକୁ ପାହାଚ ଅତିକ୍ରମ କରି ଉଠିବା ପାଇଁ ଚେଷ୍ଟା ଥିଲା । ଆମ ଭିତରୁ କେତେକ ବିଜୟର ପତାକା ଉଡ଼ାଇ ଦେଇଗଲେ ସୁଉଚ୍ଚ ଶୃଙ୍ଗ ଉପରେ । ଅନ୍ୟ କେତେକ ଅଧା ବାଟରୁ ଖଣ୍ତିଆ ଖାବରା ହୋଇ ଭୂପତିତ ହେଲେ । ଉପରକୁ ଉଡ଼ିବାର ପ୍ରୟାସ ଆମର ପ୍ରାୟ ମହାଭାରତର ସେଇ ପଞ୍ଚୁପାଣ୍ଡବଙ୍କ ସ୍ୱର୍ଗାରୋହଣ ପର୍ବର ବିଷୟବସ୍ତୁ ପରି । ଯୁଧିଷ୍ଠିର ସ୍ୱର୍ଗକୁ ଗଲେ । ଧର୍ମରାଜ ଆଖ୍ୟା ପାଇଲେ । ଅଖଣ୍ଡ ଶାନ୍ତିର ଅଧିକାରୀ ହେଲେ । ତହିଁରେ କି ଲାଭ ମିଳିଲା ଅନ୍ୟମାନଙ୍କୁ-? କି ସ୍ୱାର୍ଥ ପାଇଲା ହୁଣ୍ଡା ଭୀମସେନ ? ନାଁ ଏ କୂଳ ହେଲା, ନାଁ ସେ କୂଳ । ଏମିତି ଏକମୁଖା ହୋଇ ସ୍ୱାର୍ଥପର ଭାବେ ଉପରକୁ ଉପରକୁ ଉଠିବାରେ ମଣିଷର କ’ଣ ସେହି ହୀନମନ୍ୟ ଭାବ ପ୍ରକାଶ ପାଏ ନାହିଁ । ମଣିଷ ଯେ କେତେ ଇତର, ତାହା କ’ଣ ତା’ର ମତିଗତିରୁ ବୁଝା ପଡ଼ୁନାହିଁ ।

 

ସବୁକଥା ଚୁମ୍ୱକରେ ବୁଝି ଯାଇଥିବା ହେତୁ ଲୋକଟିର ଏ ଦୟନୀୟ ଅବସ୍ଥା । ଅଜସ୍ର ଘୃଣା, ଅପର୍ଯ୍ୟାପ୍ତ ଲଜ୍ଜା, ସଂକୋଚରେ ବୀତସ୍ପୃହ ହୋଇ ଲୋକଟି ଧାଇଁବାରେ ଲାଗିଛି ପୃଥିବୀର ବଳୟ ଟପି ସେଇ ଅନ୍ଧାରିଆ ଗୁମ୍ପାକୁ । ଯେଉଁଠି ଖାଲି ଅନ୍ଧାରର ରୋଷଣି ଜଳୁଛି । ସା’ନାଇ ବାଜୁଛି । ଯେଉଁଠି ସେଇ ପକ୍ୱକେଶ ଶ୍ଳଥଚର୍ମା, ଆଜାନୁଲମ୍ୱିତ ଶୁଶ୍ରୂଧାରୀ ବୃଦ୍ଧଟି ତା’ର ବିପ୍ଳବୀ ଯୁବକ ପୁଅକୁ ବୁଝାଇ କହୁଛି ‘‘ଏ ଘରର ଆଲୋକ ସବୁ ଲିଭାଇ ଦିଅ ବାବା । ଆଉ ଆଲୋକର ପ୍ରୟୋଜନ ନାହିଁ । ଅନ୍ଧାର ଭିତରେ ଅନ୍ତତଃ ଟିକିଏ ଶାନ୍ତିରେ ବଞ୍ଚିବାକୁ ଦିଅ ।’’ ସେଇ ଅନ୍ଧାର ଭିତରୁ ମଣିଷର ସୃଷ୍ଟି । ସେଇଥିରେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲେ କ୍ଷତି ବା କ’ଣ ?

 

ଲୋକଟିର ବିଶ୍ୱାସ–ସୁନା ସୁନା । ସୁନା କେବେ ଅଙ୍ଗାର ହେବନି । ହବାରବି ସମ୍ଭାବନା ନାହିଁ । ଯେତେ ରଡ଼ ନିଆଁରେ ତାକୁ ଆଉଟିଲେ ବି ଯା’ଆସ ନାହିଁ । ମଣିଷ ତା’ର ସମସ୍ତ ବାୟବୀୟ ଦୁର୍ବଳତା ସତ୍ତ୍ୱେ ବି ମଣିଷ । ସେ ବଞ୍ଚିବ ଆଜି ନ ହେଲେବି କାଲି ସାଧାସିଧା ସରଳ ଅମାୟିକ, ନିର୍ଜୀବ ମଣିଷଟିଏ ପରି । ତାକୁ ଯେତେ ବାଟରେ ଭୁଆଁ ବୁଲେଇଲେ ବି, ତା’ ଆଗରେ ଯେତେ ଇଜମ୍‌ ବାଢ଼ି ବସିଲେବି ସେ ବିଚଳିତ ହେବନି । ଭାଙ୍ଗି ପଡ଼ିବନି । ଧୈର୍ଯ୍ୟର ସହିତ, ଭଦ୍ରତା ଖାତିରରେ ସେ ମଣ୍ଡପ ଉପରକୁ ପାହାଚ ପରେ ପାହାଚ ଡେଇଁ ଉଠିବ । ପୁଣି ଓହ୍ଲାଇବ, ପୁଣି ଚଢ଼ିବ ।

 

ଏମିତି ଉଠାପକା, ଚଢ଼ା ଉତୁରା ହେବାରେ ତା’ର ହୁଏତ ବହୁ ମୂଲ୍ୟବାନ ସମୟ ନଷ୍ଟ ହୋଇଯିବ । ଯାହା ଭାଙ୍ଗିବାର ଥିବ ତାହା ଅବଶ୍ୟ ଭାଙ୍ଗିରୁଜି ଯିବ । ଯାହା ଗଢ଼ିବାର କଥା, ତାହା ଆପେ ଆପେ ଗଢ଼ି ଉଠିବ । ସେଥିପାଇଁ ମନସ୍ତାପ କରି ଲାଭ ନାହିଁ । ଏମିତି ଭାବରେ ଆମର ବହୁବର୍ଷ କଟି ଗଲାଣି । ଆହୁରିବି କେତେଟା ବର୍ଷ ବିତିଯିବ କିଏ କହିବ ! ହୁଏତ ଏମିତି ଅଭିଜ୍ଞତା ଫଳରେ ଆମେସବୁ ବୁଦ୍ଧ ପାଲଟି ଯିବା । ଆମର କୌଣସି ଶିକ୍ଷା ଆଉ ଦରକାର ହେବନି । ତା’ପରେ ଦିନେ ଆକସ୍ମିକ ଭାବେ ଏମିତି ଏକ ମଣିଷ ଜନ୍ମହେବ ଏ ସୃଷ୍ଟିରେ, ଯାହାକି ପ୍ଳାଟୋଙ୍କର ସେଇ ପାରମାର୍ଥିକ ଜଗତର ଦୁର୍ଲ୍ଲଭ ବସ୍ତୁଟିର ସମକକ୍ଷ ହୋଇ ପାରିବ । ତା’ପାଇଁ ଟେଷ୍ଟଟ୍ୟୁବର ପ୍ରୟୋଜନ ହେବନି । କୌଣସି ପରୀକ୍ଷା ନିରୀକ୍ଷାର ପ୍ରଶ୍ନ ଉଠିବନି । ସେ ସମ୍ପୂର୍ଣ୍ଣଭାବେ ସ୍ୱୟଂଭୂ, ସ୍ୱୟଂପ୍ରକାଶ ଆଖ୍ୟା ପାଇ ଆସିଥିବ । ତା’ର ଜ୍ୟୋତିରେ ମହୀମଣ୍ଡଳ ଉଦ୍ଭାସିତ ହୋଇ ଉଠିବ । ସହସ୍ର ସୂର୍ଯ୍ୟର ଜ୍ୟୋତିନେଇ ସେ ବିକଶିତ ହେବ ଏପରି ପ୍ରବଳ ବେଗରେ ଯେ ତା’ର ପ୍ରଚଣ୍ଡ ପ୍ରଭାବରେ ପୃଥିବୀ ପୃଷ୍ଠରୁ ଯାବତୀୟ ଅଳ୍ପମୂଲ୍ୟର ପଦାର୍ଥ ସମୂହ ନଷ୍ଟ ହୋଇଯିବ । ଏବଂ ଚାରିଆଡ଼େ ଅଖଣ୍ଡ ଜ୍ୟୋତି ବିସ୍ତାର କରିବ । ପ୍ରଚୁର ଆଶାବାଦୀ ଲୋକଟିର ବଦ୍ଧ ଧାରଣା ଯେ ନିଶ୍ଚେ ଦିନେ ନା ଦିନେ କୂଳରେ ଲାଗିବ । ତା’ର ସ୍ୱୟଂଚାଳିତ ନୌକାଟି ସୁବିଧା ସ୍ଥାନ ଦେଖି ନଙ୍ଗର ପକାଇ ପୂରାମାତ୍ରାରେ ଦମ୍‌ ନେବ । ଯେଉଁ ପରିସ୍ଥିତିରେ ରହି ଯଥେଷ୍ଟ ଶକ୍ତି ସଞ୍ଚୟ କରି ଲୋକଟି ବ୍ୟତିବ୍ୟସ୍ତ ହୋଇ ଧାଇଁବାରେ ଲାଗିଛି, ସେ ପରିପ୍ରେକ୍ଷୀରେ ସାଧାରଣ ମଣିଷ ବଞ୍ଚିବା ସମ୍ଭବ ନୁହେଁ ।

 

ସାଂପ୍ରତିକ ମଣିଷ ଆଉ ମଣିଷ ହୋଇନାହିଁ ।

 

ବିଲ୍‌କୁଲ୍‌ ପଶୁ ପାଲଟି ଯାଇଛି । ତା’ର ଆଚାର, ବିଚାର, ଢଙ୍ଗଢାଙ୍ଗ-ସବୁ ପଶୁ ସୁଲଭ-। ପଶୁରାଜ୍ୟ ଟପି ସେ ଆସ୍ତେ ଆସ୍ତେ ଆହୁରି ତଳକୁ ତଳକୁ ଖସିବାରେ ଲାଗିଛି । ଏମିତି ଖସିଖସି ଦିନେ ସେ ହୁଏତ ‘ଇନ୍‌ଫିମା ସ୍ପେସିଜ୍‌’ରେ ଜଡ଼ିଯାଇ ଏକ ହୋଇଯିବ ।

 

ନିଜର ସବୁ ସ୍ୱାତନ୍ତ୍ର୍ୟକୁ ହରେଇ ବସିବ । ତା’ପରେ ନାହିଁ ନଥିବା ବିସ୍ଫୋରଣ ମୁହଁରେ ପଡ଼ି ସେ ଖଣ୍ଡ ଖଣ୍ଡ ହୋଇଯିବ । ତା’ର ବାୟବୀୟ ସତ୍ତା ଟିକେ ପବନରେ ମିଶି ମହାଶୂନ୍ୟରେ ଉଡ଼ିବ । ଜଳୀୟ ଅଂଶ ଜଳରେ ଦ୍ରବୀଭୂତ ହୋଇଯିବ । ଶାର୍ଦ୍ଦିକ ଅଂଶଟି ଇତଃସ୍ତତଃ ହୋଇ ଇଥରରେ ଖେଳେଇ ହୋଇଯିବ । ଗୋଟିଗୋଟି କରି ସମସ୍ତ ସତ୍ତା ଲୋପ ପାଇଯିବ । ମଣିଷ ବୋଲି କୌଣସି ଶବ୍ଦ ଅଭିଧାନରେ ରହିବନି । ହୁଏତ ତା’ ସ୍ଥାନରେ ଏକ କିମ୍ଭୂତକିମାକାର ଜୀବନଟିଏ ଆବିର୍ଭାବ ହେବ । ତା’ପାଇଁ ପୁଣି ନୂତନଶବ୍ଦ ଖୋଜାଲୋଡ଼ା ହେବ । ତାକୁ କେନ୍ଦ୍ରକରି ପୁଣି ନୂଆ ସାହିତ୍ୟ, ରାଷ୍ଟ୍ରନୀତି, ସମାଜନୀତି, ଦର୍ଶନ ଲେଖାଯିବ । ଦିଗ୍‌ବଳୟ ସୀମାରେ ଠିଆ ହୋଇଥିବା ରକ୍ତାଭ ମୁଖମଣ୍ଡଳ ଧାରୀ ସେଇ ଭୟଙ୍କର ଜୀବନଟିର ସ୍ୱରୂପକୁ ନିଜ ଆଖିରେ ଦେଖିବି ସାଂପ୍ରତିକ ମଣିଷ ଏମିତି ହାଲୁକା ମନନେଇ ଜୀବନ ବିତେଇବା ଉଚିତ ହେଉନି । ଏକମୁହାଁ ହୋଇ ଧାଇଁବାରେ କୌଣସି ପ୍ରଚ୍ଛନ୍ନ ସତ୍ୟନାହିଁ । ଅନ୍ଧଭାବେ ନିଜ କର୍ତ୍ତୃତ୍ୱ ବିସ୍ତାର କରିବା ମୂଲ୍ୟହୀନ ।

 

ଯେଉଁ ଅସହାୟ ଅବସ୍ଥାରେ ଦାସତ୍ୱ ସ୍ୱୀକାର କରି ମଣିଷ ପ୍ରକାଣ୍ଡ ଗର୍ତ୍ତରେ ପଡ଼ିଛି ସେଥିରୁ ମୁକ୍ତିପାଇଁ ଚେଷ୍ଟା କରିବା ଉଚିତ । ଅନ୍ୟ ଉପାୟ ନପାଇଲେବି କଷ୍ଟକରି ସିଡ଼ିଟିଏ ଯୋଗାଡ଼ କରିବା କଥା । ତା’ପରେ ସମସ୍ତ ଶକ୍ତି ଠୁଳକରି ପାହାଚ ପରେ ପାହାଚ ଟପି ଉଠିବାର ବେଳ । ହୁଏତ ନିଃସଙ୍ଗତା ବନ୍ଧୁପରି ହାତ ମିଳେଇବା ପାଇଁ ଆଗେଇ ଆସିବ । ଆପଣାର ଲୋକପରି ତା’ର ଦାଢ଼ିଭରା ମୁହଁକୁ ଘଷି କେତେ ସୁଖଦୁଃଖ ହେବ । ନିର୍ଜନତାର ଶେଯ ପାରିଦେବ-। ଶୂନ୍ୟରେ ଦୋଳି ବାନ୍ଧିଦେବ । ମହାଶୂନ୍ୟରେ ପରୀମାନଙ୍କୁ ଆଣି ପାଖରେ ଛାଡ଼ି ଦେଇଯିବ-। ଆଉ ଅତି ସ୍ନେହରେ ଗାଲକୁ ଟିକେ ଚିପିଦେଇ କହିବ, ‘ଏଇ ତୋର ଲୋଭନୀୟ ସଂସାର ବାୟା-! ଏଠି ସବୁକିଛି ତୋ’ପାଇଁ ମହଜୁଦ ଅଛି । ଏଠି ବାର୍ତ୍ତା ଅଛି । ବାର୍ତ୍ତାବହ ବି ଅଛନ୍ତି-। ଏକ ଭିନ୍ନ ପୃଥିବୀର ଖସଡ଼ା ତୋ ହାତ ମୁଠାରେ ରହିଛି । ତୁ ଅଣ୍ଟାରେ ଲୁଗାଭିଡ଼ି ସଜବାଜ ହୋଇ ବାହାରିପଡ଼ । ବେଳ ପାଖେଇ ଆସିଲାଣି । ଅଯଥାରେ ଆଉ ବାଉଳି ହୋଇ ଲାଭ କ’ଣ-?

 

ମଣିଷଟି ବୁଝୁଛି, ତା’ ଅବସ୍ଥାର ପ୍ରତ୍ୟକ୍ଷ ଦର୍ଶନ ସେ ନିଜେ । ନିଜେହିଁ ନିଜର ମୁହଁ ଦେଖିବାର ବେଳ ଏ ! ନିଜେ ନାଚିବ, ଗାଇବ, ବଜାଇବ । ନିଜେ ଖେଳାଳି, ନିଜେ ଖେଳ ପଡ଼ିଆ-। ନିଜେବି ଖେଳିବାର ନିର୍ଭରଯୋଗ୍ୟ ଉପକରଣ ।

 

ଧନ୍ୟରେ ବାବା ତୋ ଜୀବନ !

 

ଧନ୍ୟ ତୋର ବଞ୍ଚି ରହିବାର ସାର୍ଥକତା !!

 

ସମୟ ତା’ ବାଟରେ ଗଡ଼ି ଚାଲିଛି ।

 

କେହି ତାକୁ ଅଟକାଇ ପାରିନାହାନ୍ତି । ପାରିବାବି ସହଜ ନୁହଁ । କେତେ ଦଳ ଦଳ ହୋଇ ଆସିଛନ୍ତି । ଭିନ୍ନ ଭାଷାଭାଷୀ, ଭିନ୍ନ ଭିନ୍ନ ଦେଶ ବିଦେଶର ମଣିଷ ଦଳ । ଆସିଛନ୍ତି । ଯାଇଛନ୍ତି । ପୁଣି ହୁଏତ ଆସିବେ । ଯିବେ । ଯିବା ଆସିବା ଚାଲିଥିବ । କାହାରି ଜଣକରବି ଚିହ୍ନବର୍ଣ୍ଣ ରହିବନି । ସମୟ ନିର୍ବିକାର ଭାବେ ସବୁକିଛିକୁ ପାକୁଳି କରି ଚାଲିଯାଉଁଛି ! ସମୟହିଁ ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ।

 

ଗୋଟାଏ ସଭ୍ୟତା, ଗୋଟାଏ ସଂସ୍କୃତି ଦିନ କେଇଟାରେ ହୁ ହୁ ହୋଇ ଗଢ଼ି ଉଠୁଛି । କେତେ ନୂଆ ନୂଆ ସେନାନାୟକ ଆସି ମୁହଁ ଦେଖାଉଛନ୍ତି । ସାପ ଖେଳାଉଛନ୍ତି । ଗୋଟା ଗୋଟା ସୁନ୍ଦର ଲୋଭନୀୟ ଗିନିପିକ୍‌କୁ ଧରି ଆଣି ସାପ ମୁହଁକୁ ଲକ୍ଷ୍ୟ କରି ଫିଙ୍ଗୁଛନ୍ତି । ସାପଟି ଭିଡ଼ିମୋଡ଼ି ହୋଇ ଲାଞ୍ଜ ହଲେଇ ହଲେଇ ଗିନିପିକ୍‌ ଉପରକୁ ଲମ୍ଫ ଦେବା ସମୟରେ ସେନାନାୟକଙ୍କ କଣ୍ଠ ସ୍ୱର ଗମ୍ଭୀର ଶୁଣାଯାଉଛି । କେତେ ଉପଦେଶ, କେତେ ନୂଆ ନୂଆ ତତ୍ତ୍ୱ, ଇଜିମ୍‌, ମନସ୍ତାତ୍ତ୍ୱିକ ବିଶ୍ଳେଷଣର ଆକସ୍ମିକ ସୂତ୍ରପାତ । ଭଙ୍ଗାଗଢ଼ା ଭିତରେ ପାଗଳ ମଣିଷ ସବୁକିଛିକୁ ଆୟତ୍ତ କରି ଗୋଟାଏ ବୁଝାମଣା କରି ନେଉଛି । ରିଜେକ୍‌ସନ୍‌ର ପ୍ରଶ୍ନ ନାହିଁ ।

 

ସବୁ ଦେହସୁହା ହୋଇଯାଉଚି ଆସ୍ତେ ଆସ୍ତେ । ପରସ୍ତ ପରସ୍ତ କରି ଜମାଟ ବାନ୍ଧି ରହିଥିବା ଅନୁଭୂତିରେ କଳ୍ପନାର ସାମାନ୍ୟ ପୁଟ ବୋଳି ମଣିଷ ନିଜ ହାତରେ ଇତିହାସ ଲେଖୁଛି । ଇତିହାସରୁ ଜଣାପଡ଼ୁନି ଯେ ‘ଅମୁକ ସଭ୍ୟତା ଏକ ସ୍ୱର୍ଣ୍ଣଯୁଗର ଅଭ୍ୟୁଦୟ ମାତ୍ର । ସମୁକ ସମ୍ରାଟ ପ୍ରବଳ ପ୍ରତାପୀ ରାଜାଧିରାଜ କଂସାସୁର ।

 

ତା’ପରେ ସବୁ ଓଲଟ ପାଲଟ ।

 

ପ୍ରାସାଦ ଭୁଷୁଡ଼ି ପଡ଼ୁଛି । ପାଚେରୀ ଖଣ୍ଡ ଖଣ୍ଡ ହୋଇ ଟଳି ପଡ଼ୁଛି । ସମୟର ଉଜାଣି ସୁଅ ମୁହଁରେ ଶତ୍ରୁ ମିତ୍ର, ମିତ୍ର ଶତ୍ରୁ ପାଲଟି ଯାଉଛି । କେହି ଜଣେ ବି ତ୍ରିକାଳ-ଜୟୀ ହୋଇ ରହିପାରୁନି । ମଣିଷର ସବୁ ବୁଦ୍ଧି ଜ୍ଞାନ ତାହା ଯେତେ ପରିମାର୍ଜିତ ଓ ପରିବର୍ଦ୍ଧିତ ପରି ମନେହେଲେବି ଏଇତ ଅକାମୀ ହୋଇ ପଡ଼ୁଛି । ସଭ୍ୟତା ଯାଇଚି । ସଂସ୍କୃତି ମରି ହଜି ନିଶ୍ଚିହ୍ନ ହୋଇଯାଉଛି । ଇତିହାସର ପୃଷ୍ଠା ଜରାଜୀର୍ଣ୍ଣ ହୋଇପଡ଼ୁଛି । ସବୁକିଛି ମାଟିତଳେ ପୋତିହୋଇ ମାଟି ପାଲଟି ଯାଉଛି । ସବୁଆଡ଼େ ଜ୍ୟାମିତିକ ସୂତ୍ର ପରି ଖଣ୍ଡ ଖଣ୍ଡ ଫସିଲ ପଡ଼ି ରହିଛି । ହୁଏତ ବହୁ ବର୍ଷ ପରେ ପୁଣି କାହା କାମରେ ଆସିବ । ଭବିଷ୍ୟତ ବଂଶଧରମାନେ ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କ ପରି ସେଇ ଫସିଲ ଖଣ୍ଡ ଭିତରୁ ପୁଣି କିଛି ନୂତନ ସତ୍ୟର ଇସାରା ପାଇଯିବେ । କିଏ କହିବ, ଆଗାମୀ ଦିନର ପୃଥିବୀ କି ରୂପ, କି ରଙ୍ଗରେ ପୁଣିଥରେ ଆସିବ ?

 

ଲୋକଟି ବିବର୍ତ୍ତନ ଧାରାର ସୂତ୍ରକୁ ଷଷ୍ଠ ଶ୍ରେଣୀ ପିଲାଟି ଭୂଗୋଳ ବହିର ପୃଷ୍ଠା ଘୋଷି ମୁଖସ୍ତ କଲାପରି ମନେ ରଖିଛି । ସେଇଥିପାଇଁ ଖୁବ୍‌ ସତର୍କତାର ସହିତ ସେ ନିରପକ୍ଷ ଦ୍ରଷ୍ଟା ହୋଇ ସବୁ ଅନୁଧ୍ୟାନ କରିଛି । ଭାବବିହ୍ୱଳ ଭକ୍ତ ପରି ସେ କେବେ ଖୋଳ ତାଳ ପିଟି ଉନ୍ମତ୍ତ ହୋଇନାହିଁ । କୌଣସି ଭାବନାରେ ଭାବପ୍ରବଣତା ହୋଇ ଭାସି ଯାଇନି । ଅତୀତର ସ୍ମୃତିକୁ ଧରିବାନ୍ଧି ବସିନି । ସ୍ମୃତି ତା’ପାଇଁ ସ୍ମୃତି ହୋଇ ରହିଛି । ସ୍ମୃତିର ଉପଳଖଣ୍ଡ ସାଇତିବାରେ କି ଲାଭ । ଦିନ କେଇଟା ଭିତରେ ସବୁ ହୁଏତ ବିସ୍ମୃତି ଗର୍ଭରେ ଲୀନ ହୋଇଯିବ । ଦର୍ପଣର ପାରଦ ଗୁଣ୍ଡ ଝଡ଼ି ପଡ଼ିବ । ବିକୃତ ଦିଶିବ ଦର୍ପଣରେ ନିଜ ମୁହଁ । କୁତ୍ସିତ ଦିଶିବ ରୂପର ପ୍ରତିଛବି ।

 

ଏ ସବୁ କଥାରେ ଏତେଟା ଗୁରୁତ୍ୱ ଦେବା ବୋକାମି ।

 

ଅତୀତର ବନ୍ଦନା ବା ଅତୀତ ପାଇଁ ଅନୁଶୋଚନା କୌଣସିଟା ଶୋଭନୀୟ ନୁହେଁ । ବହୁ ପଛରେ ଛାଡ଼ି ଆସିଥିବା ସେଇ ଖଣ୍ଡିଆ ଖାବରା ମାଇଲ ଖୁଣ୍ଟିଟିକୁ ଅନେଇ ଦେଖିବା ଭୀରୁତା-। ଆମେ ବିଜ୍ଞାନୀ କୈବର୍ତ୍ତ । ଗୋଟାଏ ପାଦ ପୃଥିବୀରେ ଓ ଅନ୍ୟଟି ଅନ୍ୟ କେଉଁ ଉପଗ୍ରହରେ ରଖି ଆମେ ସ୍ଫୁଟନିକ୍‌ ଗତିରେ ଆଗେଇ ଚାଲିଛୁ । ଯାହା ଆମ ପଛରେ ରହିଗଲା, ଆମ ଗତି ସହିତ ଗତି ମିଳେଇ ଚାଲି ନପାରିଲା, ତାହା ସେମିତି ପଛରେ ପଡ଼ି ରହିଥିବ । ପଛରେ ଛାଡ଼ି ଆସିଥିବା ସ୍ମୃତିର କବର ଉପରେ କ୍ଷୀଣ ମହମବତୀଟିଏ ଜଳେଇ ନୀରବରେ ଦୁଇ ଆଣ୍ଠୁମାଡ଼ି ବସି ଲୁହ ଗଡ଼େଇବାରେ କି ଲାଭ ?

 

ଏମିତି ଅଯଥାରେ ପଛ କଥା ମନେ ପକାଇ, କୌଣସି ଯୁକ୍ତି ନଥାଇ ସେ ସବୁକୁ ଧରି ବସି ଆମେ ଅନେକ ଦିନ ବୋକାମିର ମଶାଲ ଏଠି ଟେକି ଧରିଛୁ । ଆମେ ବିଜ୍ଞ ପଣ୍ଡିତ ବୋଲି ଅନ୍ୟ ଆଗେ ଦାବି କରି ବସିଛୁ । ଆମ ସଂସ୍କୃତିର ଗୁପ୍ତ ସିନ୍ଦୁକ ସମ୍ପର୍କରେ ହୋ-ହଲ୍ଲା ସୃଷ୍ଟି କରିଛୁ । ଆମ ଅନ୍ଧାର ଘରେ ମିଛିମିଛିକା ଆଲୁଅର ରୋଷଣି ଜାଳିଛୁ । ମୋତିମାଳାରେ ଲମ୍ବାଇ ବୃଦ୍ଧ ମର୍କଟ ପରି କେତେ ମନକୁ ମନ ନାଚିଛୁ ।

 

ଆମ ଆଗରୁ ଯେଉଁମାନେ ଧାଡ଼ି ବାନ୍ଧି ବସିଥିଲେ, ପିଟାପିଟି ହେଉଥିଲେ ସେମାନେ ସବୁ କୁଆଡ଼େ ହଜି ଗଲେଣି । ତାଙ୍କ ଚେହେରା କ୍ରମଶଃ ଆମ ମନର କଳାପଟାରୁ ଲିଭିଗଲାଣି । ନୂଆ ଅଙ୍କ ମାଷ୍ଟ୍ରେ ଆସି ନୂଆ ସୂତ୍ର ବତେଇଲେଣି । ସେମାନଙ୍କୁ ଆମେ ମନେ ରଖି ପାରିନୁ । ଆମକୁ ବି କେହିଁ ମନେ ରଖିବେନି । ଆମେ ଆମ ସଭିଙ୍କୁ ଏମିତି ଗୋଟି ଗୋଟି କରି ଭୁଲିଯିବା । ତା’ପରେ ଶୂନ୍ୟର ବୃତ୍ତରେ ଖାଲି ଘୂରି ବୁଲୁଥିବା । କେହି କାହାକୁ ଆଉ ଚିହ୍ନି ପାରିବେନି । ମନଦେଇ ଭଲପାଇ ପାରିବେନି । ନିକଟରେ ଥାଇବି ଆମ ଭିତରର ଦୂରତା ବହୁତ ବେଶୀ ବଢ଼ିଯିବ । ଆମେସବୁ ସତେ କି ଅଶରୀରୀ ପାଲଟି ଯିବା । ଭୂତ, ପ୍ରେତ, ଚାମଡ଼ା ଚିଗୁଣୀ ହୋଇଯିବା । ଅଥଚ ଆମ ଘୋଡ଼ା ଦୌଡ଼ା କଥା କେହି ଜାଣିବେନି ।

 

କେହି ଜାଣିବନି ଆମର ମନ୍ଦିର ଗଢ଼ିବା କଥା । କେତେ ରକ୍ତ ସମୁଦ୍ରରେ ଇଡ଼ିଗଲା । କେତେ ନିଃଶ୍ୱାସ ପବନରେ ମିଳାଇଗଲା । କେତେ ମନ ଅକାରଣରେ ଉଜୁଡ଼ି ଗଲା । ତା’ର ହିସାବ କେହି ରଖିବେନି । ସବୁ ନଥିପତ୍ର ପୋକଖିଆ ହୋଇଯିବ । ବର୍ଷ କେତୋଟି ପାଇଁ ଆମକୁ ଦଳେ ଝୁରିହୋଇ ଉଚ୍ଚାଟ ସ୍ୱରରେ ହୁଏତ କୁହାଟ ଛାଡ଼ିବେ । ଆମ ନାମାବଳି ଗଳାରେ ବାନ୍ଧି ଉନ୍ମାଦ ହେବେ । ଆମକୁ ସବୁଦିନ ପାଇଁ ବଞ୍ଚେଇ ରଖିବା ଭଳି କାମଗୁଡ଼ିକୁ ରାତାରାତି ହାତକୁ ନେବେ । କିନ୍ତୁ ତା’ ଯେ ଆଦୌ ଚିରସ୍ଥାୟୀ ନୁହେଁ ସେମିତି ଜାଣିବା କ’ଣ ଉଚିତ ନୁହେଁ । ବର୍ଷ କେଇଟା ପରେ ସବୁ ମହଳଣ ଦିଶିବ । ସବୁକଥାରୁ ମନ ଛାଡ଼ିଯିବ । ବୈରାଗ୍ୟଭାବ ଦେହ ଓ ମନର ଶୀରାରେ ଚରିଯିବ ।

 

ଶତଭିଷାକୁ ଡାକିବାକୁ ପଡ଼ିବନି । ପାନୀୟର ଆବଶ୍ୟକ ହେବନି । ଉତ୍ତେଜନାରେ ଅଙ୍ଗ ଅବୟବ ଥରିବନି । ସବୁ ବରଫ ପାଲଟିଯିବ । ରତିର ଇତି ହେବ । ପ୍ରୀତିର ମୃତ୍ୟୁ ହେବ ।

 

ଆଉ ରୋମନ୍ଥନ ନହେଉ ଅତୀତର । କ୍ରିୟମାଣ କର୍ମ ସକଳର ପୁନରାବୃତ୍ତିରେ ସତ୍ୟ ପ୍ରତିଷ୍ଠା ହୋଇ ପାରିବନି । ଏହା ବହୁଥର ଏଠି ପ୍ରମାଣିତ ହୋଇଗଲାଣି । ସତ୍ୟ ଏକ ସହଜ ସରଳ ଘଟଣା ନୁହେଁ କି ? ଏଥିରେ ରଙ୍ଗବୋଳି, ତୂଳୀ ପକାଇ ଏହାର ସ୍ୱାତନ୍ତ୍ର୍ୟକୁ ନଷ୍ଟକରି କୃତ୍ରିମ ଉପାୟରେ ଏହାକୁ ଦେଖାଇବାରେ କି ଯୁକ୍ତି ।

 

ସତ୍ୟକୁ ବୁଝିବାକୁ ହେଲେ ସତ୍ୟର ସ୍ୱରୂପ ଜାଣିବାକୁ ହେବ । ଆଖି ମେଲାକରି ବସିବାକୁ ପଡ଼ିବ । ସତର୍କତାର ସହିତ ଏହାର ଅନୁଧାବନ କଲେ ଏହା ନିଶ୍ଚୟ ହାତମୁଠାରେ ଧରା ପଡ଼ିଯିବ । ଆପେ ଆପେ ହୃଦୟର କେଉଁ ନିର୍ଜ୍ଜନ କୋଠରୀରୁ ଝରକାଖୋଲି ଏହା ଆସିଯିବ ଅମାୟିକ ଭାବେ ଧୋତିପିନ୍ଧା ଭଦ୍ରଲୋକଟିଏ ପରି । ଏହାର ଆସିବା ଯିବାରେ କୌଣସି ନିର୍ଦ୍ଦିଷ୍ଟ ସମୟ, ଦିନ, ତାରିଖ, ଠିକଣା ବା’ ଦଣ୍ଡ ଧାର୍ଯ୍ୟ ହୋଇ ପାରିବନି ।

 

ସତ୍ୟ ଏପରି ଏକ ଘଟଣା ଯାହାକୁ ଭଲକରି ବୁଝିବାପାଇଁ, ଉତ୍ତମ ଶବ୍ଦ ସଂଯୋଜନା ଏଯାଏଁ ହୋଇ ପାରିନି । ଶବ୍ଦର ବିସ୍ଫୋରଣରେ ସତ୍ୟର ଅସଲ ରୂପ ଫିକା ପଡ଼ିଯାଇଛି । କଳଙ୍କ ଲାଗିଯାଇଛି ଦେହରେ । ସାଧ୍ୟମତେ ସବୁ କଳଙ୍କକୁ ଛଡ଼େଇବାକୁ ପଡ଼ିବ । ଘଷିମାଜି ଏହାର ଅସଲ ଚେହେରା ଫିଟାଇବାକୁ ପଡ଼ିବ । ଏଥିପାଇଁ ସବୁବେଳେ ହୁସିଆର ରହିବାକୁ ହେବ । ମୁହୂର୍ତ୍ତଟିଏ ଯେପରି ଖସି ନଯାଏ ଅକାରଣରେ । ସେଥିପ୍ରତି ଯଥେଷ୍ଟ ସାବଧାନ ହେବାକୁ ହେବ ।

 

ସୁତରାଂ ଅତୀତର ସ୍ମୃତି ଆଉ ଅଧିକ ରୋମନ୍ଥନ ନହେବା ଉଚିତ । ପୁନରାବୃତ୍ତିରେ ସତ୍ୟ ପ୍ରତିଷ୍ଠା ହୋଇ ପାରେନି । ସତ୍ୟ ଏକ ସହଜ ସରଳ ସୂତ୍ର । ଏହା ସ୍ୱତଃପ୍ରବୃତ୍ତ ହୋଇ ହୃଦୟର କେଉଁ ନିଭୃତ ରୁଦ୍ଧଦ୍ୱାରର ଝରକା ଖୋଲି ଆସିବା କଥା । ଲୋକଟିର ନିଜ ଉପରେ ଥିବା ଅଖଣ୍ଡ ବିଶ୍ୱାସ ଯୋଗୁହିଁ ସତ୍ୟପରି କ’ଣ ଏକ ମହନୀୟ ମୁଲାୟମ୍‌ ବସ୍ତୁ ତା’ ହାତ ପାଆନ୍ତାରେ ସଚରାଚର ଘୂରି ବୁଲୁଥିବାର ଦୃଶ୍ୟ ସେ ଅନେକଥର ନିରୋଳାରେ ସାବଧାନତା ସହ ଲକ୍ଷ୍ୟ କରିଛି । ଅତୀତକୁ ମନେ ପକାଇବାକୁ ଚେଷ୍ଟା ନକରି ବି ସେ ବେଶ୍‌ ନିଶ୍ଚିନ୍ତରେ ବଞ୍ଚି ପାରିଛି । ଅତୀତକୁ ମୁହୂର୍ତ୍ତଟିଏ ପାଇଁ ମନେ ପକାଇବା ଅର୍ଥ ଗୋଟିଏ ପାଦ ପଛକୁ ବଙ୍କେଇବା ବଢ଼େଇବା ବୋଝବୁହା ବଳଦ ପରି ଧୀର ମନ୍ଥର ଗତିରେ ଚାଲିବା ବ୍ୟତୀତ ଅନ୍ୟଗତି ନାହଁ ।

 

ଲୋକଟି ଏକ ବ୍ୟତିତ୍ରମ ।

 

ଗୋଟି ଗୋଟି କରି କେତେ ଯେ ମାଇଲଖୁଣ୍ଟି ଛାଡ଼ି ଦେଇ ଆସିଛି । ପାହାଚ ପାହାଚ ଟପି କେତେ ଯେ ପାହାଚ ସେ ଉପରକୁ ଉଠିଲାଣି । ଆହୁରି ଉପରକୁ ଉଠିବାକୁ ତା’ ଇଚ୍ଛା । ଗୋଟିଏ ପାହାଚ ଟପି ଅନ୍ୟ ଏକ ପାହାଚ ଉପରକୁ ଉଠିଲାବେଳେ ସେ ଯଥେଷ୍ଟ ଶକ୍ତି ଓ ସାହାସ ସଞ୍ଚୟ କରି ଶିଖିଛି । ସେଇଥିପାଇଁ ସେ ଏକମୁହାଁ ହୋଇ ଧାଇଁଛି । ତା’ ସାଥିରେ ଯେଉଁମାନେ ଯାତ୍ରାରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଧାବାଟରେ ପଡ଼ି ରହିଲେଣି । କ୍ଷତ ବିକ୍ଷତ ହୋଇ ରକ୍ତାକ୍ତ ହେଲେଣି । ଲୋକଟି କିନ୍ତୁ ତା’ର ଆତ୍ମୀୟସ୍ୱଜନଙ୍କୁ, ଦେଖଣାହାରୀଙ୍କୁ ଚେତାବନୀ ଶୁଣେଇ ଦେଇଛି ଯେ ସେ ପଛକୁ ଫେରି ଚାହିଁବା ମଣିଷ ନୁହେଁ । ପଛକୁ ଅନେଇ କେହି କେବେ ଜୀବନରେ ଗଡ଼ଜୟ କରିନି । ଇତିହାସ କାହାପାଇଁ ବି ଲେଖା ଯାଇନି । ସମସ୍ତେ ଠକିଛନ୍ତି । ପଛକୁ ଅନେଇବା ଯେତିକି ବିରକ୍ତିକର ଓ ଶ୍ରୁତିକଟୁ, ଆଗକୁ......ବହୁ ଆଗକୁ ଚାହିଁବା ମଧ୍ୟ ସେତିକି ପ୍ରମାଦପୂର୍ଣ୍ଣ । ବହୁ ଦୂରର ବସ୍ତୁସକଳ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବାକୁ ହେଲେ ତୀକ୍ଷ୍ମ ଦୃଷ୍ଟିଶକ୍ତିର ଆବଶ୍ୟକ । ଆଖିର ଡୋଳା ଦୁଇଟିକୁ ଯେତେଦୂର ସମ୍ଭବ ସଂପ୍ରସାରଣ କରିବାକୁ ହେବ । ତା’ହେଲେ ସବୁ ଅସ୍ପଷ୍ଟ, ଛାଇଛାଇଆ ଦିଶିବ । ହୁଏତ ବିଜ୍ଞାନର ଆଶ୍ରୟ ନେଇ ଯନ୍ତ୍ରଟିଏ ମିଳିଯାଇ ପାରେ । କିନ୍ତୁ ସେଥିରେ କ’ଣ ବିପଦ ନାହିଁ ? ଯାନ୍ତ୍ରିକ ଇଞ୍ଜିନ୍‌ ହଠାତ୍‌ ଅଚଳ ହୋଇଗଲେ ସବୁ ଶେଷ । ମହାଶୂନ୍ୟରେ ସତ୍ତା ଟିକକ ବିଲୀନ ହୋଇଯିବ । ସୁତରାଂ ଦେଖି ନପାରୁଥିବା ବସ୍ତୁକୁ ଦେଖିବାପାଇଁ ଜିଦ୍‌ ଧରି ବସିଲେ ଯନ୍ତ୍ରଣାହିଁ ବଢ଼ିବ । ସ୍ନାୟୁ ଦୁର୍ବଳ ହେବ । ରକ୍ତ କୋଷରେ ଉତ୍ତେଜନା ସୃଷ୍ଟିହେବ । ଅନେକ କିଛି ଭୁସ୍‌ଭାସ୍‌, ପରସ୍ପର ଦେହରେ ପିଟି ହୋଇ ଯିବାର ଶବ୍ଦ, ବିସ୍ଫୋରଣ ! କୋଠରୀ ପରେ କୋଠରୀ ଡେଇଁ ଗୁଡ଼ାଏ ଖାମ୍‌ଖିଆଲ ଭାବନା ପ୍ରଧାନ କୋଠରୀର ଦ୍ୱାର ଖୋଲି ବଳାତ୍କାରେ ପଶି ଆସିବ । ଭାରାକ୍ରାନ୍ତ ହୋଇଯିବ ମନ ଅବୟବ-। ଫୁଲଟିଏ ପରି ଆଉ ହାଲୁକା ଲାଗିବନି ଅଙ୍ଗଲତା । ପଥର ଚାପି ହୋଇଯିବା ପରି ମନେହେବ-। ଗତି ମୁଖର ହୋଇ ଉଠିବ ଇନ୍ଦ୍ରିୟସକଳ । ଆଶୁ ବିପଦର ଝଣ୍‌ଝଣ୍‌ ଆଓ୍ୱାଜରେ କୋକୁଆ ଭୟ ଖେଳିଯିବ ସମଗ୍ର ଇଲାକାରେ ।

 

ବୋମାପରି ଫାଟି ପଡ଼ୁଥିବା ଲୋକଟିର ବିଚ୍ଛୁରିତ ଅଗ୍ନିକଣିକାରେ କେତେ ଅହଂତା ଭରି ରହିଚି, କେତେ ଆଦର୍ଶକୁ ସେ ନିର୍ମମ ଭାବେ ହତ୍ୟା କରିଛି । ଅନାବଶ୍ୟକ ଜୀବନର କେତେ ଆଜେବାଜେ ଫସିଲ ଖଣ୍ଡକୁ ମାଇକ୍ରୋସ୍କୋପିକ୍‌ ଉପାୟରେ କାଢ଼ି ଦେଖାଇ ଦେଇଚି ଯେ ସମସ୍ତ ବିଶ୍ୱବ୍ରହ୍ମାଣ୍ଡ ଏକ ପୂତିଗନ୍ଧମୟ ଡହକ ନର୍କ । ସେ ନର୍କର ସର୍ବଶ୍ରେଷ୍ଠ ଜୀବରୂପେ ହୁକୁମ ଜାହିର୍‌ କରୁଥିବା ଦୁଇ ଗୋଡ଼ିଆ ଆତ୍ମସଚେତନ ପଶୁଟି ସାମ୍ରାଜ୍ୟ ନଥିବା ଏକ ମୁକୁଟହୀନ ସମ୍ରାଟ ଓ ତା’ର ଗୋଲାମଗିରୀ କରୁଥିବା ଯାବତୀୟ ଭୌତିକ ବସ୍ତୁସକଳ କ୍ଷୟିଷ୍ଣୁ । ଏପରି ଏକ ଉଗ୍ର ମତବାଦର ପୃଷ୍ଠପୋଷକ କରି ଧାଉଁଥିବା ଅବର୍ଜିଆ ଲୋକଟି କୌଣସି ସ୍ୱାର୍ଥ ସହିତ ଜଡ଼ିତ ନରହି କୌଣସି ସଂସ୍ଥା ସହିତ ନିଜକୁ ସାମିଲ ନକରି, ନିରପେକ୍ଷ ଭାବେ ନିଜର ନିର୍ଭୀକ ମତ ପୋଷଣ କରିଛି ।

 

ତା’ର ଆକସ୍ମିକ ଆବିର୍ଭାବ ଓ ଭୟାନକ ବିସ୍ଫୋରଣରେ କୋକୁଆ ଭୟ ଖେଳି ଯାଇଥିବା ତା’ର ସମଧର୍ମୀମାନଙ୍କ ମନ ରାଜ୍ୟରେ ଖୁନ୍ଦି ହୋଇ ରହିଚି ଅଭୂତପୂର୍ବ ଘୃଣା । ଈର୍ଷାରେ ଅନ୍ଧ ହୋଇ ସଭିଏଁ ତା’ ନାଁରେ ପୋଷ୍ଟାର ମାରିଛନ୍ତି । ସ୍ଳୋଗାନ ଦେଇଛନ୍ତି । ତା’ ପଛେ ପଛେ ନାଇଁ ନଥିବା ଏକ ଅତିକାୟ ଶୋଭାଯାତ୍ରା ଆରମ୍ଭ କରି ଦେଇଛନ୍ତି । ସତେ ଯେମିତି କେଉଁ ନୈସର୍ଗିକ ଅଲୌକିକ ଗ୍ରହ ଉପଗ୍ରହରୁ ଛିଟିକି ଆସିଚି ଲୋକଟି, ଶଳାଙ୍କୁ ଟିକିଏ ବ୍ରହ୍ମଜ୍ଞାନ ଶିଖେଇବାକୁ । ତିନିଶ କୋଟି ଲୋକଙ୍କୁ ଭଲକରି ନିର୍ଭୁଲ ଭାବେ ବୁଝେଇ ଦେବାକୁ ଯେ ଜୀବନ ଏକ ବିରାଟ ଭ୍ରମର ଜରାୟୁ ଓ ସେ ଜରାୟୁରୁ ଜନ୍ମ ନେଇଥିବା ସମସ୍ତ ଭ୍ରୂଣ ମହାଭ୍ରମର ଏକ ଅଂଶ ବିଶେଷ । ଧରାଯାଉ, ଲୋକଟି ସେଇ ଅତିନ୍ଦ୍ରିୟ ରାଜ୍ୟରୁ ଚାଲି ଆସିଚି ଭୁଲ୍‌ବଶତଃ ବାଟବଣା ହୋଇ ଏଇ ପୃଥିବୀକୁ ଯେଉଁଠି ଶୂନ୍ୟରେ ହସିହସି ବାଗୁଡ଼ି ଖେଳିହୁଏ, ଦୋଳିରେ ଝୁଲିହୁଏ, ନଈ ପହଁରି ହୁଏ ବିନା କ୍ଳାନ୍ତିରେ । ଅସୀମର ସତ୍ତାକୁ ମାପିହୁଏ । ଐଶ୍ୱରିକ ସୁଖ ବୋଲି କିଛି ଗୋଟାଏ ନିର୍ଦ୍ଦିଷ୍ଟ ଜିନିଷ ନାଇଁ ବୋଲି ଯୁକ୍ତି କରି ବୁଝେଇ ଦେଇହୁଏ । ଯେଉଁଠି ଗଛଲତା, ପଶୁପକ୍ଷୀ, ପାହାଡ଼, ଝରଣା, ବରଫ ସ୍ତୁପ ଓ ପ୍ରତ୍ୟେକଟି ଜୀବକୋଷରୁ ଈଶ୍ୱର ସତ୍ତାର ସୂକ୍ଷ୍ମ ଆଭାସ ମିଳିଥାଏ ।

 

ସେଇ ସୁପର୍‌ ପ୍ଲାନେଟ୍‌ର ପୂର୍ଣ୍ଣାଙ୍ଗ ଲୋକଟିଏ । ଈର୍ଷା, ଭୟ, ଘୃଣା, ଅହନ୍ତା ବୋଲି କିଛି ଜାଣିନାଇଁ ବିଚାରା ! ସମୁଦାୟ ପୃଥିବୀକୁ ନିଜର ଘର ବୋଲି ଭାବି ସମସ୍ତ ଭୌଗୋଳିକ ସୀମା ସରହଦ ଲଙ୍ଘନ କରି ସେ ଘୂରି ବୁଲିଚି ଓ ମାନବ ଜାତିକୁ ପ୍ରେମକରି ଶିଖିଚି । ଲୋକଟିର ମସ୍ତିଷ୍କରେ ଖଞ୍ଜାଯାଇଛି ବହୁ ଶକ୍ତିଶାଳୀ ଏକ ଇଲେକ୍ଟ୍ରୋନିକ କମ୍ପ୍ୟୁଟର । ଯେଉଁଥିପାଇଁ ତା’ର ଚିନ୍ତା ତା’ର ଚେତନା ତା’ର ଅନୁସନ୍ଧିତ୍ସା ସବୁ ଏ ବିଶ୍ୱର ପ୍ରତ୍ୟେକଟି ଜୀବକୋଷରୁ ପୃଥକ୍‌ । ସୁପିରିଅର୍‌ । ସୁପର୍‌ ପ୍ଲାନେଟର ସମସ୍ତ ସମ୍ଭୋଗ, ମଉଜମଜ୍‌ଲିସ୍‌, ସବୁ ଆଡ୍‍ଡାକୁ କିକ୍‌ମାରି ଇଚ୍ଛାକୃତଭାବେ ଦୁଃଖଯନ୍ତ୍ରଣାର, ହସକାନ୍ଦର ପୃଥିବୀକୁ ନିଜର ଚାରଣଭୂମି ରୂପେ ବାଛିନେଇ ଲୋକଟି ଧାଇଁ ଆସିଥିଲା କିଛି ଗୋଟାଏ ମହନୀୟ କାମ ଜୀବନରେ କରି ପକାଇବାକୁ ।

 

ଅସଜଡ଼ା ପୃଥିବୀକୁ ସଜେଇ ଦେଇଯିବ । ପ୍ରଥମ ଧାଡ଼ିରେ ନିମନ୍ତ୍ରିତ ଅତିଥିପରି ବେକରେ ଗଜରାହାର ପକାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରୁଥିବା ଭଳି ଅଭିନୟ କରିବାକୁ ସେ ମନକରି ନଥିଲା ବା’ ପରିତ୍ରାଣୟାଂ ସାଧୁନାଂ ନୀତିରେ ଏ ବିଶ୍ୱବ୍ରହ୍ମାଣ୍ଡକୁ ସର୍ବଗ୍ରାସୀ ପ୍ରଳୟ ମୁହଁରୁ ଉଦ୍ଧାର କରିବାପାଇଁ ମହାପୁରୁଷ ସାଜିବାକୁ ମନବଳାଇ ନଥିଲା । ଅନୁରକ୍ତ ଭକ୍ତପରି ହଜାର ହଜାର ମଲାଙ୍ଗମାନଙ୍କୁ ତା’ ନିଜ ଧର୍ମରେ ଦୀକ୍ଷିତ୍‌ କରିବାକୁ ଚାହିଁନଥିଲା ।

 

ଦୁର୍ଭାଗ୍ୟକୁ ତା’ର ଭୂମିକା ଏଠି ଅନ୍ୟରକମ ହୋଇଥିଲା । କେତେକ ତା’ର ପ୍ରତ୍ୟକ୍ଷ ବୁଦ୍ଧିକୁ ତାରିଫ୍‌କରି, ତା’ କଥାରେ ବାୟାହୋଇ ତା’ ପଛେ ପଛେ ଜୋକପରି ଲାଗି ରହିଥିଲେ । ତା’ର ପୂଜ୍ୟ ନାମାବଳି ଗଳାରେ ଝୁଲାଇ ସାଇ ସାଇ ଘୂରି ବୁଲୁଥିଲେ । ତା’ ଫଟୋ ମୁଣ୍ଡଉପରେ ପୂଜା କଲେ । ତା’ ନାଁରେ ସଂସ୍ଥା ଗଢ଼ିଲେ । ତା’ର ମୁଖ ନିଃସୃତ ବାଣୀକୁ ଗ୍ରନ୍ଥାକାରରେ ପ୍ରକାଶ କରି ଅଜ୍ଞମାନଙ୍କୁ ବିମୁଗ୍ଧ କରିଦେଲେ । ସେ ଯେ ଗୋଟାଏ ମସ୍ତବଡ଼, ‘ରିଫରମିଷ୍ଟ’ । ଏକ ବିରାଟ ‘ରିସ୍କ’ ହାତକୁ ନେଇଛି । ଗୋଟାଏ ମସ୍ତବଡ଼ ଚାଲେଞ୍ଜର ମୁହାଁମୁହିଁ ହୋଇ ସବୁକିଛି ଓଲଟ ପାଲଟ କରିଦେବ ଆଖି ପିଛୁଡ଼ାକେ । ଦଳଦଳ ହୋଇ ସେଇ କଥାକୁ ବନେଇ ଚୁନେଇ କହି ବୁଲିଲେ । ତା’ ନାଁରେ ପାର୍ଟି ଗଢ଼ାଗଲା । ତାକୁ ଗୋବର ଗଣେଷ ପରି ଖଟୁଲିରେ ବସାଇ ନିଜ ନିଜର କାଢ଼ୁଆପଣ ଦେଖାଇ ହେଲେ । ଅନ୍ୟ ପକ୍ଷର ଲୋକଙ୍କୁ ପ୍ରଶ୍ନବାଣରେ ଜର୍ଜ୍ଜରିତ କରି ପକାଇଲେ । ନୂଆ ମଣିଷର ନୂଆ କଥାକୁ ନୂଆ ଢଙ୍ଗରେ ରୂପଦେଇ ନିଜର ବୌଦ୍ଧିକତାରେ ଡିଣ୍ଡିମ ପିଟି ବସିଲେ । ଜାଣିବାବାଲାଏ ପାଟି ନ ଫିଟେଇ ନିଜର ଇଜତ ମହତ ଜଗିରଖି ଚୁପ୍‌ ହୋଇଗଲେ । ଆଉ ନ ଜାଣିବା ବାଲା ଖୁବ୍‌ ସତର୍କତାର ସହିତ ଅପେକ୍ଷା କରି ରହିଲେ କ’ଣ ଘଟୁଛି ବା’ ନିକଟ ଭବିଷ୍ୟତରେ ଘଟିବାକୁ ଯାଉଛି ଦେଖିବାକୁ ।

 

ଅନେକ ସମୟରେ ଲୋକଟିର ମନ ଅକାରଣରେ ଫିକା ପଡ଼ିଥାଏ । ସବୁଜ ପୃଥିବୀ ତା’ ଆଖି ଆଗରେ ରୂପ ବଦଳେଇ ଧୂସର ଦିଶେ । ଫିକା ଦିଗ୍‌ବଳୟକୁ ଚାହିଁ ସେ ଦୀର୍ଘଶ୍ୱାସ ଛାଡ଼େ । ରାସ୍ତା ଉପରର ମଣିଷମାନଙ୍କର ଶେଥା ମୁହଁକୁ ନିରେଖି ଦେଖେ । କି ଦାରୁଣ ଯନ୍ତ୍ରଣାରେ ସେମାନଙ୍କ ମୁହଁ ଝାଉଁଳି ପଡ଼ିଚି, ଆହାଃ ! ମାଇଲ୍‌ ମାଇଲ୍‌ ଧରି କଙ୍କାଳମାନଙ୍କର ନୀରବ ଶୋଭାଯାତ୍ରା ! ହଲ୍‌ଚଲ୍‌ ହବାକୁ ନାଇଁ । କାହାକୁ କେହି ବୁଝିବାକୁ, ଜାଣିବାକୁ ପ୍ରସ୍ତୁତ ନୁହନ୍ତି । ସବୁଠି ବ୍ୟବଧାନ ଅନେକ ବେଶୀ ଖାପ୍‌ଛଡ଼ା ଭାବ । ଆହାଃ, କେଉଁ ଅପଦେବତାର ଶାପ ପାଇ ଜନ୍ମନେଇଛି ଏ ଜାତି ? ଡରିଡରି, ଥରି, ଥରି ଭଲକୁ ଭେଲକରି, ସିଧାସଳଖ ରାସ୍ତାଭୁଲି ଅରମା ଅସନା ବଙ୍କାଢଙ୍କା ରାସ୍ତାରେ ଧାଉଁଚି ! କୋଉଥିପାଇଁ ଚିନ୍ତା ନାହିଁକି ଦକ ନାହିଁ । ମୃତ୍ୟୁର ଶୀତଳ ହାତ ଲମ୍ବି ଲମ୍ବି ଆସୁଥିବା କଥା ସେ ଜାଣେ । ସେଇଥି ପାଇଁତ ବର୍ତ୍ତମାନକୁ କଲବଲ କରି ହତ୍ୟା କରୁଛି ନିଜ ହାତରେ । ସେ ଜାଣେ, କାଳ କ୍ଷଣ କ୍ଷଣ କରି ମିଶିଯିବ ମହାକାଳ ଗର୍ଭରେ । ତା’ପରେ ସବୁ ଶେଷ । ପ୍ରେକ୍ଷାଳୟ ଶୂନଶାନ୍‌ । ଯବନିକା ପତ୍ତନ । ତଥାପି ମଣିଷର ପରଓ୍ୱା ନାହିଁ ।

 

ତା’ରି ଆଖି ଆଗରେ କେତେ ଟଳି ପଡ଼ୁଛନ୍ତି । ଫୁଟ୍‌କି ମାରିଲାପରି ଆଖି ପିଛୁଡ଼ାକେ । ମାଟି କାମୁଡ଼ି ପଡ଼ୁଛନ୍ତି, ପୁଣି ଗାଣ୍ଠେ ଆସୁଛନ୍ତି । ନୂଆ ନୂଆ ମୁହଁ । ଚହଟ ଚିକ୍‌କଣ ଚେହେରା । ଥିଲାବାଲା ଘରର ପିଲେ ଏମାନେ । ଗଲାବାଲାଙ୍କ ପାଇଁ ଏମାନଙ୍କର ଚିନ୍ତା ନାହିଁ । ଦକ ନାହିଁ । ଅନୁତାପ ନାଇଁ । ସମୟ ଗଡ଼ି ଚାଲିଛି । ଡାଏରି ପୂରୁ ନାହିଁ । ସବୁ ବିକଳ ଦୃଶ୍ୟକୁ ଗୋଇଠାମାରି ପଛକରି ମୁହଁ ଆଡ଼େଇ ମଣିଷ ଚାଲିଛି । ସବୁ ଯେମିତି ଖାଲି ସ୍ଥିତି ପାଇଁ । ସ୍ଥିତିହିଁ ଜୀବନ । କୋଉ ଶଳାଏ ଏ ମହାନ୍‌ ତତ୍ତ୍ୱ ଶିଖେଇ ଦେଇଗଲେ ! ଶଳେ ସବୁ ଚୋର । ଚୋରଙ୍କ ବଡ଼ବାପ ଏମାନେ-। ନିଜ ଜୀବଦଶାରେ ବେଶ୍‌ କିଛି ନାଁ କମେଇ ଚିତାକାଟି ଗଲେ ।

 

ଲୋକଟିର ମନ ହେଉଥିଲା ଲୁଚିଛପି ଯାଇ ବଳବୁଦ୍ଧି ପ୍ରୟୋଗ କରି ସେଇ ସନ୍ତ୍ରାସବାଦୀଙ୍କ ତମ୍ୱୁ ଉପରେ କୁଢ଼ କୁଢ଼ ବୋମା ଅଜାଡ଼ି ଦେଇଥାଆନ୍ତା । ସବୁ ହିପୋକ୍ରେଟଙ୍କର ଆଖଡ଼ା ଭାଙ୍ଗିଯାଆନ୍ତା । କେତେ ବଡ଼ ବଡ଼ କଥା ଶୁଣାଉଥିଲେ ଛୋଟ ମୁହଁରେ, ଶଳେ ନିଜେ ବୁଝିପାରନ୍ତେ । ସତକୁ ସତ ଯଦି ମଣିଷ ବଞ୍ଚିଯାଇ ଥାଆନ୍ତା, ଅନ୍ଧାରରେ ବାଡ଼ି ବୁଲାଉ ବୁଲାଉ କାହା ଦେହରେ ବାଜି ଯାଇଥାନ୍ତା ବା କିଛି ଗୋଟାଏ ଟାଣ କରି ଧରିପାରିଥାନ୍ତା ତା’ହେଲେ ଆଜି ଆଉ ଅନୁଶୋଚନାର ପ୍ରଶ୍ନ ଉଠନ୍ତା ନାହିଁ । ସେମାନଙ୍କ କଥାରେ ବିଶ୍ୱାସ କରି, ସତେ ଯେମିତି ଲୁଚି ରହିଥିବା ବହୁ ମୂଲ୍ୟବାନ ପୁସ୍ତକରୁ କେଇ ଫର୍ଦ୍ଦ ସେମାନେ କାଢ଼ି ପୃଥିବୀବାସୀଙ୍କୁ ପଢ଼ି ଶୁଣେଇ ଦେଇଛନ୍ତି । ବହୁ ଗର୍ଜନତର୍ଜନ ଛାଡ଼ି ମଣିଷ କେତେ ଛାଟିପିଟି ହୋଇଚି । ବହୁଦିନର ସଂସ୍କୃତି, ପରମ୍ପରା, ପ୍ରଥା ପଦ୍ଧତିକୁ ଛାଡ଼ି, ଅସାରବୋଲି ପ୍ରମାଣିତ କରି ସତ୍ୟର ନୂତନ ଶିଳାନ୍ୟାସ କରିବାରେ କି ଲାଭ ମିଳିଛି ? ପୁଣି ସେଇ ହା ହୁତାଶ, ଖାଁ ଖାଁ ଭାବ । କିଛି ବୁଝିପାରୁନି । ଜାଣିପାରୁନି । ସବୁ ଯେମିତି ଆକସ୍ମିକ ଭାବେ ରାତାରାତି ସମାନ ହୋଇଯାଇଚି । ହସ କାନ୍ଦ, ଜୀବନ ମୃତ୍ୟୁ, ଆଲୋକ ଅନ୍ଧାର ସବୁ ସମାନ । କ’ଣ ଠିକ୍‌ ? କ’ଣ ଭୁଲ ? କାହାକୁ ଧରିବା ? କାହାକୁ ଛାଡ଼ିବା ? ଇସ୍‌, କି ବୀଭତ୍ସ ଚିନ୍ତା ! କି ଉଦ୍ଭଟ ପରିକଳ୍ପନା !!

 

ଜୀବନ କ’ଣ ସକଳ ଅମୀମାଂସିତ ପ୍ରଶ୍ନର ସମାଧାନ ? ଜୀବନ କହିଲେ ସମତା ? ସବୁ ମିଥ୍ୟା, ଛଳନା, ଶଠତା ।

 

ସେମାନେ ଭାଣ୍ଡାମି ସୃଷ୍ଟି କରିଗଲେ । ସବୁ ଓଲଟ ପାଲଟ କରିଦେଇ ଗଲେ । କେତେ ଦିନ ଲାଗିବ ସଜାଡ଼ିବାକୁ କିଏ କହିବ ! ସେଇ ଭଣ୍ଡ କାପାଳିକମାନଙ୍କୁ ନିର୍ମମଭାବେ ହତ୍ୟା କରିଦେବା ଉଚିତ । ସରଳ ମଣିଷର ମନରେ ବିଷ ଭରିଦେଇ ଯେଉଁମାନେ ବାହାଦୁରି ନେବାକୁ ଚାହିଁଥିଲେ (ସେ ଭଗବାନ ହୁଅନ୍ତୁ ବା ସଇତାନ୍‌ ହୁଅନ୍ତୁ) ସମସ୍ତଙ୍କୁ ଗୋଟି ଗୋଟି କରି ଫାଶୀ ଦବା ଉଚିତ । ଉନ୍ମୁକ୍ତ ଜନପଥରେ ଶୂଳୀରେ ଚଢ଼େଇ ଦେଲେ ଯାଇ ରକ୍ଷା । କୁକୁର ପରି ଗୁଳି କରିଦେବା ବରଂ ଭଲ । ଅମରୀ ଲତାକୁ ନିର୍ମୂଳ କରି ନଦେଲେ ପୁଣି ପାଣିପବନ ପାଇ ଡାଳ ମେଲି ବଢ଼ିବ । ପୁଣି ହଟଚମକ ବିଦ୍ୟା ଦେଖାଇବ ।

 

ଲୋକଟି ଏଇସବୁ କଥା ଚିନ୍ତା କଲାବେଳେ ରାଗରେ ଫାଟିପଡ଼ୁଥାଏ । ପୁଣି ପର ମୁହୂର୍ତ୍ତରେ ଦୁଃଖରେ ତା’ ମୁହଁ ବତୁରି ଉଠୁଥାଏ । ଦର୍ପଣରେ ତା’ର ଅବିକଳ ଚେହେରା, ରୁଢ଼ଭରା ମୁହଁ, ପଶି ଯାଇଥିବା ରକ୍ତହୀନ ଆଖି, ଅସଂଖ୍ୟ ଭାଙ୍ଗ ଓ ଗାର ଦେଖି ସେ ପୁଣି ଦବିଯାଏ ଶୋଚନୀୟଭାବେ । ସତେ ଯେମିତି ଏ ସବୁ ତତ୍ତ୍ୱ ବାହାରେ ଆଉ ଏକ ନିଶ୍ଚିତ ସତ୍ୟ ଗୋଡ଼ ଟେକି ରହିଚି ଯାହା କି ଏଇ ଆସିବ ଆସିବ ବୋଲି ଜଣାପଡ଼ି ଯାଉଚି । ନାନା ଆଶଙ୍କା, ଉତ୍ତେଜନାରେ ଅତିଷ୍ଠ ହୋଇ ଯିବାକୁ ପଡ଼ୁଚି ।

 

ସ୍ତ୍ରୀ ସହିତ ରତିକ୍ରୀଡ଼ାରେ ମଜ୍ଜି ଯାଇଥିଲାବେଳେ ଠିକ୍‌ କୋଉ ପ୍ରଶ୍ନ ପ୍ରଥମ କରି ମନକୁ ପଶିଯାଏ କହିବା ଯେପରି ମୁସ୍କିଲ ଓ ଏଇ ସାମାନ୍ୟ ପ୍ରଶ୍ନରେ ଉତ୍ତର ଦେଇ ନ ପାରିବା ଯେପରି ଗ୍ଳାନିକର କାହାଣୀ–ତା’ଠାରୁ ଆହୁରି ଅଧିକ ମାରାତ୍ମକ ବ୍ୟାପାର ଓଲଟପାରାଙ୍କ ପରି କୌଣସି ଅର୍ଥ ନଜାଣି ବାରମ୍ୱାର ବନ୍ଧ ଭାଙ୍ଗିବା ଶୂନ୍ୟରେ ଶୂନ୍ୟରେ ଦୋଳି ଖେଳିବା, ପ୍ରଚଣ୍ଡ ଏକ ବିସ୍ଫୋରଣରେ ଫାଟି ପଡ଼ିବା ।

 

ଲୋକଟି ଜୀବନକୁ ବହୁ ଭାବରେ ଲକ୍ଷ୍ୟ କରି ଦେଖିଚି । ବୁଝିବାକୁ ଚେଷ୍ଟା କରିଚି ଓ ପରିଶେଷରେ କିଛି ନବୁଝି ପାରି ମୁଣ୍ଡବାଳ ମୁଠା ମୁଠା କରି ପକାଇଚି । ଦାନ୍ତ କଡ଼ମଡ଼ କରି ରାଗରେ ଏକଡ଼ ସେକଡ଼ ହୋଇଚି । ବିଡ଼ି ଟାଣି ଚଉଡ଼ା ବାରଣ୍ଡାରେ ଟହଲ ମାରିଚି । ପରାଜୟର ଗ୍ଳାନିରେ ସେ ଭାଙ୍ଗି ପଡ଼ିଚି । ଅନ୍ୟ କେହି ବୁଝୁ ବା ନବୁଝୁ ସେ ଭଲକରି ବୁଝିଯାଇଚି ଯେ ଆଉ ହବନି । କିଛି ଆମଦେଇ ହୋଇ ପାରିବନି । ଦେଉଳ ଗଢ଼ି ହେବନି କି ଭାଙ୍ଘି ବି ହବନି । ଆମ ଅଜାଣତରେ ଆମେ ଟାଣି ହୋଇଯାଇଛୁ ପ୍ରଚଣ୍ଡ ଗତିରେ କାହିଁ କେଉଁ ରାଜ୍ୟକୁ । କେତେବେଳେ ଧକ୍‌କା ଲାଗିଯିବ କିଏ କହିବ ? ହାଡ଼ଗୋଡ଼ ଭାଙ୍ଗି ଟୁକୁରା ଟୁକୁରା ହୋଇଯିବ । ଆମ ମଣିଷପଣିଆ ଲୋପ ପାଇଯିବ । ସବୁ ଚାଲାଖି ଚୁଲିରେ ପଶିବ । ସାଧ୍ୟମତେ ରକ୍ଷାପାଇବାକୁ ହେବ ଏ ଦାରୁଣ ଦୃଶ୍ୟରୁ । ନ୍ୟସ୍ତ ସ୍ୱାର୍ଥରେ ଅନ୍ଧ ହୋଇ ଏକଲା ଚାଲିଯିବାକୁ ହବନାଇଁ । ମୋଡ଼ ଘୂରେଇବାକୁ ପଡ଼ିବ ଯେକୌଣସିମତେ । ଘୂର୍ଣ୍ଣନହିଁ ଜୀବନ । ଗତିହିଁ ସ୍ଥିତି । ଏତିକିମାତ୍ର ସତ୍ୟକୁ ବୁଝିବାକୁ ପଡ଼ିବ ଅତି କମରେ । ଜିଦ୍‌-ଖୋର ରାଜାପରି ନ ବୁଝି ଆଗେଇ ଗଲେ ନିମିଷକେ ସବୁ ଧ୍ୱଂସ ହୋଇଯିବ । ମଣିଷର ସ୍ୱପ୍ନ, ତା’ର ପରିକଳ୍ପନା, ଚିନ୍ତା ଅନୁଚିନ୍ତା ସବୁକିଛି ଲୋପ ପାଇଯିବ ।

 

ଅଭିଜ୍ଞତା କ’ଣ ବା’ ନ ଶିଖେଇଚି ଲୋକଟିକୁ ?

 

ପୋଖତ୍‌ ଅଭିନେତା ପରି କେତେ ମନୋଡ୍ରାମାର ଚିତ୍ତାକର୍ଷକ ‘ଡାଇଲଗ୍‌’ ସେ ରାତାରାତି ଝାଡ଼ିଛି । ବହୁବିଧ ଭୂମିକାରେ ଅବତରଣ କରି କାକୁସ୍ଥ ଦର୍ଶକମାନଙ୍କର ମନ ରଞ୍ଜାଇଛି-। ରକ୍ତ ନଦୀରେ ସନ୍ତରଣ କରି ମନ ବଗିଚାରେ ମୁକ୍ତା-ଫୁଲ ଫୁଟେଇଚି । ଓଠରେ ପଦ୍ମର ପରାଗ ବୋଳି ବେଶ୍‌ ନିର୍ଲିପ୍ତ ଚାହାଣିରେ ଦେଖିଚି, ବୈଚିତ୍ର୍ୟମୟ ଭୂଖଣ୍ଡର ପ୍ରତ୍ୟେକଟି ଅଣୁ ପରମାଣୁକୁ-। ସେଇ ଅବର୍ଜିଆ ଲୋକଟିର ଏଡ଼େ ବକଟେ ମୁଣ୍ଡ ଭିତରୁ କେତେ ଅର୍ଥନୀତିର ଫର୍ମୁଲା, ରାଜନୀତିକ ବିସ୍ଫୋରଣ, ଦାର୍ଶନିକ ନିବନ୍ଧ, ବୈଜ୍ଞାନିକ ଓ ମନସ୍ତାତ୍ତ୍ୱିକ ସମସ୍ୟାମୂଳକ ପ୍ରଶ୍ନଗୁଡ଼ିଏ ପ୍ରଚଣ୍ଡ ବେଗରେ ବାହାରି ଆସି ନିଜ ନିଜର ସମାଧାନର ମାର୍ଗ ଖୋଜି ବସିଛନ୍ତି । ଜ୍ଞାନର ସର୍ବୋଚ୍ଚ ବିନ୍ଦୁରେ ଅବସ୍ଥାନ କରି ଯାବତୀୟ ଘଟଣା ପ୍ରବାହକୁ ନିୟନ୍ତ୍ରିତ କରୁଥିବା ସେଇ ଅଲୌକିକ ଲୋକଟି ଭୟ ନାମକ ଶବ୍ଦଟିର ବିଶଦ ବ୍ୟାଖ୍ୟା ଓ ତହିଁର ସତ୍ୟାସତ୍ୟ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ଚିତ୍ର ଅତି ସହଜରେ ଦେଇ ପାରିଚି । ଏତେ ବଡ଼ ଦୁଃସାହସିକ କାର୍ଯ୍ୟର ଦାୟିତ୍ୱ ହାତକୁ ନେଲାବେଳେ ସେ ଯେ ଯନ୍ତ୍ରଣାର ଶରବ୍ୟ ନ ହୋଇଚି, ଏପରି ନୁହେଁ ।

 

ଅନ୍ଧାର ଘରେ କଳା ବିଲେଇର ଭୁସ୍‌ଭାସ୍‌ ଶବ୍ଦ । ଗାଁ ଶେଷମୁଣ୍ଡ ମଶାଣି ପଦାର ଚିରିଗୁଣି ଆଲୁଅ, ସ୍ତ୍ରୀ ପାଖେ ପରମାନନ୍ଦରେ ନିଘୋଡ଼ ନିଦରେ ଗୋଡ଼ହାତ ଛନ୍ଦି ଶୋଇଲାବେଳେ ଏକ କିଟିମିଟିଆ ସ୍ୱପ୍ନରେ ବିଚଳିତ ହୋଇ ଧଡ୍‌କିନା ଉଠିପଡ଼ି ଫଁ ଫଁ ନିଃଶ୍ୱାସ ଛାଡ଼ିବା, କ୍ଲାସରେ ଅଙ୍କ ମାଷ୍ଟ୍ରଙ୍କ ଦୁର୍ବାଶା ପରି ନାଲି ଆଖିକୁ ସହଜରେ ଦେଖି ନ ପାରିବାର ଚରମ ଦୈନ୍ୟ ଓ ସର୍ବୋପରି ରାଧାମୋହନ ମନ୍ଦିର ବେଢ଼ାରେ ଦୁଇ ଆଣ୍ଠୁ ପାତି ନିଜ ଅର୍ଜିତ ପାପର ଚିଠା ଶ୍ରୀଚରଣରେ ଭେଟି ଦେଲାବେଳେ ଆକସ୍ମିକ ଭାବେ ଚୁଆ, ଚନ୍ଦନ, ଅଗୁରୁ ଓ ତୁଳସୀପତ୍ରର ପାରମାର୍ଥିକ ଗନ୍ଧର ଆଘ୍ରାଣରେ ହଠାତ୍‌ ସଚେତନ ହୋଇ ପଡ଼ିବା ଓ କୌଣସି କାରଣ ନ ଥାଇ ବି ସାମୁଦ୍ରିକ ଶାସ୍ତ୍ର ବିଶାରଦ ପରି ନିର୍ଜନ କକ୍ଷରେ ଶୋଇ ବାରମ୍ୱାର ହାତରେଖା ଗଣନା କରିବା ବା ଶେଥା ମୁହଁକୁ ପାରଦ ଛଡ଼ା ଦର୍ପଣରେ ଦେଖିବାର ବୈକଲ୍ୟ, ଏକ ଏକ ମାନସିକ ବିକାର । ଜୀବନକାଳ ଭିତରେ ଦିନେ ନା ଦିନେ ଖଣ୍ତିଅଭୂତଟିଏ ପରି ଆଗକୁ ଆଗକୁ ମାଡ଼ି ଆସୁଥିବା ସେଇ ଭୟଙ୍କର ଜୀବଟିର ମୁହାଁମୁହିଁ ହୋଇଯିବା ଯେ ନିହାତି ଏକ ମାମୁଲି କଥା, ଲୋକଟି ବେଶ୍‌ ଭଲ କରି ବୁଝିଯାଇଚି ।

 

କ୍ରମଶଃ ଅଭିଜ୍ଞତା ଏକ ପ୍ରକାଣ୍ଡକାୟ ଦାନବପରି ଲୋକଟିକୁ ପିଟି ପିଟି ଛାଞ୍ଚରେ ପକାଇ ସାବାଡ଼ କରିଦେଇଚି । ଗତିଶୀଳ ସ୍କାଇଲାବ ପରି ଲୋକଟି ଏକ ବେଗବାନ୍‌ ଯନ୍ତ୍ରଚାଳିତ ଅଶ୍ୱପୃଷ୍ଠରେ ବସି ବିଶ୍ୱପରିକ୍ରମା କରିବାକୁ ବାହାରି ପଡ଼ିଲାବେଳେ ନିଜ ଖୋଲା ଅବୟବ ଉପରେ ଏକ ମସ୍ତବଡ଼ ଇଲେକ୍ଟ୍ରୋନିକସ୍‌ ପର୍ଦ୍ଦା ଢାଙ୍କି ଅତି ସହଜରେ ମହାଶୂନ୍ୟରେ ସନ୍ତରଣ କରିବାର କୌଶଳ ଶିଖି, ସେଇ ଅତିକାୟ ଜୀବନଟିର ମୁକାବିଲା କରିଚି । ତା’ ସହିତ ଏକ ରାଜିନାମାରେ ମିଶିବା ପାଇଁ ଚୁକ୍ତି ପତ୍ରରେ ସ୍ୱାକ୍ଷର କରି ଦେଇଚି ଯାତ୍ରାରମ୍ଭର ବହୁ ପୂର୍ବରୁ ।

 

ଚଳିତ ଶତାବ୍ଦୀର ବହୁ ଅଭିଜ୍ଞତା, ବହୁ ତତ୍ତ୍ୱ ଉପରୁ ଆସ୍ଥା ତୁଟିଯିବା ପରେ ଲୋକଟି ଖୋଲାଖୋଲି ଘୋଷଣା କରି ପୃଥିବୀବାସୀଙ୍କୁ ଶୁଣେଇ ଦେଇଚି, ବାର୍ତ୍ତାବହଟିଏ ପରି ଯେ, ‘ଏଠି କିଛି ଘଟୁ ନାଇଁ, କେହି ଆସୁ ନାହାନ୍ତି, କେହି ଯାଉ ନାହାନ୍ତି ।’ ସବୁ ଯେମିତି ସେମିତି ରହିଚି । ଏ ଶତାବ୍ଦୀ ସ୍ଥାଣୁ ପଚମାନ ଅପାଙ୍‍-କ୍ତେୟ ଏକ ଶତାବ୍ଦୀ । ଭୟଙ୍କର ସ୍ଥାଣୁତ୍ୱରୁ ମୁକ୍ତିପାଇଁ ଏହାର ଧ୍ୱଂସ ଅନିବାର୍ଯ୍ୟ । ଗୋଟାଏ ମହାଶକ୍ତିଶାଳୀ ଆଟୋମିକ୍‌ ଏନର୍ଜିର ବିସ୍ଫୋରଣ ଘଟିଯାନ୍ତା କି ?

 

ଆଃ ! ପ୍ରଳୟର ଘନଘଟା କୁଜ୍‌ଝଟିକା ଭିତରେ ପିଷ୍ଟ ହୋଇଯାଆନ୍ତା ସବୁକିଛି । ତା’ପରେ କିଛିକାଳ ନୀରବ ଶୂନ୍ୟତା, ନିଃସଙ୍ଗତା । ହଇହଲ୍ଲା, ଧସ୍ତାଧସ୍ତି, ପରସ୍ପରେ କୋଳାକୋଳିର ଦୃଶ୍ୟ ଦେଖିବାକୁ ମିଳନ୍ତାନି । ଶୂନ୍ୟବାଦୀ ବୌଦ୍ଧ ମାଧ୍ୟମିକମାନଙ୍କ ମୁଖନିଃସୃତ ବାଣୀ, ସୃଷ୍ଟିର ଓଁକାର ମନ୍ତ୍ର, ଶୂନ୍ୟରୁ ପୂର୍ଣ୍ଣର ପରିକଳ୍ପନା, ଧ୍ୱଂସରୁ ସୃଷ୍ଟିର ସମ୍ଭାବନାକୁ ଏଡ଼େଇ ନଦେଇ ଫେର୍‌ ଯେଉଁ ଅଲୌକିକ ଶତାବ୍ଦୀର ମୂଳଦୁଆ ପଡ଼ିବ, ତାହା ଏପରି ତେଜସ୍କ୍ରିୟ ପ୍ରକ୍ରିୟାରେ ଉଦ୍ଭାସିତ ହୋଇ ଚମକ ଦେବ, ଯାହାକୁ ଦେଖି ତାରିଫ୍‌ କରିବା ପାଇଁ ସାଂପ୍ରତିକ ମଣିଷର ବୁଦ୍ଧିଜ୍ଞାନ, ଶିକ୍ଷାଦୀକ୍ଷା, ଅଙ୍ଗପ୍ରତ୍ୟଙ୍ଗ ଯଥେଷ୍ଟ ସହାୟକ ହୋଇପାରିବ ନାଇଁ ।

 

ତୃତୀୟ ପୃଥିବୀର ଉଦ୍ଭିଦ ଓ ପ୍ରାଣିସମୂହ ଓ ପ୍ରତ୍ୟେକଟି ଜୀବକୋଷରେ ଜାଗତିକ ମୂଲ୍ୟବୋଧ ପରିବର୍ତ୍ତେ ଖୁନ୍ଦି ହୋଇଯିବ ଫୁଟନ୍ତା ତୋପର ବିଚ୍ଛୁରିତ ବାରୁଦ ଗୁଣ୍ତାପରି ରେଣୁରେଣୁ ଇଲେକ୍ଟ୍ରୋନିକସ୍‌ । ବହୁ ଉଚ୍ଚ ଶକ୍ତଶାଳୀ ତାଲିମପ୍ରାପ୍ତ କମ୍ପ୍ୟୁଟରମାନଙ୍କୁ ନିଯୁକ୍ତି ଦିଆଯାଇ ପୃଥିବୀର ପରିଚାଳନା ଭାର ସେଇ ଯନ୍ତ୍ର ଦାନବମାନଙ୍କ ହାତେ ଟେକି ଦେଇ ଅସହାୟ ପେଣ୍ଡୁଲମ୍‌ଟିପରି ଶୂନ୍ୟରେ ବନ୍ଧ ଭାଙ୍ଗିବାକୁ ହେବ । ତା’ବିନା ଗତ୍ୟନ୍ତର ନାଇଁ ।

 

ଏମିତି ଏକ ବଦ୍ଧ ବିଶ୍ୱାସରେ ପୂର୍ଣ୍ଣ ଆସ୍ଥା ରଖିଥିବା ଲୋକଟି ଭୟ ନାମକ ଶବ୍ଦଟି ଉପରୁ ସମସ୍ତ ଗୁରୁତ୍ୱ ହରେଇ ଦେଇ ଗୋଟିଏ ଅପ୍ରାପ୍ତବୟସ୍କ ବାଳକପରି ବେପାରଓ୍ୱା ଭାବେ ରାସ୍ତାରେ ଧାଇଁଚି । ଆଉ ମନକୁ ମନ ଗୁଣୁଗୁଣୁ ହୋଇ କହୁଚି—‘‘ଭୟ ଏକ ବିକାର, ନାଇଁ ତା’ର କୌଣସି ଆକାର ବା ପ୍ରକାର ।’’

 

କେତେ ହଜାର ହଜାର ବର୍ଷ ଧରି ସେ ତା’ର ରାଜୁତି ଚଳେଇ ଆସିଚି ଏଇ ଭୂଖଣ୍ତରେ, କିଏ କହିବ । କେତେ ବଡ଼ ବଡ଼ ମଲ୍ଲ ଯୋଦ୍ଧା ଟଳି ପଡ଼ିଛନ୍ତି ଅସମୟରେ ତା’ର ସମ୍ମୁଖୀନ ହୋଇ ନ ପାରି । କେତେ ରୂପରେ, କେତେ ରଙ୍ଗରେ ସେ ଆସି ଦେଖାଦେଇଚି । ଧର୍ମ, ଈଶ୍ୱର, କର୍ମ; ବିଶ୍ୱାସ ନାନାବାଦ, ବିସମ୍ୱାଦ ଓ ସର୍ବୋପରି ମୃତ୍ୟୁଭୟ ଏକ ମାରାତ୍ମକ ରୋବୋର୍ଟ ପରି ମଣିଷର ସ୍ଥିତିକୁ ଅସ୍ୱୀକାର କରି, ତା’ର ବିଶ୍ୱାସର ବାରୁଦ ଘରେ ଅଗ୍ନି ସଂଯୋଗ କରି ତାକୁ ଜିଅନ୍ତା କଲବଲ କରିଚି ।

 

ଗୋଟାଏ ନିର୍ବୁଦ୍ଧିଆଙ୍କ ପରି ତା’ର କାଢ଼ୁଆପଣ ଓ ତେରେଚ୍ଛା ମୁରାଟରେ ଡରିଯାଇ ଆମେ ସମ୍ପୂର୍ଣ୍ଣ ଭାବରେ ତା’ ନିକଟରେ ଆତ୍ମସମର୍ପଣ କରି ସନ୍ଧିର ପ୍ରସ୍ତାବ ବାଢ଼ିଛୁ । କେଉଁ ଏକ ଉଦାର ଚେତନାରେ ଅନ୍ଧ ହୋଇ ଥଳକୂଳ ନମାନି ତା’ର ଦାସତ୍ୱ ହାତପାତି ଗ୍ରହଣ କରିନେଇଛୁ ।

 

—ଏ କ’ଣ କମ୍‌ ବଡ଼ ପରାଜୟ ଓ ଗ୍ଳାନିର କାହାଣୀ ।

 

ବିପର୍ଯ୍ୟସ୍ତ ଜୀବନର ଏହା ଏକ ଦାରୁଣ ଉପହସିତ ଅନ୍ତିମ ସଂଳାପ ।

 

ଦିଗନ୍ତବିସ୍ତାରୀ ଖେଳି ଯାଇଥିବା ଭୟ ନାମକ ଶବ୍ଦଟି ଜରାୟୁର ଅସମ୍ପୂର୍ଣ୍ଣ ଭ୍ରୁଣଟିକୁ ମଧ୍ୟ ହତଚକିତ କରିଦେଇଛି । ଆସନ୍ନ ମୃତ୍ୟୁର ପ୍ରତ୍ୟାଶାରେ ଆପେକ୍ଷମାଣ ଉଦ୍ଭିଦ ଓ ପ୍ରାଣିଜଗତ ଉପରେ ତା’ର ଅନୁରୂପ ପ୍ରତିକ୍ରିୟା । କେମିତି ଏହି ସତ୍ତା ଟିକକ ପ୍ରଥମ ଥର ପାଇଁ ମଣିଷ ମନର ମୁଦା ସିନ୍ଦୁକ ଭିତରେ ପ୍ରବେଶକରି ଆତ୍ମଘାତୀ କାର୍ଯ୍ୟ କଲା, ମଣିଷର ହାତଲେଖା ଅଭିଧାନରେ ଜବରଦସ୍ତ ସ୍ଥାନଟିଏ ମାଡ଼ିବସିଲା । ସେ ସମ୍ପର୍କରେ ମିଳିଥିବା ସମସ୍ତ ‘ବାଇଓଡ଼ାଟା’କୁ ଏକତ୍ର କରି, ଭିନ୍ନଭିନ୍ନ ବାଦ ବା ଥିଓରୀର ପୃଷ୍ଠପୋଷକମାନଙ୍କ ମତ୍ତକୁ ଖଣ୍ତନ କରି ଖୁବ୍‌ ସରଳ ଭାଷାରେ ବୁଝେଇ କହିଦେଇଛି ଯେ—ଆହାର, ନିଦ୍ରା, ମୈଥୁନ ପରି ଭୟ ଅପରିହାର୍ଯ୍ୟ । ପୃଥିବୀ ସୃଷ୍ଟି ହେବାଦିନୁ ଏହା ଅଛି ଓ ଭବିଷ୍ୟତରେ ପୃଥିବୀ ଯେତେ ତ୍ରିଭଙ୍ଗୀଠାଣିରେ ଦୃଶ୍ୟ ହେଲେ ବି ଏହା ରହିବ । ଏହାର ସମୂଳ ବିନାଶ ପାଇଁ କୌଣସି ମାରାତ୍ମକ କ୍ଷେପଣାସ୍ତ୍ର ଏଯାବତ୍‌ ସୃ‌ଷ୍ଟି ହୋଇପାରିନି । ଏହା ଉପରେ ଅଧିକ ଗୁରୁତ୍ୱ ଆରୋପ କରିବା ଅସମୀଚୀନ ବା ଏହାର କ୍ଳୀବତ୍ୱ ସମ୍ପର୍କରେ ନିଶ୍ଚିତ ରହି ବିଲ୍‌କୁଲ୍‍ ବେଖାତିର କରିବା ଅଯୌକ୍ତିକ । ଆକାର ବା ବିକାର ନଥିବା ଏଇ ଶବ୍ଦଟିର ମୁହଁରେ ଅଠାକାଠି ପରି ଜଡ଼ିଯାଇଥିବା କଳାଘୁମର କୁତ୍ସିତ ପର୍ଦ୍ଦାଟିକୁ ଆମକୁ ଏପରି ସାବଧାନତା ସହକାରେ କାଢ଼ି ବାହାର କରିବାକୁ ପଡ଼ିବ; ଯୁଗଯୁଗ ପାଇଁ ଯେମିତି ଗୋଟିଏ କଥା ରହିଯିବ, ମୁଖାପିନ୍ଧା ଅଭିନୟର ପୂର୍ଣ୍ଣାହୂତି ପଡ଼ିବ । ମୃତ୍ୟୁ ସମ୍ପର୍କରେ ନାନା ଲୋମହର୍ଷଣ କାହାଣୀ ଶୁଣିଶୁଣି ଆସନ୍ନ ଭୟରେ ମ୍ରିୟମାଣ ହେଉଥିବା ଜୀବକୋଷଗୁଡ଼ିକ ମୃତ୍ୟୁକୁ ଏକ ସହଜ ତଥ୍ୟ ବୋଲି ମାନିନେଇ ତା’ର ମୁହାଁମୁହିଁ ମୁକାବିଲା କରି ବସିବେ ଓ ମୃତ୍ୟୁ ବୋଲି କୌଣସି ନିଶ୍ଚିତ ଘଟଣା ନାଇଁ ଭାବି ଶାନ୍ତିରେ କାଳ ବିତେଇବେ ।

 

ଲୋକଟିର ଅଦ୍ଭୁତ ଯୁକ୍ତି । ବହୁ ଶ୍ରବଣ, ମନନ, ନିଦିଧ୍ୟାସନ ପରେ ବହୁ ଯୋଗାସନ, ପ୍ରାଣାୟାମ କୃଚ୍ଛ୍ର ଉପାସନା ପରେ ଧାରଣା ଜନ୍ମିଛି ଯେ ନିଜ ଉପରୁ ଆତ୍ମବିଶ୍ୱାସ ହରେଇ ଦେଇଥିବା ବ୍ୟକ୍ତି ହିଁ ଭୟ ନାମକ ଶବ୍ଦଟିର ସହଜରେ ଶିକାର ହୋଇଥାଏ । ଯେଉଁ ସତ୍ୟର ସେ ମୁକାବିଲା କରିପାରେନି ତା’ର ଧାରଣା ଜନ୍ମେଯେ ପୃଥିବୀର ସବୁ ଜୀବଜନ୍ତୁ, ଗନ୍ଧର୍ବ, କିନ୍ନର, ନର ଦେବ, ଓ ଯକ୍ଷ ସଭିଏଁ ଊଣା ଅଧିକେ ସେଇ ଅଦୃଶ୍ୟ ନାମ-ରୂପ-ଗନ୍ଧ-ବର୍ଣ୍ଣହୀନ ମହାଶକ୍ତିଶାଳୀ ସତ୍ତାର କର୍ତ୍ତୃତ୍ୱ ମାନିନେବାକୁ ବାଧ୍ୟ ।

 

ଉଦାହରଣ ଛଳରେ ଏତିକି କୁହାଯାଇପାରେ, ଧରାଯାଉ ଗୋଟିଏ ନିର୍ଜ୍ଜନ ମନୋରମ ପ୍ରକୋଷ୍ଠରେ ଲୋକଟିକୁ ଯାବତ୍‍ ଜୀବନ ବନ୍ଦୀକରି ରଖିଦିଆ ଯାଇଚି । ହୀରାଖଚିତ ତକ୍ତପୋଷ ପଲଙ୍କ, ବହୁ ଦାମିକା ଆସବାବପତ୍ରରେ ସଜ୍ଜିତ ଗୃହୋପକରଣ ବହୁଦେବଦେବୀ, ସୁପୁରୁଷ ମହାପୁରୁଷ ଓ ପୁରୁଷଶ୍ରେଷ୍ଠମାନଙ୍କର ତୈଳଚିତ୍ର, ଯାବତୀୟ ସୁମିଷ୍ଟ ଖାଦ୍ୟ ସାମଗ୍ରୀ, କିଛି ଦାମିକା ପାନୀୟ କୋଠରୀଟିରେ ମହଜୁଦ ଅଛି । ଦୂରକୁ ଦେଖିଲେ ମନେହେବ ଯେ ଘରଟିରେ ଆଭିଜାତ୍ୟ ଖୁନ୍ଦି ହୋଇଯାଇଛି । ଘରଟିରେ ଦୁଇଟି ଝରକା, ଦୁଇଟି ସ୍କାଇଲାଇଟ, ଦୁଇଟି ଅଳିନ୍ଦ । ବିଭିନ୍ନ ଡିଜାଇନରେ ସ୍କ୍ରିନ । ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହିଥିବା ଲୋକଟି ଖୁବ୍‌ ସହଜରେ ବୁଝିପାରିବ, ଭୟ କେମିତି ଏକ ବିକଟାଳ ଶବ୍ଦ । ବିକୃତ ପକ୍ଷୀଟିଏ ପରି ବାରମ୍ୱାର ସେ ଆସି ଝରକାର ରେଲିଂକୁ ଶକ୍ତ କରି ଧରି ଘର ଭିତରକୁ ନିରେଖି ଚାହିଁବ । ଆଉ ଏମିତି ରାଉରାଉ ସ୍ୱରରେ ବୋବାଳି ଛାଡ଼ିବ ଯେ ନ ଦେଖିଲା ଲୋକର ବି ହଂସା ଉଡ଼ିଯିବ ।

 

ଦିନ ଯେତିକି ବେଗବାନ ଅଶ୍ୱଶାବକ ପରି ଧାଇଁ ପଳାଉଥିବ, ଲୋକଟିର ନିଜ ଉପରୁ ଆସ୍ଥା ତହିଁର ଦ୍ୱିଗୁଣିତ ହୋଇ ତୁଟି ଯାଉଥିବ । ସେ ଘରର ସମସ୍ତ ଉପକରଣ ଓ ସେ ଘରେ ମହଜୁଦ୍‌ଥିବା ଆତ୍ମବିଶ୍ୱାସର ପ୍ରତ୍ୟୟ ଓ ତହିଁର ସାମଗ୍ରିକ ସତ୍ତାକୁ ଆବୋରି ବସିଥିବା କାଚ ପାଚେରୀ ଟିକିଟିକି ହୋଇ ଭାଙ୍ଗିପଡ଼ିବ । ନିଜେ ବଞ୍ଚିଚି କି ମରିଛି ଜାଣିବାପାଇଁ ଲୋକଟି ତା’ ସିଧାସଳଖ ଲମ୍ୱ ନାକପାଖେ ହାତର ପାପୁଲିକୁ ମାଡ଼ି ଧରିବ । ହୃତ୍‌ପିଣ୍ତର କମ୍ପନକୁ ମାପିବାପାଇଁ ମନର ସୂକ୍ଷ୍ମ ତନ୍ତ୍ରୀରେ ତିଆରି ଉଚ୍ଚ ଶକ୍ତିଶାଳୀ ଷ୍ଟେଥୋଟିଏ ବ୍ୟବହାର କରିବ ଓ ଭୟଙ୍କର ଶବ୍ଦଟିଏ ଆପେ ଆପେ ତା’ର ପାଟି ଭିତରୁ ଫୁଟି ବାହାରି ପଡ଼ିବ । ବାରମ୍ୱାର ସେ ନିଜ ମନକୁ ବୁଝାଇବାକୁ ଯାଇ କହିବ, ‘ଆସିଲି, ଦେଖିଲି ଏବଂ ଜୟକଲି । ’

 

ଚଳିତ ଶତାବ୍ଦୀର ଅପରାହ୍ନ ଓ ଆଗାମୀ ଶତାବ୍ଦୀର ପ୍ରାକ୍‌କାଳରୁ ମଧ୍ୟଭାଗରେ ଯେଉଁ ବିରାଟ ଗର୍ତ୍ତଟିଏ ସୃଷ୍ଟି ହୋଇଯାଇଚି, ସେଇ ଗର୍ତ୍ତ ଗହ୍ୱରରେ ପଡ଼ି ନର୍କବାସ ଭୋଗୁଥିବା ପ୍ରତ୍ୟେକ ପ୍ରାଣୀର ଅବସ୍ଥା ଆଜି ଅନୁରୂପ । ଗୋଟାଏ ପଟେ ବହୁବାଦର ସମନ୍ୱୟ, ବହୁ ବିଶ୍ୱାସର ପୁଞ୍ଜି ଓ ଅନ୍ୟ ପଟେ ମଣିଷର ସକଳ ବଡ଼ିମାକୁ ଅସ୍ୱୀକାର କରି ଯନ୍ତ୍ର ରାକ୍ଷସର ପ୍ରାଦୁର୍ଭାବ । ଦୁଇ ଶକ୍ତିଶାଳୀ ବିରୋଧାଭାଷ ମଝିରେ ଥିବା ଏ ଯୁଗର ଅସହାୟ ମଣିଷ ଆଜି ଆପଣା ହସ୍ତେ ଜିହ୍ୱାଛେଦି ନୀତିରେ ଲଣ୍ତଭଣ୍ତ ହୋଇ ପ୍ରଚଣ୍ତ ବେଗରେ ଧାଇଁବାରେ ଲାଗିଚି ।

 

ଧାଇଁ ଧାଇଁ କୌଣସି ପ୍ରକାରେ ପଳାଇବାହିଁ ଜୀବନ ।

 

ଆତ୍ମରକ୍ଷା ହିଁ ଏକମାତ୍ର ସତ୍ୟ ।

 

ଏବଂ ଆତ୍ମପ୍ରବଞ୍ଚନା ଧୋକାବାଜି ହୋଇପାରେ; କିନ୍ତୁ ତାହା ହିଁ ବିବର୍ତ୍ତନର ପରମ୍ପରାରେ ସରୀସୃପେତର ଜୀବନର ଜିନ୍ଦାବାଦ ।

 

ସମୟ ଅସମୟ ନମାନି, ନୀତି ଆଦର୍ଶର ସବୁ ବନ୍ଧ ବାଡ଼ ଭାଙ୍ଗି ରତି ସମ୍ଭୋଗରେ ଶକ୍ତି ଅପଚୟ କଲାବେଳେ, ବନ୍ଧୁମାନଙ୍କ ମେଳରେ ଧୂଆଁ ପିଇ ପିଇ ଦେଶ ବିଦେଶର ରାଜନୀତିକ, ସାମାଜିକ ଓ ସାହିତ୍ୟିକ ପ୍ରଶ୍ନର ଉତ୍ତର ହାଲୁକା ମନରେ ଖୋଜି ବାହାର କରି ବସିଲାବେଳେ ଅଫିସର ଅଧଃସ୍ତନଙ୍କ ରୋଗା ବିବର୍ଣ୍ଣ ମୁହଁକୁ ସମସ୍ତଙ୍କ ଅଜଣାନ୍ତରେ ନିରେଖି ଦେଖିଲାବେଳେ, ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ହାତୁଡ଼ିର ଆଓ୍ୱାଜ ପରି ମନ ଭିତରେ କଚାଡ଼ି ହୋଇପଡ଼େ । ‘‘କ’ଣ ପାଇଁ ନୟନ୍ତକ ଦଉଡ଼ ? କି ସ୍ୱାର୍ଥରେ ଅନ୍ଧହୋଇ ତୁ ଏକମୁହାଁ ହୋଇ ପାହାଡ଼ ଚଢ଼ୁଛୁ ? ତୋର ବହୁ ପଛରେ କେତେ ଜଣା ଅଜଣା ଲୋକେ ମଲା କଙ୍କଡାଙ୍କ ପରି ମାଟି କାମୁଡ଼ି ପଡ଼ି ରହିଲେଣି । ଏକବାଗିଆଙ୍କ ପରି ତୁ ଖାଲି ଧାଇଁ ଚାଲିଚୁ । କାହା କଥା ବୁଝୁନାହୁଁ । କାହାରି କଥା ତୋତେ ଭଲ ଲାଗୁ ନାହିଁ । ତୋ ମନକୁ କିଛି ପାଉନି ।’’

 

ଲୋକଟିର ମନରେ ଅନେକ ଆବୁଡ଼ା ଖାବୁଡ଼ା ପ୍ରଶ୍ନ । କୌଣସିଟିର ସମାଧାନ ନାହିଁ । ଗୋଟିକ ଉପରେ ଅନ୍ୟଟିର କରାମତି । ହୃଦୟ ଦେଇ କେତେ ଚେଷ୍ଟା କରିଛି ସବୁକିଛିକୁ ସହଜଭାବେ ବୁଝିବାକୁ । ଦୁଶ୍ଚିନ୍ତାରେ ସମୟ ଖର୍ଚ୍ଚ ନକରି ଶାନ୍ତିରେ ନିଃଶ୍ୱାସ ମାରିବାକୁ । ଟିକିନିକି କରି କେତେ ଆଲୋଚନା କରିଚି ଜୀବନକୁ । ଜୀବନକୁ ମୂଳ କରି ଗଢ଼ି ଉଠିଥିବା ବସ୍ତୁ ସକଳକୁ ।

 

ବିଶେଷଣ ହିଁ ଜୀବନ । ବଞ୍ଚି ରହିବାର ମୁଚାଲିକା । ଯିଏ ଯେତେ ଖୋଲିଖାଲି ତର୍ଜମା କରି ପାରିଲା, କାଟିକୁଟି ଛୋଟବଡ଼ କରି ପାରିଲା, ତା’ ହାତରେ ସେତିକି ବୃହତ୍ତର ସତ୍ୟର ସନ୍ଧାନ ମିଳିଯାଇ ପାରେ । ଏମିତି ଖୋଜି ଖୋଜି ଆଗେଇ ଯିବା କଥା । ଆଗକୁ । ଆହୁରି ଆଗକୁ କିଛି ହୁଏତ ଧରାପଡ଼ି ଯାଇପାରେ । ଅନ୍ଧାରରେ ଆଖିକୁ କିଛି ନଦିଶିପାରେ । ଦେହରେ ଆଘାତ ଲାଗି ନପାରେ । ନହେଉ; ଦୁଃଖ କ’ଣ ? ବରଂ ଏତିକି ସାନ୍ତ୍ୱନା ମିଳିଯିବ । ବାସ୍‌ । ଆଗକୁ ଆଉ କିଛି ନାହିଁ । ଗୋଟାଏ ଅଗଭୀର କୂଅ । ସନ୍ତସନ୍ତିଆ । ନାନା ଆବର୍ଜନା ପରିପୂର୍ଣ୍ଣ । ଅନ୍ଧାରର ଚକ୍ରୀବାଣ ସାଇଁ ସାଇଁ ଘୂରୁଚି । କୌଣସି ଗ୍ରହ ବା ଉପଗ୍ରହ ଦିଶୁନି । ମଣିଷ ନିମିତ୍ତ ମାତର । ସୁପରିକଳ୍ପିତ ଅତି ମାନବଟିଏ ବି ସେ ଅନ୍ଧାରିଆ କୂଅ ଭିତରେ କେତୋଟି ପାହାଚ ତଳକୁ ତଳକୁ ଲମ୍ୱିଯାଇଚି କହିବା ମୁସ୍କିଲ । ତଥାପି ଅବିରତ ଚେଷ୍ଟା ଚାଲିଚି । କୂଅ ଖୋଳାକାମ ଅବ୍ୟାହତ ରହିଛି । ଗୋଟିକ ପରେ ଗୋଟିଏ ଆସି ମାଟି ଖୋଳୁଛନ୍ତି । ପଥର ଫଟାଉଛନ୍ତି । ଆଜି ନହେଲାତ କାଲି ହେବ । ପ୍ରୀତ୍‌ ନ ପାରିଲେ ପ୍ରମିଥିୟଶ୍‌ ପାରିବ ।

 

ନିରବଚ୍ଛିନ୍ନ ଉଦ୍ୟମ କମ୍‌ କଥା ନୁହେଁ । କମ୍‌ ବଡ଼ ଗୌରବର ବିଷୟବସ୍ତୁ ନୁହେଁ । ପୃଥିବୀ ସୃଷ୍ଟିରେ ବହୁ ପୂର୍ବରୁ ସେଇ ଯେଉଁ ଲଙ୍ଗଳା ଜୀବ ଦି’ଟା ପ୍ରଥମ ଥର ପାଇଁ ପ୍ରଚଣ୍ଡ ଯୌନକ୍ରିୟାରେ ନିମଜ୍ଜିତ ରହି ବଣର ଫଳମୂଳ ଖାଇ ଜୀବନ ବିତାଉଥିଲେ ଗୋଟିଏ ଅଦୃଶ୍ୟ ହାତର ପୁତୁଳିକା ପରି ପାହାଚ ପରେ ପାହାଚ ଡେଇଁ, ଅଦୃଶ୍ୟ ସହିତ ଯୁଦ୍ଧ ଘୋଷଣା କରି ତା’ର କର୍ତ୍ତୃତ୍ୱକୁ ଅସ୍ୱୀକାର କରି ତା’ କବଳରୁ ମୁକ୍ତି ପାଇଁ ଦିନେ ନା ଦିନେ ନିଜର ସ୍ଥିତି ଘୋଷଣା କରି ବସିବେ, ନିଜ ବୁଦ୍ଧି ଜ୍ଞାନର ପରାକାଷ୍ଠା ଦେଖାଇ ସବୁ ଅଶରୀରୀ ଶକ୍ତିମାନଙ୍କୁ ହତଚକିତ କରିଦେବେ, କିଏ ଏକଥା ସ୍ୱପ୍ନରେ ଭାବିଥିଲା ?

 

ଷଡଯନ୍ତ୍ର କ’ଣ ଲୋକଟା ବେଶ୍‌ ବୁଝି ଯାଇଚି । ତା’ର ଜନ୍ମ ବୃତ୍ତାନ୍ତ ଏକ ଲୋମହର୍ଷଣକାରୀ ଷଡ଼ଯନ୍ତ୍ରର ପ୍ରତ୍ୟକ୍ଷ ନମୁନା । ବାହାର ଦୁନିଆର ସବୁକଥା ନିଜେ ଭଲକରି ବୁଝି ଯାଇଚି ବୋଲି ସେ ଆଜି ନିଜକୁ ହିଁ ଖୁବ୍‌ ବେଶୀ ବିଶ୍ଳେଷଣ କରି ଚାଲିଚି । ଆତ୍ମପ୍ରଶଂସା ଅପେକ୍ଷା ଆତ୍ମବିଶ୍ଳେଷଣ ଅପେକ୍ଷାକୃତ ମହନୀୟ । ନିଜକୁ ସଂଶୋଧନ ନକଲେ, ନିଜ ପିଠିରେ ବାରମ୍ବାର କରେକ୍‌ସନ୍‌ ସ୍ଲିପ୍‌ ନମାରିଲେ ଅନ୍ୟକୁ ସଜାଡ଼ି ହବନି । ଅନ୍ୟ ସମ୍ପର୍କରେ କିଛି ମତାମତ ଦେଇ ହବନି ।

 

ନିଶାର୍ଦ୍ଧରେ ପ୍ରେତ ନାଚର ଆୟୋଜନ କରି ନାନା ଅସାମାଜିକ କାର୍ଯ୍ୟ କରିବା ପରିବର୍ତ୍ତେ ଖୁବ୍‌ ଧୀର, ନମ୍ର ଓ ବିନୟ କଣ୍ଠରେ (ସତେ କି ସେ ସ୍ୱର କୋଇଲିର ସ୍ୱର ସଙ୍ଗେ ସମାନ, ସେ ଭାଷା ପୃଥିବୀର ଯେ କୌଣସି ଭାଷାଠାରୁ ମଧୁର) ବିଶ୍ୱବାସୀଙ୍କୁ କାହାଣୀ କହିବା ଛଳରେ କହି ଶୁଣେଇଚି । ‘ଉଠ’ ଜାଗତିଆର ହୁଅ । ଲକ୍ଷ୍ୟସ୍ଥଳରେ ନ ପହଞ୍ଚିଲାଯାଏ ଆଗେଇଚାଲ । ଆଖି ଖୋଲି ପୂର୍ବାକାଶକୁ ଦେଖ । କେତେ ରକ୍ତ ଦିଗ୍‌ବଳୟ ସୀମାନ୍ତରେ ନେସି ହୋଇ ଯାଇଚି । ସାମ୍ୟ, ମୈତ୍ରୀ, ସତ୍ୟ, ପ୍ରେମର ପ୍ରତୀକ ସ୍ୱରୂପ କିଏ ଜଣେ ଅବଧୂତ ହାତରେ ପତାକା ଧରି ରହିଚି ଅଭ୍ୟର୍ଥନା ଜଣେଇବାକୁ । ଐନ୍ଦ୍ରଜାଲିକ ପରି ଭୋଜବିଦ୍ୟାର ଚମକ ଦେଖାଇ, ଶୁଣେଇ ଶୁଣେଇ କହୁଚି ପଶ୍ଚିମର ସବୁ ରାସ୍ତାକୁ ଠିକ୍‌ ବୋଲି ଧରିନିଅ ନାହିଁ । ସବୁ ଯୁକ୍ତିକୁ ସିଦ୍ଧ ଯୁକ୍ତି ବୋଲି କହିବା ବୋକାମି । ସେଠି ବି ଭଲ ଭେଲର ଖେଳ ଚାଲିଛି । ଭାଇ ବେକରେ ଭାଇ ଛୁରି ଚଳାଉଚି । କଥା ହେଉଛି ଯେଉଁମାନେ ଅଭିନୟ କରିବାକୁ ମନ କରିଛନ୍ତି ସଭିଙ୍କ ମୁହଁରେ ଏକ କୃତ୍ରିମ ଛାପା ରହିଚି । ହେ ବିଶ୍ୱବାସୀ, ତୁମେ ନିମିଷେ ଚାହିଁ ଦେଖ, ସମୟ ଯଦି ହାତରେ ଅଛି । ବିଭିନ୍ନ ମାର୍ଗ, ବିଭିନ୍ନ ଧର୍ମ, ଭିନ୍ନ ଭିନ୍ନ ପ୍ରକାରେ ବଞ୍ଚି ରହିବାର କୌଶଳ । ବାହାରୁ ଯେତେ ବ୍ୟତିକ୍ରମ ମନେ ହେଲେହେଁ, ଯେତେ ରଙ୍ଗବେରଙ୍ଗର ମଲାଟ ଆଖିରେ ପଡ଼ିଲେ ବି ଭାଙ୍ଗି ପଡ଼ିବାର କିଛି ନାହିଁ । ଏ ମଲାଟ, ଏ ଖୋଲ, ଏ ବ୍ୟତିକ୍ରମ ସବୁତ ନାଁକୁ ମାତ୍ର । ସଭିଙ୍କ ଭିତରେ ସେଇ ଗୋଟାଏ ସତ୍ୟ ଲୁକ୍‌କାୟିତ ରହିଚି । ସେଇ ଗୋଟାଏ ସ୍ୱର ଶୁଭୁଚି । ମଣିଷକୁ ମଣିଷର ଆସନ ଦିଅ । ତାକୁ ଅସ୍ୱୀକାର କରନି । ପାପ ତାପ ଭରା ସଚରାଚର ବିଶ୍ୱବ୍ରହ୍ମାଣ୍ଡର ଏକ ବକଟେ ପ୍ରାଣୀ ଭାବି ତାକୁ ହେୟ ମନେ କରନି । ଏ ବାଣୀ ବୁଦ୍ଧର ବାଣୀ, ଯୀଶୁ, ମହମ୍ମଦ, ଶଙ୍କରର ବାଣୀ-। ମହାପୁରୁଷଙ୍କ ଉଚ୍ଚାରଣ ।

 

ଧର୍ମକୁ ମୂଳ କରି ଏଠି ମଣିଷ ବଞ୍ଚିଛି ।

 

ବଞ୍ଚିବ ଅନନ୍ତ କାଳଯାଏ । ବିଂଶ ଶତାବ୍ଦୀର ଅପରାହ୍ନରେ କେତେଟା ବ୍ୟତିକ୍ରମ ସାରା ପୃଥିବୀରେ ଦେଖା ଦେଇଚି ଯେତେବେଳେ, ତା’ର ପ୍ରଭାବ ଏଠି ପଡ଼ିବାଟା ସ୍ୱାଭାବିକ । କିନ୍ତୁ ସ୍ୱାଭାବିକତା ଏଠାର ଧର୍ମ ନୁହେଁ । ପରମ୍ପରା ନୁହେଁ, ପରମ୍ପରାର ମୂଳଦୁଆ ଖୁବ୍‌ ଶକ୍ତ ! ମଜବୁତ । ହୁଗୁଳି ଯିବନି । ଧର୍ମକୁ ଆଶ୍ରୟ କରି ଏଠି ପରମ୍ପରା ଗଢ଼ି ଉଠିଚି । ପରମ୍ପରା, ସଂସ୍କୃତି, ସାହିତ୍ୟ ଓ ବିଜ୍ଞାନ ଜୀବନର ମୋଡ଼ ସହିତ ନିଜକୁ ସାମିଲ କରି ନିତ୍ୟ ଧାବମାନ ଜୀବନ ଏକ ଗତିଶୀଳ ପେଣ୍ଡୁ ପରି ଗଡ଼ି ଚାଲିଚି ବହୁ କାଳରୁ । ପେଣ୍ଡୁର ଗତି ଯେଉଁଠି ଧିମେଇ ଆସୁଚି ପୁଣି ଜଣେ କିଏ ମହାନ୍‌ବ୍ୟକ୍ତି ଆବିର୍ଭାବ ହୋଇ କିକ୍‌ଟିଏ ମାରିଦେଇ ଯାଉଛନ୍ତି । ଲୋକଟିର ପାଗଳା ମନ ପ୍ରତିବାଦ କରି ଉଠୁଚି । ନିର୍ବୋଧଭାବେ କୌଣସି ଟେକ୍‌ନିକ୍‌ ନ ଜାଣି କିକ୍‌ ମାରିବାରେ କି ଲାଭ ? ନିଜ ଦୋଷ ଦୁର୍ବଳତା, ଅଜ୍ଞତାକୁ ଏମିତି ଘୋଡ଼େଇ ରଖିବା ଅପେକ୍ଷା ବରଂ ସମ୍ପୂର୍ଣ୍ଣରୂପେ ଉଲଗ୍ନ କରିଦେବା ଉଚିତ । ସବୁ ଆବରଣ ମୁକ୍ତ କରିଦେଲେ ଯାଇ ରକ୍ଷା । ନିଜକୁ ନିରେଖି ଦେଖି ନିଜ ଅବିକଳ ଚେହେରାର ଫଟୋଷ୍ଟାଟ୍‌ କପି ଖଣ୍ତିଏ ସଂଗ୍ରହ କରିବା । କଥାହଉଚି ନିଜଭିତରର ମଣିଷକୁ ମଣିଷ ଭାବି ଏ ତା’ ସହିତ ସମ୍ପର୍କ ନ ଥାପିଲାଯାଏଁ ବ୍ରହ୍ମାଣ୍ଡକୁ ଚିହ୍ନିବା କେମିତି ? ଏମନ୍ତ ପ୍ରକାରେ ଦିନ କାଟୁ କାଟୁ ଥରେ ସେଇ ନିରିମାଖି ଶୁକୁଟା ମୁହାଁ ପ୍ରାଣୀଟା ଇଚ୍ଛାକଲା ସେ ଏକରୁ ଅନେକ ହେବ । ବ୍ରହ୍ମରୁ ବ୍ରହ୍ମାଣ୍ତ ଭିଆଇବ । ବେଙ୍ଗ ହାତୀ ପେଟ ଫୁଲଲାପରି ସେ ଗର୍ବରେ ଫୁଲି ଫୁଲି ଫାଟି ପଡ଼ିଲା । ମାଳ ମାଳ ବ୍ରହ୍ମାଣ୍ଡ (ଚଉଦ କି ଏକୋଇଶ କି କେତେ ଯେ କେଜାଣି) ଛିଟିକି ପଡ଼ିଲା ତା’ ଦେହରୁ । ବିସ୍ଫୋରଣ ପରେ ପୁଣି ସ୍ଥିତାବସ୍ଥା ଫେରି ଆସିଲା । ପ୍ରତ୍ୟେକ ପରସ୍ପରକୁ ସୁଧାରି ନେଲେ । ଠିକଣା ଥାନରେ ଥାପିଲେ । ଶକ୍ତି ସାମର୍ଥ୍ୟ ଧରି ଭୂଇଁରେ ଛିଡ଼ା ହେଲେ । ନିଜ ଗୁଣ ପକାଶ ପାଇଁ ନିଜ ବେକରେ ଢୋଲ ପକାଇ ବଜାଇ ବସିଲେ । କିଛିକାଳ ବହିଯାନ୍ତେ ପ୍ରବେଶିଲା ପ୍ରଳୟକାଳ । ‘ପ୍ରଳୟ ପ୍ରୟୋଧି ଜଳେ ।’ ଆପଣାର ସ୍ୱାତନ୍ତ୍ର୍ୟ ଭୁଲିଗଲେ । ଗୁଳା ଛାଡ଼ି ଅଗୁଳାରେ ମୁହାଁଇଲେ ସଭିଏଁ । ସବୁ ଭେଦାଭେଦ ପାସୋରି ଦେଲେ । ଘରବାହୁଡ଼ା ଧେନୁପଲ ପରି ସମସ୍ତେ ବାହୁଡ଼ିଲେ ସେଇ ଅନ୍ଧାରରୁ ଅନ୍ଧାରମୟ ଗର୍ତ୍ତକୁ । ଆଲୋକରୁ ଆହୁରି ଆଲୋକିତ ବଳୟକୁ ।

 

ଏ ସବୁ ଉପାଖ୍ୟାନ, କିମ୍ବଦନ୍ତୀ । ୟାକୁ ଗ୍ରହଣ କଲେ କେତେ ନକଲେ କେତେ, ସେଥିରେ କିଛି ଯା ଆସ ନାହିଁ । କିନ୍ତୁ ନିଜକୁ ତ ଗ୍ରହଣ କରିବାକୁ ପଡ଼ିବ । ନିଜକୁ ରିଜେକଟ କଲେ, ସମୁଦାୟ ବିଶ୍ୱକୁ ବି ପରୋକ୍ଷରେ କରି ବସିବ । ସେଥିପାଇଁ ଧୀର ଚିତ୍ତରେ ଚିନ୍ତା କରି ଦେଖିବା କଥା । ବୟସ ହୋଇଗଲେ ପକ୍‌କା ଗୃହସ୍ଥ ବନିଯାଇ ନିଜକୁ ଦେଖିବାକୁ ପଡ଼ିବ । ନିଜକୁ ଜାଣିବା ପାଇଁ ଏଇମାତ୍ର ଏକଇ ରାସ୍ତା । ଏକ ରାଜ୍ୟ, ଏକ ରାଜା । ଏକ ଭିନ୍ନ ଅନ୍ୟ ଶବ୍ଦ ନାହିଁ ।

 

ଲୋକଟି ଗୋଟିଏ ମହାମାନବ ପରି ସେଇ କଥାକୁ ଚୋବେଇ ଚୋବେଇ କହୁଚି । ପୂର୍ଣ୍ଣ ଭାବରେ ନିଜକୁ ନିରାବରଣ କରି ଦେଖ, ଚାହଁ । ଖୋଳି ତାଡ଼ି ପ୍ରଶ୍ନ କର । ନିଜକୁ ନ ଚିହ୍ନିଲେ ଅନ୍ୟକୁ ଚିହ୍ନି ହବନି । ଜଗତକୁ ଜାଣିବ କେମିତି ଭୁଲ୍, ଠିକ୍‌ର ସମାଧାନ କରିବ କେମିତି ? ‘‘So be self analitical, self critical, denial thyself is the very existence of the self, self is it, it is a logical must.’’

 

ଏଇ କଥାଟି ପ୍ରତି ହୁସିଆର ରହିବାକୁ ପଡ଼ିବ । ଅସତର୍କ ହେଲେ ଭେଳା ବୁଡ଼ିଯିବ । ତା’ପରେ ପୃଥିବୀ, ଚନ୍ଦ୍ର ମଙ୍ଗଳ, ଶୁକ୍ର, ବୁଧ ଆଦି ଗ୍ରହ ଉପଗ୍ରହର କଥା । ସ୍ୱାତୀର ସନ୍ଧାନ । ଅରୁନ୍ଧତୀର ଠାବ । ଅଦୃଶ୍ୟ ନଗରୀର ପରିକଳ୍ପନା । ଆଲୌକିକ ପୃଥିବୀର ଶିଳାନ୍ୟାସ । ମହାକାଶରେ ଷ୍ଟେସନ ବାନ୍ଧିବ । ମାକୁଯାନ ନେଇ ଗ୍ରହ ଗ୍ରହାନ୍ତର ଭିତରକୁ ଧସେଇ ପଶିବ । ତା’ପରେ ସବୁଧର୍ମ ଈଶ୍ୱର ବିଶ୍ୱାସ, ନୀତିନିୟମ ସୁଖ, ଶାନ୍ତିର ଗୋପନ ଗନ୍ତାଘର ଉପରକୁ ବୋମା ଫିଙ୍ଗି ଈଶ୍ୱର ହାତଗଢ଼ା ସବୁ ‘ଅମୃତସ୍ୟ ପୁତ୍ରାଃ’ଙ୍କୁ ଏମିତି ପାନେ ପାନେ ଦବ ଯେ ଯେପରି ଶଳାଙ୍କର ସୁବଦିନ ପାଇଁ ମନେ ରହିଯିବ । ପ୍ରତିହିଂସାର ଧମକ ଆଉ ଆସିବନି । ପ୍ରତିପକ୍ଷର ଯୁଦ୍ଧ ବିଗୁଲ ବାଜିବନି । କେହି ତମର ସ୍ଥିତି ଓ ବିଜୟର ତୂର୍ଯ୍ୟନାଦକୁ ଅସ୍ୱୀକାର କରିବନି । ତମ ହାତଗଢ଼ା ରୋବର୍ଟମାନେହିଁ ହେବେ ସର୍ବୋଚ୍ଚ ଶାସନକର୍ତ୍ତା । ସେମାନେ ମଣିଷ ପରି ଚଳପ୍ରଚଳ ହେବେ । ମଣିଷ ଯାହା କରି ନପାରୁଚି ବା ବେଶୀ ସମୟ ଅପଚୟ କରୁଚି ତାହା ଅଳ୍ପ ସମୟ ମଧ୍ୟରେ ସେମାନେ କରି ଦେଖାଇ ଦେଲେଣି । ସମୟକୁ ଜୟ କରିବାରେ ନୂତନତା ଆଜି ଆଉ ନାହିଁ ।

 

ଅସଲକଥା ହେଉଚି ନିଜ ମୂଳଦୁଆକୁ ଠିକଣା ନକରି, ଗୋଟାଏ ବିଶ୍ୱକୁ କରାଗତ କରି ନ ପାରି ଆଉ ଗୋଟେ ବିଶ୍ୱର ସନ୍ଧାନରେ ମାତି ପାଗଳା ହାତୀ ପରି ୟା’ ଘର ତା’ ଦେଉଳ ଭାଙ୍ଗି ବସିଲେ କି ଲାଭ ? ପଶ୍ଚିମ ଦିଗନ୍ତକୁ ଅନେଇଲାବେଳେ ଲୋକଟି ବାରମ୍ବାର ସେଇ ଗୋଟିଏ କଥାକୁ କହିଚି । not to play such foul games, it will add nothing to one’s credit, ଆଉ ପୂର୍ବକୁ ତ ସେ ମାନି ନେଇଚି ତା’ର ଚାରଣଭୂମି କରି । ଏଠି ସେ ମାରିବ ତାରିବ, ନାଚିବ, ନଚାଇବ, ଗାଇବ ବଜାଇବ । ଏଇଠିହିଁ ସେ ଡିବିଡିବି ଡମ୍ୱରୁ ବଜାଇ ପ୍ରଳୟ ଭିଆଇବ । ପରିବର୍ତ୍ତନର ବୀଜ ସେ ନିଜ ହାତରେ ରୋପିବ । ବୀଜରୁ ବୃକ୍ଷ । ବୃକ୍ଷରୁ ଫୁଲ । ଫୁଲରୁ ଫଳ । ଗଛ ସାରା ଭର୍ତ୍ତି ହୋଇଯିବ ଫଳ । ପୁଣି ପାଚିବ । ଫାଟିବ । ଦିଗ ଦିଗନ୍ତରେ ବିଛାଡ଼ି ହୋଇ ପଡ଼ିବ ମଞ୍ଜି । ଅନୁରୂପ ଗଛ ପୃଥିବୀସାରା ଦେଖାଦେବ । ପବନର ବନ୍ଧବାଡ଼ ତୁଟିଯିବ । ଭୌଗଳିକ ସୀମା ସରହଦ ରହିବନି । ମାନଚିତ୍ରରେ ଖାଲି ଯାହା କେତୋଟି ଘନ କଳାବିନ୍ଦୁ ରହିଯିବ । ଯେଉଁ ଦିଗକୁ ଯାତ୍ରା କଲେବି ଭୟ ନଥିବ । ଅପ୍ରସ୍ତୁତ ହବାକୁ ନଥିବ । ଠକିଯିବାକୁ ବାଟ ନଥିବ, ସବୁଆଡ଼େ ମୁଖରିତ ହୋଇ ଉଠୁଥିବ ସେଇ ଗୋଟିଏ ବାଣୀ ‘‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟଃ ।’’

 

ଅନେକ ଦିନ ଧରି ଲୋକଟିର କୌଣସି ଖୋଜ ଖବର ନ ଥିଲା । ସମ୍ଭବତଃ ସେ ଅଜ୍ଞାତବାସ ବା ସେପରି ଅନ୍ୟ କିଛି ବ୍ରତ ଉପାସନା ବା ଯୋଗ ସାଧନାରେ ବୁଡ଼ି ରହିଥିଲା । ସମ୍ବାଦପତ୍ରର ବଡ଼ ବଡ଼ ଶୀରୋନାମାଠାରୁ ଆରମ୍ଭ କରି ସହରରେ ବଣ୍ଟା ଯାଉଥିବା ପ୍ରତିକ୍ରିୟାଶୀଳ ଗୋଷ୍ଠୀର ‘ହାଣ୍ତବିଲ୍‌’ ପର୍ଯ୍ୟନ୍ତ କୌଣସିଟିରେ ଭୁଲରେ ବି ତା’ର ଚିହ୍ନ-ବର୍ଣ୍ଣ ନଥିଲା । ତା’ର ଜଣାଶୁଣା ବନ୍ଧୁ ମହଲରେ ଯଦିଓ କଥାଟା ବେଶ୍ ସରଗରମ ଆକାର ଧାରଣ କରିଥିଲା; ଛକ ରାସ୍ତାମାନଙ୍କରେ, ବୁକ୍‌ଷ୍ଟଲରେ, ସମ୍ବାଦ ପରିବେଷଣ କେନ୍ଦ୍ରରେ ଲୋକେ ପୂର୍ବଦିନମାନଙ୍କ ପରି ଅଧିକ ସଂଖ୍ୟାରେ ଜମାହୋଇ ଆଲୋଚନା, ସମାଲୋଚନା ଓ ତର୍କବିତର୍କ କରୁନଥିଲେ । ଅନେକଙ୍କର ବିଶ୍ୱାସରେ ଏକ ଆମୂଳଚୂଳ ପରିବର୍ତ୍ତନ ହୋଇଯାଇଥିଲା । ସେମାନେ ଧରି ନେଇଥିଲେ ଯେ ଲୋକଟି ବିରକ୍ତିରେ ହେଉ ବା ବିତୃଷ୍ଣାରେ ହେଉ ପ୍ରତିଟି କଥା ଉପରେ ଆଉ ଗୁରୁତ୍ୱ ଆରୋପ କରୁନାହିଁ । ମଣିଷକୁ ଖୋଳି ତାଡ଼ି ପ୍ରଶ୍ନ କରି କରି ସେ ନୟାନ୍ତ ହୋଇଯାଉଛି । ହଟଚମକ ଦେଖି ଦେଖି, ଦୁଃଖଦ ଯନ୍ତ୍ରଣାକୁ ଗର୍ଭସ୍ଥକରି, ନିର୍ଲିପ୍ତ ଷଣ୍ଢଟି ପରି ଚାରିକାତ ଲମ୍ବାଇ ଜୁଳୁଜୁଳୁ ଆଖିରେ ଶୋଇ ଦୃଶ୍ୟ ଦେଖିବା ବ୍ୟତୀତ କ’ଣ ବା’ ଆଉ ସେ କରିପାରିଥାନ୍ତା । ?

 

ଲୋକମତ ଉପରେ ଜୋରଦେବା ବିଜ୍ଞତାର ପରିଚୟ ନୁହେଁ । ଜନତା ଜନାର୍ଦ୍ଦନ ଏକ ଶାନ୍ତ ସୁଧୀର ମେଷପଲ୍ଲ । ଟିକିଏ ବୁଦ୍ଧି ଖଟାଇ ପାରିଲେ ଯେ କେହି ସେମାନଙ୍କୁ ନିଜର କରିପାରେ । ପ୍ରତିପତ୍ତି, କ୍ଷମତା, ଅର୍ଥ ଯଶସମ୍ମାନ—ପ୍ରତ୍ୟେକଟି ଜନତା ଜନାର୍ଦ୍ଦନ ପାଇଁ ଏକ ଏକ ଆକର୍ଷଣ । ଆଜି ଯାହାକୁ ବିନା ଦ୍ୱିଧାରେ ନିସଂକୋଚରେ ମୁଣ୍ଡରେ ବସାଇ ବୁଲାଯାଇପାରେ, ସମ୍ବର୍ଦ୍ଧନା ସଭା, ମଣ୍ତପ ନିର୍ମାଣରେ ବଳବୟସ ଖଟାଇ ଫୁଲଚନ୍ଦନରେ ପୋତି ଦିଆଯାଇ ପାରେ, ଆବଶ୍ୟକ ପଡ଼ିଲେ ପର ମୁହୂର୍ତ୍ତରେ ତାକୁ ଗୁଳି କରାଯାଇ ପାରେ । ତା’ ନାଆଁରେ ଅପବାଦର ଡେଙ୍ଗୁରା ବଜାଯାଇ ପାରେ । ମୁର୍ଦାବାଦ ଧ୍ୱନିରେ ଗଗନ ପବନ ମୁଖରିତ ହୋଇପାରେ । ଲୋକଟି ତା’ର ଜ୍ଞାନହେଲା ଦିନୁ ବୁଝିଛି, ‘ତତ୍ତ୍ୱ’ କ’ଣ ସେମାନେ ବୁଝନ୍ତିନି । ଭଲ ଭେଳର ବିଚାର ସେମାନେ କରି ପାରିନ୍ତିନି । ନିଜକୁ ସୁହାଇଲା ପରି, ନିଜ ସୀମିତ ସ୍ୱାର୍ଥରେ ବାଧା ନପଡ଼ିଲା ପରି ଯେ କୌଣସି କାମକୁ ଜନତା ତାରିଫ କରିଥାଏ ତାଳିମାଡ଼ ଦେଇଥାଏ । ହଇହଲ୍ଲା କରିଥାଏ ।

 

ଲୋକଟି ସେମାନଙ୍କ କଥାପ୍ରତି ଆଦୌ କର୍ଣ୍ଣପାତ କରିନାହିଁ । ସେମାନଙ୍କ ନିନ୍ଦା ବା ପ୍ରଶଂସାରେ ବିଚଳିତ ହୋଇ ନାହିଁ । ସେ ଜାଣେ, ବିନା ସ୍ୱାର୍ଥରେ ଅନ୍ୟକୁ ତାରିଫ କରିବା, ପରମଣିଷକୁ ନେଇ ଗର୍ବ କରିବା ଲୋକ ଖୁବ୍‌ କମ୍‌ ଏ ପୃଥିବୀରେ । ସ୍ୱାର୍ଥସିଦ୍ଧି ପାଇଁ ଯାବତୀୟ କୂଟନୀତି । ଷଣ୍ଢ ଲଢ଼େଇ । ଆତସବାଜି ।

 

ଈର୍ଷାରେ ଜଳିଯାଉଥିବା ଲୋକେ ତା’ ଉପରେ ଲଘୁ ମନ୍ତବ୍ୟ ଦେଇ ତା’ ପଛରେ କଥାହୁଅନ୍ତି । ‘‘ଏମିତି କି ଗୋଟେ ମଣିଷ ଯେ ! ତା’ କଥା ଉପରେ ଏତେ ଜୋର୍ ଦିଆଯାଉଛି । ସତେ ଯେମିତି ତା’ ବିନା ପୃଥିବୀ ଅଚଳ ହୋଇଯିବ । ଜୀବନ ମୂଲ୍ୟହୀନ ହୋଇପଡ଼ିବ ।’’ ଲୋକଟି ସବୁ ଶୁଣିବାକୁ ପାଏ । ତା’ ଆଗରେ ତା’ର ପ୍ରଶଂସା କରି ତା’ ପଛରେ ହୀନଚକ୍ରାନ୍ତ କରିବାରେ ଯେଉଁମାନେ ଧୁରନ୍ଧର—ଯେଉଁମାନେ ପ୍ରେମ କ’ଣ ବୁଝନ୍ତିନି; ପର ମଣିଷକୁ ଆପଣାର କରିବାର ଚେଷ୍ଟା କରନ୍ତିନି; ମଣିଷର ସୁଖ ଦୁଃଖରେ ସାଥୀ ହୁଅନ୍ତିନି, ସେମାନଙ୍କୁ ଦେଖିଲେ ଲୋକଟିର ମନ ଡହଳବିକଳ ହୋଇଯାଏ । ଦୁଃଖରେ ସେ ଭାଙ୍ଗିପଡ଼େ । କେତେ ଦିନର ଜୀବନ ପାଇଁକି ଏତେ କଥା । ଆହାଃ, ମଣିଷ ସବୁ ଜାଣିଶୁଣି ଏମିତିକା ବେଢ଼ଙ୍ଗିଆ ଭାବରେ ଅବାଟରେ ଯିବାକୁ ମନ ବଳାଏ କାହିଁକି ? କାହିଁକି ସେ ପବନର ସ୍ୱର ଶୁଣିପାରେ ନାହିଁ ? ଆକାଶର ନୀଳିମାକୁ ଦେହରେ ମାଖିପାରେ ନାହିଁ ? ଶବ୍ଦର କୁହୁକରେ ମତୁଆଲା ହୋଇ ପାରେନାହିଁ କାହିଁକି-? କେତେ ଲୋଭନୀୟ ଦୃଶ୍ୟ ଏ ପୃଥିବୀରେ ରହିଛି ତା’ପାଇଁ । ଅଥଚ ସେ ନିର୍ବୋଧ କଟୁଆଳ ପୁତ୍ରପରି ଜୀବନଯାତ୍ରା ନିର୍ବାହ କରୁଛି ।

 

ମହାପୁରୁଷମାନଙ୍କ କଥାକୁ ଲୋକଟି ଅକ୍ଷରେ ଅକ୍ଷରେ ମାନିଛି । ‘ଲୋକମଳ’ ତା’ପାଇଁ ଏକ ଗୁଳିଭରା ବନ୍ଧୁକର ଫାଙ୍କା ଆଓ୍ୱାଜ । ହେତୁ ପାଇଲାଦିନୁ ସେ ଜାଣିଛି ସେ ଯାହା ନୁହଁ, ତାକୁ ତା’ଠାରୁ ଅଧିକ କରି ଦେଖାଇବାକୁ ଦଳେ ବ୍ୟାକୁଳ ହୋଇ ବାହାରିଥିଲେ । ଜୋକପରି ତା’ ପଛେ ପଛେ ଲାଗି ରହିଥିଲେ । ତା’ରି ଉଚ୍ଛିଷ୍ଟକୁ ନିର୍ମାଲ୍ୟ ପରି ପାଉଥିଲେ ।

 

ତା’ ନାଁ ବିକି, ତାକୁ ଖଟୁଲିରେ ଦିଅଁପରି ବସାଇ ବୁଲୁଥିଲେ । ସେଥିରେ ସେମାନଙ୍କର ପ୍ରଚ୍ଛନ୍ନଭାବେ ସ୍ୱାର୍ଥ ଜଡ଼ିତଥିଲା । ସେମାନେ ନେତା ହିସାବରେ ଅଥବା କବିରୂପେ ନାଁ କରିବାକୁ ମନ ବଳାଇଥିଲେ । ନିରୋଳା ସମୟରେ ଫଟା ଆଇନାରେ ନିଜ ମୁହଁକୁ ଦେଖି ସେ କେତେ ନହସିଛି । ନିଜକୁ କେତେ ଧିକ୍‌କାର ନକରିଛି । ସେ ଏକ ଯୁଗ-ପ୍ରବର୍ତ୍ତକ ! ଭୁଲରେ ଯେମିତି କେହି ନକୁହନ୍ତୁ—ସେଥିପାଇଁ ସେ ଯତ୍‌ପରୋନାସ୍ତି ଚେଷ୍ଟା କରିଛି । ଇଚ୍ଛାକୃତ ଭାବେ ନିଜର ଗତିପଥକୁ ନିୟନ୍ତ୍ରିତ କରିଛି ।

 

ରାଜନୀତିକ ହଟ ଚମକ ଭିତରେ ଗୋଟିଏ ଦଳ ଅନ୍ୟ ଦଳ ଉପରକୁ କାଦୁଅ ଫୋପାଡ଼ିବାରେ ବ୍ୟସ୍ତ ଥିଲାବେଳେ, ନିଜର ଲକ୍ଷେ ଦୋଷ ଦୁର୍ବଳତାକୁ ଲୁଚେଇ ଦେଇ ଅନ୍ୟର ଭୁଲ ବାଛି ବସିଲାବେଳେ, ନିଜ ଯଶକୀର୍ତ୍ତିର ପ୍ରଚାରପତ୍ର ବାଣ୍ଟିଲା ବେଳେ ଲୋକଟି ମନକୁ ମନ କେତେ ହସେ । ମଣିଷ ମାଂସ ଲୋଭରେ ଚିତାଚଇତନ କାଟି ଲୋଟା କମଣ୍ତଳୁ ଧରି ଗେରୁଆ ବସ୍ତ୍ର ପିନ୍ଧି, ବୈରାଗୀ ସାଜିଥିବା ବୃଦ୍ଧ ବ୍ୟାଘ୍ରଟି କଥା ତା’ର ମନେପଡ଼େ । କଙ୍କଣଲୋଭୀ ସେଇ ନିର୍ବୋଧ ପଥଚାରୀର ଦୃଶ୍ୟ ତା’ ଆଖି ସାମନାରେ ଭାସିଯାଏ । ଲୁହରେ ଆଖି ତା’ର ଭର୍ତ୍ତି ହୋଇଥାଏ । ଛଳନାର ନାଇଲନ୍‌ ଜାଲ ଭିତରେ କି ଅସହାୟ ଭାବେ ବାନ୍ଧି ହୋଇ ପଡ଼ିଛି ନିର୍ବୋଧ ମଣିଷ ଶିଶୁଟି । କୁଆଡ଼େ ରାସ୍ତା କିଛି ସ୍ପଷ୍ଟ ବାରି ହେଉନାହିଁ । ହଜାର ହଜାର ବର୍ଷର ପ୍ରଚଳିତ ମାନବିକ ମୂଲ୍ୟବୋଧର ମୂଳଦୁଆ ତା’ ସାମନାରେ ଭୁଷୁଡ଼ି ପଡ଼ୁଛି । ପ୍ରୀତି-ମୈତ୍ରୀ, ଶ୍ରଦ୍ଧା, ସହାନୁଭୂତି–ସବୁ ଗୋଟାଏ ଗୋଟାଏ ଅର୍ଥହୀନ ଶବ୍ଦ । ଅର୍ଥ ନବୁଝି ସେଗୁଡ଼ିକର ପ୍ରୟୋଗ କରିବାରେ ଆମେ ଯେତିକି ତତ୍ପର, ମର୍ମ ନବୁଝି ସେ ସବୁର ବ୍ୟାଖ୍ୟା କରିବାରେ ସେତିକି ଧୁରନ୍ଧର ଆମେ । ସମାଜର ଯେଉଁ ବିନ୍ଦୁରେ ଲୋକଟିର ସ୍ଥିତି, ସେଇଠୁ ଦୃଷ୍ଟି ନିକ୍ଷେପ କଲେ ଘନ-ତମସା ଭିତରେ ଚଳପ୍ରଚଳ ହେଉଥିବା ‘ସତ୍ୟ’ଟିର ଅସଲ ମୁଖା ଆପେ ଆପେ ତା’ ଆଗେ ଖୋଲିଯାଏ । ନୈତିକତାହୀନ ମଣିଷର ଅଧୋଗତି ପାଇ ସେ ତା’ ଇଷ୍ଟଙ୍କୁ ପ୍ରାର୍ଥନା କରେ । ପ୍ରତ୍ୟେକଟି କଥାକୁ ବିଶ୍ଳେଷଣ କଲାବେଳେ ତା’ ବୁଢ଼ୀମା କଥା ତା’ର ମନେ ପଡ଼ିଯାଏ । ଯେ ତାକୁ ପିଲା ଦିନରୁ ନିଜ ହାତରେ ଗଢ଼ିଛି । ତା’ ମନରେ ଗୁଡ଼ାଏ ‘ମୂଲ୍ୟବୋଧ’ର ବୀଜ ବପନ କରି ଦେଇଛି ତା’ ଅଜାଣତରେ । ଆଜି ଆଉ ତା’ ପାଖେ ତା’ର ସେଇ ଅତିକ୍ରାନ୍ତ ବୟସର ବୁଢ଼ୀଟି ନାଇଁ । ତା’ ନୁଖୁରା ମୁହଁକୁ ଦେଖି ଯିଏ ଲୁଗା କାନିରେ ପୋଛିଦେଇ କହିବ, ‘‘ଛି ମୋ ବାୟାଟା ପରା ! ସାହସ ଧର । ଦୁର୍ବଳତା ମଣିଷ ପକ୍ଷେ ଶୋଭା ପାଏନି । ସବୁ କଥାକୁ ମୁହାଁମୁହିଁ ମୁକାବିଲା କର ଦେଖିବୁ, ନିଜର ଆତ୍ମବିଶ୍ୱାସ ବଢ଼ିବା ସଙ୍ଗେ ସଙ୍ଗେ ସମସ୍ୟାଗୁଡ଼ିକର ସମାଧାନ ବି ହୋଇଯିବ ।’’ ବୁଢ଼ୀମା କଥା ମନେ ପଡ଼ିଗଲେ ଲୋକଟି ମନରେ ଶତସିଂହର ବଳ ଆସେ । ଠିକ୍‍ ଯେମିତି ମଞ୍ଚ ଉପରେ ସଂଳାପ ଭୁଲିଯାଉଥିବା ନାୟକଟି ସ୍ମାରକର ସ୍ୱର ଶୁଣିପାରି ପ୍ରଫୁଲ୍ଲ ହଠାତ୍‌ ଦିଶିଯାଏ । ସେ ସେତେବେଳେ ସାତ ବର୍ଷର ଶିଶୁ, ମା ତା’ର ବର୍ଷା ରାତିରେ ତାକୁ କୋଳରେ ପୂରାଇ ଗପ କହୁଥିଲା । ଗପତ ନୁହେଁ ଗୁଡ଼ାଏ ଛନ୍ଦହୀନ ବେସୁରା ସଂଳାପ । ଶବ୍ଦଗୁଡ଼ା ଏଣୁତେଣୁ ଆସି ଯୋଡ଼ିହୋଇ ଯାଇଛି ଯେମିତି । ମଣିଷକୁ ସେ ବୁଢ଼ୀଟି କେମିତି ଚିହ୍ନିଥିଲା କେଜାଣି ସବୁବେଳେ ଗୁଣୁଗୁଣୁ ହୋଇ କହୁଥିଲା, ମଣିଷକୁ ପ୍ରେମ ଦେଇ ନିଜର କରିବୁ । ସୁଖ ଦୁଃଖରେ ତା’ ସାଥୀ ହେବୁ ପ୍ରତିଦାନର ଆଶା ରଖିବୁନି । ରଖିଲେହିଁ ବିପଦ । ଦୁଃଖ ମାଡ଼ି ଆସିବ । ନିଜ ଉପରେ ପ୍ରଚୁର ବିଶ୍ୱାସ ରଖିବୁ । ସବୁ ଠିକ୍‌ ହୋଇଯିବ । ବେଦର ଗାରପରି ଲୋକଟି ତା’ ବୁଢ଼ୀମା କଥାକୁ ମାନିଛି । ଜୀବନକୁ ନିଜର ନିଜ ହାତରେ ଭାଙ୍ଗିରୁଜି ପୁଣି ଗଢ଼ି ତୋଳୁଛି ।

 

ଧର୍ମଶାସ୍ତ୍ରର ପୃଷ୍ଠା ଲେଉଟାଇ ଲୋକଟି ଦେଖିଛି । ସେଇ ଗୋଟାଏ କଥା । ସତେ ଯେମିତି ତା’ ବୁଢ଼ୀମା ମୁହଁର କଥାକୁ ଅବିକଳ କିଏ ଟିପି ଦେଇଛି । ‘‘ମତେ ଅସତ୍‌ରୁ ସତ୍‌କୁ ନିଅ । ଅନ୍ଧାରରୁ ଆଲୋକକୁ ନିଅ । ମୃତ୍ୟୁରୁ ଅମୃତକୁ ନିଅ ।’’ କି ବିକଳ ଏ ପ୍ରାର୍ଥନା ! କେତେ ମଧୁର ଏ ଶ୍ରୁତିସଙ୍ଗୀତ ! କି ଅପୂରନ୍ତ ପ୍ରାଣୋଚ୍ଛ୍ୱାସ ଏ ଶବ୍ଦଗୁଡ଼ିକ ଭିତରେ । ସ୍ୱପ୍ନସବୁ ପାଣିର ଫୋଟକାପରି ମିଳେଇ ଯାଉଛି । ବାଦଲପରି ଉଡ଼ି ଯାଉଛି । ଚେଷ୍ଟା କରିବି ଆମେ ତାକୁ ଧରିରଖି ପାରୁନୁ । ଫେର୍‌ ସେଇ ରୂପକଥାର କାହାଣୀ ମନେ ପଡ଼ୁଛି । ଯିଏ ଆମକୁ ନିଦରୁ ଉଠାଇ କାନ ପାଖେ ଚୁପ୍‌ଚାପ୍‌ କହିଥିଲା, ‘‘ସବୁ କଥାକୁ ଶାନ୍ତଶିଷ୍ଟ ପିଲାପରି ମାନି ନିଅନି । ଖୋଳି ତାଡ଼ି ପ୍ରଶ୍ନକର । ସୀମା ଭାଙ୍ଗ । ସୀମା ଲଙ୍ଘନ କଲେ ଯାଇ ‘ଅସୀମ’ର ମୂଲ୍ୟ ବୁଝି ପାରିବ । ଘୁଷୁରିପରି ଜୀବନ ଧରି ଲାଭ କ’ଣ ।’’ ବୁଢ଼ୀମାର ଠିକ୍‌ ସେଇକଥା । ସବୁକଥାରେ ହିଁ ଭରିଦେବା ଅର୍ଥ ନିଜର ଜୀବନୀ ଶକ୍ତିକୁ ହତ୍ୟା କରିବା । ବରଫ ମାଛ ପରି ଜୀବନ ବିତେଇବା ।

 

ସତ୍ୟ ପ୍ରତିଷ୍ଠା ପାଇଁ, ସତ୍ୟର ଧ୍ୱଜା ଉଡ଼ାଇବା ପାଇଁ ଈଶ୍ୱର-ସମ୍ପ୍ରଦାୟ ଯେତେ ପ୍ରଯତ୍ନ କରୁଛନ୍ତି, ଯେତେ ଯୁଗସ୍ରଷ୍ଟା, ମହାପୁରୁଷ, ସାଧୁସନ୍ଥ ଜନ୍ମ ହେଉଛନ୍ତି, ଈଶ୍ୱରଙ୍କ ଅସ୍ତିତ୍ୱକୁ ବିଲୋପ କରିବା ପାଇଁ ସେତିକି ପ୍ରଚେଷ୍ଟା ପ୍ରତିପକ୍ଷର ଚାଲିଛି । ରୀତିମତ ଏକ ଗରିଲା ଯୁଦ୍ଧର ସୂତ୍ରପାତ । କିଏ ଜିତିବ, କିଏ ହାରିବ ତାହା ଏକ ବିବାଦୀୟ ପ୍ରଶ୍ନ । ଚିରନ୍ତନ ସତ୍ୟ ବା ମିଥ୍ୟା ବୋଲି କିଛି ନାହିଁ । ସବୁକିଛିର ଗୁରୁତ୍ୱ ନିର୍ଭର କରୁଛି ତା’ର ପ୍ରୟୋଗ ଉପରେ । ସୁତରାଂ ଗଢ଼ାଭଙ୍ଗାର ଆବର୍ତ୍ତନ ଭିତରେ, ସତମିଛର ଯାଦୁ ଭିତରେ ଘାଣ୍ଟିଚକଟି ହୋଇ ଲାଭ ବା କ’ଣ ? ତତ୍ତ୍ୱର ମହତ୍ୱ ବୁଝି ତାକୁ ଚର୍ଯ୍ୟାରେ ରୂପ ଦେଇ ପାରୁଥିବାରୁ ଲୋକଟି କୃତଜ୍ଞତାରେ ତା’ ବୁଢ଼ୀମା ପାଖେ ମୁଣ୍ତ ନୁଆଁଇଛି । ବୁଢ଼ୀମା ଆଜି ତା’ଠାରୁ ଯୋଜନ ଦୂରରେ । କୋଉ ଗ୍ରହ ଉପଗ୍ରହରେ ରହିଥିବ କିଏ ଜାଣେ ! ତଥାପି ତାରି ସ୍ମୃତିକୁ ରୋମନ୍ଥନ କରି ଅବଶିଷ୍ଟ ଜୀବନ କଟେଇ ଦେଲେ କ୍ଷତି କ’ଣ ? ଏତେଗୁଡ଼ାଏ ଦିନ ବିତିଗଲା ପରେବି ଲୋକଟିର ଆଦୌ ଧାରଣା ହେଉନାହିଁ ଯେ ତା’ର ସେଇ ଅଲିଅଳୀ ବୁଢ଼ୀମା ତାକୁ ସତୁସତ ଛାଡ଼ିଦେଇ କୁଆଡ଼େ ଉଭାନ୍‌ ହୋଇଯାଇଛି ।

ରଫା କରିଦେଲେ ସବୁ ଗୋଳମାଳର, ସବୁ ସମସ୍ୟାର ସମାଧାନ ହୋଇଯାଏକି ? କିଛି ସତ କିଛି ମିଛର ସମାହାର ତ ଜୀବନ । ଜୀବନରେ କିଏ କାହାର ସତ୍ତ୍ୱ ଛାଡ଼ିଦେବ । ମୃତ୍ୟୁରେ ଥାଇ ଅମୃତକୁ ପାଇବା ବା ଅମୃତରେ ରହି ମୃତ୍ୟୁର ତତ୍ତ୍ୱ ବୁଝିବା ଏକା କଥାକି ? ତଳ ପାହାଚରୁ ଉପର ପାହାଚକୁ ଉଠିବାରେ ନାହିଁ ନଥିବା ଆନନ୍ଦ । ଗଡ଼ ଜୟର ନିଶାରେ ଆମେ ମାତାଲ୍‌ । ମାଲ୍ୟାଣୀର ସବୁ କରାମତି । କୁମ୍ଭକର୍ଣ୍ଣନିନ୍ଦ ଭାଙ୍ଗୁଛି କୋଉଠି । ଖୁବ୍‌ ବେଶୀ ହେଲେ ଟିକିଏ କଡ଼ ଲେଉଟାଇ ଦେଇ ହାଇଟାଏ ମାରିବା ଅଳସରେ । ତା’ପରେ ଯୋଉ କଥାକୁ ସେଇ କଥା । ଗୋଟାଏଯୁଗ । ଗୋଟାଏ ମହାଯୁଦ୍ଧ । ଗୋଟାଏ ମସ୍ତବଡ଼ କନ୍‌ଫ୍ରଣ୍ଟଟେସନ୍‌ । ଗୋଟାଏ ଅଦ୍ଭୁତ ଚାଲେଞ୍ଜ ।

ଗୋଟାଏ ନୂତନ ପୃଥିବୀର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଯେଉଁ ହାଡ଼ଭଙ୍ଗା ଟ୍ରେନିଂ ଲୋକଟି ତା’ ବୁଢ଼ୀ ମା’ଠାରୁ ପାଇଥିଲା, ତାକୁ ଏଇ ଜୀବଦ୍ଦଶାରେ ଶେଷ କରିଦେବା କମ୍‌ ବଡ଼କଥା ନୁହେଁ । ନୂତନ ପୃଥିବୀର ରୂପରଙ୍ଗ ସମ୍ପୂର୍ଣ୍ଣ ଭିନ୍ନ ହେବ ଆଜିର ପୃଥିବୀରୁ । ଏକ ନାହିଁ ନଥିବା ଭାଗବତ ଚେତନାରେ ପରିବର୍ଦ୍ଧିତ ଓ ପରିମାର୍ଜିତ ହୋଇ ଦିବ୍ୟଜ୍ୟୋତିରେ ଉଦ୍ଭାଷିତ ହୋଇ ଉଠିବ । ବାୟବୀୟ ଶରୀରର ଦୁଃଖ ଓ କ୍ଳେଶର ଲେଶମାତ୍ର ଚିହ୍ନବର୍ଣ୍ଣ ନରହିବ ସେଠାରେ । ପ୍ରତ୍ୟେକଟି ଅଣୁପରମାଣୁ ଛନ୍ଦି ହୋଇଯିବ ମହାମୈତ୍ରୀର ବନ୍ଧନରେ ।

କିଏ ଶିଖେଇଥିଲା ଏକଥା ଲୋକଟିକୁ ! ଡାହାଣୀ ଲାଗିଲାପରି ବାଡ଼େଇ କଚାଡ଼ି ହୋଇ ମନେମନେ ଝୁରି ହେଉଥିଲା ସେଇ ମୂର୍ତ୍ତିମନ୍ତ ଦିନଗୁଡ଼ିକୁ । ବାପା ତା’ର ଖୁବ୍‌ ପ୍ରତିପତ୍ତିଶାଳୀ ଥିଲେ । ଧାର୍ମିକ ବି ଥିଲେ । ସହରରେ ତାଙ୍କର ଖୁବ୍‌ ସୁନାମ । । ଭାର୍ଗବୀ କୂଳରେ ସେଇ ଛୋଟିଆ ସହରଟି । କେତେ ଆଲୋଚନା ସଭା ସେ ତାଙ୍କ ଘରେ ବସିଥିବାର ଦେଖିଛି । ବାପା ସବୁଥିରେ କର୍ଣ୍ଣଧାର । ବାଘ ଓ ଛେଳିକୁ ଗୋଟିଏ ତୁଠରେ ପାଣି ପିଆଇବା ମଣିଷ ସିଏ । ଘରେ ଅଭ୍ୟାଗତ ଅତିଥି, ବନ୍ଧୁବାନ୍ଧବଙ୍କ ଅସମ୍ଭବ ଭିଡ଼ । ମଧ୍ୟବିତ୍ତ ପରିବାର ପାଇଁ ସବୁ ବିପତ୍ତି । ସକଳ-ନୀତିନିୟମର ତାଡ଼ନା । ବାପା ଚାହୁଁଥିଲେ ସବୁକିଛି ତାଙ୍କରି ଆଦର୍ଶରେ ଗଢ଼ିବାକୁ । ବୁଢ଼ୀମା କିନ୍ତୁ ଭିନ୍ନ ଧରଣର ଥିଲା । ସେ ଜାଣେ, ଶିଳ୍ପୀମାନେ ଖୁବ୍‌ ବେଶୀ ଭାବପ୍ରବଣ । ଜୀବନରେ ଭାବପ୍ରବଣତା ଏତେଟା ଶୋଭା ପାଏନା । ପାଖେ ପାଖେ ଥାଇ ଛାଇପରି ସେ ଦେହରେ, ପାଞ୍ଚମନ ପଚିଶି ପ୍ରକୃତିରେ ମିଶି ଯାଉଥିଲା । ତା’ରି ମୁହଁର ତ୍ୱକରେ ମନ୍ତ୍ରମୁଗ୍ଧ ହୋଇ ଯାଉଥିଲାବେଳେ ମନେ ହେଉଥିଲା ବୁଢ଼ୀମା’ର ସ୍ୱପ୍ନ ପୂରଣ କରିବା ସତରେ କ’ଣ କଷ୍ଟକର ବ୍ୟାପାର ।

ଆଜି ଉତ୍ତର-ତିରିଶରେ ସେଇ ପ୍ରଶ୍ନ ନିଜକୁ ଲୋକଟି ପଚାରୁଛି । ‘ସମାନତା’ ନଥିଲେ ମୈତ୍ରୀ କ’ଣ ସମ୍ଭବ । ବ୍ୟକ୍ତିର ସ୍ୱାଧୀନତା ନଥିଲେ ମୈତ୍ରୀ ଆସିବ କାହୁଁ । ଅପରକୁ ମର୍ଯ୍ୟାଦା ଦେଇ ଜାଣୁ ନଥିବା ମଣିଷ ନିଜକୁ ମଧ୍ୟ ମର୍ଯ୍ୟାଦାବନ୍ତ କରି ପାରିବନି । ବ୍ୟକ୍ତି ବ୍ୟକ୍ତିର ସେତୁବନ୍ଧ ଥରେ ପଡ଼ିଗଲେ ଆଉ ପରବାଏ ନାହିଁ । ଏକ ବୃହତ୍ତର ସ୍ୱାର୍ଥ ପାଇଁ କାହାର କେତେ ଦେୟ ସେ ଏକ ସ୍ୱତନ୍ତ୍ର ପ୍ରଶ୍ନ । ଯେଉଁମାନେ ଏ ମହାମନ୍ତ୍ରକୁ ଜପି ପାରିଲେନି ସେମାନେ କାଳ ସ୍ରୋତରେ ନିଶ୍ଚିହ୍ନ ହୋଇଗଲେ । କିନ୍ତୁ ସେଇ ବୁଢ଼ୀମାଟି । ତା’ର ଶିକ୍ଷାଦୀକ୍ଷା କିଛି ନଥିଲା । ସ୍କୁଲ କଲେଜ ସେ ମାଡ଼ି ନଥିଲା । ସେ କେମିତି ସବୁକଥା ବୁଝି ପାରୁଥିଲା । ସବୁକିଛି ବୁଝାଇ ପାରୁଥିଲା । କାଳଜୟୀ ହୋଇ ରହିଗଲା ସେ ।

ଲୋକଟି ଆଦୌ ବୁଝିପାରୁନାହିଁ, ପରିବର୍ତ୍ତନ କଥା ସମସ୍ତେ କହୁଛନ୍ତି ? ଅଥଚ କାହିଁ କୁଆଡ଼େ କିଛିତି ବଦଳୁ ନାହିଁ । ସବୁକିଛି ଯେମିତି ସେମିତି ଅପରିବର୍ତ୍ତିତ । ମୁଖାପିନ୍ଧା ସଖାରେ ଭର୍ତ୍ତି ଏ ଦୁନିଆ । ରୁଦ୍ଧଶ୍ୱାସ ହୋଇଗଲା ପରି ଲାଗୁଛି । ନିଜେ ଅପରିବର୍ତ୍ତିତ ରହି ଅନ୍ୟକୁ ଉପଦେଶ ଦେବାରେ କ’ଣ ଯଥାର୍ଥତା । ଚରିତ୍ରର ଏକ ସାଂଘାତିକ ବ୍ୟତିକ୍ରମ ନୁହେଁ କି । ଲୋକଟି ଆଙ୍ଗୁଠି ଦେଖାଇ ନିର୍ଦ୍ଦେଶ ଦେବା ଢଙ୍ଗରେ ଅନେକଥର କହିଛି, ପ୍ରଥମେ ଅହଂବାଦୀ ଚେତନାରୁ ସମ୍ପୂର୍ଣ୍ଣ ମୁକ୍ତିପାଇଁ ସଂଗ୍ରାମ ଚାଲୁ । ଯେ ପର୍ଯ୍ୟନ୍ତ ମଣିଷ ନଭାବିଛି ଯେ ସେ ନିମିତ୍ତିମାତ୍ର । ତା’ଦ୍ୱାରା ଯାହା କିଛି ପରୋକ୍ଷରେ ବା ପ୍ରତ୍ୟକ୍ଷରେ ହୋଇଯାଉଛି, ତା’ ଉପରେ କାହାରି କର୍ତ୍ତୃତ୍ୱ ନାହିଁ—ସେ ପର୍ଯ୍ୟନ୍ତ ଅନ୍ଧ ହୋଇ ଆମେ ହାତୀ ଦେଖୁଥିବା । ଅନ୍ଧାରରେ ବାଡ଼ି ବୁଲାଉଥିବା । ପାହାଡ଼ ଫଟାଇ ଚିତ୍କାର କରୁଥିବା । ନିଜକୁ ଉଜାଡ଼ୁଥିବା ଓ ଏହିପରି ଜୀବନ ବିତାଇ ଶେଷରେ ଅନନ୍ତ ଶୂନ୍ୟରେ ଦିନେ ମିଳିମିଶି ନିଶ୍ଚିହ୍ନ ହୋଇଯିବା । ଅଥଚ କିଛି ପାଇପାରିବାନି । ଶୂନ୍ୟହାତରେ ଫେରିବାକୁ ପଡ଼ିବ ।

ବୁଢ଼ୀମା’ କହିଥିଲା, ଅଣହୁସିଆର ହୋଇଗଲେ କିଛି ହାତମୁଠାରେ ଧରା ପଡ଼େନି । ସବୁ ପରିଶ୍ରମ ବ୍ୟର୍ଥ ହୋଇଯାଏ । ସବୁ ଚିହ୍ନା ଲୋକ ନଚିହ୍ନିଲା ପରି ମୁହଁ ଆଡ଼େଇ ଚାଲିଯିବେ । ସବୁ କଥା ଗୋଳମାଳିଆ ଧରିଯିବ ।

 

ବର୍ଷଣମୁଖର ଆକାଶକୁ ଝରକା ଫାଙ୍କରୁ ଚାହିଁ, ଝରକାର ଗ୍ରିଲ ଉପରେ ଚୌକସ୍‌ ଲଟାଇଥିବା କୃଷ୍ଣଚୂଡ଼ାର ଦାମ୍ଭିକତାକୁ ଦେଖି ରାସ୍ତାଉପରେ ବର୍ଷା ପାଣିରେ ଭିଜୁଥିବା ଅସହାୟ ଅମୃତର ସନ୍ତାନମାନଙ୍କୁ ଦୃଷ୍ଟି ନିକ୍ଷେପକରି ଲୋକଟି ଭାବୁଥିଲା, ତା’ ବୁଢ଼ୀମା କଥା, ତା’ ପିଲାବେଳ କଥା, ତା’ ବାପାର ପ୍ରଶସ୍ତ କପାଳ କଥା ଓ ତା’ର ପରିପକ୍ୱ ବୟସର ସ୍ୱପ୍ନଗୁଡ଼ିକ କଥା-। ତା’ର ସ୍ୱପ୍ନଗୁଡ଼ିକୁ ଓଲଟପାଲଟ କରି ବାରମ୍ବାର ନାଚି ଉଠୁଥିଲା ରେଖା ଓ ରେଖାରେ ଭର୍ତ୍ତି ହୋଇ ପଶିଯାଇଥିବା ଆଖି ଦୁଇଟିର କଥା, ଯାହା ଅନ୍ୟ କାହାରି ନୁହେଁ, କାହା ସହିତ ଏତେବଡ଼ ଦୁନିଆରେ ସମାନ ହୋଇ ନପାରେ, ତା’ରି ସେଇ ବର୍ଷିୟସୀ ବୁଢ଼ୀମାର ଦୀପ୍ତିମନ୍ତ ମୁହଁଟି-

 

ଅନେକ ଦିନ ପରେ ମୁଁ ପୁଣି ଲୋକଟିର କଥା ଆପଣମାନଙ୍କୁ କହିବାକୁ ଯାଉଛି । ସାଂସାରିକ ଜଞ୍ଜାଳ ଭିତରେ ଯେତେ ଧନ୍ଦି ହେଉଥିଲେ ବି ଆପଣମାନେ ଯେ ଲୋକଟିକୁ ପୂରାପୂରି ଭୁଲି ନଥିବେ, ଏ ବିଶ୍ୱାସ ମୋର ଅଛି । ଯେଉଁ ସହରରେ ରହି ମୁଁ ଆପଣମାନଙ୍କୁ ଲୋକଟିର ଉପାଖ୍ୟାନ ଶୁଣାଉଛି, ସେ ସହରରେ ଆମେ ସଭିଏଁ ଭିନ୍ନ ଭିନ୍ନ ଦିଗରେ ବେଶ୍‌ ଅଭିଜ୍ଞ ଏବଂ ଆମ ସଭିଙ୍କର ରିଂମାଷ୍ଟର ସେଇ ଲୋକଟି, ଅନେକ ଦିନ ତଳେ ଅନ୍ୟମନସ୍କ ହୋଇ ବୁଲୁ ବୁଲୁ ବସ୍‌ ଷ୍ଟାଣ୍ଡରେ ଯିଏ ଗୋଟାଏ ମସ୍ତବଡ଼ ଝାମେଲା ସୃଷ୍ଟି କରି ବସିଥିଲା । ଭାବପ୍ରବଣତାରେ ମଜ୍ଜିଯାଇ ସେଦିନ ସେଇ କୁହୁଡ଼ିଆ ସନ୍ଧ୍ୟାରେ ସେ ଆମମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଭାଷଣ କଥା ଆପଣମାନଙ୍କର ନିଶ୍ଚେ ମନେଥିବ । ଭାଷଣ ଆରମ୍ଭ କରିବା ପୂର୍ବରୁ ସେ ଅକଥନୀୟ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଲୋକେ ସେ ସମ୍ପର୍କରେ ଆଦୌ ସଚେତନ ନରହି ତା’କଥା ଶୁଣିବାକୁ ବେଶ୍‌ ଭିଡ଼ ଜମେଇଥିଲେ । ତା’ର ନିଜର ସ୍ୱକୀୟ ଷ୍ଟାଇଲରେ ଲୋକଟି ବେଶ୍ କିଛି ଭଦ୍ର ଓ ଗମ୍ଭୀର କଣ୍ଠରେ କହିବାକୁ ଆରମ୍ଭ କରିଥିଲା ।

 

‘‘ମହାଶୟ । ମୁଁ ଆପଣଙ୍କ ପରି ଜଣେ ମଣିଷ । ସର୍କସ ପାର୍ଟିର ଜୋକର ନୁହଁ ବା ଏକ ଅଭିଶପ୍ତ ଅଶ୍ୱଶାବକ ନୁହେଁ ଯାହାର କିଛି ଅଂଶ ମଣିଷ ଓ କିଛି ଅଂଶ ଘୋଡ଼ା ପାଲଟି ଯାଇଥିବା କଥା ଆପଣ ଶୁଣିଥିବେ । ସହଜ ଓ ସରଳ ଭାବେ ଜୀବନ ବିତେଇବା ପାଇଁ ସଂଗ୍ରାମ କରି କରି ମୁଁ ଏପରି ଏକ ସ୍ଥାନରେ ଆସି ପହଞ୍ଚିଛି; ଯେଉଁଠୁ ମୁଁ ଆଗକୁ ଯାଇ ପାରୁନି କି ପଛକୁ ଫେରି ପାରୁନି । ମତେ କେଜାଣି କାହିଁକି ସବୁକିଛି ଅସହଜ ଓ ଦୁର୍ବୋଧ୍ୟ ମନେ ହେଉଛି । ବେଳେବେଳେ ମନକୁ ମନ ପଚାରୁଛି ‘‘ମୋର ମସ୍ତିସ୍କ ବିକୃତ ହୋଇଯାଇଛି କି ?’’ ମୋ ନିଜ ଉପରେ ମୋର ଏତେ ଆସ୍ଥା ଓ ବିଶ୍ୱାସ ଯେ ଏଭଳି ପ୍ରଶ୍ନର ଅବତାରଣା ମୋ ପକ୍ଷେ ଅସମ୍ଭବ । କ୍ଳାନ୍ତ ଓ ଦୁର୍ବଳ ହୋଇ ପଡ଼ୁଥିଲାବେଳେ ମନକୁ ମୁଁ ସଂଯତ କରି ବାରମ୍ବାର ଚେତେଇ ଦିଏ । ଯାତ୍ରା ମୋର ଶେଷ ନ ହେବାଯାଏଁ ମୁଁ ଚେଷ୍ଟା କରୁଥିବି । ସମୁଦ୍ରର ଢେଉ ଗଣୁଥିବି । ବାଲିରେ ଘର ତୋଳୁଥିବି । ମଣିଷର ବତୁରା ଶେଥା ମୁହଁକୁ ନିରେଖି ଦେଖୁଥିବି ସେମାନଙ୍କ ଅଲକ୍ଷରେ । ମହାଶୟ, ମୁଁ ଜାଣେ, ଆପଣଙ୍କ ପାଇଁ ଯାହା ଖୁବ୍‌ ସହଜ ମୋ’ପାଇଁ ତାହା ଖୁବ୍‌ ଜଟିଳ । ଏପରି ଗହନ ବିଦ୍ୟାରେ ମୁଁ ଲାଗି ପଡ଼ିଛି ଯେ କହିଲେ ନସରେ । ପାଗଳଙ୍କ ପରି ବେଳେବେଳେ ପ୍ରଳାପ କରିବାକୁ ମନେହେଉଛି । କ’ଣ ଗୋଟାଏ ଆଖି ପିଛୁଡ଼ାକେ କରି ପକାନ୍ତି ସମସ୍ତଙ୍କୁ ଚକିତ କରାଇ ଦିଅନ୍ତି ମ୍ୟାଜିକ୍‌ବାଲା ପରି, ଲୋକେ ଜଳକା ହୋଇଯାଆନ୍ତେ ମୋ ଭେଳିକି ଦେଖି । ମୁଁ ପାରୁନି ଭାଇମାନେ । ସତ କହୁଛି, ମୋର ସବୁ ଶକ୍ତି କ୍ଷୟ ହୋଇଗଲା ପରି ଲାଗୁଛି । ମାଂସପେଶୀ ଶିଥିଳ ହୋଇଯାଉଛି । ହାଡ଼ର ଗଣ୍ଠିସବୁ କଟ କଟ ହେଉଛି । ବୁଲା କୁତିପରି ଧକେଇ ଧକେଇ ଜୀବନ ସରିଯିବ ? ପବନ ପରି ସବୁ ଶବ୍ଦ ମୋର ଉଡ଼ି ଚାଲିଯିବ ମୋ ହାତ ପାଆନ୍ତାରୁ ? ମୁଁ ନିବୀର୍ଯ୍ୟ ପୁରୁଷପରି, ଗୋଟାଏ ଜଡ଼ ମାଂସ ପିଣ୍ଡୁଳାପରି କୋଉ କୋଣରେ ପଡ଼ି ରହିଥିବି । ଦଳିକୁଦି ମୋ ଉପରେ ଦେଖାଣାହାରିଏ ଚାଲିଯିବେ । ମୁଁ ପାଟି ଫିଟେଇ ପାରୁନଥିବି । ପ୍ରତିବାଦ କରି ପାରୁନଥିବି । ମନର କଥାକୁ କାହା ଆଗେ ପ୍ରକାଶ କରିପାରୁ ନଥିବି । ଏ ଦୁଃଖ ଭୁଲରେ ଥରକ ପାଇଁ ଆପଣ ନ ଭୋଗନ୍ତୁ । ଆପଣମାନେ ସତେ କେତେସୁଖୀ !

 

ଆପଣଙ୍କର ସୁଖର ସଂସାର, ପିଲାଛୁଆ, ପ୍ରମୋସନ୍‌, ବଦଳି, କାନକୁହା ଆଳାପ ସଂଳାପ ଦେଖି ମୁଁ ଅବାକ୍‌ ହୋଇଯାଉଛି । ଚିନ୍ତା ନାହିଁ କି ଦକ ନାହିଁ । ବେଶ୍‌ ଆନନ୍ଦରେ ଦିନ ଗଡ଼ିଯାଉଛି । ମୋ ପରି ଆପଣମାନେ ତ ରକ୍ତମାଂସର ମଣିଷ । ମୋ ଆଖି ଆଗରେ ଆପଣଙ୍କ ନିଷ୍ପାପ ମୁହିଁ ଭାଷି ଯାଉଛି । ସୁଖର ସଂସାର ଭିତରେ ଆପଣ ଚକଟିହୋଇ ଯାଉଛନ୍ତି । ଅନ୍ୟକୁ ବାଟ ଛାଡ଼ି ଯାଉଛନ୍ତି । ସେଥିରେ ଶୋଚନା ନାହିଁ । ଅନୁତାପ କରିବାର ପ୍ରଶ୍ନ ବି ନାହିଁ । ଅଥଚ ମୋ’ପାଇଁ ସବୁ ଝାମେଲା । କାହାର କ’ଣ କ୍ଷତି ମୁଁ କରୁଛି ? ବାହାରର ଉତ୍ତାପ ମୁଁ ସହି ପାରୁନି । ଭିତରର ଅନ୍ଧାର ମୋ ପକ୍ଷେ ଦୁର୍ବିସହ । ମୁଁ ଅଣନିଃଶ୍ୱାସୀ ହୋଇଯାଉଛି । ମୋ ଖୋଳପା ଭିତରେ ମୁଁ ନିଜେ ବନ୍ଦୀ । ମୋର ସ୍ୱାଧୀନତା ନାହିଁ । ମୋର ଅଧିକାର ନାହିଁ । ମୁଁ ଯେମିତି ଏକ ଅନାମଧ୍ୟେୟ, ଅବାଞ୍ଛିତ, ଅଲୋଡ଼ାଜୀବ । ପୁରୁଣା ସାର୍ଟପରି ମୋର ପ୍ରୟୋଜନହିଁ ନାହିଁ ।

 

ମନକୁ ମନ ମୁଁ ଆଜିକାଲି ସାନ୍ତ୍ୱନା ଦେଇ ଶିଖିଲିଣି । ମୋର ନିରାପତ୍ତାହିଁ ମୋର ସର୍ବସ୍ୱ । ମୋର ବଞ୍ଚିବା ମରିବା ଯେତେବେଳେ ମୁସ୍କିଲ ହୋଇପଡ଼ିଲାଣି, ମୋ ପଛରେ ଏକ ମସ୍ତବଡ଼ ବ୍ୟୂହ ରଚନା ହୋଇ ସାରିଲାଣି, ମୋର ଗତିବିଧି ଉପରେ କଡ଼ା ନିୟନ୍ତ୍ରଣ ଜାରି କରାଗଲାଣି । ମୁଁ ସହଜ ସରଳ ଭାବେ ଶୋଇ ପଡ଼ିଲେ ଗଲା ! ମୋ ଖୋଳପା ଭିତରେ ମୁଁ ଆଖି ମୁଦିଦେଲେ କଥା ସରିଲା । କ’ଣ ମିଳିବ ଏତେଗୁଡ଼ାଏ କଥାରେ ମୁଣ୍ତ ପୂରେଇ । ମୁଁ କ’ଣ ଶଳା ଠିକାଦାର ! ହଉ ହେଲା ମୋ ଦେଇ କିଛି ହୋଇପାରିବ ନାହିଁ । କ’ଣ ବିଗିଡ଼ିଗଲା ସେଇଠୁ । ବେଦ ଅଶୁଦ୍ଧ ହୋଇଗଲା । ପ୍ରଳୟ ଘୋଟିଯିବ ନାହିଁତ ! ଏବେ ବାଡ଼େଇ କଚାଡ଼ି ହୋଇ ଲାଭ ଆଉ କ’ଣ ?

 

‘‘ମହାଶୟ ! ଏସବୁ ମୋ ନିଜସ୍ୱ ସଂଳାପ ! ଏଥିରେ ଆପଣ କାହିଁକି ମୁଣ୍ତ ପୂରାଇବେ । ମୋର ବିନୀତ ନିବେଦନ, ଏହାକୁ ମୋର ଅସଲ କଥା ବୋଲି ଭୁଲରେ ଯେମିତି କେହି ଧରି ନ ନିଅନ୍ତି । ମୋ ଭିତରେ ମୁଁ ଏକ ଭିନ୍ନ ସ୍ୱାଦର ମଣିଷ । ଅଥଚ ବାହାରକୁ ମୋର ଭୂମିକା ସ୍ୱତନ୍ତ୍ର । ମୁଁ ସର୍କସ ପାଟିର ଜୋକର ନୁହେଁ । ରେସ୍‌ କୋର୍ସର ଘୋଡ଼ା ନୁହେଁ ଯେ ମୋ ନାଆଁରେ ଟିକେଟ କିଣି ବାଜି ଲଢ଼ିବେ ! ମୁଁ କାହାରି ଇଚ୍ଛା ଅନୁସାରେ ନାଚି ପାରିବିନି । ମୋ ନିଜର ପ୍ରତ୍ୟେକଟି ଅଣୁକଣାକୁ ମୁଁ ତନ୍ନ ତନ୍ନ କରି ଦେଖିଛି । କୌଣସି ଖୋପରେ ଭୁଲରେ ହେଲେବି କିଛି ଗୋପନ ତଥ୍ୟ ରହି ଯାଇନି ।

 

ନିଜ ଚେହେରାକୁ ଥରେ ଭଲକରି ଆଇନାରେ ଦେଖନ୍ତୁ । କେମିତି ଆଖିପତା ତଳ ଶିଝି ଯିବାକୁ ବସିଲାଣି । ଆଖି ଉପର କେଶ ଯତ୍ନ ଅଭାବରୁ ବଢ଼ି ବଢ଼ି ବିକୃତ ଦିଶିଲାଣି । ଲୁଚିଛପି ବାର୍ଦ୍ଧକ୍ୟର ଛାପ ପଡ଼ିବାକୁ ବସିଲାଣି । ସେଥିପ୍ରତି କେହି ଯତ୍ନଶୀଳ ହେଉନାହିଁ କାହିଁକି ? ଆଉ ବା କେତେଟା ମୁହୂର୍ତ୍ତ ବାକି ? କ’ଣ ନେଇଯିବ ଘୋଡ଼ା ଉପରେ ନଦି କରି ! ଧନସମ୍ପତ୍ତି, ପ୍ରଭୁତ୍ୱ, ଅଧିକାର ନାଁ ଅହଂକାର ! ସବୁ ଅଲୋଡ଼ା, ସବୁ ତୁଚ୍ଛ । ସବୁ ଦି’ଦିନିଆ ଖେଳ । ତୁଚ୍ଛା କଥାଟାରେ ଅନେକତ ନାଚିଲଣି । ଅନ୍ୟକୁ ବି ନଚେଇଲଣି । ଏଥର ନିଜ ବାଇଆ ମନକୁ ଟିକିଏ ବୁଝେଇବାକୁ ଚେଷ୍ଟା କର । ଅନ୍ୟର ଦୁଃଖ ସୁଖକୁ ଆପଣାର କରିବାକୁ ପ୍ରୟାସ କର । ସ୍ୱାର୍ଥର ସିଡ଼ିରେ ଯେତିକି ଚଢ଼ୁଥିବ, ବେଳ ପଡ଼ିଲେ ସେତିକି ପାହାଚ ଓହ୍ଲେଇବାକୁ ପଡ଼ିବ । ସ୍ୱାର୍ଥର ସିଡ଼ି ସ୍ୱର୍ଗକୁ ଲମ୍ୱି ନଥାଏ । ଆଉ ସେ ଭୁଲ କରନାହିଁ । ଇତିହାସର ପୃଷ୍ଠା ଫାଡ଼ି ଦେଖୁନ । ଗୋଟିଏ ହେଲେ ଚରିତ୍ର ପାଇବନି । କୌଣସି ଉଦ୍ଦେଶ୍ୟ ନ ଥାଇ ମୁଁ ଯେଉଁ ସହରରେ ଠିଆହୋଇ ଘଣ୍ଟା ଘଣ୍ଟା ମୂଲ୍ୟବାନ ସମୟ ଆପଣଙ୍କର ନଷ୍ଟକରି ଆପଣଙ୍କୁ କିଛି କହିବାକୁ ଚେଷ୍ଟା କରୁଛି; ସେ ସହର ଏକ ଦେଶାନ୍ତରୀମାନଙ୍କର ସହର । ଆପଣ, ମୁଁ ଏବଂ ଆମ୍ଭେମାନେ ସମସ୍ତେ କିଏ କୋଉ କଣରୁ ଆସି ଜୋକପରି ଏଠି ପଡ଼ିରହିଛେ । ନର୍ଦ୍ଦମାରେ ପଚିସଢ଼ି ଜୋକ ପାଲଟି ଯାଇଛେ । ଏ ଯନ୍ତ୍ରଣାମୟ ଜୀବନରୁ ମୁକ୍ତି ପାଇବାର କୌଣସି ରାସ୍ତା ମୁଁ ପାଉନାହିଁ । ରାସ୍ତା ଯେତେ ପରିଷ୍କାର ଓ ସିଧା ମନେ ହେଉଥିଲେ ବି ତାହା କ୍ରମଶଃ ସେତିକି କିଟିମିଟିଆ ଓ ଭୟଙ୍କର ଦିଶୁଛି ଏବଂ ଏପରି ପ୍ରଚଣ୍ତ ଭୟାନକ ରାସ୍ତାରେ ଯାତ୍ରା କରିବା ଆଦୌ ନିରାପଦ ମନେ ହେଉନାହିଁ । ଆମମାନଙ୍କୁ ପ୍ରଥମରୁ ଏପରି ଭାବେ ଟ୍ରେନିଂ ଦିଆଯାଇଛି ଯେ ଆମେମାନେ କୋଉ ମାନ୍ଧାତା ଅମଳରୁ ପଡ଼ିଥିବା ସେଇ ଗୁଳାରେ ଚାଲିବାକୁ ବାଧ୍ୟ । ସେଥିରୁ ବ୍ୟତିକ୍ରମ ହେଲେ ସତ୍ୟାନାଶ । ଆମରି ଲୋକେ ଆମକୁ ପିଟି ପକାଇବେ । କିଛି ଗୋଟାଏ ନୂଆକଥା କରି ଭିନ୍ନ ଏକ ପ୍ରକାରେ ବଞ୍ଚିବା ମୁସ୍କିଲ । ପମ୍ପ୍‌ଦିଆ ବେଙ୍ଗପରି ଡେଇଁବା ପୂର୍ବରୁ ନିର୍ଦ୍ଦିଷ୍ଟ କରିଦିଆଯାଇଛି । ଦି’ଚାରି ପାଦେ ଡେଇଁ ଡେଇଁ ଆମେ ମୁହିଁମାଡ଼ି ପଡ଼ିରହିବା । ଆମ ଭିତରୁ ବହୁ ବୟସ୍କ ଓ ଅଭିଜ୍ଞମାନେ ମତ ଦେଇଥାନ୍ତି, ଏପରି ଡେଇଁବାରେ ଏକ ମାଦକତା ଅଛି । ଏକ ଅପୂର୍ବ ଆନନ୍ଦ ଅଛି । ‘ପରମ୍ପରା’କୁ ମାନିନେବାରେ ଆମେ ଏତେ ଅଭ୍ୟସ୍ତ ଓ ଯତ୍ନଶୀଳ ଯେ ତାକୁ ବାଦଦେଇ ଅନ୍ୟ କୌଣସି କଥା ଆମ ମୁଣ୍ଡକୁ ହଠାତ୍‌ ପଶିପାରୁନି । ଗୁଡ଼ାଏ ମୃତ ବ୍ୟକ୍ତିଙ୍କ ପଂକ୍ତି ଉଦ୍ଧୃତ କରି କରି ଆମେ ଆମ ବିଜ୍ଞତାର ସାର୍ଟିଫିକେଟ ସଂଗ୍ରହ କରିବାରେ ସିଦ୍ଧହସ୍ତ । ସୁବିଧାବାଦୀ ଲୋକଙ୍କର ଏହା ଏକ ବଡ଼ ଅସ୍ତ୍ର । ଯେ କୌଣସି ପ୍ରକାରେ ଗଳିପଶି ଲକ୍ଷ୍ୟ ହାସଲ କରିନେଲେ ଗଲା । ‘ଆଇନ ଆଗରେ ସମସ୍ତେ ସମାନ’ ଏପରି ଏକ ପ୍ରବଚନ ବହୁ କାଳରୁ ତୁହାକୁ ତୁହା କାନପାଖେ ପିଟି ହେଉଥିଲେ ବି ଏହା ନାଁକୁ ମାତ୍ର ସତ୍ୟ । ସକଳ ନିୟମର ବ୍ୟତିକ୍ରମ ଆମ ଦେଶାନ୍ତରୀ ସହରର ଅସଲ ମାପକାଠି-।’’

 

ଅନେକ ଦିନ ତଳର ସେ ପୁରୁଣା କାହାଣୀ ।

 

ଆଜି ସବୁ ଝାପ୍‌ସା ଝାପ୍‌ସା ମନେ ହେଉଛି । ସମୟ କେତେ ବଦଳି ଗଲାଣି ସତେ ! ଲୋକଟି ଅଳସରେ ହାଇଟିଏ ମାରିଲା । ଆସ୍ତେ ଆଖି ମେଲାକରି ବାହାର ଦୁନିଆକୁ ଦେଖିଲା । ଜେଲ୍‍ର ଫାଟକ ବାହାରେ ଏକ ବିଚିତ୍ର ରଙ୍ଗିନ୍‌ ଦୁନିଆଁ । ଅଦାଲତରେ ଲୋକଟିର ବିଚାର ଶେଷ ହୋଇ ଯେଉଁଦିନ ନ୍ୟାୟାଧୀଶ ତାଙ୍କର ଦୀର୍ଘ ଅଣଚାଳିଶ ପୃଷ୍ଠା ରାୟରେ ଆସାମୀକୁ ସମାଜ ବିରୋଧି କାର୍ଯ୍ୟପାଇଁ ସାତବର୍ଷ ସଶ୍ରମ କାରାଦଣ୍ତ ସୁପାରିସ୍‍ କରିଥିବା କଥା ଘୋଷଣା କରିଦେଲେ, ଲୋକ ଗହଳିରେ ଫାଟି ପଡ଼ୁଥିଲା ଅଦାଲତ । ପ୍ରବଳ ପାଟିତୁଣ୍ତ, ଠେଲାପେଲା ଦେଖି ଲୋକଟି ସେଦିନ ନିର୍ବିକାର ପୁରୁଷ ପରି ମନକୁ ମନ ପ୍ରଶ୍ନ କରିଥିଲା—ଏ ଭିଡ଼, ଏ ଗହଳି କ’ଣ ସବୁ ତା’ରି ପାଇଁ ? କେତେ ବଦଳି ଗଲେଣି ଲୋକେ । ସେଦିନ ଲୋକଟିର ମନ ହେଉଥିଲା, ଚିତ୍କାର କରି ସମସ୍ତଙ୍କୁ ଶୁଣାଇ ଦେବାକୁ ଯେ, ଯେତେ ଜୋର୍‌କରି ଚପାଇ ଦେବାକୁ ବସିଲେ, ସତ୍ୟ ସେତିକି ଖୋଲାଖୋଲି ଭାବେ ଧରା ପଡ଼ିଯିବ । ସେ କିନ୍ତୁ କିଛି କହିପାରି ନଥିଲା-

 

ଶବ୍ଦଟିଏ ତା’ ପାଟିକୁ ବାହାରି ନଥିଲା । ସେ ବିନା ଆପତ୍ତି ଓ ପ୍ରତିବାଦରେ ଜେଲ୍‌ ଭ୍ୟାନରେ ବସି ଚାଲି ଯାଇଥିଲା ।

 

ଲୋକଟିର ବିଚାର ଦେଖି ବୁଦ୍ଧିଜୀବୀମାନେ ପ୍ରମାଦ ଗଣିଥିଲେ । ଭୁଲରେ ବି ତା’ ଗିରଫଦାରୀର ପ୍ରତିବାଦ ପତ୍ରଟିଏ କୌଣସି ସମ୍ବାଦପତ୍ରରେ ଛପାଇବାକୁ କେହି ସାହାସ କରି ନଥିଲେ । ଆତଙ୍କରାଜ ଖେଳି ଯାଇଥିଲା ସାରା ସହରରେ । ପ୍ରଧାନ ପ୍ରଧାନ ଆଡ୍‌ଡାଜାଗା ମାନଙ୍କରେ କେହି ଲୋକଟି କଥା ଆଲୋଚନା କରୁ ନଥିଲେ ।

 

ଦୀର୍ଘ ସାତ ବର୍ଷର ସଶ୍ରମ ହାଡ଼ଭଙ୍ଗା ପରିଶ୍ରମ ଲୋକଟିକୁ ଏକ ଭିନ୍ନଭାବେ ଗଢ଼ି ଦେଇଥିଲା । ଖାଲି ଭାଷଣରେ, କଥାରେ ପରିବର୍ତ୍ତନ ହେବନାହିଁ ବୋଲି ତା’ର ଧାରଣା ହଠାତ୍‌ ହେଲା । ବୁଦ୍ଧିରେ, କସରତରେ ସମାଜ ବଦଳି ଯିବନି ରାତାରାତି । କଠିନ ପରିଶ୍ରମ ଲୋଡ଼ା । ଆଣ୍ଠୁ ଗଣ୍ଠି ଭାଙ୍ଗି ଖଟିବାକୁ ପଡ଼ିବ, ଯିଏ ଯୋଉଠି ଥାଉନା କାହିଁକି ତା’ ନ ହେଲେ ଆତ୍ମବିଶ୍ୱାସ ଆସିବନି । ଆତ୍ମବିଶ୍ୱାସ ନଥିବା ଲୋକଙ୍କ ଦ୍ୱାରା କିଛି ବି ହେଇ ପାରେନା । ସେ ବହିରେ ପଢ଼ିଥିବା କାହାଣୀ ସବୁକୁ ମନେ ପକାଇଲା । ସେଇ କନ୍‌ସେନଟ୍ରେସନ୍‌ କ୍ୟାମ୍ପ କଥା । ସେ କ୍ୟାମ୍ପରେ ଯିଏ ଥରେ ତାଲିମ ପାଇ ଫେରି ଆସିଛି ସେ ଏକ, ‘ହୀରୋ’ ପାଲଟିଛି । ଜେଲ୍‍ରୁ ବାହାରି ରାଜପଥରେ ଚାଲିଲାବେଳେ ଲୋକଟି ମନକୁ ମନ ଭାବୁଥାଏ, ତା’ ସମାଜ, ତା’ ସଂସ୍କୃତି, ତା’ ପିଲାକବିଲାଙ୍କ ଭବିଷ୍ୟତ ପାଇଁ ସେ ପାଟି ଫିଟେଇବନି ତ ଆଉ କିଏ କହିବ । ତା’ ଦେଶର ରାଜନୀତି, ରାଷ୍ଟ୍ରନୀତି, ଧର୍ମ, ଦର୍ଶନ, ଭାଷା, ସାହିତ୍ୟ ସବୁଥିରେ ତା’ର କିଛି କହିବାର ଅଛି । ତା’ ହାତରେ ସମୟ ଖୁବ୍‌ ଅଳ୍ପ । ତେଣୁ ସେ ମନଖୋଲି ସବୁକିଛି କହି ଶୁଣେଇ ଦେବ । ପେଟ ପାଇଁ ମୁଣ୍ତ ବିକିଛି ବୋଲି ସେ ତା’ର ସବୁକିଛିକୁ ବଳିଦେଇ ପାରିବନି । ପଦଲେହନ କରି, ଖାଲି ହାକିମଙ୍କ ଗୁଣକୀର୍ତ୍ତନ କରି କରି ଗଧପରି ଜୀବନ ବିତେଇ ପାରିବନି ସେ । ନିଜର ବାକ୍‌ ସ୍ୱାଧୀନତା ହରେଇ ବସିବା ଅର୍ଥ, ଆତ୍ମହତ୍ୟା କରିଦେବା । ସଚଳ ମଣିଷକୁ ଅଚଳ କରିଦେବା ସଙ୍ଗେ ସମାନ ।

 

ଲୋକଟି ଦେହରେ ଯେତେବେଳେ ଅଫୁରନ୍ତ ଯୌବନ ଖୁନ୍ଦି ହୋଇ ରହିଥିଲା, ଲୋକେ ତା’ର ପ୍ରଚଣ୍ଡ ବ୍ୟକ୍ତିତ୍ୱ ନିକଟରେ ମୁଣ୍ଡ ନୁଆଁଉଥିଲେ । ତା’ର ଉଜ୍ଜ୍ୱଳ ଭବିଷ୍ୟତ ତା’ ବୁଢ଼ୀମା’ ପରିଷ୍କାର ଦେଖି ପାରୁଥିଲା । ସ୍ନେହରେ ବୋକ ଦେଲାବେଳେ ତା’ ବୁଢ଼ୀମା’ ତାକୁ ବୁଝାଉଥିଲା, ‘‘ବାହୁବଳରେ ତୁ ଆମ ମହଲାକୁ ଜିଣିଯାଇପାରୁ କିନ୍ତୁ ଜଗତକୁ ଜିଣିବାକୁ ହେଲେ ବୁଦ୍ଧିବଳ ଲୋଡ଼ା ।’’ ସାତ ବର୍ଷର ଜେଲ୍‌ଜୀବନ ପରେ ଲୋକଟିର ବିଶ୍ୱାସ ବଢ଼ିଯାଇଛି । ତା’ ବୁଢ଼ୀମା’ କଥା ଅକ୍ଷରେ ଅକ୍ଷରେ ସତ । ଆହାଃ, ଆଜି ସେ ବଞ୍ଚିଥାନ୍ତା କି ? ଲୋକଟି ଆଖିରେ ଲୁହ ଜମି ଆସୁଥିଲା ।

Image